ମହାକାଶ ପଥେ
ନିକୁଞ୍ଜ ବିହାରୀ ସାହୁ
ଆଜିଠୁ ପ୍ରାୟ 36 କୋଟି ବର୍ଷ ତଳେ ଏହା ଥିଲା ଏକ ସାଧାରଣ ଘଟଣା : ଜନଜୀବନ ଶୂନ୍ୟ ବିରାଟ ପୄଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ I ଆଗ୍ନେୟଗିରିଗୁଡିକର ପ୍ରଚଣ୍ଡ ବିସ୍ଫୋରଣରେ ଦିଗବଳୟ ଦିଶୁଥିଲା ଧୂସର ଓ ବିବର୍ଣ୍ଣ I ପେଞ୍ଜିଆ (Pangea) ବୋଲି କୁହା ଯାଉଥିବା ପୄଥିବୀର ଅବିଭକ୍ତ ଭୂଖଣ୍ଡର ଅଗଭୀର ନଦୀଗୁଡିକରେ ପହଁରି ଯାଉଥିଲା 'ୟୁସ୍ଥାନେପ୍ଟେରନ୍ (Eusthenopteron) ନାମକ ଏକ ପ୍ରାଚୀନ ମତ୍ସ୍ୟ I ନିଜର ଚିରାଚରିତ ତରଳ ଜଳରାଶିର ଦୁନିଆ ମଧ୍ୟରେ ପ୍ରାଗ୍ ଐତିହାସିକ ଯୁଗର ନିଃସଙ୍ଗ ମୁହୂର୍ତ୍ତଗୁଡିକ ଅତିବାହିତ କରୁଥିବା ଏହି ମତ୍ସ୍ୟଟି ନିକଟରେ ନା ଥିଲା ଆଗାମୀ ଦିନର ଚିନ୍ତା ନା ଖାଦ୍ୟ ପାଇଁ ବହିର୍ଜଗତର ପ୍ରତିଦ୍ୱନ୍ଦିତା I
ଘଟଣାକ୍ରମେ ଜଳବାୟୁର ପରିବର୍ତ୍ତନ ହେତୁ ପେଞ୍ଜିଆର ନଦୀଗୁଡିକ ଶୁଖିବାକୁ ଆରମ୍ଭ କରେ I ୟୁସ୍ଥାନେପ୍ଟେରନ୍ ର ବଂଶଧରମାନେ କିନ୍ତୁ ନଦୀର ମଇଳା ଜଳ ପରିବର୍ତ୍ତେ ବାୟୁରୁ ସିଧାସଳଖ ଅମ୍ଳଜାନ ଗ୍ରହଣ କରିବା ପାଇଁ ଆଦିମ ଫୁସ୍ଫୁସ୍ ଓ ନଦୀଶଯ୍ୟାରେ ବିଚରଣ କରିବା ନିମନ୍ତେ ନିଜ ଶରୀରରେ ମାଂଶପେଶୀଯୁକ୍ତ ଆଦିମ ପକ୍ଷ ବିକଶିତ କରନ୍ତି I
ପରିବର୍ତ୍ତିତ ପରିସ୍ଥିତିରେ ଶୂଷ୍କମାନ ନଦୀଶଯ୍ୟାରେ ଖାଦ୍ୟର ଅଭାବ ଓ ଅନ୍ୟ ଜୀବମାନଙ୍କର ପ୍ରତିଦ୍ୱନ୍ତିତା ୟୁସ୍ଥାନେପ୍ଟେରନ୍ କୁ ନିଜର ଆବାହମନ ବାସସ୍ଥଳୀକୁ ଛାଡି ନୂତନ କୌଣସି ନିରାପଦ ରାଇଜର ସନ୍ଧାନ ନିମନ୍ତେ ବାଧ୍ୟ କରେ I ଘଟଣାକ୍ରମେ, ୟୁସ୍ଥାନେପ୍ଟେରନ୍ ନିଜର ମାଂସପେଶୀଯୁକ୍ତ ପକ୍ଷ ସାହାଯ୍ୟରେ ଚାଲି ଚାଲି ନିଜର ଚିରାଚରିତ ତରଳ ଜଳରାଶିର ପରିସୀମାକୁ ତ୍ୟାଗ କରି ପଦାକୁ ବାହାରି ଆସେ I ତା' ସମ୍ମୁଖରେ ନୂତନ ଏକ ଅଜଣା ଓ ଅପରିସୀମ ଦୁନିଆର ଉନ୍ମୋଚନ ଘଟେ : କଠିନ ଓ ଗ୍ୟାସ୍ ର ଦୁନିଆ -ସ୍ଥଳଭାଗ I ଜୀବନସତ୍ତା ପ୍ରଥମଥର ପାଇଁ ସ୍ଥାନାନ୍ତରିତ ହୁଏ : ଜଳରୁ ସ୍ଥଳଭାଗକୁ I ସମୟକ୍ରମେ, ବିବର୍ତ୍ତନର ସ୍ରୋତରେ ୟୁସ୍ଥାନେପ୍ଟେରନ୍ ପ୍ରଥମେ ଉଭୟଚର , ସ୍ତନ୍ୟପାୟୀ ଓ ପରିଶେଷରେ ମନୁଷ୍ୟରେ ଆତ୍ମପ୍ରକାଶ କରେ I ଘଟଣାକ୍ରମେ, ସେହି ମନୁଷ୍ୟ 1961 ମସିହା ଅପ୍ରେଲ 12 ତାରିଖ ଦିନ ନିଜର ଚିରାଚରିତ କଠିନ ଓ ଗ୍ୟାସର ଦୁନିଆ ପୄଥିବୀକୁ ଛାଡି ଅନ୍ତରୀକ୍ଷକୁ ଚାଲିଯାଏ ସେଠାରେ ଦୀର୍ଘ 108 ମିନିଟ କାଳ ବାସ କରେ I ଜୀବନସତ୍ତା ପୁଣି ଥରେ ସ୍ଥାନାନ୍ତରିତ ହୁଏ ; ଜୀବମଣ୍ଡଳ ସମ୍ପ୍ରସାରିତ ହୁଏ - ସ୍ଥଳଭାଗରୁ ମହାକାଶକୁ I ମନୁଷ୍ୟ ନିକଟରେ ଏ ପର୍ଯ୍ୟନ୍ତ ଲୁକ୍କାୟିତ ଥିବା ଏକ ଅଜଣା ଓ ଅସ୍ୱାଭାବିକ ଭାବେ ବିଶାଳ ଜଗତର ଉନ୍ମୋଚନ ଘଟେ , ଯେପରି ଦିନେ ୟୁସ୍ଥାନେପ୍ଟେରନ୍ କ୍ଷେତ୍ରରେ ଘଟିଥିଲା I ସମୁଦ୍ରର ତରଳ ଜଳରାଶିରେ ସନ୍ତରଣ କରିଥିବା ମନୁଷ୍ୟ ଏବେ ଅନ୍ତରୀକ୍ଷର ଅନନ୍ତ ବକ୍ଷକୁ ଆଲିଙ୍ଗନ କରି ଅଗଣିତ ତାରକା ସମୁଦ୍ରରେ ବିଚରଣ କରିବାର ସ୍ୱପ୍ନ ଦେଖେ I
ଏହାପରେ ମନୁଷ୍ୟ ରକେଟ୍ ଜରିଆରେ ଅନେକ ଥର ମହାକାଶକୁ ଯାତ୍ରା କରିଛି, ମହାଶୂନ୍ୟରେ ଦୂରନ୍ତ ବେଗରେ ଛୁଟି ଯାଇ ନିଜର କକ୍ଷ ପରିବର୍ତ୍ତନ କରିଛି, ଗୋଟିଏ ଯାନରୁ ବାହାରି ଅନ୍ୟ ଯାନରେ ପ୍ରବେଶ କରିଛି , ଅନନ୍ତ ମହାଶୂନ୍ୟକୁ ଲମ୍ଫ ଦେଇ ମହାକାଶରେ ଘଣ୍ଟା ଘଣ୍ଟା କାଳ ବିଚରଣ କରିଛି, ଏବଂ ଅନ୍ତରୀକ୍ଷରେ ମାସ ମାସ କାଳ ଅବସ୍ଥାନ କଲା ପରେ ପୁଣି ପୄଥିବୀକୁ ନିରାପଦରେ ଫେରି ଆସିଛି I ଏହି ସବୁ ଉପଲବ୍ଧି ମନୂଶ୍ୟର ଅଜ୍ଞାତକୁ ଆୟତ୍ତାଧୀନ କରିବାର ଦୁର୍ବାର ଅଭୀପ୍ସା ତଥା ସମ୍ଭାବ୍ୟ ମହାକାଶ ବିଜୟର ପୂର୍ବାଭାସ ନୁହେଁ କି ?
ସୋଭିଏତ୍ ମହାକାଶଚାରୀ ୟୁରି ଗାଗାରିନ୍ ଙ୍କ ମହାକାଶ ଯାତ୍ରା ଥିଲା ମାନବ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା I ମନୁଷ୍ୟ ନିର୍ମିତ ଉପଗ୍ରହ ସ୍ପୁଟନିକ-1 1957 ମସିହା ଅକ୍ଟୋବର 4 ତାରିଖରେ ଅନ୍ତରୀକ୍ଷକୁ ପ୍ରେରିତ ହୋଇ ପୄଥିବୀ ଚାରିପଟେ ଘୂରିବା ସଙ୍ଗେସଙ୍ଗେ ମହାକାଶ ଯୁଗର ସୂତ୍ରପାତ ହୁଏ I ମହିଳା ମହାକାଶଚାରୀ ଭାଲେନ୍ତିନା ତେରେସ୍କୋଭା ମହାକାଶକୁ ପ୍ରେରିତ ହୁଅନ୍ତି 1963 ମସିହାରେ I ସୋଭିଏତ୍ ମହାକାଶଚାରୀ ଆଲେକ୍ସି ଲିଓନୋଭ୍ ନିଜର ଭୋସ୍ଖୋଡ-2 ଅନ୍ତରୀକ୍ଷ ଯାନକୁ ତ୍ୟାଗ କରି ମହକାଶର ଅନନ୍ତ ଶୂନ୍ୟତାକୁ ଲମ୍ଫ ପ୍ରଦାନ କରନ୍ତି ଓ ଶୂନ୍ୟରେ ପ୍ରଥମଥର ପଦଚାଳନା (Space Walk) କରନ୍ତି I ମହାକାଶରେ ଏକସମୟରେ ସର୍ବାଧିକ 11 ଜଣ ମନୁଷ୍ୟଙ୍କ ଅବସ୍ଥାନ (1984), ଅନ୍ତରୀକ୍ଷରେ ଦୀର୍ଘ 1 ବର୍ଷ ରହିବା ପରେ ସୋଭିଏତ୍ ମହାକାଶଚାରୀ ଟିଟୋଭ୍ ଓ ମାନରୋଭ୍ ଙ୍କ ପଥିବୀ ପ୍ରତ୍ୟାବର୍ତ୍ତନ ( 1987), ମହାକାଶ ଷ୍ଟେସନ୍ ଓ ଗବେଷଣାଗାର ସାଲ୍ୟୂଟ୍ (Salyut) ଯାନର ପ୍ରକ୍ଷେପଣ ଓ ସଟଲ୍ ଯାନ କଲମ୍ବିଆ (Columbia) ର ଅନ୍ତରୀକ୍ଷ ଯାତ୍ରା (1981) ଓ ସେଥିରୁ ବାହାରି ମହାକାଶଚାରୀମାନଙ୍କ ଶୂନ୍ୟରେ ଘଣ୍ଟାଘଣ୍ଟା କାଳ ପଦଚାଳନା ପୂର୍ବକ ଖରାପ ଉପଗ୍ରହଗୁଡିକୁ ମରାମତି କରିବା ଘଟଣା ଅନ୍ତରୀକ୍ଷରେ ମନୁଷ୍ୟର ଦୀର୍ଘଦିନ ସହାବସ୍ଥାନର ସାମର୍ଥ୍ୟ ଓ ସଫଳତାକୁ ପ୍ରତିପାଦନ କରେ I
ମନୁଷ୍ୟ ନିର୍ମିତ ଯୋଗାଯୋଗ ଉପଗ୍ରହ ଟେଲିଷ୍ଟାର (Telestar) 1962 ମସିହାରେ ମହାକାଶରେ କାର୍ଯ୍ୟକାରୀ ହୋଇ ପ୍ରଥମଥର ପାଇଁ ଆଟଲାଣ୍ଟିକ ମହାସାଗର ଉପର ଦେଇ ଟେଲିଭିଜନ ସଙ୍କେତ ପ୍ରେରଣ କରେ ଓ ଏହା ସହିତ ପୃଥିବୀର ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ I ତେଣେ ଉର୍ଦ୍ଧ୍ୱ ଅନ୍ତରୀକ୍ଷରେ ସୋଭିଏତ୍ ଯାନ ସାଲ୍ୟୂଟ୍ ସହିତ ଆମେରିକୀୟ ରକେଟ୍ ଆପୋଲୋ ସଂଯୁକ୍ତ ହୁଏ (1975) ଏବଂ ଉଭୟ ଦେଶର ମହାକଶଚାରୀଗଣ ପରସ୍ପର ସହିତ ଘନିଷ୍ଠ ହୋଇ ମହାକାଶ ଅଭିଯାନ କ୍ଷେତ୍ରରେ ଆନ୍ତର୍ଜାତୀୟ ସମ୍ପର୍କ ସହଯୋଗର ଭିତ୍ତି ସ୍ଥାପନ କରନ୍ତି I
ଚନ୍ଦ୍ର ଅଭିଯାନ ଆରମ୍ଭ ହୁଏ I 1956 ମସିହା ସେପ୍ଟେମ୍ବର 12 ତାରିଖରେ ମନୁଷ୍ୟ ନିର୍ମିତ ଏକ ସୋଭିଏତ୍ ରକେଟ୍ ଲୁନା-2 ପ୍ରଥମଥର ପାଇଁ ଚନ୍ଦ୍ରପୄଷ୍ଠକୁ ସ୍ପର୍ଶକରେ I ପରେ, ଅନ୍ୟ ଏକ ସୋଭିଏତ୍ ରକେଟ୍ ଲୁନା - 3 ଚନ୍ଦ୍ର ଚାରିପଟେ ଏକ କୄତ୍ରିମ ଉପଗ୍ରହ ସଦୄଶ ଘୂରିଘୂରି ଚନ୍ଦ୍ରର ଦୂର ପାର୍ଶ୍ୱର ଫଟୋଚିତ୍ର ପ୍ରଥମଥର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରେ I 1969 ମସିହା ଜୁଲାଇ 21 ତାରିଖ : ସମଗ୍ର ମାନବଜାତି ପାଇଁ ଥିଲା ଏକ ସ୍ମରଣୀୟ ଦିବସ I ଚନ୍ଦ୍ର ପୄଷ୍ଠର ଅଖଣ୍ଡ ନୀରବତାକୁ ଭଙ୍ଗ କରି ଶୁଭେ ମନୁଷ୍ୟର ପଦଧ୍ୱନି I ଜହ୍ନ ରାଇଜର ରୁକ୍ଷ ବାଲୁକା ଶଯ୍ୟା ଉପରେ ଅବତରଣ କରନ୍ତି ଆମେରିକୀୟ ମହାକଶଚାରୀ ନେଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ୍ I ପରେ ପରେ ସୋଭିଏତ୍ ରକେଟ୍ ଲୁନା -17 ଚନ୍ଦ୍ରପୃଷ୍ଠରେ ଅବତରଣ କରି ନିଜର ଯନ୍ତ୍ରବାହୁ ଜରିଆରେ ଚନ୍ଦ୍ରପୄଷ୍ଠରୁ କିଛି ଶିଳାଖଣ୍ଡ ସଂଗ୍ରହ କରେ ଓ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ଗଡିଯାଏ ଏକ ଚକଲଗା ଗ଼ାଡି ଲୁନାଖୋଡ୍ -1 : ମଣିଷର ସର୍ବପ୍ରଥମ ବାହ୍ୟଜାଗତିକ ଯାନ I
ଚନ୍ଦ୍ର ବ୍ୟତୀତ ସୌରଜଗତରେ ଅନ୍ୟାନ୍ୟ ଗ୍ରହ ଯଥା ବୁଧ,ଶୁକ୍ର, ମଙ୍ଗଳ, ବୄହସ୍ପତି ଓ ଶନି ଆଦି ଗ୍ରହକୁ ମନୁଷ୍ୟର ରକେଟ ମାନ ପ୍ରେରିତ ହୁଏ ଓ ଗଭୀର ବିଶ୍ୱର ଅନୁସନ୍ଧାନ ନିମନ୍ତେ ପୟୋନିୟର୍ , ଭୟେଜର୍ ଭଳି କିଛି ଯାନ ସୋରଜଗତର ସୀମା ଅତିକ୍ରମ କରି ଚାଲି ଯାଆନ୍ତି I ସେହିପରି, ଅନ୍ତରୀକ୍ଷରେ ମନୁଷ୍ୟର ଦୀର୍ଘ ଦିନ ସହାବସ୍ଥାନର ସ୍ୱପ୍ନକୁ ସାକାର କରିବା ପାଇଁ ପୄଥିବୀର ଅନେକ ରାଷ୍ଟ୍ରଙ୍କ ମିଳିତ ସହଯୋଗରେ ମହାକାଶକୁ ପ୍ରକ୍ଷେପିତ ହୋଇଛି ଆନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ୍ (International Space Station) I
ଅନନ୍ତ ମହାଶୂନ୍ୟର ଅସୁମାରୀ ତାରକା କେଉଁ ଅଦିମ କାଳରୁ ମନୁଷ୍ୟକୁ ପ୍ରଲୁବ୍ଧ କରି ଆସିଛି I ତାରାମାନେ ପ୍ରକୄତରେ କ'ଣ? ସେମାନେ ଉତ୍ପତ୍ତି ହେଲେ କିପରି? ଏହିପରି ଅନେକ ପ୍ରଶ୍ନ ମନୁଷ୍ୟକୁ ବ୍ୟଥିତ କରେ I ଏହିସବୁ ଅସମାହିତ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଅନ୍ତରୀକ୍ଷକୁ ପ୍ରେରିତ ହୋଇଛି ହବଲ୍ ଦୂରବୀକ୍ଷଣ ଯନ୍ତ୍ର ଓ ଜେମସ୍ ୱେବ୍ ଦୂରବୀକ୍ଷଣ ଯନ୍ତ୍ର I ଏସବୁ ଗଭୀର ଅନ୍ତରୀକ୍ଷକୁ ନିରୀକ୍ଷଣ କରି କୋଟି କୋଟି ବର୍ଷ ତଳେ ଘଟିଥିବା ବିଗ୍ ବ୍ୟାଙ୍ଗ୍ ବିସ୍ଫୋରଣର ଆଦିମ ବିକିରଣକୁ ସଂଗ୍ରହ ପୂର୍ବକ ବିଶ୍ୱସୃଷ୍ଟିର ରହସ୍ୟ ଉଦଘାଟନ କରିବା ନିମନ୍ତେ ନିରବଛିନ୍ନ ଭାବରେ କାର୍ଯ୍ୟରତ ଅଛନ୍ତି I
ରାତି ଆକାଶର ତାରାଗ୍ରହମାନଙ୍କ ରୂପେଲି ଆଲୁଅରେ ଭିଜୁଭିଜୁ ଗୋଟିଏ ଚିନ୍ତା ମଣିଷ ମନକୁ ସଦାସର୍ବଦା ଆନ୍ଦୋଳିତ କରେ : ପୃଥିବୀ ଭିନ୍ନ ଅନ୍ୟ କୌଣସି ତାରା ରାଇଜରେ ଜୀବନସତ୍ତା ଅଛି କି ? ଶତାବ୍ଦୀର ନିରନ୍ଦ୍ର ଅନ୍ଧକାର ମଧ୍ୟରେ ଯାହା ଦିନେ ଥିଲା କବିର କଳ୍ପନା ,ତାହା ଏବେ ବିଜ୍ଞାନର ଅଗ୍ରଗତି ବଳରେ ବାସ୍ତବତାରେ ପରିଣତ ହୋଇଛି I ବିଶ୍ୱର ଅନ୍ୟ ଗ୍ରହଜଗତରେ ଆଜି ଜୀବନସତ୍ତାର ଉପସ୍ଥିତିର ସମ୍ଭାବନା ଦୄଢୀଭୂତ ହୋଇଛି I ମହାଶୂନ୍ୟର କୋଣ ଅନୁକୋଣକୁ ଛାନ୍ ଭିନ୍ କରି ସମ୍ଭାବ୍ୟ ବାହ୍ୟଜାଗତିକ ସାଥୀର ଅନ୍ୱେଷଣ ନିମନ୍ତେ ମଣିଷର ଉଦ୍ୟମ ଆରମ୍ଭ ହୋଇଛି I ବାହ୍ୟଜାଗତିକ ଜୀବନସତ୍ତାର ସନ୍ଧାନ ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳଗ୍ରହକୁ ପ୍ରେରଣ କରିଛି ଭାଇକିଙ୍ଗ୍ , ପାଥଫାଇଣ୍ଡର୍, ସୋଜୋର୍ଣ୍ଣର୍, ସ୍ପିରିଟ୍ , ଅପର୍ଚୁନିଟି ଓ କ୍ୟୁରିଓସିଟି ଭଳି ଅନେକ ଅନୁସନ୍ଧାନକାରୀ ଯନ୍ତ୍ରଯାନ ଏବଂ ପାୟୋନିୟର୍ ଓ ଭୟେଜର୍ ଭଳି ଅନେକ ଯାନ ସୌରଜଗତର ସୀମା ଅତିକ୍ରମ କରି ଜୀବନସତ୍ତାର ଅନ୍ୱେଷଣ ନିମନ୍ତେ ଗଭୀର ବିଶ୍ୱର ନିରନ୍ଧ୍ର ଅନ୍ଧକାର ଭେଦକରି ଆଗେଇ ଚାଲିଛନ୍ତି I ସେହିପରି, ଅନ୍ୟ ତାରାଗ୍ରହମାନଙ୍କରେ ଥିବା ସମ୍ଭାବ୍ୟ ଜୀବନସତ୍ତା ଉଦ୍ଦେଶ୍ୟରେ ସାଙ୍କେତିକ ବେତାର ତରଙ୍ଗ ପ୍ରେରିତ ହୋଇଛି ଏବଂ ଗଭୀର ବିଶ୍ୱରୁ ଆସୁଥିବା ସମ୍ଭାବ୍ୟ ଜୀବନସତ୍ତା ପ୍ରେରିତ ବେତାର ତରଙ୍ଗକୁ ବିଶ୍ଳେଷଣ କରିବା ପାଇଁ ପୃଥିବୀର ବହୁ ସ୍ଥାନରେ ବେତାର ଦୂରବୀକ୍ଷଣ ଯନ୍ତ୍ରମାନ ସ୍ଥାପିତ ହୋଇଛି I
ସ୍ଥଳଭାଗକୁ ଆୟତ୍ତାଧୀନ କରିବା ପାଇଁ ୟୁସ୍ଥାନେପ୍ଟେରନ୍ କୁ ଲକ୍ଷଲକ୍ଷ ବର୍ଷ ସମୟ ଲାଗିଥିଲା I ମାତ୍ର ବିଗତ 70 ବର୍ଷ ମଧ୍ୟରେ ଅନ୍ତରୀକ୍ଷରେ ମନୁଷ୍ୟର ଜୟଯାତ୍ରା ଦେଖି ହୄଦୟୟରେ ସ୍ୱତଃ ବିସ୍ମୟ ସୄଷ୍ଟି ହୁଏ I ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଅନେକ ମନୁଷ୍ୟ ଅନ୍ତରୀକ୍ଷରେ ଦୀର୍ଘଦିନ ଅବସ୍ଥାନ କରୁଥିବେ I ଶତାବ୍ଦୀର ଶେଷଭାଗ ସୁଦ୍ଧା ଚନ୍ଦ୍ର ଓ ମଙ୍ଗଳ ଭଳି ନିକଟତମ ଗ୍ରହରେ ମନୁଷ୍ୟର ସ୍ଥାୟୀ ବସତି ଗଢି ଉଠିଥିବ ଏବଂ ସେଠାକୁ ପୄଥିବୀରୁ ନିୟମିତ ସଟଲ୍ ଯାନଗୁଡିକ ଚଳପ୍ରଚଳ କରୁଥିବେ I ମଣିଷର ଏହି ଅଦମନୀୟ ବୁଦ୍ଧିମତା ଓ ଜ୍ଞାନକୌଶଳ ଦେଖି ପ୍ରାକ୍ ଲେନିନ୍ ଯୁଗୀୟ ସୋଭିଏତ୍ ରକେଟ୍ ବିଜ୍ଞାନୀ ତଥା 'ରକେଟ ବିଜ୍ଞାନର ଜନକ' ରୂପେ ପରିଗଣିତ ଜିଲୋକଭସ୍କି (Konstantin Tsiolkovsky) ଙ୍କର ଏକ ଉକ୍ତି ମନେପଡେ , 'ମନୁଷ୍ୟର ଏହି ଅସୀମ ସାମର୍ଥ୍ୟକୁ ଦୃଷ୍ଟିପାତ କଲେ, କିଏ ଜାଣେ ଭବିଷ୍ୟତରେ ତାହା କିପରି ରୂପରେଖ ନେବ I ମଣିଷଜାତିର ଶିକ୍ଷା, ସମୄଦ୍ଧି ଓ ଅଭିବୄଦ୍ଧିର କେବେ ଅନ୍ତ ନାହିଁ. ନନୁଷ୍ୟ ନିରବିଛିନ୍ନ ଉନ୍ନତି କରି ଚାଲିଥିବ ଏବଂ ଯଦି ଏହି ଧାରା ଅବ୍ୟାହତ ରହେ, ସେ ଦିନେ ନା ଦିନେ ମୄତ୍ୟୁକୁ ମଧ୍ୟ ଜୟ କରିବ I'
ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Comments
Post a Comment