ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ

 


ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ

                                                                                  ନିକୁଂଜ ବିହାରୀ ସାହୁ

        ଆମର ପରିବେଶ ଏକ ଜଟିଳ ଗତିଶୀଳ  ବ୍ୟବସ୍ଥା I ଏହା ଉଭୟ ସଜୀଵ ଓ ନିର୍ଜୀବ  ଉପାଦାନକୁ ନେଇ ଗଢା I ସଜୀବ ବସ୍ତୁମାନଙ୍କ ମଧ୍ୟରେ ପ୍ରାଣୀ ଓ ଉଦ୍ଭିଦ ଅନ୍ତର୍ଭୁକ୍ତ ଥିଲାବେଳେ ନିର୍ଜୀଵ ବସ୍ତୁମାନଙ୍କ ମଧ୍ୟରେ ବାୟୁ, ଜଳ ଓ ମୄତ୍ତିକା ଇତ୍ୟାଦିକୁ ବିଚାର କରାଯାଏ I ଏକ ପରିବେଶରେ ଥିବା  ବିଭିନ୍ନ ଉପାଦାନମାନଙ୍କ  ମଧ୍ୟରେ ଶକ୍ତି ଓ ପଦାର୍ଥର  ବିନିମୟ ଘଟିଥାଏ I ଆମେ କିଛି ପଦାର୍ଥ ପରିବେଶରୁ ଗ୍ରହଣ କରୁଥିଲାବେଳେ ଆଉ କିଛି ପଦାର୍ଥ ପରିବେଶକୁ ପ୍ରଦାନ କରିଥାଉ I ଉଦାହରଣ ସ୍ୱରୂପ, ଆମେ ପରିବେଶରୁ ମୁଖ୍ୟତଃ ଖାଦ୍ୟ, ଜଳ, ବାୟୁ, ଉତ୍ତାପ ଆଦି ନେଉଥିଲାବେଳେ ପରିବେଶକୁ ଅଙ୍ଗାରକାମ୍ଳ ଗ୍ୟାସ ଭଳି କିଛି ପଦାର୍ଥ ନିର୍ଗତ କରିଥାଉ I ଆମେ ପରିବେଶରୁ ନେଉଥିବା ଓ ପରିବେଶକୁ ଦେଉଥିବା ପଦାର୍ଥ ମଧ୍ୟରେ ଏକ ସନ୍ତୁଳନ ସ୍ଥିତି ସୄଷ୍ଟି ହୋଇ ଆମ ଜୀବମଣ୍ଡଳରେ  ଜୀବନ ବଞ୍ଚିବା ପାଇଁ ଏକ ସୁହନୀୟ ପରିସ୍ଥିତି ସୃଷ୍ଟି ହୁଏ I  ଏଥି ମଧ୍ୟରୁ ଏକ ପରିସ୍ଥିତି ହେଉଛି ପୄଥିବୀର ହାରାହାରି ତାପମାତ୍ରା ଯାହା 15 ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରହିଥାଏ I ଏହି ମୃଦୁ  ତାପମାତ୍ରାରେ ହିଁ ପୃଥିବୀରେ ବିଶାଳ ବିବିଧତା ବିଶିଷ୍ଟ ଏକ ଜୀବଜଗତ ଗଢି ଉଠିଛି I

     ମାତ୍ର ଘୋର ପରିତାପର ବିଷୟ ଯେ, ବିଶେଷକରି ଅଷ୍ଟାଦଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରଠାରୁ ଆମେ ପରିବେଶରୁ ନିଜର ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ  ନେଉଥିବା ପଦାର୍ଥ ତୁଳନାରେ ଭରଣା ପାଇଁ ଯଥେଷ୍ଟ କମ୍   ପଦାର୍ଥ ପରିବେଶକୁ ପ୍ରଦାନ କରିଛୁ I ଆହୁରି ମଧ୍ୟ, ପ୍ରକୄତି ସହିତ ଆମର ହସ୍ତକ୍ଷେପ ଯୋଗୁଁ ପରିବେଶର ସନ୍ତୁଳନ ଯଥେଷ୍ଟ ବିଗିଡି ଯାଇଛି I ଏଥି ମଧ୍ୟରୁ ଏକ ମୂଖ୍ୟ ପରିବେଶୀୟ ସମସ୍ୟା ହେଉଛି: ପୄଥିବୀର ତାପମାତ୍ରା ବୄଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ I ପୄଥିବୀର ତାପମାତ୍ରା ବୄଦ୍ଧିର ମୂଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ  ଭଳି କିଛି ସବୁଜଘର ବାଷ୍ପର  ପରିମାଣ ବୄଦ୍ଧି I ବିଶେଷକରି କୋଇଲା, ପେଟ୍ରୋଲିୟମ୍ ଭଳି ଜୀବାଶ୍ମ ଇନ୍ଧନର ଦହନ ଏବଂ  ଗାଡିମଟର ତଥା କଳକାରଖନାରୁ ନିର୍ଗତ ବିପୁଳ ଅଙ୍ଗାରକାମ୍ଳ   ଗ୍ୟାସ୍ ଯୋଗୁଁ ମାତ୍ରାଧିକ ସବୁଜଘର ପ୍ରଭାବ ସୄଷ୍ଟି ହୋଇଛି ଯାହା ଫଳରେ ବିଶ୍ୱର  ତାପମାତ୍ରା ଆଶାତୀତ ବୄଦ୍ଧି ପାଇଛି I ଏକ ଆକଳନରୁ ଜଣାପଡେ ଯେ, ପ୍ରାକ୍ ଶିଳ୍ପ ବିପ୍ଳବ ପରଠାରୁ ବିଶ୍ୱର ତାପମାତ୍ରା ପ୍ରାୟ 1 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ଏବଂ ଏହି ତାପମାତ୍ରା ପ୍ରତି 10 ବର୍ଷକୁ 0.2 0C ହାରରେ ବୄଦ୍ଧି   ପାଉଛି  I ଏହା ଅଙ୍କ ଦୄଷ୍ଟିରୁ ଏତେଟା ଉଦବେଗଜନକ   ନଥିଲେ ମଧ୍ୟ ପୄଥିବୀର ସୂକ୍ଷ୍ମ ପରିବେଶୀୟ ସନ୍ତୁଳନ ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ I

                      ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ   ଗ୍ୟାସ୍ ର ମାତ୍ରା ସାଧାରଣତଃ  0.03 % I ପୄଥିବୀରେ ଜୀବନ ବଞ୍ଚିବା ପାଇଁ ସବୁଜଘର ବାଷ୍ପ କିଛି ମାତ୍ରାରେ ଆବଶ୍ୟକ I ସବୁଜଘର ବାଷ୍ପସବୁ ସୂର୍ଯ୍ୟରୁ ଅସୁଥିବା ତାପରଶ୍ମି ଶୋଷଣ କରିବା ଫଳରେ  ପୄଥିବୀରେ ପୃଥିବୀରେ  ଜୀବନ ବଞ୍ଚିବା ପାଇଁ ସର୍ବନିମ୍ନ ଉଷ୍ମତା ସୄଷ୍ଟି ହୁଏ I ଆମ ବାୟୁମଣ୍ଡଳରେ ସବୁଜଘର ବାଷ୍ପ ନଥିଲେ ପୄଥିବୀର ହାରାହାରି ତାପମାତ୍ରା ଏବେକାର 14 0C ସୀମା ପରିବର୍ତ୍ତେ -25 0C ଅଙ୍କକୁ ଖସି ଆସିଥା'ନ୍ତା ଯେଉଁଥିରେ ଜୀବନ ବଞ୍ଚିବା ସମ୍ଭବ ହୁଅନ୍ତା ନାହିଁ I ମାତ୍ର ବିଗତ ଦିନମାନଙ୍କରେ  ବ୍ୟାପକ ଶିଳ୍ପାୟନ ଓ ଗାଡ଼ିମଟର ସଂଖ୍ୟାର ଆଶାତୀତ ବୃଦ୍ଧି ଯୋଗୁଁ  ବାୟୁମଣ୍ଡଳକୁ  ବିପୁଳ ସବୁଜଘର ବାଷ୍ପ ଉତ୍ସର୍ଜନ ଘଟି ମାତ୍ରାଧିକ ସବୁଜଘର ପ୍ରଭାବ ସୄଷ୍ଟି ହୋଇଛି, ଯାହା ଫଳରେ ବିଶ୍ୱର ତାପମାତ୍ରା କ୍ରମାଗତ ବଢିବାରେ ଲାଗିଛି I ଏକ ଆକଳନରୁ ଜଣାପଡେ ଯେ, ଗତ 2019 ମସିହାରେ ଆମ ବାୟୁମଣ୍ଡଳରେ ଦୁଇଟି ମୂଖ୍ୟ ସବୁଜଘର ବାଷ୍ପ ଯଥା ଅଙ୍ଗାରକାମ୍ଳ ଗ୍ୟାସ ଓ ମିଥେନର ପରିମାଣ ପ୍ରାକ୍ ଶିଳ୍ପ ବିପ୍ଳବ ତୁଳନାରେ  ଯଥାକ୍ରମେ 48% ଓ 160%  ବୄଦ୍ଧି ପାଇଛି I ଏହି ପ୍ରକ୍ରିୟାକୁ 'ବିଶ୍ୱ ଉତ୍ତପ୍ତିକରଣ' କୁହାଯାଏ I

    ଆମାଜନ୍ ନଦୀର ଅବବାହିକାର ବର୍ଷାବନ ପୄଥିବୀରୁ ଉତ୍ସର୍ଜିତ ଅଧିକାଂଶ ଅଙ୍ଗାରକାମ୍ଳ ଗ୍ୟାସକୁ ଶୋଷି ନେଉଥିବାରୁ ଏହାକୁ 'ପୄଥିବୀର ଫୁସଫୁସ' ବୋଲି କୁହାଯାଏ I ମାତ୍ର ଅବାଧ ଜଙ୍ଗଲକଟା ଓ ଜଙ୍ଗଲପୋଡି ଯୋଗୁଁ ଏହି ବିରଳ ଜଙ୍ଗଲ ଏବେ ଦ୍ରୁତ ସଙ୍କୁଚିତ ହେଉଛି I ଏକ ଆକଳନରୁ ଜଣାପଡେ ଯେ, ଏବେ ଦୈନିକ  ପ୍ରାୟ 2,00,000 ଏକର ଆମାଜନ ଜଙ୍ଗଲ ନଷ୍ଟ ପାଉଛି,  ଅର୍ଥାତ ମିନିଟକୁ   ପ୍ରାୟ 150 ଏକର ଜଙ୍ଗଲର ଅବକ୍ଷୟ ଘଟୁଛି I ଏବେ ଏହି ଜଙ୍ଗଲର ପ୍ରାୟ 20% ନଷ୍ଟ ପାଇ  ଗଲାଣି  ଏବଂ ଏହି ଧାରା ଅବ୍ୟାହତ ରହିଲେ ଏହା ଆଗାମୀ ଦିନରେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ I 

            ବିଶ୍ୱ ଉତ୍ତପ୍ତିକରଣର ଏକ ସିଧାସଳଖ ପରିଣାମ ହେଉଛି ଜଳବାୟୁ ପରିବର୍ତ୍ତନ I ଅର୍ଥାତ , ବର୍ଷକୁ ଖରା, ବର୍ଷା , ଶୀତ ଯେଉଁ ସମୟରେ ଓ ଯେତିକି ମାତ୍ରାରେ ଘଟିବା କଥା ତାହା ଆଉ ହେଉ ନାହିଁ I ଭାରତୀୟ କୄଷିର ମୂଳାଧାର ମୌସୁମୀ ବାୟୁ ଆଜି ବେସୁରା ଓ ଅନିୟମିତ I ବର୍ଷାର  ଅଭାବରେ ଦିନେ ଯେଉଁ ଶସ୍ୟକ୍ଷେତ ଥିଲା  ସବୁଜିମାମୟ , ତାହା ଆଜି ଟାଙ୍ଗରା ଓ ସୃଜନତାଶୂନ୍ୟ ପାଲଟି ଯାଇଛି I ଖରାଦିନର ତାପମାତ୍ରା ଏବେ ଭାରତର କିଛି ଅଞ୍ଚଳରେ 50 0C ସୀମା ଛୁଇଁଲାଣି I ସେହିପରି ଶୀତଦିନର ତାପମାତ୍ରା ଭାରତର କିଛି ଅଞ୍ଚଳରେ 00C ତଳକୁ ମଧ୍ୟ ଖସି ଗଲାଣି I କ୍ରାନ୍ତିମଣ୍ଡଳୀୟ ସାମୁଦ୍ରିକ ଝଡର ସଂଖ୍ୟା ଆଶାତୀତ ବୄଦ୍ଧି ପାଇଛି ଏବଂ ଗୋଟିକ ପରେ ଗୋଟିଏ ଝଡ  ତାଣ୍ଡବ ରଚନା କରି ଚାଲି ଯାଉଛନ୍ତି I ବର୍ଷାର ଅଭାବରେ ନଦୀ ଆଜି ଶୁଖିଲା ଓ ଛନ୍ଦହୀନା  I ଏବେକାର ପାନୀୟଜଳ ତଥା କୄଷିର ମୂଖ୍ୟ ଉତ୍ସ ଭୂତଳ ଜଳସ୍ତର ଉପରେ ଅତ୍ୟଧିକ ଚାପ ପ୍ରୟୋଗ ଯୋଗୁଁ ଭୂତଳ ଜଳସ୍ତର  କମି କମି ଯାଉଛି I ସୁତରାଂ ବିଶ୍ୱର ଅଧିକାଂଶ ଦେଶରେ ଏବେ ଉତ୍କଟ ଜଳାଭାବ  ଦେଖା ଦେଇଛି I ବନ୍ୟା, ବାତ୍ୟା, ଜଙ୍ଗଲନିଆଁ  ଓ ମରୁଡିର ସଂଖ୍ୟା ଦିନକୁଦିନ  ବୄଦ୍ଧି ପାଉଛି I ଜଳବାୟୁ ପରିବର୍ତ୍ତନ ମଧ୍ୟ ଲୋକଙ୍କ ଜୀବନ ଓ ଜୀବିକା ଉପର ଘୋର ପ୍ରଭବ ପକାଇଛି I ଜଙ୍ଗଲ ଉଜୁଡିଯିବା ଦ୍ୱାରା ବନ୍ୟଜାତ ଦ୍ରବ୍ୟ  ଉପରେ ନିର୍ଭର କରି ଚଳୁଥିବା ସ୍ଥାନୀୟ ଲୋକଙ୍କ ଜୀବିକା ବାଧାପ୍ରାପ୍ତ ହୋଇଛି I ସେହିପରି ସମୁଦ୍ରର ଅମ୍ଳୀୟ ଜଳରାଶିରେ ମାଛମାନଙ୍କ ଏନ୍ତୁଡିଶାଳ  'ପ୍ରବାଳ ପ୍ରାଚୀର' ବିଶେଷ କ୍ଷତିଗ୍ରସ୍ତ ହେବା ଦ୍ୱାରା ବିଶ୍ୱସାରା  ସାମୁଦ୍ରିକ ବାଣିଜ୍ୟ ଓ ବିଶେଷକରି ମତ୍ସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଜୀବିକା ଉଜୁଡି ଯାଇଛି I ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱ ଅର୍ଥନୀତିର ଆହୁରି ଅନେକ କ୍ଷେତ୍ର ଯଥା  ପର୍ଯ୍ୟଟନ, ବୀମା, ସ୍ୱାସ୍ଥ୍ୟ , ମନୋରଂଜନ ଆଦି  ଘୋର କ୍ଷତିଗ୍ରସ୍ତ ହୋଇଛି I ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାପେକ୍ଷା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି  ବିଶ୍ୱର  ଦରିଦ୍ର ଅନଗ୍ରସର ଦେଶର ଲୋକମାନେ ଯାହାର ପ୍ରଭାବ ବେଶୀ ପଡିଛି   ଶିଶୁ ଓ ମହିଳାମାନଙ୍କ ଉପରେ , ଯେହେତୁ  ଜଳବାୟୁ ପରିବର୍ତ୍ତନର ନୂତନ ପରିସ୍ଥିତି ସହିତ ଖାପଖୁଆଇ ଚଳିବା ପାଇଁ ଏମନଙ୍କ ନିକଟରେ ଯଥେଷ୍ଟ ସମ୍ବଳ ଓ ପ୍ରଯୁକ୍ତି ଉପଲବ୍ଧ ନାହିଁ I

 ଏବେକାର ଆଉ ଏକ ମୁଖ୍ୟ ସମସ୍ୟା ହେଉଛି ପ୍ଲାଷ୍ଟିକ ପ୍ରଦୂଷଣ I ପ୍ଲାଷ୍ଟିକ ଏବେ ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଂଗ ପାଲଟି ଯାଇଛି  I ମାତ୍ର ପ୍ଲାଷ୍ଟିକ ପଦାର୍ଥସବୁ ଜୈବ ବିଘଟନଶୀଳ ହୋଇ ନଥିବାରୁ ମାଟିରେ ମିଶିପାରେ ନାହିଁ ଏବଂ ସ୍ଥଳ ଓ ଜଳ ଭାଗରେ ଦୀର୍ଘ ଦିନ ଜମା ହୋଇ ପରିବେଶୀୟ ସଙ୍କଟ ସୃଷ୍ଟି କରେ I ଏକ ଆକଳନରୁ ଜଣାପଡେ ଯେ, ଏବେ ବର୍ଷକୁ ସମୁଦ୍ରରେ ପ୍ରାୟ 8 ନିୟୁତ ଟନ ପ୍ଲାଷ୍ଟିକ ଆବର୍ଜନା ସମୁଦ୍ରରେ ମିଶୁଛି I ଏହା କ୍ରମଶଃ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ସାର୍କ, କଇଁଛ, ଡଲଫିନ ଭଳି ଜୀବଙ୍କ ଶରୀରରେ ପ୍ରବେଶ କରୁଛି  I ପ୍ରାୟ 90% ସାମୁଦ୍ରିକ ପକ୍ଷୀଙ୍କ ଶରୀରରେ ପ୍ଲାଷ୍ଟିକର ଅବଶେଷ ମିଳି ଥିବାର ଜଣା ପଡିଛି  I ଏବେ ବିଶ୍ୱରେ ବର୍ଷକୁ ପ୍ରାୟ 400 ନିୟୁତ ଟନ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି I ଏଥି ମଧ୍ୟରୁ ମାତ୍ର 9% ପୁନଃଚକ୍ରୀକରଣ ହେଉଥିଲାବେଳେ 14% ପଦାର୍ଥକୁ ପୋଡି ନଷ୍ଟ କରିଦିଆଯାଏ I ଅବଶିଷ୍ଟ ପ୍ଲାଷ୍ଟିକ ଆମ ଜୈବମଣ୍ଡଳରେ ପ୍ରବେଶ କରି ବିଭିନ୍ନ ପରିବେଶୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ I

         ସୁତରାଂ ଜଳବାୟୁ ପରିବର୍ତ୍ତନ ଓ ପ୍ଲାଷ୍ଟିକ ପ୍ରଦୂଷଣ ସାରା ପୃଥିବୀ ପାଇଁ ଘୋର ଦୁର୍ଦ୍ଦିନ ଓ ଦୁର୍ଦ୍ଦଶା ଆଣି ଦେଇଛି I ତେବେ ଉପାୟ କଣ ? ଆମକୁ  ତୁରନ୍ତ ପ୍ରକୄତି ବିରୋଧୀ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ପଡିବ I ଉଜୁଡା ଜଙ୍ଗଲ ସ୍ଥାନରେ ନୂତନ ଅରଣ୍ୟ ସୃଷ୍ଟି କରିବାକୁ ପଡିବ I ଆମକୁ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ନବୀକରଣଯୋଗ୍ୟ ନୂତନ ସବୁଜ ଇନ୍ଧନ ଉତ୍ସର ସନ୍ଧାନ କରିବାକୁ ପଡିବ I ପାଖ ସ୍ଥାନକୁ ଯିବାକୁ ହେଲେ ମଟରଗାଡି  ପରିବର୍ତ୍ତେ ସାଇକେଲ ବ୍ୟବହାର କରିବାକୁ  ପଡିବ I  ଆବଶ୍ୟକ ନଥିବା ସମୟରେ ଘରର ପଙ୍ଖା, ବିଜୁଳିବତୀ ଇତ୍ୟାଦିକୁ ବନ୍ଦ ରଖିବାକୁ ପଡିବ I ପ୍ଲାଷ୍ଟିକ ପଦାର୍ଥ ଓ ପଲିଥିନ୍ ଜରି ମାଟିରେ ମିଶୁ ନଥିବାରୁ ଏହାର ବ୍ୟବହାର ହ୍ରାସ କରିବାକୁ ପଡିବ ଏବଂ ଏହା ପରିବର୍ତ୍ତେ ଝୋଟ କିମ୍ବା କାଗଜର ବ୍ୟାଗ ବ୍ୟବହାର କରିବାକୁ ପଡିବ I ଶକ୍ତିଖର୍ଚ୍ଚରେ ମିତବ୍ୟୟତା ସାଙ୍ଗକୁ ଶକ୍ତି ସଞ୍ଚୟ ଆମର ଆଭିମୁଖ୍ୟ ହେବା ଉଚିତ I ଏହି ଧାରା ଅବ୍ୟାହତ ରହିଲେ ଦିନ ଆସିବ , ଆମ ପୄଥିବୀ ପୁଣି ହୋଇଯିବ ସୁଜଳା, ସୁଫଳା ଓ ଛନ୍ଦମୟୀ I ମାଟି ହେବ ଉର୍ବର ଓ ସମ୍ଭାବନାପୂର୍ଣ୍ଣ I ନଦୀ ହେବ ପ୍ରଗଳଭା ଓ ପ୍ରାଣଦାୟିନୀ I ମୌସୁମୀର ନୂପୁର  ନିକ୍ୱଣ ପୁଣି ଗୁଂଜରିତ ହୋଇ ଉଠିବ I ପ୍ରକୄତି ବିରୋଧୀ କାର୍ଯ୍ୟକଳାପ ପରିବର୍ତ୍ତେ ପ୍ରକୄତି ସହିତ ଚିରସ୍ଥାୟୀ ସହାବସ୍ଥାନ ହିଁ ଆମ ପରିବେଶକୁ ସୁରକ୍ଷିତ ରଖିବାର ଏକମାତ୍ର ପନ୍ଥା ଅଟେ I

 ପ୍ରକୃତି ସହିତ ସହବସ୍ଥାନର ଆମର ଏହି ଅଙ୍ଗୀକାରକୁ ସ୍ମରଣୀୟ କରିବା ପାଇଁ ପ୍ରତି ବର୍ଷ ଜୁନ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି I

                                                                                                     ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                             ଭୋପାଳ 

                                                                                                     ଫୋନ୍ : 8018708858





ଧରିତ୍ରୀ ସମ୍ବାଦପତ୍ର (05.06.2022) ରେ ପ୍ରକାଶିତ ଏହି ଲେଖାକୁ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ :

'ସକାଳ' ସମ୍ବାଦପତ୍ର (27.05.23) ରେ ପ୍ରକାଶିତ ଏହି ଲେଖାକୁ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ :

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ