ଲାଞ୍ଜ ଥିବା ତାରା
ଲାଞ୍ଜ ଥିବା ତାରା
ନିକୁଞ୍ଜ ବିହାରୀ ସାହୁ
ସନ୍ଧ୍ୟାବେଳ I ମୁନା ସେଦିନ ପଦାରେ ବସି ଅକାଶରେ ତାରା ଦେଖୁଥିଲା I ଆକାଶରେ ହଠାତ ଏକ ବିଚିତ୍ର ଦୄଶ୍ୟ ଦେଖି ସେ ଚମକି ପଡିଲା I ସେ ଦେଖିଲା ଆକାଶରେ ଏକ ଅଦ୍ଭୁତ ତାରା ଦେଖା ଯାଉଛି I ସାଧାରଣ ତାରାସବୁ ଆକାରରେ ଗୋଲ ଦେଖା ଯାଉଥିଲାବେଳେ ସେ ତାରାଟି କିନ୍ତୁ ଲମ୍ବାଳିଆ ଦେଖା ଯାଉଥିଲା I ଏପରି ବିଚିତ୍ର ତାରା ସେ ଆଗରୁ କେବେ ଦେଖି ନଥିଲା I ସେ ଡରିଯାଇ ମା'ଙ୍କୁ ଡାକ ପକେଇଲା I ମା' ତା' ଡାକ ଶୁଣି ଦଉଡି ଆସିଲେ I ସେ ଘଟଣା କ'ଣ ବୋଲି ପଚାରିବାରୁ ମୁନା କହିଲା ଯେ ସେ ଆକାଶରେ ଏକ ଅଦ୍ଭୁତ ତାରା ଦେଖି ଡରିଗଲା I ଏହା କହି ସେ ମା'ଙ୍କୁ ଆକାଶରେ ସେ ବିଚିତ୍ର ତାରାଟିକୁ ଦେଖାଇ ଦେଲା I
ତାରାଟିକୁ ଦେଖି ମା' କହିଲେ , 'ଏହା ଏକ ଲଞ୍ଜାତାରା I ଆମେ ଏହାକୁ ଦେଖିବା ଉଚିତ ନୁହେଁ I ଏହା ଦେଖିଲେ ଅଶୁଭ ହୋଇଥାଏ ବୋଲି ଲୋକେ କହିଥାନ୍ତି I '
ଏହା ଦେଖିଲେ କ'ଣ ଅଶୁଭ ହୁଏ ବୋଲି ମୁନା ପଚାରିଲା I
ମା' କହିଲେ, 'ଲଞ୍ଜାତାରା ଆକାଶରେ ପଡିଲେ ସମାଜରେ ଘୋର ଅମଙ୍ଗଳ ଘଟିଥାଏ I ଯେପରି ମରୁଡି, ବନ୍ୟା, ବାତ୍ୟା ଭଳି ପ୍ରାକୄତିକ ଦୁର୍ବିପାକମାନ ପଡିଥାଏ I ଆହୁରି ମଧ୍ୟ, ଏହା ଆକାଶରେ ଦେଖାଦେଲେ, ବଡ ବଡ ଲୋକ ମରିଯାନ୍ତି ବୋଲି ବିଶ୍ୱାସ ଅଛି I '
ମା'ଙ୍କଠାରୁ ଏପରି ଭୟାନକ କଥା ଶୁଣି ମୁନା ଆହୁରି ଡରିଗଲା I ସେ ଭୟଭୀତ ହୋଇ ଚିତ୍କାର କରି ଉଠିଲା I ତା' ଚିତ୍କାର ଶୁଣି ବାପା ଖବରକାଗଜ ପଢା ଛାଡି ଦୌଡି ଆସିଲେ I ସେ କଥା କ'ଣ ବୋଲି ପଚାରିବାରୁ ମୁନା କହିଲା, 'ବାପା, ମୁଁ ଆକାଶରେ ଏକ ଅଦ୍ଭୁତ ତାରା ଦେଖି ଡରିଗଲି I'
ଏହା କହି ସେ ଉକ୍ତ ତାରାଟିକୁ ବାପାଙ୍କୁ ଦେଖାଇ ଦେଲା I
ବାପା ତାରାଟିକୁ ଦେଖି ହସି ହସି କହିଲେ, ' ନାଇଁରେ ବୋକା, ଏହା ତାରା ନୁହେଁ; ଏହା ପ୍ରକୄତରେ ଏକ ଧୂମକେତୁ I'
ସେଇଠୁଁ ମୁନା ପଚାରିଲା , 'ବାପା, ଧୂମକେତୁ କ'ଣ?'
ବାପା କହିଲେ , 'ବୁଝାଇ କହୁଛି ଶୁଣ I ବାପା କହି ଚାଲିଲେ : 'ଧୂମକେତୁସବୁ ଗ୍ରହମାନଙ୍କ ଭଳି ଆମ ସୌରଜଗତର ଗୋଟିଏ ଗୋଟିଏ ସଦସ୍ୟ I ସେମାନେ ମଧ୍ୟ ଗ୍ରହମାନଙ୍କ ଭଳି ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟ ଚାରିପଟେ ଘୂରୁଥାନ୍ତି I ମାତ୍ର ସେମାନଙ୍କ କକ୍ଷପଥ ଅତିଶୟ ଚେପେଟା ହୋଇ ଥିବାରୁ ସେମାନେ ସୂର୍ଯ୍ୟର ଅତି ନିକଟବର୍ତ୍ତୀ ହୋଇ ପାରନ୍ତି I ଫଳରେ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସେମାନଙ୍କର କିଛି ଅଂଶ ଜଳି ପାଉଁଶ ପାଲଟିଯାଏ I ପୂଣି, ସୂର୍ଯ୍ୟର ପ୍ରଚଣ୍ଡ ବିକିରଣ ଜନିତ ଚାପରେ ସେହି ଭସ୍ମିଭୂତ ପଦାର୍ଥସବୁ ଠେଲିହୋଇ ଧୂମକେତୁର ପଛପଟେ ଜମା ହୁଏ ଏବଂ ଲାଞ୍ଜ ଭଳି ଏକ ଅଦ୍ଵିତୀୟ ଅଙ୍ଗ ସୄଷ୍ଟି କରେ I ଲାଞ୍ଜ ଥିବାରୁ ଧୂମକେତୁଟିକୁ ଏବେ ଲଞ୍ଜାତାରା କୁହାଯାଏ I'
ମୁନା ପୁଣି ପଚାରିଲା, ' ଏକ ଧୂମକେତୁ କେଉଁଥିରେ ଗଢା?'
ବାପା କହିଲେ, ' କୌଣସି ଧୂମକେତୁର ମୂଖ୍ୟତଃ ତିନୋଟି ଅଙ୍ଗ ଥାଏ, ଯଥା : ନାଭିକେନ୍ଦ୍ର, କମା ଓ ଲାଞ୍ଜ I ଧୂମକେତୁଟିର କେନ୍ଦ୍ରଭାଗକୁ ନାଭିକେନ୍ଦ୍ର କୁହାଯାଏ I ଏହା ମୂଖ୍ୟତଃ ବରଫରେ ଗଢା I ଏହାକୁ ଘେରି ଗ୍ୟାସ୍ ଓ ଧୂଳିର ଏକ ବିଶାଳାକାୟ ବାଦଲ ରହିଥାଏ, ଯାହାକୁ କମା କହନ୍ତି I ଏହା ଧୂମକେତୁର ଦ୍ୱିତୀୟ ଅଙ୍ଗ I ମାତ୍ର ଧୂମକେତୁର ସବୁଠାରୁ ଦର୍ଶନୀୟ ଅଙ୍ଗ ହେଉଛି ଏହାର ଲାଞ୍ଜ I ଲାଞ୍ଜ ଥିବାରୁ ଏମାନଙ୍କୁ ମଧ୍ୟ ଲଞ୍ଜାତାରା କୁହାଯାଏ I'
ମୁନା ପୁଣି ପଚାରିଲା , 'ବାପା, ଧୂମକେତୁସବୁ କେତେ ପ୍ରକାରର ଓ ସେମାନେ କେଉଁଠାରୁ ଆସିଥାନ୍ତି?'
ବାପା କହିଲେ , 'ଭଲ ପ୍ରଶ୍ନଟିଏ ପଚାରିଲୁ I ଧୂମକେତୁ ମୂଖ୍ୟତଃ ଦୁଇ ପ୍ରକାରର ; ଯଥା ସ୍ୱଳ୍ପ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁ ଓ ଦୀର୍ଘ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁ I ସାଧାରଣତଃ 100 ବର୍ଷରୁ କମ୍ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁକୁ ସ୍ୱଳ୍ପ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁ କୁହା ଯାଉଥିଲାବେଳେ 100 ବର୍ଷରୁ ଉର୍ଦ୍ଧ୍ୱ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁକୁ ଦୀର୍ଘ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁ କହନ୍ତି I ସ୍ୱଳ୍ପ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁସବୁ ବୄହସ୍ପତି ଗ୍ରହ କକ୍ଷପଥ ନିକଟରେ ଥିବା ଏକ ବଳୟାକାର ଅଞ୍ଚଳ କୁଇପର୍ ବେଳ୍ଟ ରୁ ଆସୁଥିଲାବେଳେ ଦୀର୍ଘ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁସବୁ ବହୁ ଦୂରରୁ , ଏପରିକି ନେପଚ୍ୟୁନ୍ ଗ୍ରହର କକ୍ଷପଥ ବାହାରେ ଥିବା ଉର୍ଟ ବାଦଲ ନାମକ ଏକ ଇଲାକାରୁ, ଜନ୍ମ ହୋଇ ଆମ ସୌରଜଗତକୁ ଆସିଥାନ୍ତି I'
ମୁନା ସେଇଠୁ ପଚାରିଲା , 'ବାପା , ଏକ ଧୂମକେତୁର ଆବର୍ତ୍ତକାଳ କହିଲେ କ'ଣ ବୁଝାଏ ?'
ବାପା କହିଲେ, ' କୌଣସି ଧୂମକେତୁ ସୂର୍ଯ୍ୟ ଚାରିପଟେ ନିଜ କକ୍ଷପଥରେ ଏକ ନିର୍ଦ୍ଦିଷ୍ଟ ସମୟାନ୍ତରରେ ଘୂରିଥାଏ I ଏହାକୁ ଧୂମକେତୁର ଆବର୍ତ୍ତକାଳ କହନ୍ତି I ତୁ ହ୍ୟାଲିଙ୍କ ଧୂମକେତୁ ନାଁ ଶୁଣିଥିବୁ I ଏହା ଏକ ସ୍ୱଳ୍ପ ଆବର୍ତ୍ତକାଳ ବିଶିଷ୍ଟ ଧୂମକେତୁ I ଏହା ପ୍ରତି 76 ବର୍ଷ ଅନ୍ତରରେ ଆମ ଆକାଶକୁ ଆସିଥାଏ I ଏହା ଗତ ଥର 1986 ମସିହାରେ ଆମ ଆକାଶକୁ ଆସିଥିଲା I ଏହା ପୁଣି 2062 ମସିହାରେ ଆମ ଆକାଶକୁ ଫେରିବ I"
ସେଇଠୁ ମୁନା ପଚାରିଲା , 'ବାପା, ବୁଝି ପାରିଲି I ହେଲେ ଏଥରକ କୁହ , ଧୂମକେତୁସବୁକୁ ଆମେ କାହିଁକି ପର୍ଯ୍ୟବେକ୍ଷଣ ଓ ଅନୁଧ୍ୟାନ କରିବା ?'
ବାପା କହିଲେ ,' ଭଲ ପ୍ରଶ୍ନଟିଏ ପଚାରିଲୁ, କହୁଛି ଶୁଣ I ଧୂମକେତୁର ନାଭିକେନ୍ଦ୍ର ଗୋଟିଏ ବିରାଟ ବରଫ ପାହାଡ ହୋଇଥିବାରୁ ସେଥିରେ ଯଥେଷ୍ଟ ଜଳ ଗଛିତ ଥାଏ I ଅତୀତରେ ସମ୍ଭବତଃ ସେପରି କୌଣସି ଧୂମକେତୁ ଛୁଟି ଆସି ଆମ ପୄଥିବୀ ସହିତ ସଂଘର୍ଷ ହୋଇ ପୄଥିବୀକୁ ବିପୁଳ ଜଳ ସ୍ଥାନାନ୍ତରିତ କରିଥିଲା I ସୁତରାଂ ଆମ ପୄଥିବୀର ସମସ୍ତ ଜଳରାଶି କୌଣସି ଧୂମକେତୁରୁ ଆସିଛି ବୋଲି ଅନୁମାନ କରାଯାଏ I ଆହୁରି ମଧ୍ୟ, ଧୂମକେତୁସବୁ ଆକାଶର ସମସ୍ତ ଦିଗରେ ଗତି କରୁଥିବାରୁ ସେସବୁର ପୄଥିବୀ ସହିତ ସଂଘର୍ଷର ସମ୍ଭାବନା ରହିଛି I ପ୍ରାୟ 65 ନିୟୁତ ବର୍ଷ ପୂର୍ବେ ଆମ ପୄଥିବୀ ସହିତ ଏହିପରି ଏକ ଧୂମକେତୁର ସଂଘର୍ଷ ଘଟିବାରୁ ଡାଇନୋସର୍ ମାନଙ୍କ ସମୂହ ବିଲୁପ୍ତି ଘଟିଥିଲା I ତେଣୁ ଆମ ଦୄଶ୍ୟମାନ ଅନ୍ତରୀକ୍ଷ ମଧ୍ୟରେ ଧୂମକେତୁମାନଙ୍କୁ ନିରନ୍ତର ପର୍ଯ୍ୟବେକ୍ଷଣ କରିବାର ଆବଶ୍ୟକତା ରହିଛି I ଆହୁରି ମଧ୍ୟ, ଧୂମକେତୁଗୁଡିକ ବହୁ ଦୂରରୁ ଅସୁଥିବାରୁ ଅନ୍ତରୀକ୍ଷର ଶୀତଳତମ ତାପମାତ୍ରାରେ ସେଥିରେ ଥିବା ପଦାର୍ଥସବୁ ଆଣବିକ ସ୍ତରରେ ପରିବର୍ତ୍ତିତ ନହୋଇ ସୄଷ୍ଟି ଆରମ୍ଭର ସେହି ଆଦିମ ଓ ଅକ୍ଷତ ଅବସ୍ଥାରେ ଅଟକି ରହିଥାନ୍ତି I ସୁତରାଂ ଧୂମକେତୁଗୁଡିକର ଅଧ୍ୟୟନ ଦ୍ୱାରା ବିଶ୍ୱର ସୄଷ୍ଟି ସମ୍ପର୍କରେ ଅନେକ ରହସ୍ୟଘେରା ଓ ଅସମାହିତ ତଥ୍ୟ ସମ୍ପର୍କରେ ସୂଚନା ମିଳି ପାରିବ ବୋଲି ବିଶ୍ୱାସ କରାଯାଏ,' ବାପା ବୁଝାଇ ଦେଲେ I
ବାପାଙ୍କ ଉତ୍ତରରେ ମୁନା ଏଥର ଧୂମକେତୁ ସମ୍ପର୍କରେ ଅନେକ କଥା ବୁଝି ପାରିଥିଲା I ସେ ଆହୁରି ମଧ୍ୟ ବୁଝି ପାରିଥିଲା ଯେ , ଧୂମକେତୁସବୁ ତାରାଗ୍ରହଙ୍କ ଭଳି ଗୋଟିଏ ଗୋଟିଏ ମହାକାଶୀୟ ପିଣ୍ଡ I ତେଣୁ ସେମାନଙ୍କ ଆବିର୍ଭାବ ସହିତ କୌଣସି ବିଶ୍ୱାସ ଅନ୍ଧବିଶ୍ୱାସ ଜଡିତ ହେବା ଉଚିତ ନୁହେଁ I ପୁଣି , ସେମାନଙ୍କୁ ଆକାଶରେ ଦେଖିଲେ ଡରି ନଯାଇ ସେମାନଙ୍କୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟବେକ୍ଷଣ କରିବା କଥା I
ସୁତରାଂ ଧୁମକେତୁ ଭଳି ଜ୍ୟୋତିର୍ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୁଝି ପାରିଥିବାରୁ ମୁନାର ମନ ଭାରି ଖୁସିଥାଏ ସେଦିନ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
To read the same article in Odiya published in Pilanka Dharitri dated 01.07.23, please click the link given below: https://dharitriepaper.in/edition/13501/pilanka-dharitri/page/6
Comments
Post a Comment