ଇତିହାସ ରଚିବ ଚନ୍ଦ୍ରଯାନ-3

                                                              ଇତିହାସ ରଚିବ ଚନ୍ଦ୍ରଯାନ-3

ନିକୁଞ୍ଜ ବିହାରୀ ସାହୁ

 

          ଚନ୍ଦ୍ର ଆମର ପଡୋଶୀ ମହାକାଶୀୟ ପିଣ୍ଡ I ଚନ୍ଦ୍ରର ମାଦକତାଭରା ରୂପେଲି  କିରଣ  କେଉଁ ଆବହମାନ କାଳରୁ କବି, ଦାର୍ଶନିକ ଓ ଭାବୁକମନଙ୍କୁ ଆକୃଷ୍ଟ କରି ଆସିଛି I ଜହ୍ନର ଏହି ମାଦକତାଭରା କିରଣରେ ଭିଜୁ ଭିଜୁ  ଅନେକ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରେ : ଜହ୍ନ କିପରି ଏକ ରାଇଜ; ସେଠାରେ  ପୄଥିବୀ ଭଳି ମାଟି, ପାଣି , ପବନ ଅଛି କି , ସେଠାରେ ମଣିଷ କିମ୍ବା ମଣିଷ ଭଳି ଜୀବନ୍ତ ପ୍ରାଣୀ ଅଛି କି ଇତ୍ୟାଦି ଇତ୍ୟାଦି ?

ଚନ୍ଦ୍ର ଅଭିଯାନର ଇତିହାସ

       ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଲରୁ ଉଦ୍ୟମ କରି ଆସିଛି I ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ଋଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି I ରୁଷିଆର ଏକ ଯାନ ଲୁନା -2, 1959 ମସିହା ସେପ୍ଟେମ୍ବର 14 ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ I ଏହି ସିରିଜର ପରବର୍ତ୍ତୀ ଯାନ ଲୁନା -3 ସେହି 1959 ମସିହା ଅକ୍ଟୋବର 7 ତାରିଖରେ ଚନ୍ଦ୍ର ଚାରିପଟେ ଏକ ଉପଗ୍ରହ ସଦୄଶ ଘୁରିଘୁରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ I ଋଷିଆର ଅନ୍ୟ  ଦୁଇ ଯାନ ଲୁନା -9 ଓ ଲୁନା -17, 1966 ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି I ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏପର୍ଯ୍ୟନ୍ତ ପଛରେ ପଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ କାର୍ଯ୍ୟକ୍ରମ ଭଳି କିଛି ମନୁଷ୍ୟ ମହାକାଶଯାତ୍ରୀ ଥିବା ଅଭିଯାନକୁ ହାତକୁ ନିଏ I ଏହାର ଏକ ଅଭିଯାନ ଆପୋଲୋ-8 ଜରିଆରେ ତିନି ଜଣ ମହାକାଶଚାରୀ 1968 ମସିହା ଡିସେମ୍ବର 24 ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି I ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା 1969 ମସିହା ଜୁଲାଇ 20 ତାରିଖର ଦିନଟି : ଏହି  ଦିନ ତିନି ଜଣ  ମହାକାଶଚାରୀଙ୍କୁ ନେଇ ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ଏକ ଯାନ ଆପୋଲୋ -11 ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନେଲ୍ ଆର୍ମଷ୍ଟ୍ରଙ୍ଗ୍ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରନ୍ତି I ପରବର୍ତ୍ତୀ 1970 ମସିହା ନଭେମ୍ବର 17 ତାରିଖରେ, ଋଷିଆ ଚନ୍ଦ୍ର ପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା  I ଏଥିରୁ ଏକ ଚକଲଗା ଗାଡି (ନାମ : ଲୁନାଖୋଡ଼-1) ବାହାରି ଚନ୍ଦ୍ରପୃଷ୍ଠରେ ଗଡିଗଡି ବିଚରଣ କରିଥିଲା I ଯୁକ୍ତରାଷ୍ଟ୍ର ଆମେରିକା 1972 ମସିହା ଡିସେମ୍ବର ମାସରେ ଆପୋଲୋ -17 ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା I ପରବର୍ତ୍ତୀ ସମୟରେ, ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ଲୁନା -16, ଲୁନା - 20 ଲୁନା -24 ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ 6ଟି ଅଭିଯାନ ( ଯଥା  ଆପୋଲୋ -12 ରୂ ଆପୋଲୋ - 17: ଆପୋଲୋ-13 ବ୍ୟତୀତ) ଚନ୍ଦ୍ର ପୃଷ୍ଠରୁ ମୄତ୍ତିକା ଓ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି I ଇତି ମଧ୍ୟରେ ଗତ 2019 ମସିହା ଜାନୁଆରୀ 3 ତାରିଖରେ ଚାଇନା ବିଶ୍ୱର ତୄତୀୟ ରାଷ୍ଟ୍ର ରୂପେ ନିଜର ଏକ ଯାନ 'ଚ୍ୟାଙ୍ଗ୍-4' କୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ସଫଳ ଅବତରଣ କରାଇବାରେ ସକ୍ଷମ ହୋଇଛି I

ଭାରତର ଚନ୍ଦ୍ର ଅଭିଯାନ

    ଏହି ଚନ୍ଦ୍ର ଦୌଡରେ ଆମ ଦେଶ ଭାରତ ମଧ୍ୟ ପଛରେ ପଡିନାହିଁ. ବିଳମ୍ବରେ ହେଲେ  ସୁଦ୍ଧା ଭାରତୀୟ ଅନ୍ରରୀକ୍ଷ ଅନୁସନ୍ଧାନ ସଂସ୍ଥାନ 'ଇସ୍ରୋ' ଗତ ଜୁଲାଇ 14 ତାରିଖ ଦିନ  ଚନ୍ଦ୍ରକୁ ନିଜର  ଏକ ନୂତନ ଅଭିଯାନ ଚନ୍ଦ୍ରଯାନ-ପ୍ରେରଣ କରିଛି I ଏହା ପୄଥିବୀ ଚାରିପଟେ କିଛି ଦିନ ଅଣ୍ଡାକାର ପଥରେ ଘୂରିବା ପ୍ରକ୍ରିୟା ସମାପ୍ତ କରି ଅନ୍ତରୀକ୍ଷରେ ଦୀର୍ଘ 22 ଦିନ ଯାତ୍ରା କଲା ପରେ 3,84,000 କି.ମି ପଥ ଅତିକ୍ରମ ପୂର୍ବକ ଗତ ଅଗଷ୍ଟ 6 ତାରିଖରେ  ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଯାଇଛି I ଇତି ମଧ୍ୟରେ ଯାନର କ୍ୟାମେରା ଚନ୍ଦ୍ରପୄଷ୍ଠର ଫଟୋଚିତ୍ର ଉତ୍ତୋଳନ କରି ପୄଥିବୀକୁ ପ୍ରେରଣ କରିଛି I ଏହା କିଛି ଦିନ ଚନ୍ଦ୍ରକୁ ଏକ ବୄତ୍ତାକାର କକ୍ଷରେ ପରିକ୍ରମା କଲା ପରେ ଆଗାମୀ ଅଗଷ୍ଟ 23 ତାରିଖ ଦିନ ଏକ ସ୍ୱତନ୍ତ୍ର ଯାନକୁ ଚନ୍ଦ୍ରପୃଷ୍ଠର  ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ଚନ୍ଦ୍ରର ଦକ୍ଷିଣ ମେରୁ  ନିକଟରେ ନିରାପଦ ଭାବେ ଅବତରଣ କରାଇବାକୁ ଯୋଜନା ରହିଛି I ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖିଛି I ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ  ଉପଲବ୍ଧିରେ  ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ପରେ ବିଶ୍ୱର ଚତୁର୍ଥ  ରାଷ୍ଟ୍ର  ରୂପେ ପରିଗଣିତ ହେବ I ଏହା ସମଗ୍ର ଦେଶ ପାଇଁ କମ୍ ଗୌରବର କଥା ନୁହେଁ  I

        ଭାରତ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ ବିଗତ 2008 ମସିହା ଅକ୍ଟୋବର 22 ତାରିଖ ଦିନ 'ଚନ୍ଦ୍ରଯାନ-1' ଜରିଆରେ ପ୍ରେରଣ କରିଥିଲା I ଏହି ପ୍ରକଳ୍ପରେ ସମୁଦାୟ 386 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I ଏହି ଯାନ 2008 ମସିହା ନଭେମ୍ବର 8 ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୄଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ସଂଗ୍ରହ କରିଥିଲା I ଏକ ସ୍ମରଣୀୟ ଘଟଣା ରୂପେ,  2008 ମସିହା ନଭେମ୍ବର 14 ତାରିଖ ଦିନ, ଏହି ଯାନରୁ ଏକ ଉପକରଣ ବିଛିନ୍ନ ହୋଇ ଚନ୍ଦ୍ରପୄଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ରମାଟିରେ  ଭାରତର ଜାତୀୟ ପତାକା ନିଦର୍ଶନ ସ୍ଥାପନ କରିଥିଲା  I ଚନ୍ଦ୍ରଯାନ-ଚନ୍ଦ୍ରକୁ 3400 ଥର ପରିକ୍ରମା କରିବା ପରେ  ଦୁର୍ଭାଗ୍ୟକ୍ରମେ 2009 ମସିହା ଅଗଷ୍ଟ 29 ତାରିଖ ଦିନ ତ୍ରୁଟିଯୁକ୍ତ ହୋଇ  ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା I ମାତ୍ର ଚନ୍ଦ୍ରଯାନ-1 ର ଏକ ବଡ ଉପଲବ୍ଧି ଥିଲା ଚନ୍ଦ୍ରପୄଷ୍ଠରେ ଜଳ ଅଣୁର ସନ୍ଧାନ I ଏହାର ସଂଗୃହୀତ  କିଛି ତଥ୍ୟକୁ ଭିତ୍ତିକରି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଓ ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର  ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୄଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ I

           ଭାରତ ଚନ୍ଦ୍ର ଅଭିମୁଖେ ନିଜର ଦ୍ୱିତୀୟ ଅଭିଯାନ ଦୀର୍ଘ 11 ବର୍ଷର ନୀରବତା ପରେ, ଗତ 2019 ମସିହା  ଜୁଲାଇ 22 ତାରିଖରେ, ଭାରତ ଚନ୍ଦ୍ରପୄଷ୍ଠକୁ ନିଜର ଦ୍ୱିତୀୟ  ଅଭିଯାନ  'ଚନ୍ଦ୍ରଯାନ-2' ଜରିଆରେ  ପ୍ରେରଣ କରିଥିଲା I ଏହି ପ୍ରକଳ୍ପରେ ସମୁଦାୟ 603 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I ଏହି ଯାନ  2019 ମସିହା ଅଗଷ୍ଟ 22 ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା I ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରଯାନର ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ  ହାସଲ କରିବା ପାଇଁ ଚେଷ୍ଟା କରା ଯାଇଥିଲା I ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା  ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୄଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା  I ମାତ୍ର ଏହି ଅଭିଯାନ ଚନ୍ଦ୍ରପୃଷ୍ଠରେ ଏକ ଯାନକୁ ଧୀର ଅବତରଣ କରାଇ  ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା I ପରବର୍ତ୍ତୀ ଚନ୍ଦ୍ରଯାନ-2 ଅଭିଯାନରେ ଏକ ଅତ୍ୟାଧୁନିକ  ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ  ଧୀର ଅବତରଣ ଜରିଆରେ ଖସାଇ  ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖା ଯାଇଥିଲା I ମାତ୍ର   ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନଥିଲା  I ଏଥିରେ ଥିବା 'ଅର୍ବିଟର୍' ଯାନଟି ଯୋଜନା ମତେ ଚନ୍ଦ୍ରକୁ ସଫଳତାର ସହିତ ପରିକ୍ରମା କରି ଚନ୍ଦ୍ରପୄଷ୍ଠର ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲାବେଳେ  ଏଥିରୁ ବିଛିନ୍ନ ହୋଇ ଏକ ଅବତରକ ଯାନ 'ବିକ୍ରମ' ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା I ବିକ୍ରମ ଅବତରକ ଯାନଟିରେ ଏକ ଚକଲଗା ଗାଡି  ବା ରୋଭର୍ (ନାମ : ପ୍ରଜ୍ଞାନ) ମଧ୍ୟ ସ୍ଥାନିତ ଥିଲା  ଯାହା ଚନ୍ଦ୍ରପୄଷ୍ଠରେ ପହଞ୍ଚିବା ମାତ୍ରେ ଅବତରକ ଯାନରୁ ବାହାରି ଚନ୍ଦ୍ରପୄଷ୍ଠ ଉପରେ ଗଡିଗଡି ବୈଜ୍ଞାନିକ ତଥ୍ୟାବଳି ସଂଗ୍ରହ କରିବା କଥା I ଦୁର୍ଭାଗ୍ୟକ୍ରମେ, ବିକ୍ରମ ଅବତରକ ଯାନଟି ସୁଚାରୂ ରୂପେ ଚନ୍ଦ୍ରପୄଷ୍ଠରେ ଧୀର ଅବତରଣ କରି ନପାରି 2019 ମସିହା ସେପ୍ଟେମ୍ବର 6 ତାରିଖ ଦିନ ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବା ସହିତ ଭୂପୄଷ୍ଠ ସହିତ ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ହୋଇ ଯାଇଥିଲା I ଏହା ସହିତ ଭାରତର ଚନ୍ଦ୍ରମାଟିକୁ ଛୁଇଁବାର  ସ୍ୱପ୍ନ ଅଧୁରା ରହି ଯାଇଥିଲା I

  ଚନ୍ଦ୍ରକୁ ଛୁଇଁବାର ଆଶା

        ପୂର୍ବର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ପରେ ଭାରତ ଏବେ ଚନ୍ଦ୍ରଯାନ-3 ଅଭିଯାନ ଜରିଆରେ  ପୂର୍ବର ତ୍ରୁଟିକୁ ସୁଧାରି ଚନ୍ଦ୍ରପୄଷ୍ଠରେ ସଫଳ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି I ଚନ୍ଦ୍ରଯାନ-3 ର ସମୁଦାୟ ତିନୋଟି ଏକକ ବା ମଡ୍ୟୁଲ୍ ରହିଛି, ଯଥା : ପ୍ରପଲସନ୍ ମଡ୍ୟୁଲ ଯାହା ଯାନକୁ ଗତିଶୀଳତା ପ୍ରଦାନ କରିବ I ଦ୍ୱିତୀୟଟି ହେଲା ଅବତରକ ମଡ୍ୟୁଲ ଯାହା ଚନ୍ଦ୍ରପୄଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରମାଟିକୂ ଛୁଇଁବ I ତୄତୀୟଟି ହେଲା ରୋଭର୍ ମଡ୍ୟୁଲ ଯାହା ଏକ ଚକଲଗା ଗାଡି ସଦୄଶ  ଚନ୍ଦ୍ରପୃଷ୍ଠରେ ଗଡିଗଡି ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ I ଚନ୍ଦ୍ରଯାନ-2 ଅଭିଯାନରେ ଥିବା  ଅର୍ବିଟର ମଡ୍ୟୁଲକୁ  ଚଳିତ ଚନ୍ଦ୍ରଯାନ-3 ଅଭିଯାନରେ ସ୍ଥାନିତ କରାଯାଇ ନାହିଁ I ଯେହେତୁ ଚନ୍ଦ୍ରଯାନ-2 ଅଭିଯାନର ଅର୍ବିଟର୍  ମଡ୍ୟୁ୍ଲ୍ ଟି ଏବେବି ଚନ୍ଦ୍ରକକ୍ଷରେ ସକ୍ରିୟ ଅଛି , ଚନ୍ଦ୍ରଯାନ-3 ପୂର୍ବର ଏହି ବ୍ୟବସ୍ଥାକୁ ବ୍ୟବହାର କରି ଭୂପୄଷ୍ଠ ସହିତ ଯୋଗାଯୋଗ ଭଳି   ନିଜର ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରି ପାରିବ I ସୁତରାଂ ଚନ୍ଦ୍ରଯାନ-3 ଅଭିଯାନରେ ଜାଣିଶୁଣି ଅର୍ବିଟର୍ ମଡ୍ୟୁଲ୍ କୁ ସ୍ଥାନିତ କରାଯାଇ ନାହିଁ I

          ଚନ୍ଦ୍ରଯାନ-3 ଅଭିଯାନର ପ୍ରମୂଖ ଲକ୍ଷ୍ୟ  ହେବ ଚନ୍ଦ୍ରପୄଷ୍ଠରେ  ନିରାପଦ ଭାବେ 'ଧୀର ଅବତରଣ' କରିବା I ଏହା ବାସ୍ତବପକ୍ଷରେ ଅତ୍ୟନ୍ତ କଠିନ ଓ ଜଟିଳ ପ୍ରକ୍ରିୟା ଏବଂ ଏଥି ନିମନ୍ତେ ଅତି ଉଚ୍ଚକୋଟୀର  ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ I ଅବତରକ ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ଦ୍ରୁତଗତିରେ ଚନ୍ଦ୍ରପୄଷ୍ଠ ଆଡକୁ ଛୁଟି ଯାଉଥିଲାବେଳେ ତୁରନ୍ତ ଏହାର ପ୍ରଚଣ୍ଡ  ବେଗକୁ ଯଥେଷ୍ଟ ମାତ୍ରାରେ ହ୍ରାସକରି ଚନ୍ଦ୍ରମାଟିରେ ସୁରକ୍ଷିତ ଧୀର ଅବତରଣ କରାଇବାକୁ ପଡେ I ନହେଲେ ଯାନଟି ଦୄତଗତିରେ ଯାଇ ଚନ୍ଦ୍ରପୄଷ୍ଠରେ ପିଟି ହୋଇ ନଷ୍ଟ ହୋଇଯାଏ I ମାତ୍ର ଏ କ୍ଷେତ୍ରରେ ଏକ ପ୍ରମୁଖ  ସମସ୍ୟା ହେଉଛି, ଚନ୍ଦ୍ରର ପୄଥିବୀ ଭଳି  ବାୟୁମଣ୍ଡଳ ନଥିବାରୁ  ଏଠାରେ ଯାନର ଦୁରନ୍ତ ଅଗ୍ରଗାମୀ ଗତିକୁ ପ୍ରତିହତ କରିବା ପାଇଁ ପାରମ୍ପାରିକ  ଆକାଶଛତା ବା ପାରାସ୍ୟୁଟ୍ ବ୍ୟବସ୍ଥା କାର୍ଯ୍ୟକରେ ନାହିଁ I ତେଣୁ ଯାନର ବେଗକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଯାନ ସହିତ କିଛି 'ରେଟ୍ରୋ ରକେଟ୍ଖଞ୍ଜା ଯାଇଥାଏ ଯାହାର ଇଞ୍ଜିନକୁ ଯାନର ଅଗ୍ରଗାମୀ ଗତିର ବିପରୀତ ଦିଗରେ କ୍ରମାନ୍ୱୟରେ ଚାଳନା କରି    ଯାନର ବେଗକୂ ଏକ ସୁରକ୍ଷିତ ଅବତରଣ ନିମନ୍ତେ ମନ୍ଦିତ କରାଯାଏ I ସଠିକ ସମୟରେ ସଠିକ ଇଂଜିନ୍କୁ  କାର୍ଯ୍ୟକ୍ଷମ କରି ଯାନର ବେଗକୁ ନିୟନ୍ତ୍ରିତ କରିପାରିଲେ ଯାଇ ଏହି ଦୁର୍ବାର ଲକ୍ଷ୍ୟ ହାସଲ କରାଯାଇ ଯାନକୁ ଚନ୍ଦ୍ରମାଟିରେ ଧୀର ଅବତରଣ କରାଯାଇ  ପାରିବ; ନଚେତ ଯାନଟି ଦ୍ରୁତ ଗତିରେ  ଚନ୍ଦ୍ର ପୄଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ ଧୀର ଅବତରଣର  ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ହିଁ ବିଶ୍ୱର ମାତ୍ର ତିନୋଟି ରାଷ୍ଟ୍ର ଏପର୍ଯ୍ୟନ୍ତ ଚନ୍ଦ୍ରପୄଷ୍ଠରେ ନିଜ ଯାନକୁ ସଫଳତାର ସହ ନିରାପଦ ରୂପେ  ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି ଏବଂ ଏ କ୍ଷେତ୍ରରେ ମାତ୍ର ଏକ-ତୄତୀୟାଂଶ ପ୍ରୟାସକୁ ସଫଳତା ମିଳିଛି I ଏହି ପ୍ରଯୁକ୍ତିଗତ ବିଫଳତା ପାଇଁ ହିଁ ପୂର୍ବର ଚନ୍ଦ୍ରଯାନ -2 ଅଭିଯାନ ବିଫଳ ହୋଇଗଲା I

      ଚନ୍ଦ୍ରଯାନ-3 ଅଭିଯାନର ପ୍ରକଳ୍ପ ଖର୍ଚ୍ଚ ହେବ ସମୁଦାୟ 615  କୋଟି ଟଙ୍କା I ପୂର୍ବରୁ ଚନ୍ଦ୍ରକୁ ସଫଳ ଅଭିଯାନ ପ୍ରେରଣ କରିଥିବା ବିଭିନ୍ନ ଦେଶ ନିଜ ଯାନକୁ ଚନ୍ଦ୍ରର ବିଶୁବରେଖା ନିକଟରେ ଅବତରଣ କରାଇଥିଲାବେଳେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ନିଜର ଯାନକୁ ଏହାର ଦକ୍ଷିଣ ମେରୁ ନିକଟରେ ଅବତରଣ କରାଇବାକୁ ଯାଉଛି I ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଏପରି  କିଛି ଗଭୀର ଗହ୍ୱର ଅଛି ଯାହାର ତଳ ସ୍ଥାୟୀ ରୂପେ  ଅନ୍ଧକାରରେ ରହେ , ଅର୍ଥାତ ସୂର୍ଯ୍ୟାଲୋକ ସେଠାରେ ଏବେ ସୁଦ୍ଧା ପହଞ୍ଚି ପାରିନାହିଁ I ସୁତରାଂ ଅତ୍ୟଧିକ ଶୀତଳତା ହେତୁ ସେଠାରେ ଜଳ ସମେତ କିଛି ଦୁର୍ଲଭ ରାସାୟନିକ ଉପାଦାନ ଜମାଟ ବାନ୍ଧି କଠିନ ଅବସ୍ଥାରେ  ବିଦ୍ୟମାନ ଥିଲାବେଳେ ପରମାଣବିକ ସ୍ତରରେ ପରିବର୍ତ୍ତିତ ନହୋଇ ସୃଷ୍ଟି ସମୟର ଆଦିମ ଅବସ୍ଥାରେ ଅଟକି ରହି ଥିବାର ଥିବାର ଅନୁମାନ କରାଯାଏ  I ଭାରତର ଚନ୍ଦ୍ରଯାନ-3 ଅଭିଯାନ ଏହି ସ୍ଥାନରେ ପହଞ୍ଚି  ଏଭଳି ବିରଳ ଓ ବିଚିତ୍ର ପଦାର୍ଥର ଅନୁଧ୍ୟାନ ପୂର୍ବକ ସୌରଜଗତ ତଥା ଆମ ବିଶ୍ୱ ସୄଷ୍ଟି ସମ୍ପର୍କରେ  ବହୁ ଅଜଣା ଓ ଅସମାହିତ ରହସ୍ୟକୁ ଉନ୍ମୋଚନ କରିବ ବୋଲି ଅଶା କରାଯାଏ I

       ଚନ୍ଦ୍ରଯାନ-3 ଅଭିଯାନ ଜରିଆରେ ଆମ ଦେଶ ଚନ୍ଦ୍ରମାଟିକୁ ଛୁଇଁବାର  ସଫଳତା ହାସଲ କରି ପାରିଲେ  ଯେ ଏହା ସମଗ୍ର ଦେଶ ତଥା ଆମ ବୈଜ୍ଞାନିକମାନଙ୍କ ପାଇଁ ଏକ ବିରାଟ ଉପଲବ୍ଧି ହେବ ଏଥିରେ ସନ୍ଦେହ ନାହିଁ I

 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ

  ଫୋନ୍‍ : 8917637974

 

 

 


 To read the same article published in The Dharutri dated 14.08.23, please click the following link :

https://dharitriepaper.in/m/427717/64d96dcd83a71

and

https://dharitriepaper.in/m/429234/64e2a02fb756c

           

     

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ସ୍ୱପ୍ନ ଓ ସାଧନାର ପ୍ରତୀକ କଳ୍ପନା ଚାୱଲା