ବିଲୁପ୍ତିର ପଥେ ଶାଗୁଣା
ବିଲୁପ୍ତିର ପଥେ ଶାଗୁଣା
ନିକୁଂଜ ବିହାରୀ ସାହୁ
ମାତ୍ର ଚାଳିଶି ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖା ଯାଉଥିଲେ I ଗାଈ ଗୋରୁ ଅଦି ଗୄହ ପାଳିତ ଜୀବ ମରିଗଲେ , ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୄତ ଜୀବକୁ ଘେରି କେଇ ଘଣ୍ଟା ସମୟ ମଧ୍ୟରେ ଖାଇ ଶେଷ କରି ଦିଅନ୍ତି I ଆମ ସଂସ୍କୃତିରେ ଶାଗୁଣାମାନଙ୍କୁ ସାଧାରଣତଃ ଅଶୁଭର ସଙ୍କେତ ମନେ କରା ଯାଉଥିଲେ ସୁଦ୍ଧା ପରିବେଶୀୟ ଦୄଷ୍ଟିକୋଣରୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ସେମାନେ ମଲାଜୀବଙ୍କ ସଢା ମାଂସ ଖାଇ ପରିବେଶକୁ ସଫା ରଖିଥା'ନ୍ତି I ଶାଗୁଣା ନଥିଲେ ପୄଥିବୀରେ କୁଢକୁଢ ଶବ ଜମା ହୋଇ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୄଷ୍ଟି କରୁଥା'ନ୍ତା I
ଘୋର ପରିତାପର ବିଷୟ ଯେ, ଏବେ ଆମ ଦେଶରେ ପରିବେଶର ବନ୍ଧୁ ଏହି ଶାଗୁଣାମନଙ୍କ ବଂଶ ଦ୍ରୁତ ଲୋପ ପାଇବାରେ ବସିଛି ଏବଂ ସେମାନଙ୍କର ସ୍ଥିତି ଏବେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି I ଏବେ ଗାଁ ଗଣ୍ଡାରେ ଶାଗୁଣାମାନଙ୍କୁ ଦେଖିବା ବିରଳ I ଗାଁରେ ଗାଈଗୋରୁ ମରିଗଲେ ମଲାଜୀବକୁ ଖାଇବା ପାଇଁ ଶାଗୁଣା ଆଉ ଗାଁକୁ ଆସୁନାହିଁ I ଏକ ହିସାବରୁ ଜଣାଯାଏ ଯେ, ବିଗତ 1980 ଦଶକରେ ଆମେ ଦେଶରେ ପ୍ରାୟ 8 କୋଟି ଶାଗୁଣା ଥିଲାବେଳେ ଏବେ ସେମାନଙ୍କ ସଂଖ୍ୟା 4000 ରୁ କମ୍ I ସୁତରାଂ ଏବେଠୁଁ ସେମାନଙ୍କ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରା ନଗଲେ ଆଗାମୀ ଦିନରେ ଏହି ବିରଳ ଓ ଉପକାରୀ ଜୀବ ଶାଗୁଣା ବଂଶର ଯେ ସମ୍ପୂର୍ଣ୍ଣ ବିଲୁପ୍ତି ଘଟିବ ଏଥିରେ ସନ୍ଦେହ ନାହିଁ I ଫଳରେ ସେମାନେ ଆମ ପିଲାମାନଙ୍କ ପାଇଁ କେବଳ ପଢାବହିର ଚିତ୍ର ହୋଇ ରହିଯିବେ ସିନା, ପ୍ରକୄତିରେ ଆଉ ଦେଖିବାକୁ ମିଳିବେ ନାହିଁ I ତେବେ ପ୍ରଶ୍ନ ଉଠେ : ଶାଗୁଣାଙ୍କ ଏହି ରହସ୍ୟମୟ ବିଲୁପ୍ତି ପାଇଁ ଦାୟୀ କିଏ ?
ଏକ ଗବେଷଣାରୁ ଜଣାପଡେ ଯେ, ଗାଈଗୋରୁମାନଙ୍କୁ ଔଷଧ ରୂପେ ଦିଆ ଯାଉଥିବା ଡାଇକ୍ଲୋଫେନାକ (Diclofenac) ନାମକ ଏକ ରାସାୟନିକ ପଦାର୍ଥ ଏଥିପାଇଁ ଦାୟୀ I ଏହି ଔଷଧକୁ ସାଧାରଣତଃ ଗାଈଗୋରୁ ଭଳି ଜୀବମାନଙ୍କଠାରେ ବିନ୍ଧା ଫୁଲା ଭଳି ଯନ୍ତ୍ରଣାର ଉପଶମ ନିମନ୍ତେ ପେନ୍ କିଲର୍ ରୂପେ ପ୍ରଦାନ କରା ଯାଇଥାଏ I ଔଷଧ ସେବନ କରିଥିବା ଏହି ଜୀବମାନଙ୍କ ସମୟକ୍ରମେ ମୄତ୍ୟୁ ଘଟିଲେ, ଏହି ମୄତଜୀବଙ୍କ ଶବକୁ ଭକ୍ଷଣ କରୁଥିବା ଶାଗୁଣାମାନଙ୍କ ଶରୀରରେ ଏହି ରାସାୟନିକ ପଦାର୍ଥ ପ୍ରବେଶ କରେ I ଏହା ଶାଗୁଣାର ଶରୀରରେ ତୀବ୍ର ପ୍ରତିକ୍ରିୟା ଘଟାଇ ବୄକକ୍ ସମେତ ଏହାର ରେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମୀ କରିଦିଏ I ଫଳରେ ଏଭଳି ମଲାଜୀବକୁ ଖାଇଥିବା ଶାଗୁଣାର ଦୁଇ ତିନି ଦିନ ମଧ୍ୟରେ ମୄତ୍ୟୁ ଘଟେ I ଗବେଷଣାରୁ ଜଣାଯାଏ ଯେ, ଏହି ବିଷାକ୍ତ ପଦାର୍ଥର ସେବନ ଦ୍ୱାରା ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର ଶାଗୁଣାମାନଙ୍କ ମଧ୍ୟରୁ ସମୁଦାୟ 95% ଙ୍କ ମୄତ୍ୟୁ ଘଟିଲାଣି I କେବଳ ଆମ ଦେଶ ଭାରତ ନୁହେଁ, ସମଗ୍ର ଉପମହାଦେଶର ଅନେକ ଦେଶ ଯଥା ନେପାଳ, ପାକିସ୍ତାନ ଓ ବଙ୍ଗଳାଦେଶରେ ମଧ୍ୟ ଶାଗୁଣାଙ୍କ ସଂଖ୍ୟାରେ ଏବେ ଦ୍ରୁତ ଅବନ୍ନତି ପରିଲକ୍ଷିତ ହେଉଛି I
ଏବେ ସରକାରଙ୍କ ଆଖି ଖୋଲିଛି I ଶାଗୁଣାମାନଙ୍କ ବଂଶରକ୍ଷା ନିମନ୍ତେ ସରକାର ବିଗତ 2006 ମସିହାଠାରୁ ଦେଶରେ ଏହି ଡାଇକ୍ଲୋଫେନାକ ପଦାର୍ଥରୁ ପ୍ରସ୍ତୁତ ସମସ୍ତ ଔଷଧର ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛନ୍ତି I ଏହି ଔଷଧ ପ୍ରସ୍ତୁତ କରୁଥିବା ସମସ୍ତ କମ୍ପାନୀର ଲାଇସେନ୍ସକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି I ଏହାଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ଶାଗୁଣାମାନଙ୍କ ସଂଖ୍ୟା ପୂର୍ବସ୍ଥିତିରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି I
ଶାଗୁଣାମାନଙ୍କ ସୁରକ୍ଷା ନିମନ୍ତେ ଏବେ ଆମ ଦେଶରେ ପ୍ରତିଷ୍ଠିତ ମୁମ୍ବାଇ ସ୍ଥିତ ପ୍ରାକୄତିକ ବିଜ୍ଞାନ ପରିଷଦ ଓ ପଶ୍ଚିମବଙ୍ଗର ଦୁଇଟି ଶାଗୁଣା ପ୍ରଜନନ କେନ୍ଦ୍ର କାର୍ଯ୍ୟ କରୁଛନ୍ତି I ମାତ୍ର ଏହି କେନ୍ଦ୍ରସବୁରୁ ଜନ୍ମିତ ଶାଗୁଣାମାନଙ୍କୁ ପରିବେଶ ସମ୍ପୂର୍ଣ୍ଣ ଡାଇକ୍ଲୋଫେନାକ୍ ମୁକ୍ତ ନହେବା ପର୍ଯ୍ୟନ୍ତ ତୁରନ୍ତ ପଦାକୁ ଛାଡି ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ I ମୄତ ଗାଈଗୋରୁମାନଙ୍କ ଶରୀରରୁ ସଂଗୄହୀତ ନମୁନାରୁ ଜଣା ପଡିଛି ଯେ, ଏବେ ବି ପ୍ରାୟ 10% ଜୀବଙ୍କ ଶରୀରରେ ଏହି ମାରାତ୍ମକ ପଦାର୍ଥର ଅବଶେଷ ରହିଛି I ଏଭଳି ପରିସ୍ଥିତି ଶାଗୁଣାର ବଞ୍ଚି ରହିବା ପାଇଁ ସୁହନୀୟ ନୁହେଁ I ନିକଟରେ ନେପାଳ ସରକାର ମଧ୍ୟ ନିଜ ଦେଶରେ ଡାଇକ୍ଲୋଫେନାକ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରି ଏହା ବଦଳରେ ଅନ୍ୟ ଏକ ବିକଳ୍ପ ପଦାର୍ଥ ମେଲୋକ୍ସିକାମ ( Meloxicam) ବ୍ୟବହାରକୁ ଅନୁମୋଦନ କରିଛନ୍ତି I ଏସବୁ ପଦକ୍ଷେପ ଦ୍ୱାରା ଶାଗୁଣାମାନଙ୍କୁ ବିଲୁପ୍ତିର ଦ୍ୱାରଦେଶରୁ ଫେରାଇ ଆଣିହେବ ବୋଲି ବିଶ୍ୱାସ କରାଯାଏ I ମାତ୍ର ଶାଗୁଣାମାନଙ୍କ ପ୍ରଜନନ ଅତି ମନ୍ଥର ହୋଇଥିବାରୁ ସେମାନଙ୍କ ସଂରକ୍ଷଣ ପ୍ରକ୍ରିୟା ସମୟସାପେକ୍ଷ ବୋଲି ଜଣା ପଡିଛି I
ପରିବେଶର ଅବକ୍ଷୟ ଯୋଗୁଁ ଏକଦା ଆମ ଗାଁ ଗହଳିରେ ପ୍ରଚୁର ଦେଖା ଯାଉଥିବା ଜୀବ ଯଥା ଶାଗୁଣା, ଶଂଖଚିଲ, ମାଟିଆଚିଲ, ହଳଦିବସନ୍ତ, ଅନ୍ଧାରୁଆ ବଗ ଆଦିଙ୍କ ସଂଖ୍ୟା କମି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି I ଏହାଦ୍ୱାରା ପ୍ରକୄତିର ଜୈବବିବିଧତା ହ୍ରାସ ପାଇବା ସାଙ୍ଗକୁ ଖାଦ୍ୟ ଶୄଂଖଳ ପ୍ରକ୍ରିୟା ଭଳି ସୂକ୍ଷ୍ମ ପରିବେଶୀୟ ସନ୍ତୁଳନରେ ବାଧା ଉପୁଜୁଛି I ସୁତରାଂ ସମୟ ଆସିଛି, ଆମେ ଆମ ଚତୁପାର୍ଶ୍ୱର ଶାଗୁଣା ଭଳି ଜୀବମାନଙ୍କ ପରିବେଶପ୍ରିୟ ଭୂମିକାକୁ ଉପଲବ୍ଧି କରି ସେମାନଙ୍କ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ I
ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Please click the link given below to read the same article published in The Dharitri dated 31.07.23 : https://dharitriepaper.in/m/424199/64c6f68bed294
Comments
Post a Comment