ଶାନ୍ତ ଗ୍ରହର ଅଶାନ୍ତ କଥା
ଶାନ୍ତ ଗ୍ରହର ଅଶାନ୍ତ କଥା
ନିକୁଞ୍ଜ ବିହାରୀ ସାହୁ
ଆମେ ଏକ ବିଶାଳ ନଟୂ ଉପରେ ବାସ କରୁଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ I ଏହି ନଟୁ ଆଉ କେହି ନୁହେଁ, ଆମର ଗ୍ରହ ପୄଥିବୀ I ପୄଥିବୀ ଆମକୁ କେତେ ସୁନ୍ଦର ନଲାଗେ ସତେ: ଶାନ୍ତ, ଶିଥିଳ ଓ କମନୀୟ I ପୃଥିବୀପୃଷ୍ଠରେ ରଙ୍ଗମଞ୍ଚର ପଟ୍ଟ ପରିବର୍ତ୍ତନ ପରି ଗୋଟିକ ପରେ ଗୋଟିଏ ରୁତୁ ଅବତରଣ କରନ୍ତି ଏବଂ ରୁତୁଚକ୍ରର କ୍ରମାଗତ ଘୂର୍ଣ୍ଣନ ସଙ୍ଗେସଙ୍ଗେ ପୁଣି ସେଗୁଡିକର ପୁନରାବୄତ୍ତି ଘଟେ I ପୃଥିବୀପୃଷ୍ଠରେ ଘଟୁଥିବା ଏହି ଚିରାଚରିତ ପରିବର୍ତ୍ତନ ସହିତ ଆମେ ଦୈନନ୍ଦିନ ଜୀବନରେ ଅଭ୍ୟସ୍ତ ଓ ରୁତୁଗୁଡିକର ଏହି ବିଚିତ୍ର ଦୃଶ୍ୟପଟ୍ଟ ପୃଥିବୀରେ ବେଶ୍ ରମଣୀୟ ଓ ଉପଭୋଗ୍ୟ ହୋଇଥାଏ I କିନ୍ତୁ ଜାଣିଛନ୍ତି କି, ପୃଥିବୀ ପୃଷ୍ଠରେ ଘଟୁଥିବା ଏହି ଧୀର ମନ୍ଥର ପ୍ରକ୍ରିୟା ପାଇଁ ପୄଥିବୀକୁ କକ୍ଷପଥରେ କେତେ ବେଗରେ ଧାଇଁବାକୁ ପଡେ ? ଆଶ୍ଚର୍ଯ୍ୟ ଲାଗେ ଯେ, ଏଥି ପାଇଁ ପୄଥିବୀକୁ ନିଜ କକ୍ଷପଥରେ ସେକେଣ୍ଡ ପିଛା ପ୍ରାୟ 30 କି.ମି. (29.675) ବେଗରେ ଗତି କରିବାକୁ ପଡେ I
ସେକେଣ୍ଡ ପ୍ରତି 30 କି.ମି. ବେଗ ବୋଧହୁଏ ବିଶେଷ କିଛି ବୁଝାଇ ନଥାଏ I ଆମେ ବେଗକୁ ସାଧାରଣତଃ ଘଣ୍ତା ପ୍ରତି କିଲୋମିଟର ଏକକରେ ପ୍ରକଶ କରିଥାଉ I ଯେପରି ଜଣେ ମନୁଷ୍ୟର ହାରାହାରି ବେଗ ଘଣ୍ଟା ପ୍ରତି 6 କି,ମି., କାର୍ କିମ୍ବା ରେଳଗାଡିର ବେଗ 100 କି.ମି./ଘ. , ଯାତ୍ରୀବାହୀ ବିମାନର ବେଗ 600 କି.ମି./ଘ. ଏବଂ ଯୁଦ୍ଧ ବିମାନ ଗୁଡିକ ସାଧାରଣତଃ ଶବ୍ଦଠାରୁ ଅଧିକ ବେଗରେ ( 1200 କି.ମି./ଘ.) ଗତି କରିଥାନ୍ତି I ସେହିପରି, କୄତ୍ରିମ ଉପଗ୍ରହଗୁଡିକ ମହାକାଶରେ 28,400 କି.ମି/ଘ ବେଗରେ ଗତି କରିଥା'ନ୍ତି I ସେହିପରି, ହିସାବ କଲେ ଦେଖାଯିବ ଯେ ଆମ ଗ୍ରହ ପୃଥିବୀ ନିଜ କକ୍ଷପଥରେ ଘଣ୍ଟା ପ୍ରତି 107,154 କି.ମି. ବେଗରେ ଶୂନ୍ୟରେ ଗତି କରୁଛି I ତେବେ ଆପାତତଃ ଶାନ୍ତ ଶିଥିଳ ଜଣା ପଡୁଥିବା ରୁତୁଚକ୍ରର ଏହି ମନ୍ଦ ମଧୁର ପରିବର୍ତ୍ତନର ଅନ୍ତରାଳରେ ଯେ ଆମ ଗ୍ରହଟିକୁ ଯେ ଅସ୍ୱାଭାବିକ ଭାବେ ଏକ ଦୂରନ୍ତ ଗତିରେ ଛୁଟିଯିବାକୁ ପଡେ , ତାହା ଆଶ୍ଚର୍ଯ୍ୟ ଲାଗିଲେ ସୁଦ୍ଧା ସତ୍ୟ I
ରୁତୁଚକ୍ର ଭଳି ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ଦିନରାତିର ପରିବର୍ତ୍ତନ ଘଟିଥାଏ I ସୂର୍ଯ୍ୟ ପ୍ରତ୍ୟେକ ଦିନ ଗତାନୁଗତିକ ରୀତିରେ ପୂର୍ବ ଦିଗରେ ଉଦୟ ହୁଏ , ଧୀରେଧୀରେ ମୁଣ୍ଡ ଉପରକୁ ଉଠିଆସେ ଓ ସମୟକ୍ରମେ ପଶ୍ଚିମ ଦିଗରେ ବୁଡିଗଲେ ରାତିର ଘନ ଅନ୍ଧକାର ମାଡି ଆସେ ଏବଂ ପ୍ରତି 23 ଘଣ୍ତା 56 ମିନିଟ 4 ସେକେଣ୍ଡ ଅନ୍ତରାଳରେ ଏହି ପ୍ରକ୍ରିୟାର ପୁନରାବୃତ୍ତି ଘଟିଥାଏ I ତେବେ ପୄଥିବୀପୄଷ୍ଠରେ ଧୀରମନ୍ଥର ଭାବେ ଘଟୁଥିବା ଏହି ଚିରାଚରିତ ପରିବର୍ତ୍ତନ ପାଇଁ ଆମ ଗ୍ରହଟିକୁ ନିଜ ଅକ୍ଷ ଚାରିପଟେ କେତେ ବେଗରେ ଘୂରିବାକୁ ପଡେ ଜଣିଛ କି ? ଘଣ୍ଟା ପ୍ରତି 1674 କି.ମି. ଗେଗରେ ବିଶୁବରେଖାଠାରେ- ଯାହା ମଧ୍ୟ ପୁଣି ଏକ ପ୍ରଚଣ୍ଡ ବେଗ ଅଟେ I
ଖାଲି ସେତିକି ନୁହେଁ, ଆମ ଗ୍ରହ ମଧ୍ୟ ସୂର୍ଯ୍ୟ ସହିତ ସଂଶ୍ଳିଷ୍ଟ ହୋଇ ଆକାଶଗଙ୍ଗା ନୀହାରିକାର କେନ୍ଦ୍ର ଚାରିପଟେ ଏକ ଅୟୁତ କୋଟି ତାରକାଙ୍କ ସହିତ ଘୂରି ଯାଉଛି 8,06,400 କି.ମି./ଘ ବେଗରେ ଏବଂ ପୁଣି ନୀହାରିକାଗୁଡିକ ପରସ୍ପରଠାରୁ ଦୂରେଇ ଯାଉଥିବାରୁ ଆମର ପୄଥିବୀ ମଧ୍ୟ ବିଶ୍ୱର ଅନ୍ୟ ନୀହାରିକାଙ୍କ ସହ ମିଶି ପ୍ରାୟ 21,60,000 କି.ମି./ଘ. ବେଗରେ ଅନ୍ତରୀକ୍ଷର କେଉଁ ଏକ ଅଜଣା ସ୍ଥାନ ଅଭିମୁଖେ ଛୁଟି ଯାଉଛି I
ତେବେ ଆପାତତଃ ଶନ୍ତ ସୌମ୍ୟ ଜଣା ପଡୁଥିବା ଆମର ଗ୍ରହଟି ପ୍ରକୄତରେ ଯେ କେତେ ଅଥୟ ଓ ଅଶାନ୍ତ ଆମେ ଜାଣିଲେ I ଏତେ ଗୁଡିଏ ଭିନ୍ନ ଭିନ୍ନ ମୁଖୀ ଗତିକୁ ଏକସଙ୍ଗରେ ଧରି ରଖିଥିବାରୁ ଆମର ଗ୍ରହକୁ 'ଗତିର ବଣିକ' କହିଲେ ଅତ୍ୟୁକ୍ତି ହେବ ନାହିଁ I ତେବେ ଗୋଟିଏ କଥା ମନରେ ପ୍ରଶ୍ନ ଉଠେ : ଏତେ ଗୁଡିଏ ପ୍ରଚଣ୍ଡ ବେଗରେ ଗତିଶୀଳ ହୋଇ ମଧ୍ୟ ଆମେ ପୄଥିବୀରେ କାହିଁକି ଏହି ଗତିସବୁକୁ ଅନୁଭବ କରି ହୁଏ ନାହିଁ ଏବଂ ପୄଥିବୀପୄଷ୍ଠରେ ଘଟୁଥିବା ସମସ୍ତ ପ୍ରକ୍ରିୟା ଆମକୁ ଶାନ୍ତ ଓ ଗତାନୁଗତିକ ଜଣାପଡେ ତଥା ଏହି ନିରୀହ ଅଜ୍ଞତା ମଧ୍ୟରେ ଆମର ଦୈନନ୍ଦିନ କର୍ମମୁଖର ଜୀବନଧାରା ଗଡିଚାଲେ I
ଅମର ପୄଥିବୀକୁ ଏକ ଗତିଶୀଳ ରେଳଗାଡି ସହିତ ତୁଳନା କରା ଯାଇପାରେ I କୌଣସି ଗତିଶୀଳ ରେଳଗାଡି ନିଜର ବେଗ ହଠାତ ହ୍ରାସ କିମ୍ବା ବୄଦ୍ଧି କରିଦେଲେ ଆମେ ଆଗକୁ କିମ୍ବା ପଛକୁ ଝୁଙ୍କି ପଡିଥାଉ ଓ ରେଳଗାଡିଟି ଅତ୍ୟଧିକ ବେଗରେ ଗତି କରୁଥିଲେ ଆମେ ନିଜ ସ୍ଥାନରୁ ଛିଟିକି ପଡିବା ମଧ୍ୟ କିଛି ଅସମ୍ଭବ ନୁହେଁ I ଏହା ରେଳଯାତ୍ରା ସମୟର ଏକ ସାଧାରଣ ଅନୁଭୂତି I ମାତ୍ର ରେଳଗାଡିଟି ସମବେଗରେ ଯାଉଥିବା ପର୍ଯ୍ୟନ୍ତ ଯାତ୍ରୀ ଉପରେ କୌଣସି ବଳ କାର୍ଯ୍ୟକାରୀ ହୁଏ ନାହିଁ ଏବଂ ରେଳଗାଡି ମଧ୍ୟରେ ରହି ତଥା ବାହାରକୁ ନଚାହିଁ ଏହାର ଗତି ସମ୍ପର୍କରେ ଅବଧାରଣ କରିବା ନିହାତି ଅସମ୍ଭବ ହୋଇ ଉଠେ I ଏହା ବିଜ୍ଞାନରେ ନିଉଟନଙ୍କ ଗତି ସଂକ୍ରାନ୍ତୀୟ ପ୍ରଥମ ନିୟମ ଉପରେ ପର୍ଯ୍ୟବେସିତ ଯାହା ପ୍ରକୄତରେ 'ଜଡତା' ସମ୍ବନ୍ଧୀୟ ଏକ ନିୟମ ଅଟେ I ଏହି ନିୟମ ଅନୁସାରେ, ବାହ୍ୟ ବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ସ୍ଥିର ବସ୍ତୁ ସ୍ଥିର ରହେ ଏବଂ ଗତିଶୀଳ ବସ୍ତୁ ଏକ ସରଳରେଖାରେ ସମବେଗରେ ଗତି କରିଥାଏ I ପୃଥିବୀର ଉପରୋକ୍ତ ଯେଉଁ ଗତିସବୁ କଥା ଆମେ ଆଲୋଚନା କଲେ ସେସବୁ ସମବେଗୀୟ ଗତି ଏବଂ ଜଡତ୍ୱର ନିୟମରେ ପରିଚାଳିତ ହୋଇ ଆମର ଗ୍ରହଟି କେଉଁ ଆବହମାନ କଳରୁ ଏହି ସମସ୍ତ ଗତିକୁ ବଜାୟ ରଖି ଆସିଛି I
ଏବେ ଥରେ ଭାବିଲେ , ଯଦି ଆମର ଗ୍ରହ ପୄଥିବୀ ନିଜର ବେଗ ହଠାତ କମ୍ କିମ୍ବା ବେଶୀ କରିଦେବ ତାହାଲେ ପରିସ୍ଥିତି କ'ଣ ହେବ ? ସେପରି ହେଲେ ଆମେ ସମସ୍ତେ ପ୍ରଚଣ୍ଡ ବେଗରେ ପୄଥିବୀପୃଷ୍ଠରୁ ମହାକାଶକୁ ଛିଟିକି ଯିବା ଏବଂ ଅନନ୍ତ କାଳ ପାଇଁ ମହାଶୂନ୍ୟରେ ସେହିପରି ଗତି କରୁଥିବା ଏବଂ ଆଉ ସେତିକିବେଳେ ହିଁ ଆମ ଗ୍ରହର ଅସଲ ଗତି ସମ୍ପର୍କରେ ଆମର ଧାରଣା ଜନ୍ମନ୍ତା I ଭାବିଲେ ଡର ଲାଗେ ସତରେ! ସୌଭାଗ୍ୟକ୍ରମେ, ଆମର ଗ୍ରହଟି ବିଶ୍ୱର ଅଧିକାଂଶ ମହାକାଶୀୟ ପିଣ୍ଡଙ୍କ ଭଳି ସମବେଗରେ ଗତି କରୁଥିବାରୁ ଆମେ ସମସ୍ତେ ପୄଥିବୀପୄଷ୍ଠରେ ସ୍ଥିର ଭାବରେ ଲାଖି ରହି ଶାନ୍ତିରେ ବାସ କରୁଛେ I ଭବିଷ୍ୟତରେ ମଧ୍ୟ ଆମର ବିବ୍ରତ ହେବାର କାରଣ ନାହିଁ , ଯେହେତୁ ପ୍ରତ୍ୟେକ ବସ୍ତୁର ଗତୀୟ ଅବସ୍ଥା ପ୍ରକୃତିର ଜଡତ୍ୱ ନିୟମ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଏବଂ ଏହା ଏକ ଚିରନ୍ତନ ସତ୍ୟ I
ତେବେ ଆସ, ପୄଥିବୀର ଏହି ଅସଲ ଭୀମକାନ୍ତ ରୂପକୁ ଭୁଲିଯାଇ ପୂର୍ବ ଭଳି ଅଜ୍ଞତାର ଇଲାକା ମଧ୍ୟରେ ହଜିଯିବା ଏବଂ ଆମର ଚିରାଚରିତ ଶାନ୍ତ ସୌମ୍ୟ ଗ୍ରହଟି ଉପରେ ମନଖୁସିରେ ବାସ କରିବା I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Comments
Post a Comment