ପୂଜା ଓ ପ୍ରଦୂଷଣ PUJA O PRADUSHANA

 

 

ପୂଜା ଓ ପ୍ରଦୁଷଣ

ନିକୁଞ୍ଜ ବିହାରୀ ସାହୁ

     ଏବେ ପାର୍ବଣର ରୁତୁ ଆସି ଯାଇଛି I ସମୟ ବଦଳିବା ସହିତ ଏବ ପୁଜା ପଦ୍ଧତିରେ ଅନେକ ପରିବର୍ତ୍ତନ ଘଟିଛି I ଆକର୍ଷଣୀୟ ପୂଜା ମଞ୍ଚ, ଉଜ୍ଜ୍ୱଳ ରଙ୍ଗରେ ରଞ୍ଜିତ ଦେବୀମୂର୍ତ୍ତି, ବର୍ଣ୍ଣାଢ୍ୟ ରୋଷଣି, ବିଳାସପୁର୍ଣ୍ଣ ମୁର୍ତ୍ତି ବିସର୍ଜନ ପଦ୍ଧତି, ଆଡମ୍ବରପୂର୍ଣ୍ଣ ଆତସବାଜି ପ୍ରଦର୍ଶନ ଏବଂ ଡାକବାଜି ଯନ୍ତ୍ରରେ ଉଚ୍ଚ ସ୍ୱରରେ ଆଧୁନିକ ସଂଗୀତର ମୂର୍ଛନା ଏବେକାର ଏକ ଫେସନ ପାଲଟି ଯାଇଛି I ଏସବୁ ଲୋକଙ୍କ ମନରେ ଭକ୍ତିଭାବନା ଦୃଢୀଭୂତ କରୁଛି ସତ; ମାତ୍ର ଏସବୁ କାର୍ଯ୍ୟକଳାପ ଦ୍ୱାରା ପରିବେଶର ଅକଥନୀୟ କ୍ଷତି ସାଧିତ ହେଉଛି I

ପୂଜା ଓ ବିଶ୍ୱ ତାପନ

     ପୂଜା ମଞ୍ଚରେ ଅଧିକ ୱାଟର ବିଜୁଳିବତୀ ବ୍ୟବହାର କରିବା ଦ୍ୱାରା ବିଜୁଳିଶକ୍ତିର ଘୋର ଅପଚୟ ଘଟୁଛି I ଆମ ଦେଶରେ ଉପଲବ୍ଧ ଅଧିକାଂଶ ବିଦ୍ୟୁତ ଶକ୍ତି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରସବୁରୁ ଆହରିତ ହୋଇଥାଏ I ପୂଜାରେ ମାତ୍ରାଧିକ କ୍ଷମତା ସମ୍ପନ୍ନ ଆଲୋକବତୀର ବ୍ୟବହାର ଦ୍ୱାରା ଆବଶ୍ୟକୀୟ ବିଦ୍ୟୁତ ଚାହିଦା ପୂରଣ ନିମନ୍ତେ ଦୁରସ୍ଥ ତାପଜ ବିଦ୍ୟୁତ  କେନ୍ଦ୍ରଠାରେ ଅଧିକ କୋଇଲା ଇନ୍ଧନର ଦହନ  ଘଟୁଛି. ଏହି ପ୍ରକ୍ରିୟାରେ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ବିଶ୍ୱ ତାପନ ପ୍ରକ୍ରିୟା ତ୍ୱରାନିତ ହେବା ସାଙ୍ଗକୁ ଧୂଆଁ  ଏବଂ ସେଥିରୁ ନିର୍ଗତ ଗୁଣ୍ଡ ପଦାର୍ଥ ଦ୍ୱାରା ଶ୍ୱାସରୋଗ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାମାନ ସୄଷ୍ଟି ହେଉଛି I

ରାସାୟନିକ ରଙ୍ଗ

   ମୁର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହର କରା ଯାଉଛି. ରାସାୟନିକ ରଙ୍ଗ ପ୍ରସ୍ତୁତିରେ ସାଧାରଣତଃ ଅନେକ ଭାରି ଧାତୁ ଯଥା ସୀସା, ପାରଦ, ଦସ୍ତା, ମାଙ୍ଗାନିଜ୍ ଏବଂ କ୍ରୋମିୟମ୍ ଇତ୍ୟାଦି ବ୍ୟବହାର କରାଯାଏ I ଏସବୁ ପଦାର୍ଥ ବାସ୍ତବକ୍ଷେତ୍ରରେ ବିଷାକ୍ତ , ସ୍ୱାସ୍ଥ୍ୟ ପାଇଁ ଘୋର ହାନିକାରକ ଏବଂ  ଏସବୁର ବ୍ୟବହାର ଯୋଗୁଁ କର୍କଟ ରୋଗ ଭଳି ମାରତ୍ମକ ବ୍ୟାଧିମାନ ଜାତ ହେବର ଆଶଙ୍କା ରହିଛି . ଜଳରେ ମୁର୍ତ୍ତି ବିସର୍ଜନ ଦ୍ୱାରା ରଙ୍ଗରେ ଥିବା ଏହି ରାସାୟନିକ ପଦାର୍ଥସବୁ ଜଳୀୟ ପରିସଂସ୍ଥାକୁ ପ୍ରଦୁଷିତ କରିବା ସହିତ ଜଳୀୟ ଖାଦ୍ୟ ଶୄଂଖଳରେ ପ୍ରବେଶ କରିଥା’ନ୍ତି  I ଏସବୁ କ୍ରମଶଃ ଖାଦ୍ୟ ଶୄଂଖଳର ଶୀର୍ଷଭାଗକୁ ସ୍ଥାନାନ୍ତରିତ ହୋଇ ସର୍ବୋଚ୍ଚ ଭକ୍ଷକ ମନୁଷ୍ୟ ଶରୀରରେ ପ୍ରବେଶ କରିବାର ଆଶଙ୍କା ଉପୁଜୁଛି I

ଜୈବିକ ଓ ଅଜୈବିକ ଆବର୍ଜନା

ମୁର୍ତ୍ତି ବିସର୍ଜନ ସମୟରେ ଟନ୍ ଟନ୍ ଓଜନର ଫୁଲ, ଫଳ, ପତ୍ର, ଭୋଗ, କର୍ପୂର, ଧୂପକାଠି ଇତ୍ୟାଦି ଜୈବିକ ପଦାର୍ଥ ଜଳରେ ମିଶିଥାଏ I ଫଳରେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରି ବିଘଟନ କରୁଥିବା ବ୍ୟାକ୍ଟେରିଆ ଭଳି ଅଣୁଜୀବମାନଙ୍କ ସଂଖ୍ୟା ଜଳୀୟ ପରିସଂସ୍ଥାରେ ଆଶାତୀତ ବୃଦ୍ଧି ପାଏ  I ସେମାନେ ଜଳୀୟ ପରିସଂସ୍ଥାରୁ ଅଧିକାଂଶ ଦ୍ରବୀଭୂତ ଅମ୍ଳଜାନ ଶୋଷି ନିଅନ୍ତି ଏବଂ ମାଛ ଭଳି ଅନ୍ୟ ଦରକାରୀ ଜଳଚର ଜୀବଙ୍କ ପାଇଁ ଦ୍ରବୀଭୂତ ଅମ୍ଳଜାନର ଘୋର ଅଭାବ ପଡେ . ଏହା ଦ୍ୱାରା ସମଗ୍ର ଜଳୀୟ ପରିସଂସ୍ଥାରେ ଜୀବନ ବଞ୍ଚିବାର ସମ୍ଭାବନାରେ ଆଶଙ୍କା ସୃଷ୍ଟିହୁଏ I

   ସେହିପରି, ମୂତ୍ତି ପ୍ରସ୍ତୁତିରେ ବ୍ୟବହୄତ ପ୍ଲାଷ୍ଟର ଅଫ୍ ପ୍ୟାରିସ୍, ପୂଜା ସାମଗ୍ରୀ ରୂପେ ବ୍ୟବହୄତ ଥର୍ମୋକଲ, ପ୍ଲାଷ୍ଟିକ ଫୁଲ, ଜରି,ଏବଂ ଦେବୀମୂର୍ତ୍ତିଙ୍କ ଅଙ୍ଗବସ୍ତ୍ର ତିଆରିରେ ବ୍ୟବହୃତ ସଂଶ୍ଳିଷିତ ତନ୍ତୁ (ଯଥା ନାଇଲନ୍, ଟେରିଲିନ୍ ଇତ୍ୟାଦି)ରୁ ପ୍ରସ୍ତୁତ କପଡା ଭଳି ଅଜୈବିକ ପଦାର୍ଥ  ବିଘଟିତ ହୋଇ ସଙ୍ଗେ ସଙ୍ଗେ ଜଳୀୟ ମାଧ୍ୟମରେ ମିଶୁ ନଥିବାରୁ ସେଗୁଡିକ କ୍ରମାଗତ ପରିସଂସ୍ଥାରେ ଜମା ହୋଇ ଆବର୍ଜନା ସୃଷ୍ଟି କରୁଛନ୍ତି I

   ଗତ 1993 ମସିହରେ କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ  ଜଣାଯାଏ ଯେ, ଏକାକୀ କଲିକତା ନଗରୀରେ ପ୍ରତି ବର୍ଷ ଦୁର୍ଗା ପୁଜା ସମୟରେ ହୁଗୁଳି ନଦୀରେ 15,000 ରୁ ଉର୍ଦ୍ଧ୍ୱ ସଂଖ୍ୟକ ମୁର୍ତ୍ତି ବିସର୍ଜନ କରାଯାଏ I ଏହାଦ୍ୱାରା ଜଳଉତ୍ସରେ 16.8 ଟନ୍ ଓଜନର ବାର୍ଣ୍ଣିସ୍ ଏବଂ 32 ଟନ୍‍ ଓଜନର କୃତ୍ରିମ ରଙ୍ଗ ମିଶିଥାଏ.  ଫଳରେ ଦଶହରା ସମୟରେ ଜଳଉତ୍ସରେ ତେଲ ଓ  ଗ୍ରିଜ୍ ଭଳି ଅଜୈବିକ ପଦାର୍ଥର ମାତ୍ରା 0.99 ପ୍ରତିଶତ ବୃଦ୍ଧିପାଉ ଥିବାର ଜଣାଯାଏ I

ଆତସବାଜିର ଷାତଙ୍କ

  ମୁର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆତସବାଜିରୁ  ସଲଫର୍ ଡାଇ ଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ କାର୍ବନ୍ ଡାଇଅକ୍ସାଇଡ୍ ଭଳି ବିଷାକ୍ତ ଓ ପ୍ରଦୂଷକ ବାଷ୍ପମାନ ନିର୍ଗତ ହୋଇଥାଏ ଯାହା ବାୟୁ ପ୍ରଦୁଷଣ କରିବା ସହିତ  ଅନେକ ଶ୍ୱାସଗତ ବ୍ୟାଧି ଯଥା ଆଜମା, ବ୍ରୋଙ୍କାଇଟିସ ଇତ୍ୟାଦିର କାରଣ ପାଲଟିଥାଏ I

ଶବ୍ଦ ପ୍ରଦୂଷଣ

     ପୁଜା ମଞ୍ଚ ଓ ପୁଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟର କୋଳାହଳ,ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବିଭିନ୍ନ ଶବ୍ଦ ଉତ୍ସ ଯଥା ମାଇକ୍, ଡାକବାଜି ଯନ୍ତ୍ର, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୁଜାର ଏକ ଅବିଛେଦ୍ୟ ଅଙ୍ଗ ପାଲଟି ଯାଇଛି I ଏସବୁ ଅଧିକ ଡେସିବେଲ୍ (ଧ୍ୱନି ତୀବ୍ରତା ମାପକର ଏକକ) ଯୁକ୍ତ ଧ୍ୱନି ନିର୍ଗତ କରିଥା’ନ୍ତି ଯାହା ଶ୍ରବଣଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିଥା’ନ୍ତି I ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ 65 ଡେସିବେଲ୍ ମାତ୍ରାରେ ସୀମିତ ରଖିବାର ନିୟମ ଥିଲେ ମଧ୍ୟ  କେତେକ କ୍ଷେତ୍ରରେ ବିଶେଷକରି ଭସାଣି ସମୟରେ  ଏହା 100 ଡେସିବେଲ୍ ଅଙ୍କ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି I

ପରିବେଶପ୍ରିୟ ପୂଜା

ମୂର୍ତ୍ତି ପ୍ରସ୍ତୁତିରେ ରାସାୟନିକ ରଙ୍ଗ ପରିବର୍ତ୍ତେ ଦ୍ରୁତ-ବିଘଟନଶୀଳ  କିମ୍ବା ପ୍ରାକୃତିକ ଉତ୍ସରୁ ସଂଗୄହୀତ ରଙ୍ଗ (ଯଥା ୱାଟର୍ କଲର୍, ଖାଦ୍ୟରେ ବ୍ୟବହୃତ ରଙ୍ଗ, ହର୍ବାଲ୍ ରଙ୍ଗ ଇତ୍ୟାଦି) ବ୍ୟବହାର କରାଯିବା ଉଚିତ I ମୂର୍ତ୍ତି ଗଠନରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପରିବର୍ତ୍ତେ ମାଟି ବ୍ୟବହର କରାଯିବା ଉଚିତ I ମଞ୍ଚସଜ୍ଜାରେ ଥର୍ମୋକଲ୍ ପରିବର୍ତ୍ତେ ପ୍ରାକୄତିକ ଉତ୍ସରୁ ସଂଗୃହୀତ ସୋଲ ବ୍ୟବହର କରିବା ଉଚିତ I ସେହିପରି, ମୂର୍ତ୍ତିର ଅଙ୍ଗବସ୍ତ୍ର ରୂପେ ବ୍ୟବହୄତ ସଂଶ୍ଳେଷିତ ତନ୍ତୁ ପରିବର୍ତ୍ତେ ପ୍ରାକୃତିକ ତନ୍ତୁ ଯଥା ତୁଳା କିମ୍ବା ରେଶମରେ ନିର୍ମିତ  ପରିଧାନ ପ୍ରୟୋଗ କରାଯିବା ଉଚିତ. ଭୋଗ ପରଶିବା ପାଇଁ ପ୍ଲାଷ୍ଟିକ ଥାଳି ପରିବର୍ତ୍ତେ  ମାଟି ପାତ୍ର, ଶାଳପତ୍ର  କିମ୍ବା କଦଳୀ ପତ୍ରରେ ତିଆରି ଥାଳି ବ୍ୟବହର କରଯିବା ଆବଶ୍ୟକ I ପୂଜାରୁ ଉତ୍ପନ୍ନ କଠିନ ଆବର୍ଜନାକୁ  ନଫିଙ୍ଗି  ପ୍ରଦୁଷଣ ବୋର୍ଡ ଙ୍କ  ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ବିନିଯୋଗ କରାଯିବା ବିଧେୟ I  ଜଳ ପ୍ରଦୁଷଣ ରୋକିବା ନିମନ୍ତେ ମୂର୍ତ୍ତିକୁ ନଦୀ ଭଳି ପ୍ରବହମାନ ଜଳଧାରାରେ ବିସର୍ଜନ ନକରି କୃତ୍ରିମ ପୋଖରୀ କିମ୍ବା ଜଳାଶୟ ଭଳି ଆବଦ୍ଧ ଜଳକ୍ଷେତ୍ର ମଧ୍ୟରେ ନିମଜ୍ଜିତ କରିବା ଉଚିତ I  ବିଦ୍ୟୁତ୍ ଶକ୍ତିର  ଅପଚୟକୁ ହ୍ରାସ କରିବା ନିମନ୍ତେ ପାରମ୍ପାରିକ  ବିଜୁଳିବତୀ ପରିବର୍ତ୍ତେ ଅଧିକ ଦକ୍ଷତା ସମ୍ପନ୍ନ ଏଲ୍,ଇ.ଡି. ବତୀ କିମ୍ବା ସୌର ଚାଳିତ ବତୀ ବ୍ୟବହର କରିବା ଉଚିତ I ଶବ୍ଦ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରିତ କରିବା ନିମନ୍ତେ ସ୍ୱଳ୍ପ ଡେସିବେଲ୍ ଯୁକ୍ତ ଶବ୍ଦ ଉତ୍ସ ଯଥା ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ଓ ବ୍ୟାଣ୍ଡ୍  ଏବଂ ମେଲୋଡି ପରିବର୍ତ୍ତେ ଭଜନ ସମାରୋହ  ଇତ୍ୟାଦି ଆୟୋଜନ କରାଯିବ ଉଚିତ I ମୂର୍ତ୍ତିକୁ ଜଳରେ ନିମଜ୍ଜନ ପୂର୍ବରୁ ସେଥିରୁ ଫୁଲ, ପତ୍ର ଭଳି ଜୈବିକ ଆବର୍ଜନାସବୁକୁ ଅଲଗା କରି ବିସର୍ଜନ କରିବା ଉଚିତ କିମ୍ବା ବିସର୍ଜନ ପରେପରେ ତୁରନ୍ତ ସେଗୁଡିକୁ ଜଳଉତ୍ସରୁ କାଢି ଦେବା ଆବଶ୍ୟକ I

ନିକୁଞ୍ଜ  ବିହାରୀ ସାହୁ

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର

ଫୋନ୍ : 8018708858


ପୂଜା ଓ ପ୍ରଦୂଷଣ

ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :

https://tinyurl.com/Puja-pollution

or

https://drive.google.com/file/d/1p0zR00RqzEO-klVdafnscyDJ91bQRFoS/view?usp=sharing

To read the same article published in The Dharitri dated 20.11.23 , please click the following link :

https://dharitriepaper.in/m/447278/655a9615c57d6



Published in The Sakala dated  11.10.24

Published in the Samaja dated 16.10.18


The Nitidina dated 29.09.25

https://drive.google.com/file/d/1uYtUh3ryIpUKrZQsPwG25rxxeHDGgAB-/view?usp=sharing



Comments

Popular posts from this blog

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

LINK FOR QUIZ PREPARED FROM GOOGLE FORM PLATFORM

ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400