ବିସ୍ମୟ ପଦାର୍ଥ ଗ୍ରାଫିନ୍
ମନେ କରନ୍ତୁ ଆମ ପାଖରେ ଏପରି ଏକ ସ୍ମାର୍ଟ ଫୋନ୍ ଅଛି ଯାହାକୁ ଆମେ କାଗଜ ଭଳି ମୋଡି ପ୍ୟାଣ୍ଟ ପକେଟରେ ସହଜରେ ଭର୍ତ୍ତି କରିପାରିବା I ଆଉ ଆମ ପାଖରେ ଏପରି ଏକ ବ୍ୟାଟେରି ଅଛି ଯାହାଦ୍ୱାରା ଆମ ସ୍ମାର୍ଟ ଫୋନ୍କୁ ମାତ୍ର ପାଞ୍ଚ ମିନିଟରେ ଚାର୍ଜ କରି ହେବ I କିମ୍ବା ଆମେ ସମୁଦ୍ର ମଧ୍ୟସ୍ଥ କୌଣସି ଏକ ଦ୍ୱୀପରେ ରହିଯାଇଛେ ଓ ଶୋଷରେ ତଣ୍ଟି ଶୁଖିଯାଉଛି : ଯଦି ଆମ ପାଖରେ ଏପରି ଏକ ପାଣିଛଣା ଯନ୍ତ୍ର ଅଛି ଯାହା ସଙ୍ଗେସଙ୍ଗେ ସମୁଦ୍ରର ଲୁଣପାଣିକୁ ଛାଣି ମଧୁର ଜଳରେ ପରିଣତ କରି ପାରିବ I ପୁଣି ମଧ୍ୟ ଯଦି ଆମ ପାଖରେ ଏପରି ଏକ ନିଶୁଣି ଥା'ନ୍ତା ଯେଉଁଥିରେ ଚଢି ଅମେ ଅନ୍ତରୀକ୍ଷକୁ ଯାତ୍ରା କରି ପାରନ୍ତେ I ଏହା ସମ୍ଭବ ହେଉଥିଲେ ବାସ୍ତବ ଦୁନିଆରେ କେତେ ମଜା ହୁଅନ୍ତା ସତରେ ! ଅତୀତରେ ଯାହା ଥିଲା କବିର କଳ୍ପନା, ତାହା ଏବେ ଏକ ନୂତନ ପଦାର୍ଥର ଆବିଷ୍କାର ଦ୍ୱାରା ସମ୍ଭବ ହେବାକୁ ଯାଉଛି I ଏହି ବିସ୍ମୟ ପଦାର୍ଥର ନମ ଗ୍ରାଫିନ୍ I ହୀରାଠାରୁ ଟାଣ ତଥା ଇସ୍ପାତଠାରୁ ଯଥେଷ୍ଟ ମଜବୁତ ଏବଂ ଗଠନରେ ଅତି ପତଳା 'ଗ୍ରାଫିନ୍' ଏକ ଚମତ୍କାର ପଦାର୍ଥ ଯାହା ଆଗାମୀ ଦିନରେ ବୈଜ୍ଞାନିକ ଅନୁସନ୍ଧାନ ତଥା ଆମର ଦୈନିକ ଜୀବନରେ ଏକ ବଡ ବିପ୍ଳବ ଆଣିବାକୁ ଯାଉଛି I
ଗଠନ
ଏହା ପ୍ରକୄତରେ ହୀରା ଓ ଗ୍ରାଫାଇଟ୍ ଭଳି କାର୍ବନର ଏକ ରୂପଭେଦ I ଏହା ଗ୍ରାଫାଇଟ୍ ରୁ ନିର୍ମିତ କାର୍ବନ୍ ପରମାଣୁରେ ଗଢା କେବଳ ଗୋଟିଏ ମାତ୍ର ସ୍ତର I ଅତି ପତଳା ହେଲେ ସୁଦ୍ଧା ଆମେ ଏହାକୁ ଦେଖି ପାରିବା ଏବଂ ହାତରେ ଧରି ପାରିବା I ଏହା ଦୁନିଆର କେବଳ ଗୋଟିଏ ମାତ୍ର ଦ୍ୱିମାତ୍ରୀୟ (Two dimensional) ପଦାର୍ଥ I ଏହା କେବଳ ଗୋଟିଏ ପରମାଣୁ ମୋଟେଇର ଏକ ପତଳା ପଦାର୍ଥ ଯେଉଁଥିରେ କାର୍ବନ୍ ପରମାଣୁସବୁ ପରସ୍ପର ସହିତ ଏକ ଷଟକୋଣୀୟ ସଂରଚନାରେ ସଂଯୋଜିତ ହୋଇଥା'ନ୍ତି I ପ୍ରତି କାର୍ବନ୍ ପରମାଣୁର ସମୁଦାୟ ଚାରୋଟି ସଂଯୋଜୀ ଇଲେକ୍ଟ୍ରନ୍ ରହିଥାନ୍ତି I ସେଥି ମଧ୍ୟରୁ ତିନୋଟି ଇଲେକ୍ଟ୍ରନ୍ ଚତୁପାର୍ଶ୍ୱସ୍ଥ ଅନ୍ୟ ତିନୋଟି କାର୍ବନ୍ ପରମାଣୁ ସହିତ ସହସଂଯୋଜୀ ରାସାୟାନିକ ବନ୍ଧ ଗଠନରେ ନିୟୋଜିତ ହେଉଥିଲାବେଳେ ଅନ୍ୟ ଗୋଟିଏ ଇଲେକ୍ଟ୍ରନ୍ ମୁକ୍ତ ଅବସ୍ଥାରେ ରହିଥାଏ ଯାହା ବିଦ୍ୟୁତ୍ ପରିବହନ କରିବାରେ ସହାୟକ ହୋଇଥାଏ I
ବିଚିତ୍ର ଗୁଣାବଳି
ଏହା ଦୁନିଆର ସବୁଠାରୁ ପତଳା ପଦାର୍ଥ I ଏହା ଏତେ ପତଳା ଯେ, ଯଦି 3 ଲକ୍ଷ ଗ୍ରାଫିନ୍ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ I ଏହା ତାପ ଓ ବିଦ୍ୟୁତ ପରିବହନ କ୍ଷେତ୍ରରେ ତମ୍ବାଠାରୁ 1 ଲକ୍ଷ ଗୁଣ ଅଧିକ ଦକ୍ଷ ଅଟେ I କେବଳ ସେତିକି ନୁହେଁ, ଏହା ମଧ୍ୟ ହୀରାଠାରୁ ଅଧିକ ଟାଣ ଓ ଇସ୍ପାତଠାରୁ 200 ଗୁଣ ଶକ୍ତ ଅଟେ I ଏହା ମଧ୍ୟ ଦେଇ ଜଳ ଏକ ଜାଲି ଭଳି ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ପ୍ରବେଶ କରିଯାଉଥିଲେ ସୁଦ୍ଧା ଅନ୍ୟ ପଦାର୍ଥ ଅତିକ୍ରମ କରି ଯାଇପାରେ ନାହିଁ I ସୁତରାଂ ଏହି ପଦାର୍ଥକୁ ଅଗାମୀ ଦିନରେ ପାଣି ଛାଣିବା ଯନ୍ତ୍ରରେ ପର୍ଦ୍ଦା ରୂପେ ବ୍ୟବହାର କରାଯିବାର ବିପୁଳ ସମ୍ଭାବନା ରହିଛି I ଏହା ମଧ୍ୟ ଅତି ନରମ ଏବଂ ଏହାର ଚାଦରକୁ ଅତି ସହଜରେ ମୋଡା ଯାଇପାରେ I ଏହାର ବ୍ୟବହାର ଦ୍ୱାରା ଆମେ ଆଗାମୀ ଦିନରେ କାଗଜ ଭଳି ମୋଡି ହୋଇ ପାରୁଥିବା ମୋବାଇଲ ଫୋନ୍, କମ୍ପ୍ୟୁଟର ଟାବ୍ଲେଟ୍, ଲ୍ୟାପଟପ୍ ଇତ୍ୟାଦି ଉପକରଣ ଦେଖିବାକୁ ପାଇବା I ବିଦ୍ୟୁତ୍ ଓ ତାପର ସୁପରିବାହୀ ହେତୁ ଏହାକୁ ବୈଦୁତିକ ଯନ୍ତ୍ରାବଳିରେ ପ୍ରୟୋଗ କରାଯିବାର ବିପୁଳ ସମ୍ଭାବନ ରହିଛି I ଏହାର ପ୍ରୟୋଗ ଦ୍ୱାରା ଏପରି ବ୍ୟାଟେରି ବିକଶିତ ହୋଇ ପାରିବ ଯହା ଅତି କମ୍ ସମୟ ମଧ୍ୟରେ ଆମ ସ୍ମାର୍ଟ୍ ଫୋନ୍କୁ ଚାର୍ଜ କରି ପାରିବ I ଏହାଦ୍ୱାରା ଏହି ସବୁ ଉପକରଣର ରକ୍ଷଣାବେକ୍ଷଣ ସହଜ ହେବା ସାଙ୍ଗକୁ ଏସବୁର ଗୁଣବତ୍ତା ଓ କର୍ଯ୍ୟଦକ୍ଷତା ବହୁଗୁଣରେ ବୄଦ୍ଧି ପାଇବ I ଏହାକୁ ମଧ୍ୟ ବ୍ୟବହାର କରି ସୌର ରଶ୍ମିକୁ ଅବଶୋଷଣ ପୁର୍ବକ ସୌର ପ୍ୟାନେଲ ସଦୄଶ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ I ଏହା ଅତି ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରି ସୁଉଚ୍ଚ ନିଶୁଣି ନିର୍ମାଣ କରିହେବ ଯାହା ସାହାଯ୍ୟରେ ଆମେ ଅନ୍ତରୀକ୍ଷ୍କୁ ଯାତ୍ରା କରି ପାରିବା I ଏହାର ବ୍ୟବହାର ଦ୍ୱାରା ମଧ୍ୟ ଅତି ହାଲୁକା ବିମାନ କିମ୍ବା ଅନ୍ତରୀକ୍ଷଯାନ ନିର୍ମାଣ କରିହେବ I
ଆବିଷ୍କାର
ଗ୍ରାଫିନ୍ ର ଅସ୍ତିତ୍ୱ ବହୁ ପୂର୍ବରୁ ଜଣାଥିଲେ ସୁଦ୍ଧା ଏହାକୁ ସର୍ବପ୍ରଥମେ ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ ଆଣ୍ଡ୍ରେ ଜିମ୍ ଓ କନଷ୍ଟାଣ୍ଟିନ୍ ନୋଭୋସେଲୋଭ୍ (Andre Geim and Konstantain Novoselov) 2004 ଖ୍ରୀଷ୍ଟାବ୍ଦରେ ଆବିଷ୍କାର କରିଥିଲେ I ସେମାନେ ଏକ ସାଧାରଣ ଅଠାଫିତା ବ୍ୟବହାର କରି ଗ୍ରାଫାଇଟ୍ ଖଣ୍ଡରୁ ଗୋଟିକପରେ ଗୋଟିଏ ସ୍ତର ଟାଣି ଗ୍ରାଫିନ୍ କୁ ପୄଥକିକରଣ କରିଥିଲେ I ଏହି ପଦ୍ଧତିକୁ ସାଧାରଣତଃ ସ୍କଚ୍ ଟେପ୍ (Scotch Tape) ପଦ୍ଧତି କୁହାଯାଏ I ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ପରବର୍ତ୍ତୀ 2010 ଖ୍ରୀଷ୍ଟାବ୍ଦରେ ଏହି ଦୁଇ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଯାଇଥିଲା I ଏହା ପରଠାରୁ ଅତି ଉଚ୍ଚ ମାନର ଗ୍ରାଫିନକୁ ସହଜରେ ପ୍ରସ୍ତୁତ କରିହେଲା I
ମାତ୍ର ଅବଶୋଷର ବିଷୟ ଯେ, ଗ୍ରାଫିନ୍ ଆବିଷ୍କାରର ପ୍ରାୟ 18 ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆମ ଦୈନନ୍ଦିନ ଜୀବନରେ ଏହା ବହୁଳ ରୂପେ ପ୍ରବେଶ କରିପାରି ନାହିଁ I ଏହାର କାରଣ ହେଉଛି, ଗ୍ରାଫିନ୍ ର ଉତ୍ପାଦନ ଏବେ କେବଳ ଅତି ସ୍ୱଳ୍ପ ପରିମାଣରେ ଗବେଷଣାଗାର ମଧ୍ୟରେ ସୀମିତ ଅଛି ; ଏହାକୁ ଶିଳ୍ପ କ୍ଷେତ୍ରରେ ଆମର ଆବଶ୍ୟକ ମୁତାବକ ବହୁଳ ଉତ୍ପାଦନ କରିବା ସମ୍ଭବ ହୋଇନାହିଁ I ତେବେ ଆଗମୀ ଦିନରେ ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ଦ୍ୱାରା ଆମେ ଯେ ଆମ ଦୈନନ୍ଦିନ ଜୀବନରେ ଏହି ବିସ୍ମୟ ପଦାର୍ଥ ଗ୍ରାଫିନ୍ ର ବହୁଳ ବ୍ୟବହାର ଦେଖିବାକୁ ପାଇବା , ଏଥିରେ ସନ୍ଦେହ ନାହିଁ I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
Phone: 8917637974
Comments
Post a Comment