ଗୁଳୁଗୁଳି

                                                                                      ଗୁଳୁଗୁଳି

ନିକୁଂଜ ବିହାରୀ ସାହୁ


      ଖରା ସରି ନାହିଁ, ବର୍ଷା ବି ଥିରିଥିରି ଝରି ନାହିଁ I ମେଘୁଆ ଭାରାକ୍ରାନ୍ତ ଆକାଶ : କେଉଁଠି ହେଲେ ଟିକେ ପବନ ନାହିଁ I ଗଛ ପତର ବି ନିଶ୍ଚଳ ହୋଇ ରହି ଗଲେଣି I ଖରାର ତାତି ଅବଶ୍ୟ ସେତେଟା ନାହିଁ, ଅଥଚ ଦେହ ଝାଳରେ ଜୁଡୁବୁଡୁ  ହୋଇ ଯାଉଛି I ଯେତେ ପଂଖା ବିଞ୍ଚଣା କଲେ ସୁଦ୍ଧା ଝାଳ ମରୁନି କି ଗରମ ସରୁନି I ଘରେ,ପଦାରେ, ତୋଟା ,ଗଡିଆ କିମ୍ବା ନଦୀକୂଳ - ସବୁଠି ସେହି ଏକା ଅସମ୍ଭାଳ ଅବସ୍ଥା I ଏଭଳି ଅବସ୍ଥାରେ ବା କାମଦାମରେ କାହରି ମନ ଲାଗନ୍ତା କିପରି ? ଏହା ହିଁ ଆମ ଗାଁ ଗହଳିରେ ଗୁଳୁଗୁଳି I ବରଷକର   ଏତିକିବେଳେ ହିଁ ଥରେ ସାରା ଜଗତ ଗୁଳୁଗୁଳିର ଗଂଜଣାରେ ଅସ୍ତବ୍ୟସ୍ତ ହୋଇ ତ୍ରାହିତ୍ରାହି ଡାକେ I 

   ଏଭଳି ଗୁଳୁଗୁଳି ଆମ ରାଜ୍ୟରେ ସାଧାରଣତଃ ଜୁନ୍ , ଜୁଲାଇ ମାସରେ ଅନୁଭୂତ ହୁଏ I ଏହି ସମୟରେ ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ବିଜେ କରୁଥିବାରୁ ଏହି ଗୁଳୁଗୁଳିକୁ ମଧ୍ୟ ଅଣସର ଗୁଳୁଗୁଳି କହନ୍ତି I ଆମେ ଏଠାରେ ଏଭଳି  ବିଚିତ୍ର ପରିସ୍ଥିତିର କାରଣ ଆଲୋଚନା କରିବା: 

    ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୄଶ୍ୟ ରୂପରେ ରହିଥା'ନ୍ତି I ଏକ ଥଣ୍ଡା ଜଳପୂର୍ଣ୍ଣ ଗିଲାସର ବାହାରପଟେ ଯେଉଁ ଜଳ ବୁନ୍ଦାବୁନ୍ଦା ହୋଇ ଜମିଯାଏ , ତାହା ବାୟୁରେ ଏହି ଅଦୄଶ୍ୟ ଜଳୀୟବାଷ୍ପର ଉପସ୍ଥିତିର ସୂଚନା I କୌଣସି ବାୟୁର ଜଳୀୟବାଷ୍ପ ଧାରଣର ସାମର୍ଥ୍ୟ ତାହାର ତାପମାତ୍ରା ଉପରେ ନିର୍ଭରଶୀଳ I ଗୁଳୁଗୁଳି କାଳୀନ ପରିସ୍ଥିତିରେ ବିପୁଳ ଜଳ  ବାଷ୍ପ ହୋଇ ବାୟୁରେ ମିଶୁ ଥିବାରୁ ଏଭଳି ଉଷ୍ମ ପବନ ଜଳୀୟ ବାଷ୍ପରେ ଭରପୂର ଥାଏ I ଏଭଳି ଉଷ୍ମ ଆର୍ଦ୍ର ବାୟୁର ଜଳୀୟବାଷ୍ପ ଧାରଣର ସାମର୍ଥ୍ୟ ସମ୍ପୂର୍ଣ୍ଣ ପୂରିଯାଇ ଥିବାରୁ  ଏହା ଅନ୍ୟ କୌଣସି ଉତ୍ସରୁ ଆଉ  ଅଧିକ ଜଳୀୟବାଷ୍ପ ଗ୍ରହଣ କରିବା ଅବସ୍ଥାରେ ନ ଥାଏ I ସୁତରାଂ ଏଭଳି ଅବସ୍ଥାରେ ଯେତେ ପଂଖା ବିଞ୍ଚଣା କଲେ ସୁଦ୍ଧା ଦେହରୁ ଝାଳ ବାଷ୍ପ ହୁଏ ନାହିଁ କିମ୍ବା ଥଣ୍ଡା ଲାଗେ  ନାହିଁ I

   ଜଳ ତରଳ ଅବସ୍ଥାରୁ ବାଷ୍ପ ହେବା ପାଇଁ ହେଲେ କିଛି ତାପ ଗ୍ରହଣ  କରିଥାଏ I ଆମ ଶରୀରରେ ଜମି ଥିବା ଜଳ ଶରୀରରୁ ତାପ ଗ୍ରହଣ କରି ବାଷ୍ପ ହୋଇଯାଏ ଯାହାକୁ ଆମେ ସଧାରଣତଃ ଝାଳ ମରେ ବୋଲି କହିଥାଉ  I ଶରୀରରୁ ଯେତେ ବୁନ୍ଦା ଝାଳ ବାଷ୍ପ ହେଉଥାଏ, ଶରୀରରୁ ସେତେ ଅଧିକ ତାପ ପଦାକୁ ସ୍ଥାନାନ୍ତରିରିତ ହୋଇ ଶୀତଳତା ସୄଷ୍ଟି କରେ I ମାତ୍ର ଗୁଳୁଗୁଳି ସମୟରେ ତ ଶରୀରରୁ  ଝାଳ ସହଜରେ ବାଷ୍ପୀଭବନ ହୁଏ ନାହିଁ, ଶୀତଳତା ସୄଷ୍ଟି ହେବ କିପରି ? ସୁତରାଂ, ଶରୀରରୁ ଝାଳ ମରି ନପାରି ଶରୀର ଉପରେ ଜମିରହି ଏକ ଅଶ୍ୱସ୍ତିକର ଅନୁଭୂତି ସୃଷ୍ଟି କରେ I

    ଏତିକିବେଳେ ମଧ୍ୟ ଆକାଶରେ ମେଘ ଢାଙ୍କି ଥିବାରୁ ପୄଥିବୀରୁ ବିକୀରିତ ତାପରଶ୍ମି  ବାଦଲ ଟପି ପଦାକୁ ଯାଇପାରେ ନାହିଁ ଓ  ବାୟୁମଣ୍ଡଳ ମଧ୍ୟରେ ହିଁ ଆବଦ୍ଧ ହୋଇ ରହିଯାଏ I  ଫଳରେ ଏକ ମେଘୁଆ ଆକାଶର ମଥାନ ତଳେ ଆମେ ଗରମ ଓ ଗୁଳୁଗୁଳିରେ ସିଝିଥାଉ I

        ଗୁଳୁଗୁଳିର ଏପରି ଗଂଜଣା ସତ୍ତ୍ୱେ  ଏହା ଆମର ଜନଜୀବନ ଓ ସଂସ୍କୃତି ପରମ୍ପରା ସହିତ ବେଶ୍   ଘନିଷ୍ଠ  ଭାବେ ଜଡିତ I  ଏତିକିବେଳେ ହିଁ ଆମ ଓଡିଆଘରେ ରଜ, ସାବିତ୍ରୀ,ସୁଦଶାବ୍ରତ ଆଦି ଓଷାବ୍ରତ ଅନୁଷ୍ଠିତ ହୁଏ ଓ ନାନା ପ୍ରକର ସ୍ୱାଦିଷ୍ଟ ଖାଦ୍ୟ ଯଥା କ୍ଷୀରି, ପିଠାପଣା ଆଦି ପ୍ରସ୍ତୁତ ହୁଏ I  ରଜବେଳେ ଗାଁ ଝିଅମାନେ ଗୁଳୁଗୁଳିକୁ ଖାତିରି ନକରି ଦୋଳିଖେଳରେ ମାତିଥା'ନ୍ତି I ଏହି ଗୁଳୁଗ଼ୁଳିରେ ଆମ୍ବ, ପଣସ, ସପୁରୀ ଇତ୍ୟାଦି ଫଳ ପାଚିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ I


                                ଏଜୁକେଶନ୍ ଅଫିସର୍

                              ଆଞ୍ଚଳିକ ବିଜ୍ଞାନ  କେନ୍ଦ୍ର

                              ଭୋପାଳ



 

To read the same article published in Pilanka Dharitri dated 14.06.24, please click  the following link :

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ