ଚନ୍ଦ୍ରକୁ ଛୁଇଁବାର ଆଶା
ଚନ୍ଦ୍ରକୁ ଛୁଇଁବାର ଆଶା
ନିକୁଞ୍ଜ ବିହାରୀ ସାହୁ
ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ରରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ଚନ୍ଦ୍ରଯାନ-3 ପ୍ରେରଣ କରିବାକୁ ଯାଉଛି I ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୄଷ୍ଠକୁ ଛୁଇଁବାର ଆଶା ରଖିଛି I ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ I ଏହା ପୂର୍ବରୁ ଭାରତ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ 'ଚନ୍ଦ୍ରଯାନ -2' ଗତ 2019 ମସିହା ଜୁଲାଇ 22 ତାରିଖ ଦିନ ପ୍ରେରଣ କରିଥିଲା I ଏହା ପ୍ରାୟ 2 ମାସ ପରେ, 2019 ସେପ୍ଟେମ୍ବର 7 ତାରିଖରେ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚି ଚନ୍ଦ୍ର ପୄଷ୍ଠରେ ଏକ ଅବତରକ ଯାନ 'ବିକ୍ରମ'କୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲା I ମାତ୍ର ଦୁର୍ଭାଗ୍ୟକ୍ରମେ ଅବତରଣ ସମୟରେ ଯାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଭୂପୄଷ୍ଠରୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା I ଏହି ବିଫଳତାରେ ଇସ୍ରୋ ନିରୁତ୍ସାହିତ ନହୋଇ ଦୀର୍ଘ 4 ବର୍ଷର ନୀରବତା ପରେ ଚନ୍ଦ୍ର ଅଭିମୁଖେ ଏବେ ଅନ୍ୟ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି I ଇସ୍ରୋର ମୂଖ୍ୟ ଏସ୍. ସୋମନାଥ କହିଛନ୍ତି ଯେ, ପୂର୍ବ ବିଫଳତାରୁ ଆମେ ଶିକ୍ଷାଲାଭ କରିଥିବା କିଛି ପ୍ରଯୁକ୍ତିକୁ ଏଥର ଚନ୍ଦ୍ରଯାନ -3 ଅଭିଯାନରେ ପ୍ରୟୋଗ କରାଯାଇ ଅବତରକ ଯାନକୁ ଚନ୍ଦ୍ରପୄଷ୍ଠରେ ସଫଳତାର ସହ ଅବତରଣ କରାଇବାକୁ ସମସ୍ତ ପ୍ରୟାସ କରାଯିବ I
ଭାରତ ବିଗତ 2008 ମସିହା ଅକ୍ଟୋବର 22 ତାରିଖ ଦିନ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ 'ଚନ୍ଦ୍ରଯାନ-1' ପ୍ରେରଣ କରିଥିଲା I ଏହି ଯାନ 2008 ମସିହା ନଭେମ୍ବର 8 ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୄଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା I 2008 ମସିହା ନଭେମ୍ବର 14 ତାରିଖ ଦିନ, ଏହି ଯାନରୁ ଏକ ଉପକରଣ ଅଲଗା ହୋଇ ଚନ୍ଦ୍ରପୄଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ର ମାଟିରେ ଭାରତର ଜାତୀୟ ପତାକା ସ୍ଥାପନ କରିଥିଲା I ଚନ୍ଦ୍ରଯାନ-1 ଚନ୍ଦ୍ରକୁ 3400 ପରିକ୍ରମା କରିବା ପରେ ଦୁର୍ଭାଗ୍ୟକ୍ରମେ 2009 ମସିହା ଅଗଷ୍ଟ 29 ତାରିଖ ଦିନ ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା I ମାତ୍ର ଚନ୍ଦ୍ରଯାନ-1 ର ଏକ ବଡ ଉପଲବ୍ଧି ଥିଲା ଚନ୍ଦ୍ରପୄଷ୍ଠରେ ଜଳ ଅଣୁର ସନ୍ଧାନ I ଏହାର ସଂଗୃହୀତ କିଛି ତଥ୍ୟକୁ ଭିତ୍ତିକରି ନାସା ଓ ଇସ୍ରୋର ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୄଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ I ଚନ୍ଦ୍ରଯାନ - 1 ପ୍ରକଳ୍ପରେ ସମୁଦାୟ 386 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I
ଦୀର୍ଘ 11 ବର୍ଷର ନୀରବତା ପରେ, ଗତ 2019 ମସିହା ଜୁଲାଇ 22 ତାରିଖରେ, ଭାରତ ଚନ୍ଦ୍ରପୄଷ୍ଠକୁ ନିଜର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-2 ପ୍ରେରଣ କରିଥିଲା I ଏହା 2019 ମସିହା ଅଗଷ୍ଟ 22 ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା I ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରଯାନ ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରା ଯାଇଥିଲା I ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୄଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା I ମାତ୍ର ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା I ପରବର୍ତ୍ତୀ ଚନ୍ଦ୍ରଯାନ-2 ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖା ଯାଇଥିଲା I ମାତ୍ର ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନଥିଲା I ଏଥିରେ ଥିବା 'ଅର୍ବିଟର୍' ଯାନଟି ଯୋଜନାମତେ ଚନ୍ଦ୍ରକୁ ସଫଳତାର ସହିତ ପରିକ୍ରମା କରି ଚନ୍ଦ୍ରପୄଷ୍ଠର ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲାବେଳେ ଏଥିରୁ ବିଛିନ୍ନ ହୋଇ ଏକ ଅବତରକ ଯାନ 'ବିକ୍ରମ' ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା I ବିକ୍ରମ ଅବତରକ ଯାନଟିରେ ଏକ ଚକଲଗା ଗାଡି ବା ରୋଭର୍ (ନାମ : ପ୍ରଜ୍ଞା) ମଧ୍ୟ ସ୍ଥାନିତ ଥିଲା ଯାହା ଚନ୍ଦ୍ରପୄଷ୍ଠରେ ପହଞ୍ଚିବା ମାତ୍ରେ ଅବତରକ ଯାନରୁ ବାହାରି ଚନ୍ଦ୍ରପୄଷ୍ଠ ଉପରେ ଗଡି ଗଡି ତଥ୍ୟ ସଂଗ୍ରହ କରିବା କଥା I ମାତ୍ର ଦୁର୍ଭାଗ୍ୟକ୍ରମେ, ବିକ୍ରମ ଅବତରକ ଯାନଟି ସୁଚାରୂ ରୂପେ ଚନ୍ଦ୍ରପୄଷ୍ଠରେ ଧୀର ଅବତରଣ କରି ନପାରି 2019 ମସିହା ସେପ୍ଟେମ୍ବର 6 ତାରିଖ ଦିନ ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବା ସହିତ ଭୂପୄଷ୍ଠ ସହିତ ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ହୋଇ ଯାଇଥିଲା I ଏହା ସହିତ ଭାରତର ଚନ୍ଦ୍ରମାଟିକୁ ଛୁଇଁବାର ସ୍ୱପ୍ନ ଅଧୁରା ରହି ଯାଇଥିଲା I ଏହି ପ୍ରକଳ୍ପରେ ସମୁଦାୟ 603 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I
ପୂର୍ବର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ପରେ ଭାରତ ଏବେ ଚନ୍ଦ୍ରଯାନ-3 ଅଭିଯାନ ଜରିଆରେ ପୂର୍ବର ତ୍ରୁଟିକୁ ସୁଧାରି ଚନ୍ଦ୍ରପୄଷ୍ଠରେ ସଫଳ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି I ଏହି ଅଭିଯାନକୁ ଏହି ବର୍ଷ ଜୁଲାଇ ମାସର କୌଣସି ଏକ ଦିନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ଆନ୍ତରୀକ୍ଷ କେନ୍ଦ୍ରରୁ ଉତକ୍ଷେପଣ କରାଯିବ I ଚନ୍ଦ୍ରଯାନ-3 ର ସମୁଦାୟ ତିନୋଟି ଏକକ ବା ମଡ୍ୟୁଲ ରହିଛି, ଯଥା : ପ୍ରପଲସନ୍ ମଡ୍ୟୁଲ ଯାହା ଯାନକୁ ଗତିଶୀଳତା ପ୍ରଦାନ କରିବ I ଦ୍ୱିତୀୟଟି ହେଲା ଅବତରକ ମଡ୍ୟୁଲ ଯାହା ଚନ୍ଦ୍ରପୄଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରମାଟିକୂ ଛୁଇଁବ I ତୄତୀୟଟି ହେଲା ରୋଭର୍ ମଡ୍ୟୁଲ ଯାହା ଏକ ଚକଲଗା ଗାଡି ସଦୄଶ ଚନ୍ଦ୍ରପୃଷ୍ଠରେ ଗଡିଗଡି ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ I ଚନ୍ଦ୍ରଯାନ-2 ଅଭିଯାନରେ ଥିବା ଅର୍ବିଟର ମଡ୍ୟୁଲକୁ ଚଳିତ ଚନ୍ଦ୍ରଯାନ-3 ଅଭିଯାନରେ ସ୍ଥାନିତ କରାଯାଇ ନାହିଁ I ଯେହେତୁ ଚନ୍ଦ୍ରଯାନ-2 ଅଭିଯାନର ଅର୍ବିଟର୍ ମଡ୍ୟୁ୍ଲ୍ ଟି ଏବେବି ଚନ୍ଦ୍ରକକ୍ଷରେ ସକ୍ରିୟ ଅଛି , ଚନ୍ଦ୍ରଯାନ-3 ପୂର୍ବର ଏହି ବ୍ୟବସ୍ଥାକୁ ବ୍ୟବହାର କରି ଭୂପୄଷ୍ଠ ସହିତ ଯୋଗାଯୋଗ ଭଳି ନିଜର ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରି ପାରିବ I ସୁତରାଂ ଚନ୍ଦ୍ରଯାନ-3 ଅଭିଯାନରେ ଜାଣିଶୁଣି ଅର୍ବିଟର୍ ମଡ୍ୟୁଲ୍ କୁ ସ୍ଥାନିତ କରାଯାଇ ନାହିଁ I
ଚନ୍ଦ୍ରଯାନ-3 ଅଭିଯାନର ପ୍ରମୂଖ ଲକ୍ଷ୍ୟ ହେବ ଚନ୍ଦ୍ରପୄଷ୍ଠରେ ନିରାପଦ ଭାବେ 'ଧୀର ଅବତରଣ' କରିବା I ଏହା ବାସ୍ତବପକ୍ଷରେ ଅତ୍ୟନ୍ତ କଠିନ ବ୍ୟାପାର ଏବଂ ଏଥି ନିମନ୍ତେ ଅତି ଜଟିଳ ପ୍ରଯୁକ୍ତି ବିଦ୍ୟା ଓ ଉଚ୍ଚକୋଟୀର ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ I ଅବତରକ ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ଦ୍ରୁତଗତିରେ ଚନ୍ଦ୍ରପୄଷ୍ଠ ଆଡକୁ ଛୁଟି ଯାଉଥିଲାବେଳେ ତୁରନ୍ତ ଏହାର ପ୍ରଚଣ୍ଡ ବେଗକୁ ଯଥେଷ୍ଟ ମାତ୍ରାରେ ହ୍ରାସକରି ଚନ୍ଦ୍ରମାଟିରେ ସୁରକ୍ଷିତ ଧୀର ଅବତରଣ କରାଇବାକୁ ପଡେ I ନହେଲେ ଯାନଟି ଦୄତଗତିରେ ଯାଇ ଚନ୍ଦ୍ରପୄଷ୍ଠରେ ପିଟି ହୋଇ ନଷ୍ଟ ହୋଇଯାଏ I ମାତ୍ର ଏ କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ହେଉଛି, ଚନ୍ଦ୍ରର ପୄଥିବୀ ଭଳି ବାୟୁମଣ୍ଡଳ ନଥିବାରୁ ଏଠାରେ ଯାନର ଦୁରନ୍ତ ଅଗ୍ରଗାମୀ ଗତିକୁ ପ୍ରତିହତ କରିବା ପାଇଁ ପାରମ୍ପାରିକ ଆକାଶଛତା ବା ପାରାସ୍ୟୁଟ୍ ବ୍ୟବସ୍ଥା କାର୍ଯ୍ୟକରେ ନାହିଁ I ତେଣୁ ଯାନର ବେଗକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଯାନ ସହିତ କିଛି 'ରେଟ୍ରୋ ରକେଟ୍' ଖଞ୍ଜା ଯାଇଥାଏ ଯାହାର ଇଞ୍ଜିନକୁ ଯାନର ଅଗ୍ରଗାମୀ ଗତିର ବିପରୀତ ଦିଗରେ କ୍ରମାନ୍ୱୟରେ ଚାଳନା କରି ଯାନର ବେଗକୂ ଏକ ସୁରକ୍ଷିତ ଅବତରଣ ନିମନ୍ତେ ମନ୍ଦିତ କରାଯାଏ I ଏହା ବାସ୍ତବରେ ଅତ୍ୟନ୍ତ କଠିନ ଓ ଜଟିଳ କାର୍ଯ୍ୟପଦ୍ଧତି I ସଠିକ ସମୟରେ ସଠିକ ଇଂଜିନ୍ କୁ କାର୍ଯ୍ୟକ୍ଷମ କରି ଯାନର ବେଗକୁ ନିୟନ୍ତ୍ରିତ କରିପାରିଲେ ଯାଇ ଏହି ଦୁର୍ବାର ଲକ୍ଷ୍ୟ ହାସଲ କରାଯାଇ ଯାନକୁ ଚନ୍ଦ୍ରମାଟିରେ ଧୀର ଅବତରଣ କରାଯାଇ ପାରିବ; ନଚେତ ଯାନଟି ଚନ୍ଦ୍ର ପୄଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ I ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ହିଁ ବିଶ୍ୱର ମାତ୍ର ତିନୋଟି ରାଷ୍ଟ୍ର ଏପର୍ଯ୍ୟନ୍ତ ଚନ୍ଦ୍ରପୄଷ୍ଠରେ ନିଜ ଯାନକୁ ସଫଳତାର ସହ ନିରାପଦ ରୂପେ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି I ଏହି ପ୍ରଯୁକ୍ତିଗତ ବିଫଳତା ପାଇଁ ହିଁ ପୂର୍ବର ଚନ୍ଦ୍ରଯାନ -2 ଅଭିଯାନ ବିଫଳ ହୋଇଗଲା I
ଚନ୍ଦ୍ରଯ୍ଯାନ-3 ଅଭିଯାନର ପ୍ରକଳ୍ପ ଖର୍ଚ୍ଚ ହେବ ସମୁଦାୟ 615 କୋଟି ଟଙ୍କା I ଚନ୍ଦ୍ରଯାନ-3 ଅଭିଯାନ ଜରିଆରେ ଆମ ଦେଶ ଚନ୍ଦ୍ରମାଟିକୁ ଛୁଇଁବାର ସଫଳତା ହାସଲ କରି ପାରିଲେ ଯେ ଏହା ସମଗ୍ର ଦେଶ ତଥା ଆମ ବୈଜ୍ଞାନିକମାନଙ୍କ ପାଇଁ ଏକ ବିରାଟ ଉପଲବ୍ଧି ହେବ ଏଥିରେ ସନ୍ଦେହ ନାହିଁ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
The Dharitri dtd 19.06 23
Comments
Post a Comment