କିଏ ବଡ
କିଏ ବଡ
ନିକୁଞ୍ଜ ବିହାରୀ ସାହୁ
ଥରେ କିଏ ବଡ ବୋଲି କଳି ଲାଗିଲା ତିନି ପାରମ୍ପାରିକ ଶକ୍ତିଉତ୍ସ କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୄତିକ ବାଷ୍ପଙ୍କ ମଧ୍ୟରେ I କଳି ନତୁଟିବାରୁ ତିନିହେଁ ଏକ ତ୍ରିକାଳଦର୍ଶୀ ପେଚା ପାଖକୁ ଗଲେ I ପେଚା ସବୁ ଶୁଣି କହିଲା , ' ମୁଁ ତମ କାହାରିକି ଜାଣିନି I ତମେ ଆଗ ନିଜ ନିଜ ବିଷୟରେ କୁହ I ସବୁ ଶୁଣିଲା ପରେ ମୁଁ ମୋର ମତାମତ ଦେବି I'
ସେଇଠୁଁ ପ୍ରଥମେ କୋଇଲା ଆରମ୍ଭ କଲା , ' ମୁଁ କୋଇଲା I ମାଟି ତଳେ ମୋର ଘର I ପ୍ରାୟ 25 କୋଟି ବର୍ଷ ପୂର୍ବେ ପୄଥିବୀର ବହୁ ଜାଗାରେ ସନ୍ତସନ୍ତିଆ ଜଙ୍ଗଲ ଥିଲା I ଜଙ୍ଗଲର ଗଛସବୁ କ୍ରମେ ସ୍ତରସ୍ତର ହୋଇ ମାଟିରେ ପୋତି ହୋଇ ପଡିଲେ I ପୄଥିବୀ ଅଭ୍ୟନ୍ତରର ପ୍ରଚଣ୍ଡ ତାପ ଓ ଚାପରେ ସନ୍ତୁଳି ହୋଇ ଏହି ସ୍ତରସବୁରେ ମୁଁ ଘଟଣାକ୍ରମେ ଜନ୍ମ ନେଲି I ମୋର ମୂଖ୍ୟ ଉପାଦାନ ହେଲା କାର୍ବନ୍ I କାର୍ବନ୍ ର ପରିମାଣ ଅନୁସାରେ ମୁଁ ସମୁଦାୟ ଚାରି ପ୍ରକାରର ଯଥା , ପିଟ୍ , ଲିଗନାଇଟ୍, ବିଟୁମିନସ୍ ଓ ଆନ୍ଥ୍ରାସାଇଟ୍ I ମୋତେ ଲୋକେ ରୋଷେଇ କାର୍ଯ୍ୟରେ ଜାଳେଣି ରୂପେ ବ୍ୟବହାର କରନ୍ତି I ପୂର୍ବେ ରେଳଗାଡିର ବାଷ୍ପୀୟ ଇଞ୍ଜିନରେ ମୋତେ ବ୍ୟବହାର କରା ଯାଉଥିଲା I ମୋତେ ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରେ ଦହନ କରି ପାଣିକୁ ବାଷ୍ପ କରାଯାଏ ଓ ସେଥିରେ ଟରବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରାଯାଏ I ମୁଁ ମଧ୍ୟ କୋକ୍ ରୂପରେ ଲୁହାପଥରରୁ ଲୁହା ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ I ମୋର ଏହି ସବୁ ମହନୀୟ ଗୁଣ ପାଇଁ ଲୋକେ ମୋତେ କଳା ହୀରା ବୋଲି କହିଥାନ୍ତି I ତେଣୁ ମୁଁ ବଡ I'
ତା' ଶୁଣି ପେଚା କହିଲା , ' କୋଇଲା କଥା ତ ମୁଁ ଶୁଣିଲି I ପେଟ୍ରୋଲିୟମ୍ , ତୁମେ ଏଥରକ ତୁମ କଥା କୁହ I'
ସେଇଠୁଁ ପେଟ୍ରୋଲିୟମ୍ ଆରମ୍ଭ କଲା , 'ମୁଁ ପେଟ୍ରୋଲିୟମ୍ I ମୁଁ ଏକ କଳା ରଙ୍ଗର ଅଠାଳିଆ ତୈଳ I ବିଭିନ୍ନ ହାଇଡ୍ରୋକାର୍ବନରେ ମୁଁ ଗଢା I ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସମୁଦ୍ରଗର୍ଭରେ ବାସ କରୁଥିବା ଅଣୁଜୀବମାନେ କାଦୁଅରେ ସ୍ତରସ୍ତର ହୋଇ ପୋତି ହୋଇ ପଡିଥିଲେ ଏବଂ ସମୟକ୍ରମେ ସେମାନଙ୍କ ଦେହାବଶେଷରୁ ମୁଁ ସେହି ସ୍ତରୀୟ ଏନ୍ତୁଡିଶାଳରୁ ଜନ୍ମ ନେଲି I ମାଟି ତଳେ ତୈଳକୂପ ମଧ୍ୟରେ ମୋର ଘର I ପାଇପ୍ ଯୋଗେଁ ମୋତେ ପମ୍ପ୍ ସାହାଯ୍ୟରେ ପଦାକୁ ଅଣାଯାଏ I ସେତବେଳେ ମୁଁ ବଡ ଅପରିଷ୍କାର ଅବସ୍ଥାରେ ଥାଏ I ମୋତେ ବିଶୋଧନାଗାରକୁ ନେଇ ପରିଷ୍କାର କରାଯାଏ ଓ ଆଂଶିକ ପାତ୍ତନ ପଦ୍ଧତି ଜରିଆରେ ମୋ ଦେହରୁ ବିଭିନ୍ନ ଦରକାରୀ ଉପାଦାନ ଯଥା ପେଟ୍ରୋଲ୍ , ଡିଜେଲ୍ , କିରୋସିନ୍ , ଗ୍ରିଜ୍, ମହମ, ଆଲକାତାରା, ପିଚୁ ଇତ୍ୟାଦି ପଦାର୍ଥ ଆହରଣ କରାଯାଏ I ମୋ ବିନା ମଣିଷ ଦଣ୍ଡେ ମାତ୍ର ଚଳି ପାରିବ ନାହିଁ I ଆଜିର କୄଷି , ଶିଳ୍ପ, ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାସବୁ ମୋ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ଭରଶୀଳ I ମୋର ଏହିସବୁ ଉପକାରୀ ଗୁଣ ପାଇଁ ଲୋକେ ମୋତେ ତରଳ ସୁନା ବୋଲି କହନ୍ତି I ହେଲେ ଭାବୁଛି ସୁନାଠାରୁ ମଧ୍ୟ ମୁଁ ଅଧିକ ମୂଲ୍ୟବାନ I ତେଣୁ ମୁଁ ପ୍ରକୃତରେ ବଡ I '
ଦି' ଜଣଙ୍କ କଥା ଶୁଣିଲା ପରେ ପେଚା ପ୍ରାକୄତିକ ବାଷ୍ପକୁ ତା' କଥା ଶୁଣେଇବାକୁ କହିଲା I
ପ୍ରାକୄତିକ ବାଷ୍ପ ମଧ୍ୟ ନିଜ କାହାଣୀ ଆରମ୍ଭ କଲା , ' ମୁଁ ପ୍ରାକୄତିକ ବାଷ୍ପ I ଆଗ କାଲରେ ସିନା ଲୋକେ ଜାଳେଣୀ ପାଇଁ କାଠ କିମ୍ବା କୋଇଲା ଉପରେ ନିର୍ଭର କରୁଥିଲେ, ମାତ୍ର ପୄଥିବୀ ଅଭ୍ୟନ୍ତରର ଶିଳାସ୍ତର ମଧ୍ୟରେ ମୋର ସନ୍ଧାନ ମିଳିଲା ପରେ ମୋର ଆଦର ବଢିଲା I ପେଟ୍ରୋଲିୟମ୍ ଭଳି ମୁଁ ମଧ୍ୟ ଦିନେ ସମୁଦ୍ର ଗର୍ଭରେ ଅଣୁଜୀବମାନଙ୍କ ଦେହାବଶେଷରୁ ଜନ୍ମ ନେଇଥିଲି I ମୋତେ ମୂଖ୍ୟତଃ ରୋଷେଇ କାର୍ଯ୍ୟରେ ଜାଳେଣୀ ରୂପେ ବ୍ୟବହାର କରାଯାଏ I ଶିଳ୍ପ କ୍ଷେତ୍ରରେ ମୋର ପ୍ରୟୋଗ ସୁଦୂରପ୍ରସାରୀ I ମୁଁ ଇଟା , ସିମେଣ୍ଟ, ଲୁହା ଆଦି ବିଭିନ୍ନ ଧାତୁ ଉତ୍ପାଦନରେ କଞ୍ଚାମାଲ ରୂପେ ବ୍ୟବହୄତ ହୋଇଥାଏ I ମୋ ଦେହରୁ ମଧ୍ୟ ଅନେକ ରାସାୟନିକ ଦ୍ରବ୍ୟ ଯଥା ରଙ୍ଗ, ବାର୍ଣ୍ଣିସ୍, ନାଇଲନ୍ ଭଳି କୄତ୍ରିମ ତନ୍ତୁ ଇତ୍ୟାଦି ପ୍ରସ୍ତୁତ ହୁଏ I ସୁତରାଂ ମଣିଷ ସମାଜକୁ ମୋର ଏହିସବୁ ଗୁରୁତ୍ୱପୁର୍ଣ୍ଣ ଅବଦାନ ପାଇଁ ମୁଁ ବଡ I'
ଏହିପରି କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୄତିକ ବାଷ୍ପଙ୍କ କଥା ଶୁଣି ସାରିଲା ପରେ ପେଚା ହସିହସି କହିଲା, ' ତୁମେମାନେ ଯେ ନିଜ ନିଜ କ୍ଷେତ୍ରରେ ବଡ ଏଥିରେ ସନ୍ଦେହ ନାହିଁ I ହେଲେ ଗୋଟିଏ କଥା ମନେରଖ : ପ୍ରକୃତିରେ ତୁମ ସମସ୍ତଙ୍କ ଭଣ୍ଡାର ସୀମିତ I ମଣିଷ ଯେଉଁ ମାତ୍ରାରେ ତୁମକୂ ଖର୍ଚ୍ଚ କରୁଛି , ମାତ୍ର ଚାଳିଶି ପଚାଶ ବର୍ଷ ମଧ୍ୟରେ ତମେସବୁ ସରିଯିବ ଓ ମରିଯିବ I ତେଣୁ ନିଜ ନିଜ ମଧ୍ୟରେ କଳି ନକରି ମିଳିମିଶି ରୁହ I'
ପେଚା କଥାରେ ତିନି ଶକ୍ତି ଉତ୍ସଙ୍କ ମନରେ ଚେତା ପଶିଲା I ସେମାନେ ନିଜର ଭୁଲ ବୁଝି ପାରିଲେ ଓ ପରସ୍ପର ମଧ୍ୟରେ କଳି ନକରି ମିଳିମିଶି ରହିଲେ I
ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
To read the same article published in Pilanka Dharitri dated 09.09.23, please click the following link :
https://dharitriepaper.in/edition/14008/pilanka-dharitri/page/6
Comments
Post a Comment