ପ୍ଲାଷ୍ଟିକ ବଳୟରେ ବିଶ୍ୱ
ପ୍ଲାଷ୍ଟିକ ବଳୟରେ ବିଶ୍ୱ
ନିକୁଞ୍ଜ ବିହାରୀ ସାହୁ
ପ୍ଲାଷ୍ଟିକ ଏବେ ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି I ଆମର ଚଳିତ ସଭ୍ୟତାର ଅଭଭୂତପୂର୍ବ ପ୍ରଗତି ଓ ବିକାଶ ପଛରେ ଯେ ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି ଏଥିରେ ଦ୍ବିମତ ନାହିଁ I ଆମେ ପ୍ରତି ଦିନ ସକାଳୁ ଉଠିଲେ ଦାନ୍ତଘଷା ବ୍ରସ ଠାରୁ ଆରମ୍ଭ କରି, ଗାଧୋଇବା ପାଇଁ ବାଲଟି, ମଗ ତଥା ବଜାର ସଉଦା ନିମନ୍ତେ ବ୍ୟାଗ,ପାଣି ତଥା ଔଷଧ ବୋତଲ ପର୍ଯ୍ୟନ୍ତ ବିଭିନ୍ନ ପ୍ଲାଷ୍ଟିକ ତିଆରି ସାମଗ୍ରୀ ବ୍ୟବହାର କରିଥାଉ I
ପ୍ଲାଷ୍ଟିକ ମୂଖ୍ୟତଃ କୋଇଲା, ପେଟ୍ରୋଲିୟମ ଇତ୍ୟାଦି କିଛି ଜୀବାଶ୍ମ ଇନ୍ଧନ କଞ୍ଚାମାଲରୁ ପ୍ରସ୍ତୁତ ଏକ କୃତ୍ରିମ ସଂଶ୍ଳେଷିତ ପଦାର୍ଥ I ଏହାର ଅଭୂତପୂର୍ବ ଧର୍ମ ହେତୁ ଏହାକୁ ତରଳ ଅବସ୍ଥାରେ ଛାଞ୍ଚରେ ଢ଼ଳେଇ ସହଜରେ ଯେକୌଣସି ରୂପରେଖ ଓ ଆକାର ପ୍ରଦାନ କରା ଯାଇପାରେ I ପ୍ଲାଷ୍ଟିକ ତିଆରି ସାମଗ୍ରୀ ଗୁଣରେ ହାଲୁକା, ଶସ୍ତା ଓ ମଜବୁତ ହୋଇଥିବାରୁ ସମାଜରେ ଏହାର ଆଦର ଓ ଚାହିଦା ବୃଦ୍ଧି ପାଇଛି I
ପ୍ଲାଷ୍ଟିକ ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ଅଣୁର ବହୁମାତ୍ରାରେ ପୁନରାବୃତ୍ତିଶୀଳ ଦୀର୍ଘ ଶୃଙ୍ଖଳ ବିଶିଷ୍ଟ ଏକ ରାସାୟନିକ ପଲିମର ( Polymer) I ବିଶ୍ବର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ ପ୍ଲାଷ୍ଟିକ 1907 ମସିହାରେ ବେଲଜିୟମ ଦେଶର ଲିଓ ବେକେଲାଣ୍ଡ ନାମକ ଜଣେ ବୈଜ୍ଞାନିକ ପ୍ରସ୍ତୁତ କରି ପ୍ୟାଟେଣ୍ଟ ହାସଲ କରିଥିଲେ I
ବିଶ୍ୱ ପ୍ଲାଷ୍ଟିକ ଉତ୍ପାଦନ
ବିଗତ 1950 ଦଶକରୁ 2018 ମସିହା ମଧ୍ୟରେ ବିଶ୍ୱରେ ସମୁଦାୟ 630 କୋଟି ଟନ୍ ପ୍ଲାଷ୍ଟିକ ପ୍ରସ୍ତୁତ ହୋଇ ସାରିଛି I 2019 ମସିହା ସୁଦ୍ଧା ବିଶ୍ୱରେ ପ୍ରତି ବର୍ଷ 36.5 କୋଟି ଟନ୍ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି I ଏଥି ମଧ୍ୟରୁ ସର୍ବାଧିକ 51% ଭାଗ ଏସିଆ ମହାଦେଶରେ ଉତ୍ପାଦିତ ହେଉଛି I ଚାଇନା ହେଉଛି ବିଶ୍ୱର ସର୍ବାଧିକ ପ୍ଲାଷ୍ଟିକ ଉତ୍ପାଦନକାରୀ ରାଷ୍ଟ୍ର I ଦିନକୁଦିନ ପ୍ଲାଷ୍ଟିକର ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ 2050 ମସିହା ସୁଦ୍ଦା ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ପରିମାଣ ପ୍ରତି ବର୍ଷ 110 କୋଟି ଟନ୍ ଅଙ୍କକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା ପ୍ରକାଶ କରାଯାଏ I
ପ୍ଲାଷ୍ଟିକର ଅନେକ ଉପକାରୀ ଧର୍ମ ସତ୍ତ୍ୱେ ଏହାର ଏକ ବଡ଼ ପ୍ରତିକୂଳ ପ୍ରଭାବ ହେଉଛି ଏହା ଜୈବ ବିଘଟନଶୀଳ ନୁହେଁ ; ଅର୍ଥାତ ପରିବେଶରେ ଏହାର ଜୀବନକାଳ ଅତିଶୟ ଦୀର୍ଘ ହୋଇଥିବାରୁ ଏହା ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ I ସୁତରାଂ ପ୍ଲାଷ୍ଟିକ ଆବର୍ଜନାକୁ ସୁଚାରୁ ପରିଚାଳନା କରି ନିରାପଦ ଉପାୟରେ ପ୍ରକୄତିରେ ବିସର୍ଜନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏବେ ଏକ ବିରାଟ ଆହ୍ୱାନ ପାଲଟି ଯାଇଛି I
ସମୁଦାୟ ବିଶ୍ୱ ପ୍ଲାଷ୍ଟିକ ଉତ୍ପାଦନର ମାତ୍ର 9% ଭାଗ ପୁନଃଚକ୍ରିକରଣ (Recycling) ହେଉଥିଲାବେଳେ କେବଳ 12% ଭାଗକୁ ଭସ୍ମିକରଣ (Incineration) ପ୍ରକ୍ରିୟା ଜରିଆରେ ପୋଡି ନଷ୍ଟ କରି ଦିଆଯାଏ I ସୁତରାଂ ପ୍ରାୟ 79% ଭାଗ ପ୍ଲାଷ୍ଟିକ ବିଘଟିତ ନହୋଇ ଆମ ଜୈବମଣ୍ଡଳରେ ଜମା ହୋଇ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି କରେ ଯାହା ଏବେକାର ଏକ ବଡ ପରିବେଶୀୟ ସଙ୍କଟ ରୂପେ ମୁଣ୍ଡ ଟେକିଛି I
ବିଶ୍ୱର ବିକଶିତ ରାଷ୍ଟ୍ରଗୁଡିକରେ ସମୁଦାୟ ଉତ୍ପାଦନର ପ୍ରାୟ 50% ଭାଗ ପ୍ଲାଷ୍ଟିକ ପ୍ୟାକେଜିଙ୍ଗ କ୍ଷେତ୍ରରେ ବ୍ୟବହୃତ ହୁଏ I ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ହେଲା, ଏବେକାର ବ୍ୟସ୍ତବହୁଳ ଜୀବନଶୈଳୀରେ ମାତ୍ର ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ( Single Use Plastic) ର ବହୁଳ ପ୍ରସାର I ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକରେ ନିର୍ମିତ ଡିସ୍ପୋଜେବୁଲ ଥାଳି, ଗିଲାସ, ଚାମଚ ଓ କପ୍ ଇତ୍ୟାଦି ସାମଗ୍ରୀକୁ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ ଯାହା ଗୁରୁତର ପରିବେଶୀୟ ସମସ୍ୟା ସୃଷ୍ଟି କରିଥାଏ I
ଜଳ ପ୍ରଦୂଷଣ
ପ୍ଲାଷ୍ଟିକ ପ୍ରଦୂଷଣର ପ୍ରମୁଖ ଶିକାର ହେଉଛି ପୃଥିବୀର ସମୁଦ୍ର ଓ ମହାସମୁଦ୍ର I ଏକ ହିସାବରୁ ଜଣାଯାଏ ଯେ, ପ୍ରତି ବର୍ଷ ପ୍ରାୟ 88 ଲକ୍ଷ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ର ତଟବର୍ତ୍ତୀ ଅଧିବାସୀଙ୍କ ବ୍ୟବହାର ଯୋଗୁଁ ସମୁଦ୍ରରେ ଆବର୍ଜନା ରୂପେ ମିଶିଥାଏ I ଅର୍ଥାତ, ସମୁଦ୍ରରେ ପ୍ରତି ମିନିଟରେ ପ୍ରାୟ 1 ଟନ୍ ପ୍ଲାଷ୍ଟିକ ଆବର୍ଜନା ମିଶୁଛି ଯାହା ଏକ ଟ୍ରକ ଭର୍ତ୍ତି ଆବର୍ଜନା ସଙ୍ଗେ ସମାନ I 2013 ମସିହା ସୁଦ୍ଧା ପୃଥିବୀର ସମୁଦ୍ରରେ ପ୍ରାୟ 860 ଲକ୍ଷ ଟନ୍ ପ୍ଲାଷ୍ଟିକ ଆବର୍ଜନା ମିଶିଛି I ଏହି ପ୍ଲାଷ୍ଟିକ ଆବର୍ଜନା ସମୟକ୍ରମେ ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ ଯାହାକୁ 'ମାଇକ୍ରୋପ୍ଲାଷ୍ଟିକ' କହନ୍ତି I ଏହା ଘଟଣାକ୍ରମେ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବିଭିନ୍ନ ଜଳଚର ଜୀବ ଯଥା ମାଛ, କଇଁଛ,ଡଲଫିନ୍, ତିମି, ସାମୁଦ୍ରିକ ପକ୍ଷୀଙ୍କ ଶରୀରକୁ ସଂଚାରିତ ହୁଏ I ଏହା ସେମାନଙ୍କ ପାକସ୍ଥଳୀରେ ଭରିଯିବା ହେତୁ ସେମାନଙ୍କ ଖାଦ୍ୟ ଗ୍ରହଣ କ୍ଷମତା ଗୁରୁତର ହ୍ରାସ ପାଇ ପରିଶେଷରେ ସମାନଙ୍କ ମୃତ୍ୟୁ ଘଟେ I ପ୍ଲାଷ୍ଟିକ ଜାତ କିଛି ପଦାର୍ଥ (ଯଥା ମାଛ ଧରିବା ପାଇଁ ସମୁଦ୍ରରେ ବିଛା ଯାଉଥିବା ଜାଲ) ସାମୁଦ୍ରିକ ଜୀବଙ୍କ ଶରୀରରେ ଗୁଡ଼ାଇ ହୋଇଯିବା ଦ୍ୱାରା ସେମାନଙ୍କ ଚଳପ୍ରଚଳ କ୍ଷମତା ଓ ଗତିଶୀଳତା ଯଥେଷ୍ଟ ହ୍ରାସ ପାଇ ପରିଶେଷରେ ସେମାନେ ଶିକାରୀ ଜୀବ ଦ୍ୱାରା ଶିକାର ହୋଇଥାନ୍ତି I ଏକ ହିସାବରୁ ଜଣାଯାଏ ଯେ, ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ପ୍ରାୟ 1 ଲକ୍ଷ ସାମୁଦ୍ରିକ ପକ୍ଷୀଙ୍କ ମୃତ୍ୟୁ ଘଟୁଛି I ଅନ୍ୟ ଏକ ଆକଳନରୁ ଜଣାଯାଏ ଯେ, ଏହି ଧାରା ଅବ୍ୟାହତ ରହିଲେ ଆଗାମୀ 2050 ମସିହା ବେଳକୁ ସମୁଦ୍ରରେ ବିସର୍ଜିତ ମୋଟ ପ୍ଲାଷ୍ଟିକର ଓଜନ ସମୁଦାୟ ମାଛଙ୍କ ଓଜନକୁ ମଧ୍ୟ ଟପିଯିବ !
ମୃତ୍ତିକା ପ୍ରଦୂଷଣ
ପ୍ଲାଷ୍ଟିକ ପ୍ରଦୁଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି I ପ୍ଲାଷ୍ଟିକ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି I ଏହା ସେମାନଙ୍କ ଅନ୍ତନାଳୀରେ ପ୍ରବେଶ କରି ଖାଦ୍ୟପଥକୁ ବନ୍ଦ କରିଦିଏ I ଏହା ମଧ୍ୟ ସମୟକ୍ରମେ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଜରିଆରେ ପ୍ରାଣୀର ଜୀବକୋଷରେ ପ୍ରବେଶ କରେ I ଏହା ଦ୍ୱାରା କର୍କଟ ରୋଗ ସୃଷ୍ଟି ହେବା ସାଙ୍ଗକୁ ହର୍ମୋନ୍ କ୍ଷରଣରେ ଅନିୟମିତତା ଉତ୍ପନ୍ନ ହୁଏ ଯାହା ସମୟକ୍ରମେ ପ୍ରାଣୀର ପ୍ରଜନନ କ୍ଷମତା, ବୄଦ୍ଧି ହାର ଓ ମାନସିକ ଅବଧାରଣା ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ I
ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ 1 ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଜଣାଯାଏ I ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡିବା ଯୋଗୁଁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟିବା ସାଙ୍ଗକୁ ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି I ପ୍ଲାଷ୍ଟିକ ଆବର୍ଜନା ସୋରେଜ ନାଳୀରେ ପ୍ରବେଶ କରି ମଇଳା ଜଳର ପ୍ରବାହକୁ ବାଧାପ୍ରାପ୍ତ କରିଥାଏ ଯାହାକୁ ସଫା କରିବା ପାଇଁ କୌଣସି ପୌରସଂସ୍ଥାକୂ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ I
ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ
ଅଶୋଧିତ ପେଟ୍ରୋଲିୟମ୍ ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ଘଟେ I ପୁଣି, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମିକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ I ଗତ 2019 ମସିହାରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମିକରଣ ପ୍ରକ୍ରିୟା ଯୋଗୁଁ ବାୟୁମଣ୍ଡଳକୁ ସମୁଦାୟ 850 ମିଲିୟନ ଟନ୍ ସବୁଜଘର ଗ୍ୟାସ ଉତ୍ସର୍ଜିତ ହୋଇଛି I ଆଗାମୀ 2050 ମସିହା ବେଳକୁ ଏହା ଆଶାତୀତ ବୃଦ୍ଧି ପାଇ କେବଳ ପ୍ଲାଷ୍ଟିକ ଯୋଗୁଁ ଉତ୍ସର୍ଜିତ ସବୁଜଘର ଗ୍ୟାସର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର 14% ମାତ୍ରାରେ ପହଂଚିବ ବୋଲି ଆଶଙ୍କା ପ୍ରକାଶ କରାଯାଏ I ଏହା ଉଦବେଗଜନକ ନୁହେଁ କି? ଏହି ବିପୁଳ ସବୁଜଘର ଗ୍ୟାସ୍ ଯେ ଭବିଷ୍ୟତରେ ବିଶ୍ୱତାପନ (Global warming) ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ଘୋର ତ୍ୱରାନ୍ୱିତ କରିବ ଏଥିରେ ସନ୍ଦେହ ନାହିଁ I
ପ୍ରତିକାର
ଆମକୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ପଡିବ I ଆମକୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ୍ ପରିବର୍ତ୍ତେ କପଡା ତିଆରି ଥଳୀ କିମ୍ବା ଝୋଲା ବ୍ୟବହାର କରିବାକୁ ହେବ I ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ହ୍ରାସ ପାଇଲେ ଯାଇ ଏହାର ଉତ୍ପାଦନ ପରିମାଣ କମିବ I ବୈଜ୍ଞାନିକମାନଙ୍କୁ ଅଣବିଘଟନଶୀଳ ପ୍ଲାଷ୍ଟିକ ପରିବର୍ତ୍ତେ ଜୈବବିଘଟନଶୀଳ ଓ ମାଟିରେ ସହଜରେ ମିଶି ପାରୁଥିବା ନୂତନ ପ୍ଲାଷ୍ଟିକ ବିକଶିତ କରିବାକୁ ହେବ I ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ଫିଙ୍ଗି ନଦେଇ ସେଥିରୁ ପୁନଚକ୍ରୀକରଣ ପଦ୍ଧତି ମାଧ୍ୟମରେ ନୂତନ ପ୍ଲାଷ୍ଟିକ ଉପକରଣ ନିର୍ମାଣ କରିବାକୁ ପଡିବ I କିଛି ଅଦରକାରୀ ପ୍ଲାଷ୍ଟିକ ପଦାର୍ଥକୁ ମଧ୍ୟ ଦରକାରୀ ସାମଗ୍ରୀ ପ୍ରସ୍ତୁତି ପାଇଁ ପୁନଃବ୍ୟବହାର କରାଯାଇ ପାରିବ I ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ପଦାର୍ଥ (Single Use Plastic) କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ I ସୁତରାଂ ଆଗାମୀ ଦିନରେ ଆମର ବିଶ୍ୱକୁ ପ୍ଲାଷ୍ଟିକର ବିଷାକ୍ତ ବଳୟର ପ୍ରଭାବରୁ ରକ୍ଷାକରି ଏକ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବାକୁ ହେଲେ ବ୍ୟବହାର ହ୍ରାସ (Reduce), ପୁନଃଚକ୍ରୀକରଣ ( Recycle) ଓ ପୁନଃବ୍ୟବହାର ( Reuse) ଆମର ମନ୍ତ୍ର ହେବା ଉଚିତ I
ପ୍ଲାଷ୍ଟିକର ବ୍ୟବହାର ଓ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏ ବର୍ଷର ବିଶ୍ୱ ପରିବେଶ ଦିବସ ପାଳନର ଶୀର୍ଷକ 'ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ନିରାକରଣ' ରଖା ଯାଇଛି I
1. To read the same article published in The Dharitri dated 05.06.23 , please click the following link : https://dharitriepaper.in/m/410059/647d0ceb26a66
2. To read the same article published in The Samaja dtd. 13.07.23 , please click the following link :
https://tinyurl.com/Plastic-Pradushana
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8018708858
Comments
Post a Comment