ବାଦଲ ଫାଟିବା ବିତ୍ପାତ CLOUD BURSTING


ବାଦଲ ଫାଟିବା ବିତ୍ପାତ

ନିକୁଞ୍ଜ ବିହାରୀ ସାହୁ

 

            ଗତ ଅଗଷ୍ଟ  14 ତାରିଖ ଦିନ  ଜାମୁ  କାଶ୍ମୀରର ମଚେଲ ମାତା ମନ୍ଦିରକୁ ଯିବା ମାର୍ଗରେ  କିସ୍ତୱାଡା ଜିଲ୍ଲାର ସମୁଦ୍ର ପତ୍ତନରୁ 9500 ଫୁଟ ଉର୍ଦ୍ଧ୍ୱରେ ଥିବା ଚାସୋଟି ଗ୍ରାମ ନିକଟରେ ବାଦଲ ଫାଟିବା କାରଣରୁ 46 ଜଣ ତୀର୍ଥଯାତ୍ରୀଙ୍କ ମୄତ୍ୟୁ ଘଟିଛି ଏବଂ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି I ସେହିପରି, ଗତ 2022 ମସିହା ଜୁଲାଇ 8 ତାରିଖ ଦିନ ଜାମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ରାସ୍ତାର ପହଲଗାମ ନିକଟରେ ବାଦଲ ଫାଟିବା କାରଣରୁ  ଅଚାନକ ବନ୍ୟା ସି 15 ଜଣ ଲୋକଙ୍କ ମୄତ୍ୟୁ ଘଟିବା ସାଙ୍ଗକୁ ବହୁ ଲୋକ ଆହତ ହୋଇଥିଲେ ଏବଂ ଅନେକ ଅସ୍ଥାୟୀ ଶିବିର, ଭୋଜନାଳୟ ଓ ଲାଙ୍ଗରର ତମ୍ବୁ ପାଣିରେ ଭାସି ଯାଇଥିଲା I ଫଳରେ ଅମରନାଥ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରିବାକୁ ପଡି ଥିଲା I ନିକଟରେ ମଧ୍ୟ , 2024 ଜୁଲାଇ 31 ତାରିଖ ଏବଂ 2025 ଅଗଷ୍ଟ 5 ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର ହିମାଲୟ ପାର୍ବତ୍ୟ  ଅଞ୍ଚଳରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଆସି ଧନଜୀବନର ବ୍ୟାପକ କ୍ଷତି ଘଟିଥିଲା I  ତେବେ ପ୍ରଶ୍ନ ଉଠେ : ବାଦଲ ଫାଟିବା କ’ଣ ? ସତରେ କ’ଣ ବେଳେବେଳେ ବାଦଲ ଫାଟିଯାଏ ? ଏହା  ଘଟିଥାଏ କିପରି, ଇତ୍ୟାଦି ଇତ୍ୟାଦି ? 

 ବାଦଲ ଫାଟିବା କ'ଣ?

            ଅତି ସୀମିତ ସ୍ଥାନରେ ସ୍ୱଳ୍ପ ସମୟ ମଧ୍ୟରେ ଅଚାନକ ଅତ୍ୟଧିକ ବର୍ଷା ହୋଇଗଲେ ଏହାକୁ 'ବାଦଲ ଫାଟିବା' ଘଟଣା କୁହାଯାଏ I କୌଣସି  20 ରୁ 30 ବର୍ଗ କି.ମି. ପରିମିତ ଅଞ୍ଚଳ ମଧ୍ୟରେ  ଏକ  ଘଣ୍ଟା କିମ୍ବା ତା'ଠାରୁ କମ୍ ସମୟ ମଧ୍ୟରେ  100 ମି.ମି. ରୁ ଅଧିକ ବୄଷ୍ଟିପାତ ହେଲେ ତାହାକୁ 'ବାଦଲ ଫାଟିବା' ଘଟଣା କହନ୍ତି I ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ , ଆକାଶର ବାଦଲ ଏକ ଜଳ ଭର୍ତ୍ତି ବେଲୁନ୍ ସଦୄଶ ଏବଂ ଏହା ଫାଟିଗଲେ ଏଥିରେ ଥିବା ସମସ୍ତ ଜଳରଶି ବର୍ଷା ଆକରରେ ଅଚାନକ ତଳକୁ ଖସି ପଡେ I ସେଥିପାଇଁ ଏହାକୁ ପୂର୍ବେ ବାଦଲ ଫାଟିବା (Cloud Bursting)  ବୋଲି  କୁହାଯାଉଥିଲା I ବାଦଲ ଫାଟିବାର ପ୍ରକୄତ କାରଣ ଅଲଗା ହୋଇଥିଲେ ସୁଦ୍ଧା ପୂର୍ବର ଏହି ନାମକରଣ ଏବେ ମଧ୍ୟ ପ୍ରଚଳିତ ହେଉଛି I

            ଯେତେବେଳେ ଜଳୀୟବାଷ୍ପ ଭରା ମୌସୁମୀ ବାୟୁ  କୌଣସି ଉଚ୍ଚ ପର୍ବତରେ ବାଧା ପାଇ ଏହାର  ତୀଖ ପୄଷ୍ଠ ଦେଇ ଉପରକୁ ଉଠିବା ପାଇଁ ବାଧ୍ୟ ହୁଏ , ଏହା ଅଚାନକ ପ୍ରସାରିତ ହୋଇ ଶୀତଳତା ସୄଷ୍ଟିକରେ I ଏଥିରେ ଥିବା ସମସ୍ତ ଜଳୀୟବାଷ୍ପ ଘନୀଭୂତ ହୋଇ  ଜଳକଣାରେ ପରିଣତ ହୁଏ I ମାତ୍ର ଏହି ଜଳକଣା ଉର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତର ସଂଘାତରେ  ତଳେ ଖସି ନପଡି ଆକାଶରେ  ବିପୁଳ ଜଳକଣା ଭରା ଏକ ବିଶାଳ  ପିଣ୍ଡ  ରୂପରେ ଜମା ହୋଇ  ରହେ I ଜଳୀୟବାଷ୍ପ ଭରା ଏହି ବିଶାଳ ପିଣ୍ଡ କିନ୍ତୁ ବାସ୍ତବରେ ଅତ୍ୟନ୍ତ ଅସ୍ଥିର ଓ ଅସ୍ଥାୟୀ  ଅଟେ I  ସମୟକ୍ରମେ, ଉର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତ ଦୁର୍ବଳ ହୋଇଗଲେ, ଏହି  ପିଣ୍ଡର ସମସ୍ତ ଜଳକଣା ଏକାବେଳକେ ତଳକୁ ଖସି ପଡିଥାଏ I ଏହାକୁ 'ବାଦଲ ଫାଟିବା' ଘଟଣା କୁହାଯାଏ I

  ଭାରତରେ ପ୍ରଳୟଙ୍କରୀ ବାଦଲ ଫଟା ଘଟଣା

            1908 ମସିହା  ସେପ୍ଟେମ୍ବର 28 ତାରିଖରେ ବାଦଲ ଫାଟିବା ଯୋଗୁଁ  ତେଲେଙ୍ଗାନା ରାଜ୍ୟର  ମୁସି ନଦୀରେ ଅଚାନକ ଜଳସ୍ତର 3 ରୁ 4 ମିଟର ବୄଦ୍ଧି ପାଇଥିଲା I  ଏହାଦ୍ୱାରା ପ୍ରବଳ ବନ୍ୟା ଆସି ନଦୀ କୂଳରେ ଥିବା 15,000 ଲୋକଙ୍କ ମୄତ୍ୟୁ ଘଟିବା ସାଙ୍ଗକୁ ସମୁଦାୟ 80,000 ଘର ଭାସି ଯାଇଥିଲା I  1970 ମସିହା ଜୁଲାଇ 20 ତାରିଖରେ ଅଳକାନନ୍ଦା ନଦୀର ଉପରମୁଣ୍ଡ ଜଳଗ୍ରହଣ କ୍ଷେତ୍ରରେ ବାଦଲ ଫାଟିବା ଦ୍ୱାରା ଅଚାନକ ବନ୍ୟା ଆସି  13ଟି ସେତୁ, 30 ଟି ତୀର୍ଥଯାତ୍ରୀ ବସ୍ ସମେତ ଏକ ବସ୍ତି  ସମ୍ପୂର୍ଣ୍ଣ ଭାସି ଯାଇଥିଲା I 1997 ମସିହା ଅଗଷ୍ଟ 15 ତାରିଖରେ ହିମାଚଳ ପ୍ରଦେଶର ସିମଲା ଜିଲ୍ଲାର ଚିଦଗାଓଁଠାରେ ବାଦଲ ଫାଟିବା କାରଣରୁ 115 ଜଣ ଲୋକଙ୍କ ମୄତ୍ୟୁ ଘଟିଥିଲା I  1998 ମସିହା ଅଗଷ୍ଟ 17 ତାରିଖରେ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ବାଦଲ ଫାଟିବା ଯୋଗୁଁ ଭୂସ୍ଖଳନ  ଘଟି ବହୁ କୈଳାଶ-ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ  ସମୁଦାୟ 250 ଜଣ ଲୋକଙ୍କ ମୄତ୍ୟୁ ଘଟିଥିଲା I 2003 ମସିହା ଜୁଲାଇ 16 ତାରିଖରେ ହିମାଚଳ ପ୍ରଦେଶର ଶିଲାଗଢଠାରେ ବାଦଲ ଫାଟିବାରୁ ଅଚାନକ ବନ୍ୟା ଆସି 40 ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା I 2005 ମସିହା ଜୁଲାଇ 26 ତାରିଖରେ ବାଦଲ ଫାଟିବା ଯୋଗୁଁ ବାଣିଜ୍ୟ ନଗରୀ ମୁମ୍ବାଇରେ 8 ଘଣ୍ଟା ସମୟ ମଧ୍ୟରେ 950 ମି.ମି. ବୄଷ୍ଟିପାତ ହୋଇଥିଲା ଯାହାଦ୍ୱାରା 1000 ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରେଇଥିଲେ I 2009 ମସିହା ଅଗଷ୍ଟ 7 ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ ଜିଲ୍ଲାର ମୁନସ୍ୟାରି ଗାଁ ନିକଟରେ ବାଦଲ ଫାଟିବା ଫଳରେ ଭୂସ୍ଖଳନ ଘଟି 38 ଜଣ ଲୋକ ପ୍ରାଣ ହରେଇଥିଲେ I 2010 ମସିହା ସେପ୍ଟେମ୍ବର ମାସରେ ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡା ଠାରେ ବାଦଲ ଫାଟିବା ଯୋଗୁଁ ବନ୍ୟା ଆସି ଦୁଇଟି ଗାଁ ସମ୍ପୂର୍ଣ୍ଣ  ବୁଡି ଯାଇଥିଲା ଏବଂ ଅଧିକାଶ ଗ୍ରାମବାସୀଙ୍କ ମୄତ୍ୟୁ ଘଟିଥିଲା I ସେହି 2010 ମସିହା ଅଗଷ୍ଟ 6 ତାରିଖରେ ଲଦାଖ କ୍ଷେତ୍ରର  ସୀମନ୍ତ ସହର ଲେହଠାରେ ବାଦଲ ଫାଟିବାରୁ 179 ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା I 2013 ମସିହା ଜୁନ୍ ମାସରେ ଉତ୍ତରାଖଣ୍ଡ ରାଜ୍ୟର କେଦାରନାଥଠାରେ  ବାଦଲ ଫାଟିବରୁ 5000 ଲୋକଙ୍କ ମୄତ୍ୟୁ ଘଟିଥିଲା I 2018 ମସିହା ମଇ ମାସରେ ସେହି  ଉତ୍ତରାଖଣ୍ଡ ରାଜ୍ୟର ଚମୋଲୀ ଜିଲ୍ଲାରେ ବାଦଲ ଫାଟିବା ଦ୍ୱାରା ଅନେକ ଯାନବାହନ ଆବର୍ଜନା ଓ କାଦୁଅରେ ପୋତି ହୋଇ ପଡିଥିଲା I  2021 ମସିହା ଜୁଲାଇ 21 ତାରିଖରେ  ଜାମୁ-କାଶ୍ମୀରର କିସ୍ତୱାଡା ଜିଲ୍ଲାର ଦଛନ ଅଞ୍ଚଳରେ   ବାଦଲ ଫାଟିବାରୁ 26 ଜଣ ଲୋକଙ୍କ ମୄତ୍ୟୁ ଘଟିଥିଲା I

 ହିମାଳୟ ଅଞ୍ଚଳ ବାଦଲଫଟା ପ୍ରବଣ କାହିଁକି?

    ହିମାଳୟ ପର୍ବତମାଳାରେ ସମୁଦ୍ର ପତ୍ତନଠାରୁ ବହୁ ଉର୍ଦ୍ଧ୍ୱରେ  ଅବସ୍ଥିତ କିଛି ଅଞ୍ଚଳ ଯଥା ବଦ୍ରିନାଥ, କେଦାରନାଥଠାରେ ଅଧିକାଂଶ ବାଦଲ ଫାଟିବା ଘଟଣା ଦେଖିବାକୁ ମିଳିଥାଏ I ବଦ୍ରିନାଥ ଓ କେଦାରନାଥର ସମୁଦ୍ର ପତ୍ତନଠାରୁ ଉଚ୍ଚତା ଯଥାକ୍ରମେ 3300 ଓ 3583 ମିଟର I ଏଠାକାର ଉତ୍ତୁଙ୍ଗ ପର୍ବତମାଳାରେ ବାଧା ପାଇ  ଜଳୀୟବାଷ୍ପ ଭରା ମୌସୁମୀବାୟୁ ଆକାଶରେ ବିପୁଳ ମାତ୍ରାରେ ଜମା ହେବାକୁ ଲାଗେ ଏବଂ ବାଦଲ ଫାଟିବା ପାଇଁ ଅନୁକୂଳ ପରିସ୍ଥିତି ସୄଷ୍ଟି କରେ I କିଛି ବାଦଲ ଫାଟିବା ଘଟଣା ମଧ୍ୟ ସମତଳ ଭୂମିରେ ଲକ୍ଷ୍ୟ କରାଯାଏ I

 ବାଦଲଫଟା ଓ ପ୍ରବଳ ବର୍ଷା ମଧ୍ୟରେ ପାର୍ଥକ୍ୟ କ'ଣ?

    କୌଣସି ସ୍ଥାନରେ ବୄଷ୍ଟିପାତ ପରିମାଣକୁ ସାଧରଣତଃ ମିଲିମିଟର ( ମି.ମି.) ଏକକରେ ପ୍ରକାଶ କରାଯାଏ I ଏହି ଏକକରେ, ବୃଷ୍ଟିପାତ ସମୟରେ 1 ବର୍ଗ ମିଟର ଅଞ୍ଚଳ ଉପରେ 1 ଲିଟର  ବର୍ଷାଜଳ ସଂଗୄହୀତ  ହେଲେ ତାହାକୁ 1 ମି.ମି. ବୄଷ୍ଟିପାତ ବୋଲି ଧରାଯାଏ I ଘଣ୍ଟାକୁ ବୄଷ୍ଟିପାତ ପରିମାଣ  2.5 ମି.ମି. କିମ୍ବା ତା'ଠାରୁ କମ୍ ହେଲେ ତା'ହାକୁ ସ୍ୱଳ୍ପ ବର୍ଷା ( Light Rain) , 2.5 ମି.ମି. ରୁ 10 ମି.ମି.  ମଧ୍ୟରେ ସୀମିତ  ରହିଲେ ମଧ୍ୟମ ବର୍ଷା  (Moderate Rain) , 10 ମି.ମି. ରୁ 50 ମି.ମି. ମଧ୍ୟରେ ରହିଲେ  ଭାରି ବର୍ଷା (Heavy rain)  ଏବଂ 50 ମି.ମି. ରୁ ଅଧିକ ହେଲେ ପ୍ରବଳ ବର୍ଷା (Violent Rain ) ବୋଲି କୁହାଯାଏ I ମାତ୍ର କୌଣସି ସ୍ଥାନରେ ଏକ ଘଣ୍ଟା ସମୟ ମଧ୍ୟରେ 100 ମି.ମି. କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହୋଇଗଲେ ତାହାକୁ ପାଣିପଗ ବିଜ୍ଞାନର ପରିଭାଷା ଅନୁଯାୟୀ  'ବାଦଲ ଫାଟିବା' ବୋଲି କୁହାଯିବ I ଅର୍ଥାତ , କୌଣସି ସ୍ଥାନରେ ବୄଷ୍ଟିପାତକୁ  'ବାଦଲ ଫାଟିବା' କୁହାଯିବା ପାଇଁ ହେଲେ ପ୍ରବଳ ବର୍ଷା (Heavy rain) ପରିସ୍ଥିତି  ସମୟରେ ହେଉଥିବା ବୄଷ୍ଟିପାତ ପରିମାଣର ଦ୍ୱିଗୁଣ  କିମ୍ବା ତା'ଠାରୁ ଅଧିକ ବର୍ଷା ହେଉଥିବା ଆବଶ୍ୟକ I

            ବିଶ୍ୱର ସବୁଠାରୁ ପ୍ରଳୟଙ୍କରୀ ବାଦଲଫଟା ଘଟଣା 1972 ନଭେମ୍ବର 26 ତାରିଖରେ ଆଟଲାଣ୍ଟିକ  ମହାସାଗରର କାରିବିଆନ୍ ସାଗର ମଧ୍ୟରେ ଅବସ୍ଥିତ ଫ୍ରାନ୍ସ ଶାସିତ ଏକ ଦ୍ୱୀପପୁଞ୍ଜ ଗୁଆଡେଲୁପ (Guadeloupe) ର ବସେ-ଟେରେ ( Basse-Terre) ଦ୍ୱୀପରେ ଦେଖିବାକୁ ମିଳିଥିଲା ଯେଉଁଥିରେ ମାତ୍ର  1 ମିନିଟ ସମୟ ମଧ୍ୟରେ 38.10 ମି.ମି. ପରିମାଣର ବୄଷ୍ଟିପାତ ରେକର୍ଡ କରା ଯାଇଥିଲା I

                ଏବେ ବିଶ୍ୱରେ ବାଦଲ ଫାଟିବା ଘଟଣାର ପ୍ରବଳତା ତଥା  ବାରମ୍ବାରତା ବୄଦ୍ଧି ପାଉ ଥିବାର ପରିଲକ୍ଷିତ ହେଉଛି  I ପ୍ରକୄତିର  ଏହି ବିଗିଡା ମିଜାଜକୁ ମନୁଷ୍ୟକୄତ କାର୍ଯ୍ୟକଳାପ ଦ୍ୱାରା ସୄଷ୍ଟ ବିଶ୍ୱ ତାପନ ପ୍ରକ୍ରିୟା ସହିତ ସଂଶ୍ଳିଷ୍ଟ କରା ଯାଉଛି I ବାୟୁମଣ୍ଡଲ ଓ ସମୁଦ୍ରପୃଷ୍ଠର ତାପମତ୍ରା ବୄଦ୍ଧି ଯୋଗୁଁ  ଜଳର ବାଷ୍ପିଭବନ ପ୍ରକ୍ରିୟା ତ୍ୱରାନିତ ହେଉଛି ଏବଂ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ଜମା ହୋଇ ବାଦଲ ଫାଟିବା ଘଟଣାର କାରଣ  ହେଉଛି I  ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବାଦଲ ଫାଟିବା ଘଟଣା ଏକ ପ୍ରାକୄତିକ ବିତ୍ପାତ I ଏହି ପ୍ରାକୄତିକ ବିପର୍ଯ୍ୟୟ ସମୟରେ ଅଚାନକ ବନ୍ୟା ଆସେ ଏବଂ ଘରଦ୍ୱାର ପାଣିରେ ଭସେଇ ନିଏ I ଏଥିରେ ସାରା ବିଶ୍ୱରେ ପ୍ରତି ବର୍ଷ  ବହୁ ଧନଜୀବନ ହାନି ଘଟିଥାଏ I ମାତ୍ର ପାଣିପାଗ ବିଜ୍ଞାନର ଏବେକାର ଜ୍ଞାନକୌଶଳରେ ବନ୍ୟା, ବାତ୍ୟା ଭଳି ବାଦଲ ଫାଟିବା ଘଟଣାର ପୁର୍ବାନୁମାନ କରାଯାଇ  ପାରିବ ନାହିଁ ଏବଂ ଏଥି ନିମନ୍ତେ କୌଣସି ଆଗୁଆ ସୂଚନା ଜାରି କରିବା ସମ୍ଭବ ନୁହେଁ I କେବଳ  ବାଦଲ ଫାଟିବା ପ୍ରବଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ବ୍ୟକ୍ତିଗତ ସତର୍କତା ଅବଲମ୍ବନ ହିଁ ଏଥି ନିମନ୍ତେ ଏକମାତ୍ର ପ୍ରତିକାର ବ୍ୟବସ୍ଥା I

                                                                                                      ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                                                  ଭୁବନେଶ୍ୱର

                                                                                                             ଫୋନ୍ : 8018708858

 



To read the same article published in The Dharitri dated 08.01 22 , please click the link given below : http://dharitriepaper.in/m/342310/62e6f22387083



Comments

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?