ବିଜ୍ଞାନ ଯାଦୁ : ଅନନ୍ତ କୂଅ

 ବିଜ୍ଞାନ ଯାଦୁ :

ଅନନ୍ତ କୂଅ 


ନିକୁଞ୍ଜ ବିହାରୀ ସାହୁ



   ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥିଲା I ସେ ବୁଲୁବୁଲୁ ଗୋଟିଏ ପ୍ରଦର୍ଶନୀ ପାଖରେ ହଠାତ ଅଟକି ଗଲା I ପ୍ରଦର୍ଶନୀର ନାମ ଥିଲା 'ଅନନ୍ତ କୂଅ ' I ପ୍ରଦର୍ଶନୀରେ ସେ ଏକ ଅନନ୍ତ ଗଭୀରତାର କୂଅ ଦେଖି ଆଶ୍ଚର୍ଯ୍ୟ ହୋଇଗଲା. ସେ ମାମୁଁ ଘର ଗାଁରେ ଏଭଳି ଏକ ଗହିରିଆ କୂଅ ଦେଖିଥିଲା I ଏତେ ଗହିରିଆ ଯେ ଚାହିଁଲେ ତଳକୁ ଆଖି ପାଏନି I ମାତ୍ର ତଳେ କଳା ମଚ ମଚ ପାଣି ଚହଲୁ ଥାଏ I ଦେଖିଲେ ଭାରି ଡର ଲାଗେ ସତରେ ! ମାତ୍ର ମାଇଁମାନେ ଭାରି ଧୁରନ୍ଧର I ସେମାନେ ଲମ୍ବା ଲମ୍ବା ରଶି ବଢ଼େଇ ଚଟାପଟ ବାଲଟି ବାଲଟି ପାଣି କାଢି ଆଣନ୍ତି I ସେ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ପଚାରିଲା, ' ବାପା, ଏହା ସମ୍ଭବ ହେଲା କିପରି? ସତରେ କ'ଣ ଚଟାଣ ଉପରେ ଏକ ଗହିରିଆ କୂଅ ତିଆରି କରା ଯାଇଛି?"



ବାପା ହସିହସି କହିଲେ, " ମୁଁ ବୁଝାଇ କହୁଛି ଶୁଣ I ଏହା ପ୍ରକୃତରେ ଦୁଇଟି ସମାନ୍ତର ଦର୍ପଣ ମଧ୍ୟରେ ଆଲୋକର ବହୁପ୍ରତିଫଳନ ନିୟମ ଉପରେ ପର୍ଯ୍ୟବେସିତ I  କୌଣସି ବସ୍ତୁକୁ ଦୁଇଟି ସମାନ୍ତର ଦର୍ପଣ ମଧ୍ୟରେ ରଖିଲେ ଆଲୋକର ପ୍ରତିଫଳନ ନିୟମ ଅନୁଯାୟୀ ବସ୍ତୁର ଅସଂଖ୍ୟ ପ୍ରତିବିମ୍ବ ସୃଷ୍ଟି ହୁଏ I ତୁ ଏକଥା ସେଲୁନରେ ଚୁଟି କାଟିଲାବେଳେ ଦେଖିଥିବୁ I ସେଲୁନରେ ଆମ ଆଗରେ ଓ ଆମ ପଛରେ ଦୁଇଟା ସମନ୍ତରାଳ ଦର୍ପଣ ଥାଏ I ଦର୍ପଣରେ ଦେଖିଲେ, ଆମ ମୁହଁର ଅନେକ ପ୍ରତିବିମ୍ବ ଦେଖାଯାଏ I ଏହା ଦେଖିଛୁ କି ନାହିଁ ? ", ବାପା ପଚାରିଲେ I


ମୁନା ମୁଣ୍ଡ ଟୁଙ୍ଗାରି 'ହଁ ' ମାରି ପଚାରିଲା, " ଦେଖିଛି ଯେ, ମାତ୍ର ଏହା ହୁଏ କିପରି? ଦର୍ପଣ ତ ମାତ୍ର ଦୁଇଟା, ସେଥିରେ ଏତେ ଗୁଡିଏ ପ୍ରତିବିମ୍ବ ଦେଖାଯାଏ କିପରି? "


" ପ୍ରଥମେ ଆମ ଆଗ ଓ ପଛ ଦର୍ପଣଦ୍ବୟରେ ବସ୍ତୁର ଦୁଇଟି ପ୍ରତିବିମ୍ବ ଗଠିତ ହୁଏ I ମାତ୍ର ଗୋଟିଏ ଦର୍ପଣରେ ସୃଷ୍ଟ ପ୍ରତିବିମ୍ବ ଅନ୍ୟ ଦର୍ପଣ ପାଇଁ ଏକ ବସ୍ତୁ ସଦୃଶ ଆଚରଣ କରେ I ଏହାଦ୍ୱାରା କ୍ରମାନ୍ୱୟରେ ପ୍ରତିବିମ୍ବର ପ୍ରତିବିମ୍ବମାନ ସୃଷ୍ଟି ହୋଇ ପରିଶେଷରେ ଅନେକ ପ୍ରତିବିମ୍ବ ଗଠିତ ହୁଏ I ଏହା ହିଁ ଦୁଇଟି ସମାନ୍ତର ମଧ୍ୟରେ ଆଲୋକର ବହୁପ୍ରତିଫଳନ ନିୟମ I " ବାପା ବୁଝାଇ ଦେଲେ I


ମୁନା ସେଇଠୁ ପଚାରିଲା, " ବାପା, ଆପଣଙ୍କ କଥା ମୁଁ ବୁଝି ପାରିଲି I ହେଲେ, ଏଠାରେ ଆଲୋକର ଏହି ଧର୍ମକୁ ବ୍ୟବହାର କରି ଏକ ଚଟାଣ ଉପରେ ଗହିରିଆ କୂଅଟି ସୃଷ୍ଟି କରା ଯାଇଛି କିପରି ?"


ବାପା କହିଲେ, "କହୁଛି ଶୁଣ I ଏଠାରେ ଉପରେ ଓ ତଳେ ଥିବା ଦୁଇଟି ସମାନ୍ତର ଦର୍ପଣ ମଧ୍ୟରେ କୁଅର କାନ୍ଥକୁ ପ୍ରଦର୍ଶନ କରୁଥିବା ଏକ ଚିତ୍ର ରଖା ଯାଇଛି I ଫଳରେ ଦର୍ପଣ ଦ୍ବୟରେ ଏହାର ଅସଂଖ୍ୟ ପ୍ରତିବିମ୍ବ ସୃଷ୍ଟି ହୋଇ ଏକ ଗହିରିଆ କୁଅର ଭ୍ରମ ଧାରଣା ସୃଷ୍ଟି କରୁଛି I"


ମୁନା ପୁଣି ପଚାରିଲା , ତମେ ତ କହିଲ, କୂଅ ଉପରେ ମଧ୍ୟ ଏକ ସମତଳ ଦର୍ପଣ ଅଛି I ତେବେ ଆମେ ଏହି ଦର୍ପଣ ଦେଇ ତଳକୁ ଚାହିଁ କୁଅର ଗଭୀରତା ଦେଖି ପାରୁଛେ କିପରି?"


ବାପା ହସି ହସି କହିଲେ, "ଭଲ ପ୍ରଶ୍ନଟିଏ ପଚାରିଲୁ , କହୁଛି ଶୁଣ I କୂଅର ତଳେ ଏକ ପ୍ରକୃତ ଦର୍ପଣ ରଖା ଯାଇଥିଲାବେଳେ ଉପରେ କିନ୍ତୁ ଏକ ଆଂଶିକ ଦର୍ପଣ ରଖା ଯାଇଛି I "


ମୂନା ପୁଣି ପଚାରିଲା, " ବାପା, ଏହି ଆଂଶିକ ଦର୍ପଣ କ'ଣ? "


" ଏକ ପ୍ରକୃତ ଦର୍ପଣ ଆଲୋକରଶ୍ମିକୁ ସମ୍ପୂର୍ଣ୍ଣ ପ୍ରତିଫଳନ କରୁଥିଲାବେଳେ ଏକ ଆଂଶିକ ଦର୍ପଣ କିନ୍ତୁ ଆଲୋକ ରଶ୍ମିକୁ ଆଂଶିକ ଭାବେ ପ୍ରତିଫଳନ କରିଥାଏ I ଅର୍ଥାତ, ଏହା  ଆଲୋକରଶ୍ମିକୁ କିଛିଟା ପ୍ରତିଫଳନ କରିବା ସହିତ କିଛିଟା ପ୍ରତିସରଣ ମଧ୍ୟ କରିଥାଏ; ଅର୍ଥାତ ଏହା ଦେଇ ଆମେ ଏକ କାଚ ସଦୃଶ ମଧ୍ୟ ଦେଖିପାରୁ I ଏହା ପ୍ରକୃତରେ ଏକ ଅର୍ଦ୍ଧ ସ୍ଵଛ ପରଦାରେ ତିଆରି I ଏହା ତ ଦର୍ପଣ ଭଳି ଆଲୋକରଶ୍ମିକୁ ପ୍ରତିଫଳନ କରେ I ପୁଣି, ଏହା ପଛପଟରେ ଏକ ଆଲୋକ ଉତ୍ସ ରଖାଗଲେ, ଜଣେ ଦର୍ଶକ ଏହା ପଛ ପଟେ ଥିବା ବସ୍ତୁକୁ ମଧ୍ୟ ଦେଖିପାରେ I " ବାପା ବୁଝାଇ କହିଲେ I 


ବାପାଙ୍କ ଉତ୍ତରରେ ମୁନା ଏଥର 'ଅନନ୍ତ କୂଅ' ପ୍ରଦର୍ଶନ ପଛରେ ଥିବା ଅସଲ ବୈଜ୍ଞାନିକ କାରଣ ବୁଝି ପାରିଥିଲା I

ତେଣୁ ଘରକୁ ଫେରିଲା ବେଳକୁ ତା'ର ମନ ଭାରି ଖୁସି ଥିଲା ସେଦିନ I


ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ 







Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ