ଭୋପାଳ ଗ୍ୟାସ୍‍ ଦୁର୍ଘଟଣା : ଏକ କଳଙ୍କିତ ଅଧ୍ୟାୟ

     1984 ମସିହା ଡିସେମ୍ବର 2 ତାରିଖ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ  ରାତ୍ରି I ଲୋକମାନେ ରେଜେଇ ଘୋଡେଇ ଶୋଇ ପଡିଛନ୍ତି ନିଘୋଡ ନିଦରେ I କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳ ରାତ୍ରି ହେବ ବୋଲି!  ଏହି ଦିନ ମଧ୍ୟରାତ୍ରିରେ  ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ଗୋଟିଏ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଏକ ବିରାଟ ଦୁର୍ଘଟଣା ଘଟିଥିଲା I ସେହି କାଳରାତ୍ରିର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ I  ଏଥିରେ ସଙ୍ଗେସଙ୍ଗେ 2200 ରୁ ଅଧିକ ଲୋକ ମୄତ୍ୟୁ ବରଣ କରିଥିଲାବେଳେ ଆଗାମୀ ଦୁଇ ସ[ପ୍ତାହ ମଧ୍ୟରେ  ସମୁଦାୟ ମୄତ୍ୟୁସଂଖ୍ୟା 10,000ରୁ ଉର୍ଦ୍ଧ୍ୱ ହୋଇଥିଲା I  ପରବର୍ତ୍ତୀ ସମୟରେ ଆଉ 10,000 ଲୋକ ଗ୍ୟାସ୍ ସମ୍ବନ୍ଧୀୟ ରୋଗର ଶିକାର ହୋଇ ମୄତ୍ୟୁ ବରଣ କରିଥିଲେ I ଏହି ଗ୍ୟାସର ପ୍ରଭାବରେ ହଜାର ହଜାର ପଶୁପକ୍ଷୀ  ମଧ୍ୟ ମୄତ୍ୟୁମୁଖରେ ପଡିଥିଲେ I ଏହା ବିଶ୍ୱର ସବୁଠାରୁ ଭୟାନକ  ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା I

ଦୁର୍ଘଟଣାର କାରଣ

     ପୁରୁଣା ଭୋପାଳ ସହରରେ ଅବସ୍ଥିତ କୀଟନାଶକ ପଦାର୍ଥ ପ୍ରସ୍ତୁତ କରୁଥିବା ଏକ ଆମେରିକୀୟ  ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡ ( Union Carbide India Limited UCIL) ର ଏକ ଭୂତଳ ଗ୍ୟାସ୍ ଟାଙ୍କିରୁ ମିଥାଇଲ୍ ଆଇସୋସ୍ୟାନେଟ୍  ( Methyl isocyanate- MIC) ନାମକ ଏକ ଅତି ବିଷାକ୍ତ ଗ୍ୟାସର ନିର୍ଗମନ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା I କମ୍ପାନୀର ଏହି କାରଖାନାକୁ ଘେରି ଘନ ଜନବସତି ରହିଥିଲା ଯେଉଁଠାରେ ବସ୍ତିରେ ବିଶେଷକରି ଗରିବ ଶ୍ରେଣୀର ଲୋକ ବାସ କରୁଥିଲେ I ସେମାନଙ୍କ ମଧ୍ୟରୁ ଅଧିକାଂଶ  ଥିଲେ ସେହି କାରଖାନାର ଶ୍ରମିକ I ସୁତରାଂ ଏହି ଲୋକମାନେ ସିଧାସଳଖ ଏହି ଗ୍ୟାସର ଶିକାର ହୋଇଥିଲେ I

     ଦୁର୍ଘଟଣାର ଭୟାବହତା

    ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ୍ ବାୟୁଠାରୁ ଭାରୀ ହୋଇ ଥିବାରୁ ଏବଂ ଶୀତ ଦିନେ ବାୟୁପ୍ରବାହର ବେଗ କମ୍ ଥିବାରୁ  ଏହି ଗ୍ୟାସ୍  ସଞ୍ଚାଳିତ ନହୋଇ ତଳେ ଜମି ଯାଇଥିଲା I ଏହି ଗ୍ୟାସ୍  ସଂସ୍ପର୍ଶରେ ଆସିଥିବା  ଲୋକମାନଙ୍କ ପ୍ରଥମେ ଆଖି ଜଳାପୋଡା, ବାନ୍ତି ହେବା , ତଣ୍ଟି ପୋଡିବା  ତଥା ଶ୍ୱାସରୁଦ୍ଧ ଭଳି  ଲକ୍ଷଣମାନ ପ୍ରକାଶ  ପାଇଥିଲା I ଲୋକେ ଏଥିରେ ଆତଙ୍କିତ ହୋଇ ଘର ଛାଡି ପଦାରେ ଦୌଡାଦୌଡି ଆରମ୍ଭ କରିଥିଲେ I ମାତ୍ର ପଦାରେ ଖୋଲା ସ୍ଥାନରେ ଗ୍ୟାସର ପ୍ରଭାବ  ଅଧିକ ଥିବାରୁ ଲୋକମାନେ ବେଶୀ ମାତ୍ରାରେ ଏହି ଗ୍ୟାସର ସଂସ୍ପର୍ଶରେ ଆସିଥିଲେ I ଯେଉଁମାନେ ଘର ଭିତରେ କବାଟ ଝରକା ବନ୍ଦକରି ରହିଥିଲେ ସେମାନେ ଉଣା ଅଧିକେ ଗ୍ୟାସର ପ୍ରଭାବରୁ ବଞ୍ଚି ଯାଇଥିଲେ I କିନ୍ତୁ ବସ୍ତିରେ ଥିବା  ଅଧିକାଂଶ ମାଟିଘରର କବାଟ ଝରକା ନଥିବାରୁ ଘର ଭିତରେ ରହି ଯାଇଥିବା ଲୋକେ ମଧ୍ୟ ଏହି ଗ୍ୟାସର ଶିକାର ହୋଇଥିଲେ I  ପୀଡିତ ଲୋକଙ୍କୁ ସହରସ୍ଥ ହମେଦିଆ ସରକାରୀ ହସପିତାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା I ହସପିତାଲରେ ରୋଗୀଙ୍କ ସଂଖ୍ୟା ନିଜସ୍ୱ  କ୍ଷମତାଠାରୁ  ଯଥେଷ୍ଟ ଟପି ଯାଇଥିଲା I  ଡାକ୍ତରମାନେ  ପୂର୍ବରୁ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ୍ ସମ୍ପର୍କରେ ଆଦୌ ଶୁଣି ନଥିଲେ ଏବଂ ସେଥିପାଇଁ ଏହାର ଚିକିତ୍ସା ନିମନ୍ତେ ସେମାନଙ୍କ ପାଖରେ କୌଣସି ଫଳପ୍ରଦ ଉପଚାର (Antidote) ନଥିଲା I ସେମାନେ କିଛି ରୋଗୀଙ୍କୁ କୄତ୍ରିମ ଶ୍ୱାସକ୍ରିୟା  ନିମନ୍ତେ ଅକ୍ସିଜେନ୍ ଦେଇଥିଲେ I ମାତ୍ର    ଅକ୍ସିଜେନ୍ ସହିତ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସର ଅତି ମାରାତ୍ମକ ରାସାୟନିକ ପ୍ରତିକ୍ରିୟା ହୋଇଥିବାରୁ ଏହି ରୋଗୀଙ୍କ ଅବସ୍ଥା ଆହୁରି  ଗୁରୁତର ହୋଇଥିଲା I ଫଳରେ ଲୋକେ ପୋକମାଛି ଭଳି ଝଡି ପଡିଥିଲେ I ସକାଳ ବେଳକୁ ରାସ୍ତାରେ ମଣିଷ ତଥା ବିଭିନ୍ନ ଜୀବଜନ୍ତୁ ଓ ଗୄହପାଳିତ ପଶୁ  ଯଥା ଗାଈ ଗୋରୁ, ଷଣ୍ଢ,ଛେଳି, ମେଣ୍ଢା, ଗଧ , ଘୋଡା ଓ ପକ୍ଷୀମାନଙ୍କ  କୁଢକୁଢ ଶବ ଜମା ହୋଇଥିଲା I ଏପରିକି ଗଛଗୁଡିକର ପତ୍ର ଶୁଖି ଯାଇଥିଲା  ଓ ପାଣିର ମାଛମାନେ  ମଧ୍ୟ ମରି ଯାଇଥିଲେ I ସରକାର ସଙ୍ଗେସଙ୍ଗେ ସେନାର ଟ୍ରକ୍ ଜରିଆରେ  କୁଢକୁଢ  ମଣିଷ ଶବକୁ ଉଠାଇ  ଗାତ ଖୋଳି  ମାଟିରେ ପୋତି ପକାଇ ଥିଲେ I

   ପୄଷ୍ଠଭୂମି

     ଭାରତ ସରକାର ଦେଶରେ ରୋଗପୋକ ଦମନ କରି କୄଷି ଉତ୍ପାଦନ ବୄଦ୍ଧି କରିବା ନିମନ୍ତେ 1969 ମସିହାରେ ଏକ ଆମେରିକୀୟ ରାସାୟନିକ  କମ୍ପାନୀ 'ୟୁନିୟନ କାର୍ବାଇଡ କର୍ପୋରେସନ'କୁ ମଧ୍ୟଭାରତର ସହର ଭୋପାଳଠାରେ ଏକ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ପାଇଁ ଅନୁମତି  ପ୍ରଦାନ କରିଥିଲେ I ଏହି କାରଖାନା ଭୋପାଳର ଉତ୍ତରପୂର୍ବ ଦିଗରେ ପ୍ରାୟ 17 ଏକର ପରିମିତ  ଜମି ଉପରେ ପ୍ରତିଷ୍ଠିତ ଥିଲା ଯେଉଁଠାରେ ପ୍ରାୟ 750 ଶ୍ରମିକ କାର୍ଯ୍ୟ କରୁଥିଲେ I   ଏହି କମ୍ପାନୀ 'ମିଥାଇଲ୍ ଆଇସୋସ୍ୟାନେଟ୍'  ଗ୍ୟାସକୁ ଏକ ମଧ୍ୟବର୍ତ୍ତୀ ଦ୍ରବ୍ୟ ହିସାବରେ ବ୍ୟବହାର କରି ସେଭିନ୍ (Sevin) ନାମକ ଏକ କୀଟନାଶକ ପଦାର୍ଥ (Pesticide)  ପ୍ରସ୍ତୁତ କରୁଥିଲା I ପ୍ରଥମେ କମ୍ପାନୀ ଏହି ଗ୍ୟାସକୁ ବିଦେଶରୁ ଆମଦାନୀ କରୁଥିଲା I ମାତ୍ର ଉତ୍ପାଦନର  ଚାହିଦା ବୄଦ୍ଧି  ପାଇବାରୁ କମ୍ପାନୀ 1979 ମସିହାରେ ଏହି ଗ୍ୟାସର ଆବଶ୍ୟକୀୟ  ଉତ୍ପାଦନ ପାଇଁ ନିଜସ୍ୱ କାରଖାନାରେ ଏକ ସ୍ୱତନ୍ତ୍ର ବିଭାଗ  ମଧ୍ୟ ସ୍ଥାପନ କରିଥିଲା I ଏଥିରେ ଦୁଇଟି ଅତି ବିଷାକ୍ତ ଗ୍ୟାସ୍  ଯଥା ମିଥାଇଲମାଇନ୍ (Methylmine)  ଓ ଫସଜିନ୍ (Phosgene) ର ରାସାୟନିକ ପ୍ରତିକ୍ରିୟା ଘଟାଯାଇ ଏହି ମିଥାଇଲ୍ ଆଇସୋସ୍ୟାନେଟ୍   ଗ୍ୟାସ୍ ପ୍ରସ୍ତୁତ କରାଯାଉ ଥିଲା I ଶେଷରେ, ଏହି ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ୍ ସହିତ 1-ନାପଥୋଲ (1-Napythol)  ନାମକ ଆଉ ଗୋଟିଏ ବିଷାକ୍ତ ଗ୍ୟାସର ରାସାୟନିକ ପ୍ରତିକ୍ରିୟା ଘଟାଯାଇ କାର୍ବାରାଇଲ୍ (Carbaryl) ନାମକ   କୀଟନାଶକ ପଦାର୍ଥ ପ୍ରସ୍ତୁତ କରାଯାଇ ବ୍ୟବସାୟିକ 'ସେଭିନ୍' ନାମରେ ବଜାରରେ ବିକ୍ରି କରାଯାଉ ଥିଲା I ଏହି କାରଖାନାରୁ ବାର୍ଷିକ ପ୍ରାୟ 5000 ଟନ୍ ସେଭିନ୍ ଉତ୍ପାଦିତ ହେଉଥିଲା I

      ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସକୁ ଉତ୍ପାଦନ ପରେ ଭଣ୍ଡାରଣ କରି ରଖିବା ପାଇଁ କାରଖାନା ପରିସରରେ କଙ୍କ୍ରିଟରେ ଗଢା  ପାଖାପାଖି ତିନୋଟି ଭୂତଳ ଟାଙ୍କି ନିର୍ମାଣ କରା ଯାଇଥିଲା I ଏହି ତିନୋଟି ଟାଙ୍କିରେ ସମୁଦାୟ 68,000 ଲିଟର ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ  ଗଛିତ ହୋଇ ରହିବାର ବ୍ୟବସ୍ଥା  ଥିଲା I ନିୟମ ଅନୁସାରେ,  ଏହି ଟାଙ୍କିସବୁରେ ମାତ୍ର ଅର୍ଦ୍ଧେକ ଅଂଶ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସରେ ପୂର୍ଣ୍ଣ କରା ଯାଉଥିଲା ଓ ବାକି ଅର୍ଦ୍ଧେକ ଅଂଶରୁ ବାୟୁ ଖାଲି କରାଯାଇ  ନାଇଟ୍ରୋଜେନ୍ ଗ୍ୟାସ୍ କୁ ଉଚ୍ଚ ଚାପରେ  ଭର୍ତ୍ତି କରା ଯାଉଥିଲା I ଏଥିପାଇଁ ଦୁଇଟି କାରଣ ଥିଲା : ପ୍ରଥମତଃ, ବାୟୁରେ ଥିବା ଜଳୀୟବାଷ୍ପ ସହିତ  ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସର ରାସାୟନିକ ପ୍ରତିକ୍ରିୟା ଅତି ବିସ୍ଫୋରକ ଥିଲା I ଦ୍ୱିତୀୟତଃ, ଚାପଯୁକ୍ତ ନାଇଟ୍ରୋଜେନ୍ ଗ୍ୟାସ୍ କୁ ବ୍ୟବହାର କରି ଟାଙ୍କିରୁ ସଞ୍ଚିତ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ୍ କୁ ମଧ୍ୟ ଆବଶ୍ୟକତା ଅନୁସାରେ ପଦାକୁ ନିର୍ଗତ କରି  ବ୍ୟବହାର କରାଯାଇ ପାରୁଥିଲା I

     ସୂତ୍ରପାତ ଓ ଅଗ୍ରଗତି    

     1984 ମସିହା ଅକ୍ଟୋବର ମାସରେ ଜଣା ପଡିଥିଲା ଯେ, ତିନୋଟି ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କି ଉଚ୍ଚ ଚାପଯୁକ୍ତ  ନାଇଟ୍ରୋଜେନ୍ ଗ୍ୟାସ୍ କୁ ଧାରଣ କରିବାକୁ ସକ୍ଷମ ହେଉନାହିଁ I ଫଳରେ ଏହି ଟାଙ୍କି ମଧ୍ୟରୁ ଜଳୀୟବାଷ୍ପ ତଥା ଅନ୍ୟ ଅଶୁଦ୍ଧି ( Impurity)  ପଦାର୍ଥକୁ ଫଳପ୍ରଦ ରୂପେ ପଦାକୁ ସ୍ଥାନାନ୍ତରିତ କରାଯାଇ ପାରୁନାହିଁ I 1984 ମସିହା ଡିସେମ୍ବର ମାସ ସୁଦ୍ଧା କାରଖାନାର  ଅଧିକାଂଶ ସୁରକ୍ଷା ବ୍ୟବସ୍ଥା, ଭାଲଭ ତଥା ପାଇପ୍ ସଠିକ ରୂପେ କାର୍ଯ୍ୟ କରୁ ନଥିଲା I ଡିସେମ୍ବର 2 ତାରିଖ ଦିନ ସନ୍ଧ୍ୟାରେ ଶ୍ରମିକମାନେ  ଏହି ଟାଙ୍କି ସହିତ ସଂଯୁକ୍ତ ପାର୍ଶ୍ୱସ୍ଥ ଏକ ରୁଦ୍ଧ ପାଇପକୁ ପାଣି ଦ୍ୱାରା ସଫା କରିବା ପାଇଁ ଚେଷ୍ଟା କରିଥିଲେ I ସେଥିରୁ ପାଣି କୌଣସି ମତେ ଯାଇ ଉକ୍ତ ଟାଙ୍କିରେ ପ୍ରବେଶ କରିଥିଲା I ସେହି  ସମୟରେ ଏହି ଟାଙ୍କିରେ ସମୁଦାୟ 42 ଟନ୍ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ ମହଜୁଦ ରହିଥିଲା I ଫଳରେ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସ ସହିତ ପାଣିର ଏକ ବିସ୍ଫୋରକ ରାସାୟାନିକ ପ୍ରତିକ୍ରିୟା ସଂଘଟିତ ହୋଇଥିଲା ଯାହା ଅନ୍ୟ କିଛି କାରକ ଯଥା କଳଙ୍କି ଲାଗିଥିବା ପାଇପରୁ ଝଡୁଥିବା  ଲୁହାଗୁଣ୍ଡ ତଥା  ବିଭିନ୍ନ  ଅଶୁଦ୍ଧି ପଦାର୍ଥର ଉପସ୍ଥିତି ଯୋଗୁଁ ତ୍ୱରାନିତ ହୋଇଥିଲା I ଏହି ପ୍ରତିକ୍ରିୟାରୁ ପ୍ରଚୁର ତାପ ନିର୍ଗତ ହୋଇଥିଲା I ଟାଙ୍କିର ଗ୍ୟାସ୍ ଚାପର ମୂଲ୍ୟ  ରାତ୍ରି 10.30 ସମୟରେ ମାତ୍ର 2 PSI ଥିଲାବେଳେ 11.30 ସମୟ ବେଳକୁ ବୄଦ୍ଧି ପାଇ 10 PSI  ମୂଲ୍ୟରେ ପହଞ୍ଚି ଥିଲା I ରାତି 11.30 ସମୟରେ କାର୍ଯ୍ୟରତ କର୍ମଚାରୀମାନେ ଏହି ଗ୍ୟାସର ଅଳ୍ପ ଅଳ୍ପ ଗନ୍ଧ ବାରିଥିଲେ I ସମୟକ୍ରମେ, ଏହି  ଗନ୍ଧ ତୀବ୍ରତର ହେବାରୁ ସେମାନେ 11.45 ସମୟରେ ନିଜର ସୁପରଭାଇଜରଙ୍କୁ ଏକଥା ଜଣାଇଥିଲେ I ମାତ୍ର ସେତେବେଳେ ଆବଶ୍ୟକୀୟ ମରାମତି  କାର୍ଯ୍ୟକୁ 12.15 ସମୟର କର୍ମଚାରୀଙ୍କ ଚା'ପାନ ବିରତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆ ଯାଇଥିଲା  I 12.40 ସମୟରେ କର୍ମଚାରୀଙ୍କ ଚା'ପାନ ବିରତି ଶେଷ ହୋଇଥିଲା  I ଏହାର 5 ମିନିଟ ସମୟ ମଧ୍ୟରେ ଟାଙ୍କିର ଅବସ୍ଥା ଚରମ ସୀମାରେ ପହଞ୍ଚି ଗ୍ୟାସ୍ ଚାପର ମୂଲ୍ୟ ଆଶାତୀତ ଭାବେ  40 PSI ଏବଂ ପରେ 50 PSI କୁ ଟପି ଯାଇଥିଲା ଯାହା ନିରାପଦ ମୂଲ୍ୟଠାରୁ ଥିଲା ଯଥେଷ୍ଟ ଅଧିକ I ତାପମାତ୍ରା ମଧ୍ୟ ବିପଜ୍ଜନକ ଭାବେ 250 ସେଲସିୟସ୍ ସ୍ଥିତିରେ ପହଞ୍ଚି ଯାଇଥିଲା I  ଏହି ଉଚ୍ଚ ଚାପକୁ ସହ୍ୟ କରିବା ଦୁର୍ବଳ ଟାଙ୍କି ପକ୍ଷରେ ସମ୍ଭବପର ନଥିଲା  I ଫଳରେ ଟାଙ୍କିର କଙ୍କ୍ରିଟ୍ ସ୍ଲାବ୍ ଫାଟି ଗ୍ୟାସ୍ ପ୍ରବଳ ବେଗରେ  ପଦାକୁ ନିର୍ଗତ ହୋଇଥିଲା ଓ ସଙ୍ଗେସଙ୍ଗେ ଘନ ବାଦଲ ଆକାରରେ ଆଖପାଖରେ ଘୋଟି ଯାଇଥିଲା  I ଏହି ଘଡିସନ୍ଧି ମୁହୂର୍ତ୍ତରେ କାରଖାନାର ନିମ୍ନୋକ୍ତ  ତିନୋଟି ସୁରକ୍ଷା ବ୍ୟବସ୍ଥା ସୂଚାରୂ ରୂପେ କାର୍ଯ୍ୟ କରୁ ନଥିବାରୁ  ବିଷାକ୍ତ ଗ୍ୟାସ୍ ନିର୍ଗମନର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା :

1. କାରଖାନାରେ ଭଣ୍ଡାରଣ ଟାଙ୍କିର  ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ପାଇଁ ଏକ ଶୀତଳକ ରେଫ଼୍ରିଜିରସନ୍ ବ୍ୟବସ୍ଥା  ଥିଲା I ମାତ୍ର କାରଖାନାରେ  ଗତ 1982 ମସିହାରୁ ଏହି ବ୍ୟବସ୍ଥା ଅକାମୀ ହୋଇ ପଡିଥିଲା ଓ ପରବର୍ତ୍ତୀ 1984 ମସିହାରେ ଶୀତଳକ ପଦାର୍ଥ ରୂପେ ବ୍ୟବହାର କରା ଯାଉଥିବା ଫ୍ରିୟନ୍ ପଦାର୍ଥକୁ ସମ୍ପୂର୍ଣ୍ଣ ରୁପେ ସ୍ଥାନାନ୍ତରିତ କରି ଅନ୍ୟତ୍ର ବିନିଯୋଗ କରା ଯାଇଥିଲା I ଆହୁରି ମଧ୍ୟ, ଉଚ୍ଚ ତାପମାତ୍ରାରେ ସକ୍ରିୟ ହେଉଥିବା  କାରଖାନାର ସତର୍କଘଣ୍ଟି ବ୍ୟବସ୍ଥା (ଯାହା 110 ସେଲସିୟସ୍ ତାପମାତ୍ରାରେ ବାଜି ଉଠିବା କଥା) କୁ ବହୁ ଦିନ ପୂର୍ବରୁ କାଢି ନିଆ ଯାଇଥିଲା I  ଫଳରେ ତାପମାତ୍ରା 15ରୁ 250  ମୂଲ୍ୟରେ ପହଞ୍ଚି ନିରାପଦ ସୀମା ବାହାରକୁ ଚାଲି ଯାଇଥିଲେ ସୁଦ୍ଧା ଏହି ସତର୍କଘଣ୍ଟି ବାଜି ନଥିଲା I

2. ଟାଙ୍କିରୁ ଅଜାଣତ ବଶତଃ ନିର୍ଗତ ବିଷାକ୍ତ ମିଥାଇଲ୍ ଆଇସୋସ୍ୟାନେଟ୍  ଗ୍ୟାସକୁ ପୋଡି  ନିଷ୍କ୍ରିୟ କରିଦେବା ନିମନ୍ତେ କାରଖାନାରେ ଏକ ଗ୍ୟାସ୍ ପ୍ରଜ୍ୱଳନ ସ୍ତମ୍ଭ (Flare Tower) ର ବ୍ୟବସ୍ଥା ଥିଲା I ମାତ୍ର ଏହାର ଗୋଟିଏ ପାଇପ୍ ଫାଟି ଯାଇଥିବାରୁ ଏହି ବ୍ୟବସ୍ଥା  ବହୁ ଆଗରୁ ଅକାମୀ ହୋଇ ଯାଇଥିଲା I

3. ଟାଙ୍କିର ଲିକ୍ କୁ  ତୁରନ୍ତ ସିଲ୍ କରିବା ପାଇଁ ଏକ ସୁରକ୍ଷା  ବ୍ୟବସ୍ଥା (Vent Gas Scrubber) ଥିଲା ଯାହା ସାଧାରଣତଃ ଚୂନ ଭଳି ଏକ ପଦାର୍ଥ 'କଷ୍ଟିକ୍ ସୋଡା'କୁ ବ୍ୟବହାର କରି ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପାଦନ କରୁଥିଲା I ମାତ୍ର ଘଟଣା ସମୟରେ ଏହି ବ୍ୟବସ୍ଥାକୁ ସୁପ୍ତ  ଅବସ୍ଥାରେ (Standby)  ରଖା ଯାଇଥିଲା ଏବଂ ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ନିର୍ଗତ  ଗ୍ୟାସର ବିଶାଳ ଉତ୍ସକୁ ପ୍ରତିହତ କରିବା ପାଇଁ ଆବଶ୍ୟକୀୟ ମାତ୍ରାରେ କଷ୍ଟିକ୍ ସୋଡା ପଦାର୍ଥ  ଉପଲବ୍ଧ ନଥିଲା  I

      ଇତି ମଧ୍ୟରେ ଦୀର୍ଘ 39 ବର୍ଷ  ବିତି ଯାଇଥିଲେ ସୁଦ୍ଧା ଏବେବି ଏହି ଗ୍ୟାସ୍ ଦୁର୍ଘଟଣାର କ୍ଷତ ଭୋପାଳବାସୀଙ୍କ ମନରୁ  ଲିଭି ନାହିଁ I ଏବେବି ବହୁ ଲୋକ ବଞ୍ଚିଛନ୍ତି ଯେଉଁମାନେ ସେଦିନର ସେହି ମର୍ମନ୍ତୁଦ ଘଟଣା ସ୍ୱଚକ୍ଷୁରେ  ଦେଖିଛନ୍ତି ଓ ବିଷାକ୍ତ ଗ୍ୟାସ୍ ର ସଂସ୍ପର୍ଶରେ ଆସିଛନ୍ତି I  ଗ୍ୟାସ୍ ର ପ୍ରଭାବରେ ଏବେବି ସେଠାକର ମୄତ୍ତିକା ଓ ଭୂତଳ ଜଳ ବିଷାକ୍ତ ପାଲଟି  ଯାଇଛି I ଏବେବି ବଞ୍ଚି ଯାଇଥିବା କିଛି ଲୋକଙ୍କର ଶିଶୁ ବିକଳାଙ୍ଗ କିମ୍ବା ମାନସିକ ଅନଗ୍ରସର ହୋଇ ଜନ୍ମ ହେଉଛନ୍ତି I ଏବେବି ପ୍ରତି ବର୍ଷ ଲୋକେ ଡିସେମ୍ବର 2 ତାରିଖ ସନ୍ଧ୍ୟାରେ ଭୋପାଳ ସହରର ରାଜରାସ୍ତାରେ ମହମବତୀ ଜାଳି  ଏହି ଗ୍ୟାସ୍ ପୀଡିତଙ୍କ ପ୍ରତି  ନିଜର ଶୋକ ଓ ସମବେଦନା  ପ୍ରକାଶ କରୁଛନ୍ତି I ମାତ୍ର ଏପର୍ଯ୍ୟନ୍ତ  ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କୁ  ଉଭୟ ସରକାର ଓ ଆମେରିକୀୟ କମ୍ପାନୀ ପକ୍ଷରୁ ଯଥେଷ୍ଟ କ୍ଷତିପୂରଣ  ପ୍ରଦାନ  କରାଯାଇ ପାରିନାହିଁ I ସରକାର ଏହି ଘଟଣାକୁ  ସ୍ମରଣୀୟ କରି ଶିଳ୍ପକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ଏଡାଇବା ନିମନ୍ତେ ସଚେତନତା ସୄଷ୍ଟି କରିବା ପାଇଁ ପ୍ରତି ବର୍ଷ ଡିସେମ୍ବର 2 ତାରିଖକୁ 'ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ  ଦିବସ' ରୂପେ ପାଳନ କରୁଛନ୍ତି


ନିକୁଂଜ ବିହାରୀ ସାହୁ


ଏଜୁକେଶନ୍ ଅଫିସର

                                                                            ଆଂଚଳିକ ବିଜ୍ଞାନ କେନ୍ଦ୍ର,

                                                                                    ଭୋପାଲ

                                                                         ଫୋନ୍ : 8018708858




To read the same article published in The Dharitri dated 28.11.22 , Please click the link given below:

or





  Gas leak Statue in front of the Union Carbide Factory in Bhopal

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?