ଭାରତର ପ୍ରଥମ ଘରୋଇ ରକେଟ୍
ଗତ ନଭେମ୍ବର 18 ତାରିଖ ଦିନ ଭାରତର ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ I ଏହି ଦିନ ବେସରକାରୀ ଉଦ୍ୟମରେ ନିର୍ମିତ ଏକ ରକେଟ୍ ପ୍ରଥମ ଥର ପାଇଁ ମହାକାଶକୁ ଉତକ୍ଷେପିତ ହୋଇଛି I ଏହି ରକେଟର ନାମ ବିକ୍ରମ-ଏସ୍ (Vikram-S) ଯାହାକୁ ଇସ୍ରୋର ଶ୍ରୀହରିକୋଟା ସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପ୍ରେରଣ କରାଯାଇଛି I ପୂର୍ବରୁ ଆମ ଦେଶରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କେବଳ ସରକାରୀ ଉଦ୍ୟମରେ ପରିଚାଳିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ, ISRO)ର ଏକଚାଟିଆ ଅଧିକାର ଥିଲା ଯାହା ବିଗତ 1969 ମସିହାରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସରାଭାଇଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିଲା I
ଇସ୍ରୋର ନିଜର ଦୀର୍ଘ 33 ସମୟକାଳ ମଧ୍ୟରେ ଆମର ପଡୋଶୀ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ସମେତ ସମଗ୍ର ଅନ୍ତରୀକ୍ଷକୁ ନିଜସ୍ୱ ଯାନ ଜରିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରେରଣ କରିବା ସାଙ୍ଗକୁ ଅନ୍ୟ ରାଷ୍ଟ୍ରମାନଙ୍କର ଉପଗ୍ରହସବୁକୁ ମଧ୍ୟ ମହାକାଶରେ ଅବସ୍ଥାପିତ କରି ନିଜର ଦକ୍ଷତା ଓ ଉତ୍କର୍ଷର ପରିଚୟ ଦେଇଛି I ଏହା ଭାରତକୁ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ସ୍ୱାବଲମ୍ବୀ କରାଇବା ସାଙ୍ଗକୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ଯଥା କୄଷି,ଜଙ୍ଗଲ, ପାଣିପାଗ ନିରୂପଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ନିଜର ଯୋଗଦାନ ସୁନିଶ୍ଚିତ କରି ରାଷ୍ଟ୍ରୀୟ ପ୍ରଗତିକୁ ତ୍ୱରାନିତ କରିଛି I ଏହି ସଂସ୍ଥା ସ୍ୱଳ୍ପ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଭଳି ଏକ ବିକାଶଶୀଳ ଦେଶ ପକ୍ଷରେ କିପରି ମହାକାଶ ଅଭିଯାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିବା ସମ୍ଭବ ତାହା ପ୍ରମାଣିତ କରିଛି I ମାତ୍ର ଏକ ବ୍ୟବସାୟିକ ସଂସ୍ଥା ରୂପେ ଇସ୍ରୋ ଆଶାନୁରୂପ ସଫଳତା ପ୍ରାପ୍ତ ହୋଇ ପାରି ନାହିଁ ଏବଂ ଏବଂ ବିଶ୍ୱ ଅନ୍ତରୀକ୍ଷ ବଜାରରେ ଏହାର ଆୟ ମାତ୍ର 2% ମାତ୍ରା ମଧ୍ୟରେ ସୀମିତ ଅଛି I ଏହା ସେତେଟା ଆଖିଦୄଶିଆ ହୋଇ ନଥିଲେ ସୁଦ୍ଧା ଇସ୍ରୋ ଆଗାମୀ ଦିନରେ ବେସରକାରୀ ସଂସ୍ଥାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅନ୍ତର୍ଭୁକ୍ତ କରି ନିଜର ଆୟକୁ 8% ସ୍ତରକୁ ବୄଦ୍ଧି କରିବାକୁ ଆଶା ରଖିଛି I ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ଅନ୍ତରୀକ୍ଷ ନୀତି (National Space Policy) ବେସରକାରୀ ସଂସ୍ଥାମାନଙ୍କୁ ଅନ୍ତରୀକ୍ଷ କ୍ଷେତ୍ରରେ ଯୋଗଦାନ କରିବାକୁ ପ୍ରୋତ୍ସାହିତ କରିବ ଯାହା ଫଳରେ ସେମାନେ ନିଜସ୍ୱ ଯାନ ଓ ଉପଗ୍ରହ ବିକଶିତ କରି ସେସବୁକୁ ଇସ୍ରୋର ଉତକ୍ଷେପଣ ଘାଟ୍ଟୀରୁ ମହାକାଶକୁ ପ୍ରେରଣ କରିବା ସାଙ୍ଗକୁ ବ୍ୟବସାୟିକ ଉପଲବ୍ଧି ହାସଲ କରି ପାରିବେ I ଅନ୍ତରୀକ୍ଷ କ୍ଷେତ୍ରକୁ ଘରୋଇକରଣ ନିମନ୍ତେ ଆମେରିକୀୟ ମହାକାଶ ସଂସ୍ଥା ନାସା (NASA)କୁ ପ୍ରାୟ ଏକ ଦଶକ ସମୟ ଲାଗିଥିଲାବେଳେ ଇସ୍ରୋ ଏହି ଲକ୍ଷ୍ୟକୁ ଆଗାମୀ 10 ରୁ 15 ବର୍ଷ ସମୟ ମଧ୍ୟରେ ହାସଲ କରିବ ବୋଲି ଆଶା ବାନ୍ଧିଛି I ଘରୋଇ ସଂସ୍ଥାମାନଙ୍କୁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଇସ୍ରୋ ଏବେ ଶ୍ରୀହରିକୋଟାଠାରେ ଏକ ତୄତୀୟ ଉତକ୍ଷେପଣ ମଞ୍ଚ (Launch Pad) ଓ ତାମିଲନାଡୁର ତୁତିକୋରିନଠାରେ ଏକ ନୁଆ ଅନ୍ତରୀକ୍ଷ ବନ୍ଦର (Space Port) ସ୍ଥାପନ କରିବାକୁ ପଦକ୍ଷେପ ନେଉଛି I
ବିକ୍ରମ-ଏସ୍ ରକେଟକୁ ହାଇଦ୍ରାବାଦ ସ୍ଥିତ ଏକ ଷ୍ଟାର୍ଟ-ଅପ୍ 'ସ୍କାଇରୁଟ ଏରୋସ୍ପେସ୍' ଦୀର୍ଘ ଦୁଇ ବର୍ଷର ଗବେଷଣା ଓ କଠିନ ପରିଶ୍ରମ କରି ବିକଶିତ କରିଥିଲା I କଠିନ ଇନ୍ଧନରେ ଚାଳିତ 6 ମିଟର ଲମ୍ବର ନିମ୍ନ-କକ୍ଷପଥୀୟ (Sub-orbital) ଗତି ବିଶିଷ୍ଟ ଏହି ରକେଟ ଉତକ୍ଷେପଣ ପରେ 5 ମିନିଟ କାଳ ଉଡ୍ଡାଣ ଭରି ଅନ୍ତରୀକ୍ଷରେ 89.5 କି.ମି. ଦୂରତା ଆରୋହଣ କରିଥିଲା ଏବଂ ଇପ୍ସିତ ଅଭିଯାନର ସମସ୍ତ ଲକ୍ଷ୍ୟ ହାସଲ କରି ବଙ୍ଗୋପ ସାଗରରେ ପତ୍ତନ ଦେଇଥିଲା I ଏହି ରକେଟର ଏକ ବିଶେଷତ୍ତ୍ୱ ହେଉଛି ଯେ, ଏହାର ନିର୍ମାଣରେ କିଛି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବ୍ୟବହାର କରା ଯାଇଛି ଯାହା ମଧ୍ୟରେ ଏହାର ଧୂଆଁନଳୀ ରୂପରେଖ ପ୍ରସ୍ତୁତିରେ 3ଡି (3D) ପ୍ରିଣ୍ଟର କୌଶଳ ଏବଂ ମୋଟର ଆବରଣ ଗଠନରେ ନାନୋ-କାର୍ବନ୍ ପ୍ରଯୁକ୍ତି ପ୍ରମୁଖ ଅଟେ I ଏହାର ଉତକ୍ଷେପଣ କାଳୀନ ଓଜନ 545 କି.ଗ୍ରା. ଯାହା 80 କି.ଗ୍ରା. ଭାର ବହନ କରି ଅନ୍ତରୀକ୍ଷକୁ ଯାତ୍ରା କରିବାକୁ ସକ୍ଷମ I ସ୍କାଇରୁଟ୍ କମ୍ପାନୀ ଆଗାମୀ ଦିନରେ ଆମ ଦେଶର କେନ୍ଦ୍ରୀୟ ନିୟନ୍ତ୍ରକ ସଂସ୍ଥା 'ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର (Indian National Space Promotion and Authorization Centre IN-SPACe)ଙ୍କ ଅନୁମତି କ୍ରମେ କକ୍ଷରେ ଅବସ୍ଥାପିତ ହୋଇ ଗତି କରିପାରୁଥିବା ବିକ୍ରମ-1 ଶ୍ରେଣୀର ଉନ୍ନତ ରକେଟ ପ୍ରେରଣ କରି ଅନ୍ତରୀକ୍ଷ ଅଭିଯାନର କିଛି ଜଟିଳ ଜ୍ଞାନକୋଇଶଳ ପରୀକ୍ଷା କରିବାକୁ ଅଶା ବାନ୍ଧିଛି I ଏହି ଅଭିଯାନକୁ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସରାଭାଇଙ୍କ ନାମରେ ନାମିତ କରା ଯାଇଛି I
ବିକ୍ରମ-ଏସ୍ ରକେଟର ଉତକ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ I ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗିଦାରୀ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ ଅଧୀନରେ 'ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର (Indian National Space Promotion and Authorization Centre IN-SPACe)' ନାମକ ଏକ ସଂସ୍ଥା ଗଠନ କରାଯାଇଛି I ଏହା ଏପର୍ଯ୍ୟନ୍ତ ଅନ୍ତରୀକ୍ଷ କ୍ଷେତ୍ରରେ କାର୍ଯ୍ୟରତ 5ଟି ଘରୋଇ ସଂସ୍ଥାଙ୍କୁ ଭାରତରେ ଅନ୍ତରୀକ୍ଷ ଅନୁସନ୍ଧାନ ନିମନ୍ତେ ପ୍ରାଧିକାର ପ୍ରଦାନ କରିବା ସାଙ୍ଗକୁ ସମୁଦାୟ 16ଟି ରାଜିନାମା (MoU) ସ୍ୱାକ୍ଷରିତ କରି ସାରିଛି I ଏହା ମଧ୍ୟ ଇତି ମଧ୍ୟରେ ବିଭିନ୍ନ ଘରୋଇ ସଂସ୍ଥାଠାରୁ ଅନ୍ତରୀକ୍ଷ କ୍ଷେତ୍ରକୁ ଉପଯୋଗ ନିମନ୍ତେ ଅନୁରୋଧ , ସୁବିଧା ପ୍ରଦାନ ଓ ସଂବର୍ଦ୍ଧନ ନିମନ୍ତେ 150ଟି ଆବଦନ ପ୍ରାପ୍ତ ହୋଇସାରିଛି I କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଘଟଣାକୁ ଭାରତର ଅନ୍ତରୀକ୍ଷ ପରିସଂସ୍ଥାର ବିକାଶ କ୍ଷେତ୍ରରେ ଏକ ନୂତନ ସୂର୍ଯ୍ୟୋଦୟ ବୋଲି ବର୍ଣ୍ଣନା କରିଛନ୍ତି I
ଅନ୍ତରୀକ୍ଷ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟା ପ୍ରଥମେ 2020 ଜୁ୍ନ୍ ମାସରେ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଆରମ୍ଭ ହୋଇଥିଲା I ପୂର୍ବରୁ ଘରୋଇ ସଂସ୍ଥାମାନଙ୍କ ଭୂମିକା କେବଳ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ 'ଇସ୍ରୋ'କୁ ଅନ୍ତରୀକ୍ଷ ଯାତ୍ରା ସଂକ୍ରାନ୍ତୀୟ ଉପକରଣ ଯୋଗାଣ କରିବାରେ ସୀମିତ ଥିଲା I ଏବେ କିନ୍ତୁ ଏହି ନୂତନ ନୀତି ଘୋଷଣା ପରେ ଘରୋଇ ସଂସ୍ଥାମାନେ କେବଳ ଯେ ରକେଟ୍ କିମ୍ବା ଉପଗ୍ରହ ନିର୍ମାଣ କରି ପାରୁଛନ୍ତି ତାହା ନୁହେଁ, ସେମାନେ ମଧ୍ୟ ନିଜସ୍ୱ ରକେଟ୍ କିମ୍ବା ଉପଗ୍ରହକୁ କେନ୍ଦ୍ରୀୟ ନିୟନ୍ତ୍ରକ ସଂସ୍ଥାଙ୍କ ଅନୁମୋଦନ କ୍ରମେ ଇସ୍ରୋର ଉତକ୍ଷେପଣସ୍ଥଳୀରୁ ମହାକାଶକୁ ପ୍ରେରଣ କରି ପାରୁଛନ୍ତି I
ଅନ୍ତରୀକ୍ଷ କ୍ଷେତ୍ରରେ ଘରୋଇ ସଂସ୍ଥାଙ୍କ ଭୂମିକା ମଧ୍ୟ ଦେଶରେ ଅନ୍ତରୀକ୍ଷ ପର୍ଯ୍ୟଟନର ବିକାଶ ଦିଗରେ ପ୍ରେରଣା ଯୋଗେଇବ I ଘରୋଇ ଅନ୍ତରୀକ୍ଷ ସଂସ୍ଥାମାନେ ନିଜସ୍ୱ ଯାନରେ ପର୍ଯ୍ୟଟକମାନଙ୍କୁ ଅନ୍ତରୀକ୍ଷକୁ ନେଇ ନିମ୍ନ ପୄଥିବୀୟ କକ୍ଷପଥ ( Low Earth Orbit) ରେ ଭ୍ରମଣ କରାଇ ପାରିବେ ଯେଉଁଠାରୁ ସେମାନେ ଏକ ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ ଅନ୍ତରୀକ୍ଷର ଅଫୁରନ୍ତ ଦୄଶ୍ୟ ଉପଭୋଗ କରିବାକୁ ସକ୍ଷମ ହେବେ I ଏହାର ପ୍ରତିବଦଳରେ ଏହି ସଂସ୍ଥାମାନେ କୋଟି କୋଟି ଟଙ୍କା ଆୟ କରି ପାରିବେ I ଏପର୍ଯ୍ୟନ୍ତ ଉପଯୋଗ ହୋଇ ପାରିନଥିବା ଏହି ଅନ୍ତରୀକ୍ଷ ପର୍ଯ୍ୟଟନ କ୍ଷେତ୍ର ଆଗାମୀ ଦିନରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କ୍ଷେତ୍ରରେ ଅପାର ସମ୍ଭାବନା ବହନ କରିବ ବୋଲି ବିଶ୍ୱାସ କରାଯାଏ I
1957 ମସିହାରେ ପୄଥିବୀର ପ୍ରଥମ କୄତ୍ରିମ ଉପଗ୍ରହ ସ୍ପୁଟିନିକର ସଫଳ ପ୍ରେରଣ ପରଠାରୁ ଇତି ମଧ୍ୟରେ ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଓ ନବାଚାର ସୄଷ୍ଟି ହୋଇଛି I ପରବର୍ତ୍ତୀ ସମୟରେ ବିଶ୍ୱରେ ଶୀତଳ ଯୁଦ୍ଧର ଘନଛାୟା ଘୋଟିଯାଏ ଏବଂ ଏହିପରି ଏକ ଘଡିସନ୍ଧି ସମୟକାଳ ମଧ୍ୟରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଓ ତତ୍କାଳୀନ ସୋଭିଏତ ରୁଷ୍ ମଧ୍ୟରେ ଅନ୍ତରୀକ୍ଷ କ୍ଷେତ୍ରରେ ପାରଦର୍ଶିତା ହାସଲ ତଥା ସାମରିକ ପ୍ରାଧାନ୍ୟ ବିସ୍ତାର ନିମନ୍ତେ ପ୍ରଚଣ୍ଡ ପ୍ରତିଯୋଗିତା ଆରମ୍ଭ ହୁଏ I ଏହି ଦେଶମାନେ ଅନ୍ତରୀକ୍ଷ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତିଗତ ଉପଲବ୍ଧି ହାସଲ ନିମନ୍ତେ ବିପୁଳ ପୁଂଜି ବିନିଯୋଗ କରନ୍ତି I ସେତେବେଳେ ବିଶ୍ୱର କେବଳ ଧନୀ ରାଷ୍ଟ୍ରମାନେ ହିଁ ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରି ପାରୁଥିଲେ ଏବଂ ଗରିବ ଦେଶମାନଙ୍କ ପକ୍ଷରେ ଏଭଳି କାର୍ଯ୍ୟକଳାପ କଳ୍ପନାର ବାହାରେ ଥିଲା I ମାତ୍ର ପରବର୍ତ୍ତୀ ସମୟରେ , ଶୀତଳ ଯୁଦ୍ଧର ପରିସମାପ୍ତି ପରେ , ନୂତନ ପ୍ରଯୁକ୍ତିର ବିକାଶ ଦ୍ୱାରା ଅନ୍ତରୀକ୍ଷ ଅଭିଯାନ ଶସ୍ତା ଓ ସୁଲଭ ପାଲଟି ଯାଏ ଯାହା ଗରିବ ଦେଶ ଓ ବେସରକାରୀ ସଂସ୍ଥା ମାନଙ୍କ ପହଞ୍ଚସାଧ୍ୟ ପାଲଟି ଗଲା I ଏବେ ଘରୋଇ କମ୍ପାନୀମାନେ ନିଜସ୍ୱ ଯାନରେ ମହାକାଶକୁ ଉପଗ୍ରହ ପ୍ରେରଣ କରି ପାରୁଛନ୍ତି, ଆନ୍ତରାଷ୍ଟ୍ରୀୟ ମହାକାଶ ସ୍ଟେଷନ (International Space Station) କୁ ଇନ୍ଧନ ଯୋଗାଣ କରି ପାରୁଛନ୍ତି ଏବଂ ଏପରିକି ସାଧାରଣ ନାଗରିକଙ୍କୁ ମହାକାଶକୁ ନେଇ ଅନ୍ତରୀକ୍ଷ ପରିଭ୍ରମଣ କରାଇବାର ବିରଳ ଉପଲବ୍ଧି ହାସଲ କରିପାରୁଛନ୍ତି I ଏ କ୍ଷେତ୍ରରେ ବିଶ୍ୱର କିଛି ବଡ ବଡ କମ୍ପାନୀ ଯଥା ବୋଇଙ୍ଗ୍ (Boeing) , ଲକହିଡ ମାର୍ଟିନ୍ ( Lockheed Martin) ଇତ୍ୟାଦି ପ୍ରଥମେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ I ମାତ୍ର ନିକଟରେ ଛୋଟ ଛୋଟ କମ୍ପାନୀ ଓ ଷ୍ଟାର୍ଟ-ଅପ୍ ସଂସ୍ଥା ମଧ୍ୟ ନିଜର ପ୍ରଯୁକ୍ତି ବଳରେ ମହାକାଶ ପ୍ରୟୋଗର କିଛି ନୂତନ ସମ୍ଭାବନା ସୄଷ୍ଟି କରି ଏ କ୍ଷେତ୍ରରେ ଧୀରେ ଧୀରେ ପ୍ରବେଶ କରୁଛନ୍ତି I ଏମାନଙ୍କ ମଧ୍ୟରୁ ବିଶ୍ୱର ତିନୋଟି ପ୍ରମୁଖ ସଂସ୍ଥା ହେଲେ : ସ୍ପେସ୍-ଏକସ୍ (SpaceX), ବ୍ଲୁ ଅରିଜିନ୍ (Blue Orign) ଓ ଭର୍ଜିନ୍ ଗାଲକ୍ଟିକ୍ (Virgin Galactic) I
ଅନ୍ତରୀକ୍ଷ କ୍ଷେତ୍ରରେ ଆମ ଦେଶର ଘରୋଇ ସଂସ୍ଥାମାନଙ୍କର ପ୍ରବେଶ ଦେଶ ପାଇଁ ସମୄଦ୍ଧି ଓ ଅଗ୍ରଗତି ଆଣିବା ସହିତ ଅନନ୍ତ ଅନ୍ତରୀକ୍ଷର ଅସୁମାରୀ ତାରକାଙ୍କ ରହସ୍ୟ ଉଦଘାଟନ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
To read the same article ( Part-I) published in the Dharitri dated 02.12.23, please click the following link :https://dharitriepaper.in/m/376531/63b2183d53e83
Comments
Post a Comment