ପୄଥିବୀର ମୄତ୍ୟୁ
ପୄଥିବୀର ମୄତ୍ୟୁ
ନିକୁଂଜ ବିହାରୀ ସାହୁ
ଯାହାର ଜନ୍ମ ଅଛି, ତା'ର ମଧ୍ୟ ଦିନେ ମୄତ୍ୟୁ ଅଛି I ଆମର ଗ୍ରହ ପୄଥିବୀ ଅତୀତରେ 450 କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା I ବିଶ୍ୱାସ କରାଯାଏ ଯେ, ଆହୁରି 450 କୋଟି ବର୍ଷ ପରେ ଏହାର ମୄତ୍ୟୁ ହେବ I ଆଉ ପୃଥିବୀର ଏହି ମୄତ୍ୟୁର କାରଣ ହେବ ତା'ର ଜନ୍ମଦାତା ତଥା ଆମ ସୌରଜଗତର ମୂଖିଆ ନିଜେ ସୂର୍ଯ୍ୟ I ସୂର୍ଯ୍ୟ ପ୍ରକୄତରେ ଏକ ନକ୍ଷତ୍ର ଯାହା ଆଗାମୀ ଦିନରେ ପୄଥିବୀକୁ ଗିଳି ଦେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି I
ନିଜ ଗ୍ରହକୁ ଗିଳି ଦେଲା ତାରା
ଗତ 2020 ମସିହା ମଈ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ( ଏମ. ଆଇ. ଟି.) ର ବୈଜ୍ଞାନିକମାନେ ମହାକାଶରେ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ I ଗରୁଡ଼ ନକ୍ଷତ୍ରମଣ୍ଡଳ (Aquilla) ରେ ଆମଠାରୁ 1200 ଆଲୋକବର୍ଷ ଦୂରତାରେ ଥିବା ଥିବା ଗୋଟିଏ ତାରା (ନାମ: ZTF SLRN-2020) ହଠାତ ଅସମ୍ଭବ ତେଜୋଦୀପ୍ତ ହୋଇ ଉଠି ଆକାରରେ ଫୁଲିବାକୁ ଲାଗିଲା I ମାତ୍ର 10 ଦିନର ବ୍ୟବଧାନରେ ଏହା ଉଜ୍ବଳତାରେ ପ୍ରାୟ 100 ଗୁଣ ବୃଦ୍ଧି ପାଇ ପ୍ରସାରିତ ହେବାକୁ ଲାଗିଲା I ଏହା ଘଟଣାକ୍ରମେ ନିଜର ବୃହସ୍ପତି ଭଳି ଆକାରର ଗୋଟିଏ ଗ୍ୟାସୀୟ ଗ୍ରହର କକ୍ଷପଥ ଅତିକ୍ରମ କରି ଏକ ଭୟାନକ ଦାନବ ସଦୄଶ ଗ୍ରହଟିକୁ ସମ୍ପୂର୍ଣ୍ଣ ଗିଳି ଦେଲା ଏବଂ ଗ୍ରହଟି ତାରାର ବିଶାଳ ବପୁ ମଧ୍ୟରେ ଅନ୍ତର୍ହିତ ହୋଇଗଲା I ଏହିପରି ଭାବରେ ମହାକାଶରେ ଏକ ଗ୍ରହର ଅପମୄତ୍ୟୁ ଘଟିଲା I ସମୟକ୍ରମେ, ତାରାଟି ଉଜ୍ଜ୍ୱଳତାରେ ହ୍ରାସ ପାଇ ପୁଣି ପୂର୍ବାବସ୍ଥାକୁ ଫେରି ଆସିଲା I
ବୈଜ୍ଞାନିକମାନେ ପ୍ରଥମେ ଏହି ଘଟଣାକୁ ଦୁଇଟି ନକ୍ଷତ୍ରର ସଂଘର୍ଷ ବୋଲି ଧରି ନେଇଥିଲେ I ମାତ୍ର ପରବର୍ତ୍ତୀ ପରୀକ୍ଷାରୁ ଜଣା ପଡିଲା ଯେ, ଦୁଇଟି ନକ୍ଷତ୍ରର ସଂଘର୍ଷରୁ ଯେତିକି ଶକ୍ତି ଉତ୍ପନ୍ନ ହେବା କଥା, ଏଥିରେ ତା'ଠାରୁ ଯଥେଷ୍ଟ କମ୍ ଶକ୍ତି ଉତ୍ସର୍ଜିତ ହେଉଛି I ପରବର୍ତ୍ତୀ ସମୟରେ, ବୈଜ୍ଞାନିକମାନେ ଏହାକୁ ଇନଫ୍ରାରେଡ୍ ତରଙ୍ଗଦୈର୍ଘ୍ୟରେ ପର୍ଯ୍ୟବେକ୍ଷଣ କରିବାରୁ ଏହି ସ୍ଥାନରେ ଏକ ବିଶାଳକାୟ ଧୂଳିର ପିଣ୍ଡ ଦେଖିବାକୁ ମିଳିଥିଲା I ସୁତରାଂ ଏହା ଯେ ଏକ ମୄତ ତାରାପିଣ୍ଡର ଅବଶେଷ, ତାହା ସ୍ପଷ୍ଟ ହୋଇ ଯାଇଥିଲା I ବୈଜ୍ଞାନିକମାନଙ୍କୁ ଏହି ପ୍ରକ୍ରିୟାକୁ ବିଶ୍ଳେଷଣ କରି ଉପରୋକ୍ତ ସିଦ୍ଧାନ୍ତରେ ପହଂଚିବା ପାଇଁ ତିନି ବର୍ଷ ସମୟ ଲାଗି ଯାଇଥିଲା I
ବୈଜ୍ଞାନିକମାନେ ପୂର୍ବରୁ କୌଣସି ବୟସ୍କ ଗ୍ରହ ନିଜର ପରିଣତ ବୟସରେ ଅଚାନକ ପ୍ରସାରିତ ହୋଇ ନିଜ ଗ୍ରହମାନଙ୍କୁ ଭକ୍ଷଣ କରିବା କଥା କେବଳ ପଢିଥିଲେ, ମାତ୍ର ଏହାକୁ ସ୍ୱଚକ୍ଷୁରେ କେବେ ଦେଖି ନଥିଲେ I ଏମ. ଆଇ. ଟି. ର ଜଣେ ଗବେଷକ କିଶଳୟ ଦେ କହନ୍ତି ଯେ, 'ଆମ ସୂର୍ଯ୍ୟ ମଧ୍ୟ ଦିନେ ପୃଥିବୀକୁ ଗ୍ରାସ କରିବ ବୋଲି ଆମେ ଜାଣିଛେ I ମାତ୍ର ଏହା ସତ କି ମିଛ ପରୀକ୍ଷା କରିବା ପାଇଁ ଆମ ପାଖରେ କୌଣସି ଉପାୟ ନଥିଲା I ଆମେ ଏବେ ପ୍ରତ୍ୟକ୍ଷ ଭାବେ ଏହାର ଏକ ନମୁନା ସିଧାସଳଖ ଅନ୍ତରୀକ୍ଷରେ ଦେଖିବାକୁ ପାଇଲେ !'
ନକ୍ଷତ୍ରର ମୃତ୍ୟୁ
କୌଣସି ନକ୍ଷତ୍ର ମୁଖ୍ୟତଃ ହାଇଡ୍ରୋଜେନ ଗ୍ୟାସରେ ଗଢ଼ା I ନକ୍ଷତ୍ରର ଅଭ୍ୟନ୍ତର ଏକ ବୃହତ ପରମାଣୁ ରିଆକ୍ଟର ସଦୃଶ I ଏଠାରେ ହାଇଡ୍ରୋଜେନର ନିଉକ୍ଲିୟସ୍ ସବୁ ଏକ ତାପ-ନାଭିକୀୟ ସଂଯୋଜନ ( Thermonuclear Fusion) ପ୍ରତିକ୍ରିୟା ଦ୍ୱାରା ପରସ୍ପର ସହିତ ସଂଯୋଜିତ ହୋଇ ହିଲିୟମ୍ ନିଉକ୍ଲିୟସରେ ରୂପାନ୍ତରିତ ହୁଅନ୍ତି I ଏହି ପ୍ରକ୍ରିୟାରେ କିଛି ବସ୍ତୁତ୍ୱର ବିଲୋପନ ଘଟିଥାଏ I ଏହା ଶକ୍ତିରେ ପରିଣତ ହେବାଦ୍ୱାରା ନକ୍ଷତ୍ରଟିର ବିପୁଳ ଶକ୍ତିଉତ୍ସ ସୄଷ୍ଟି ହୁଏ ଯାହା ତାପ ଓ ଆଲୋକ ରୂପରେ ବିକିରିତ ହୁଏ I ନକ୍ଷତ୍ରଟି ନିଜର ଜୀବିତ ଅବସ୍ଥାରେ ଆକାଶରେ ଏହିପରି ଆଲୋକ ଓ ଉତ୍ତାପ ବିକିରଣ କରି ଚାଲେ I
ମାତ୍ର ଦିନେ ନକ୍ଷତ୍ରର ଜୀବନରେ ନଇଁ ଆସେ ବୟସର ସନ୍ଧ୍ୟା I ନକ୍ଷତ୍ରର ସୀମିତ ହାଇଡ୍ରୋଜେନ ଇନ୍ଧନର ଉତ୍ସ ସରି ଆସେ ଏବଂ ଅଭ୍ୟନ୍ତରରେ ସଂଚାଳିତ ପ୍ରକ୍ରିୟାବଳି ସ୍ତିମିତ ହୋଇଯାଏ I ଏପରି ଅବସ୍ଥାରେ, ଅଭ୍ୟନ୍ତରରେ ଘଟୁଥିବା ଏହି ପ୍ରକ୍ରିୟା ନକ୍ଷତ୍ରର ଅନ୍ୟ ସମସ୍ତ ଅଂଶକୁ ସଂପ୍ରସାରିତ ହୁଏ ଏବଂ ନକ୍ଷତ୍ରଟିର ଅବଶିଷ୍ଟ ଅଂଶରେ ଥିବା ହାଇଡ୍ରୋଜେନ୍ ନିୟୁକ୍ଲିୟସସବୁ ମଧ୍ୟ ହିଲିୟମ୍ ରେ ପରିଣତ ହେବା ଆରମ୍ଭ କରନ୍ତି I ଫଳରେ ଉପରୋକ୍ତ ତାପ-ନାଭିକୀୟ ସଂଯୋଜନ ପ୍ରକ୍ରିୟା ବହୁଗୁଣିତ ହୋଇ ନକ୍ଷତ୍ରଟି ପ୍ରଚଣ୍ଡ ଶକ୍ତି ଉତ୍ସର୍ଜନ କରିବାକୁ ଲାଗେ I ଏହି ପ୍ରଚଣ୍ଡ ଶକ୍ତି ବଳରେ ନକ୍ଷତ୍ରଟି ନିଜର ମାଧ୍ୟାକର୍ଷଣ ସଂକୋଚନ ସୀମା ଅତିକ୍ରମ କରି ଆକାରରେ ଯଥେଷ୍ଟ ଫୁଲି ଉଠେ I ଏହି ଅବସ୍ଥାରେ ନକ୍ଷତ୍ରରୁ ଉତ୍ସର୍ଜିତ ଆଲୋକ ନକ୍ଷତ୍ରର ଅଧିକ ପୄଷ୍ଠତଳ ଉପରେ ବିସ୍ତାରିତ ହେଉଥିବାରୁ ଏହା ରଙ୍ଗରେ ଲାଲ ଦେଖାଯାଏ I ନକ୍ଷତ୍ରର ଏହି ବିଶାଳ ଲାଲ ବର୍ଣ୍ଣର ରୂପକୁ ଲୋହିତ ଦାନବ (Red Giant) କହନ୍ତି I ଏହି ଅବସ୍ଥାରେ ନକ୍ଷତ୍ରଟି ଏତେ ପ୍ରସାରିତ ହୁଏ ଯେ, ଏହା କିଛି ଗ୍ରହଙ୍କ କକ୍ଷପଥକୁ ଲାଗି ଆସି ଗ୍ରହମାନଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବାର ସମ୍ଭାବନା ସୄଷ୍ଟି ହୁଏ I
ସୂର୍ଯ୍ୟ ପୄଥିବୀକୁ ଗ୍ରାସ କରିବ
ଆମର ତାରା ସୂର୍ଯ୍ୟ 450 କୋଟି ବର୍ଷ ପୂର୍ବେ ସୄଷ୍ଟି ହୋଇଥିଲା I ସୂର୍ଯ୍ୟର ଆୟୁଷ ପ୍ରାୟ ଅଧାଅଧି ସରି ଗଲାଣି I ଏହା ଏବେ ନିଜର ଯୁବାବସ୍ଥାରେ ଅଛି ଏବଂ ଆନ୍ତରୀକ୍ଷରେ ପ୍ରଚୁର ଆଲୋକ ଓ ଉତ୍ତାପ ବିକିରଣ କରି ଚାଲିଛି I ଗଣନାରୁ ଜଣାଯାଏ ଯେ, ଏହା ଆଉ ପ୍ରାୟ 450 କୋଟି ବର୍ଷ ପରେ 'ଲୋହିତ ଦାନବ' ଅବସ୍ଥାରେ ପହଞ୍ଚିବ ଏବଂ ନିଜେ ସୄଷ୍ଟି କରିଥିବା ଗ୍ରହମାନଙ୍କୁ ଗ୍ରାସ କରିବ I ଜଣାଯାଏ ଯେ, ସୂର୍ଯ୍ୟ ଏହି ଅବସ୍ଥାରେ ନିକଟତମ ଗ୍ରହ ବୁଧ ଓ ଶୁକ୍ରଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରି ପୄଥିବୀର ଅତି ପାଖକୁ ଲାଗି ଆସିବ I ଏହି ଅବସ୍ଥାରେ ସୂର୍ଯ୍ୟର ପ୍ରଚଣ୍ଡ କିରଣରେ ପୄଥିବୀର ବାତାବରଣ ଅତିଶୟ ଉତ୍ତପ୍ତ ପାଲଟି ଯିବ I ଏହି ପ୍ରଚଣ୍ଡ ତାପମାତ୍ରାରେ ସମୁଦ୍ରର ସମସ୍ତ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ଭରିଯିବ I ଜଳୀୟବାଷ୍ପ ଏକ ଉତ୍ତମ ସବୁଜଘର ଗ୍ୟାସ୍ ହୋଇଥିବାରୁ ଏହା ପୃଥିବୀରୁ ବିକିରିତ ତାପରଶ୍ମିକୁ ଅବଶୋଷଣ କରିବା ହେତୁ ପୄଥିବୀର ତାପମାତ୍ରା ଆଶାତୀତ ବୃଦ୍ଧି ପାଇବ ଏବଂ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ I ଘଟଣାକ୍ରମେ, ସୂର୍ଯ୍ୟ ପୄଥିବୀର ଆହୁରି ପାଖକୁ ଲାଗି ଆସି ପୄଥିବୀକୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଏବଂ ଏହିପରି ଭାବରେ ପୃଥିବୀର ମୄତ୍ୟୁ ହେବ I
ସୁତରାଂ ଯେଉଁ ସୂର୍ଯ୍ୟ ଦିନେ ପୃଥିବୀକୁ ଜନ୍ମ ଦେଇଥିଲା, ସେ ଆଗାମୀ ଦିନରେ ହିଂସ୍ର ପାଲଟିଯାଇ ନିଜର ସନ୍ତାନ ପୃଥିବୀକୂ ଧ୍ବଂସ କରିବ I ମାତ୍ର ଆମେ ଏଥିରେ ବିବ୍ରତ ହେବା ଉଚିତ ନୁହେଁ ; କାରଣ ଏହା ଦୀର୍ଘ 450 କୋଟି ବର୍ଷ ପରେ ଘଟିବ ଯେତେବେଳେ ଆମେ କିମ୍ବା ଆମର ନିକଟ ବଂଶଧର କେହି ଜୀବିତ ନଥିବେ !ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ
କେନ୍ଦ୍ର
ଭୋପାଳ
Comments
Post a Comment