ଭାରତର ମହାନ ପରମାଣୁ ପରୀକ୍ଷଣ

                                                                                 

                ବିଗତ 1998 ମସିହା ମଈ ମାସ 11 ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ I ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ  ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା ପରୀକ୍ଷା କରିଥିଲା I ପ୍ରଥମ ପରୀକ୍ଷାଟି ଏକ ବିଖଣ୍ଡନଶୀଳ (Fission) ବୋମା ଥିଲାବେଳେ ଅନ୍ୟ ଦୁଇଟି ପରୀକ୍ଷା ସଂଯୋଜନଶୀଳ (Fusion) ଉପକରଣ  ଥିଲା I ଏହି ପ୍ରଯୂକ୍ତିଗତ ଉପଲବ୍ଧି ସହିତ ଭାରତ ବିଶ୍ୱର ଷଷ୍ଠ ରାଷ୍ଟ୍ର ରୂପେ ପରମାଣୁ ରାଷ୍ଟ୍ରସମୂହ (Nuclear Club) ରେ ସାମିଲ ହୋଇଥିଲା I ଇତି ମଧ୍ୟରେ ଦୀର୍ଘ 24 ବର୍ଷ ବିତିଯାଇଥିଲେ ସୁଦ୍ଧା  ସେଦିନର ସେ କଥା ମନେ ପଡିଲେ ହୄଦୟ ଉଲ୍ଲସିତ ହେବା ସଙ୍ଗେସଙ୍ଗେ ରୋମ ଟାଙ୍କୁରି ଉଠେ I ଏଠାରେ ସେଦିନର ସେହି ଐତିହାସିକ ଘଟଣାର କିଛି ସ୍ମୃତି  ପରିବେଷଣ କରାଗଲା:

           ଭାରତର ଏହି ପରମାଣୁ ପରୀକ୍ଷଣ DRDO ସଂସ୍ଥାର ତତ୍କାଳୀନ ମୂଖ୍ୟ ତଥା ରାଷ୍ଟ୍ରପତିଙ୍କ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ଏ.ପି.ଜେଅବଦୁଲ କଲାମ ଏବଂ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ  ଡକ୍ଟର ଆର୍. ଚିଦାମ୍ବରମଙ୍କ ନେତୄତ୍ୱରେ ସମ୍ପାଦନ କରାଯାଇଥିଲା I ଆମେରିକାର ଗୁଇନ୍ଦା ସଂସ୍ଥା (CIA) ନିଜର ଗୁପ୍ତଚର ଉପଗ୍ରହଗୁଡୁକ ଜରିଆରେ  ଭାରତର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଉପରେ କଡା ନଜର ରଖିଥିବାରୁ ଏବଂ ଏଥି ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟାର ଆଶଙ୍କା ରହିଥିବାରୁ ଏହି ପରୀକ୍ଷାର ପ୍ରସ୍ତୁତି ଓ ରୂପାୟନ ପାଇଁ ସମ୍ପୂର୍ଣ୍ଣ ସତର୍କତା ଓ ଗୋପନୀୟତା ଅବଲମ୍ବନ କରାଯାଇଥିଲା I ବୈଜ୍ଞାନିକମାନେ ପ୍ରଥମେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ  ଛଦ୍ମ ନାମରେ ସାମରିକ ପୋଷାକ ପରିଧାନ କରି  ପରୀକ୍ଷଣସ୍ଥଳୀକୁ ଯାତ୍ରା କରିଥିଲେ I ଏପରିକି, ସେମାନଙ୍କର ନିକଟ ସମ୍ପର୍କୀୟମାନଙ୍କ ନିକଟରେ  ଏ ସମ୍ପର୍କରେ କୌଣସି ସୂଚନା   ନଥିଲା  ଏବଂ  ସରକାରଙ୍କ ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ଭାରତୀୟ ସେନାର ଇଂଜିନିୟରିଙ୍ଗ ବିଭାଗରେ ଏକ ସ୍ୱତନ୍ତ୍ର  ରେଜିମେଣ୍ଟ (58ତମ ଇଂଜିନିୟରିଙ୍ଗ ରେଜିମେଣ୍ଟ ) ଗଠନ କରାଯାଇ ପ୍ରସ୍ତୁତିର ସମ୍ପୂର୍ଣ୍ଣ ସୁରକ୍ଷା ଓ ଗୋପନୀୟତା ରକ୍ଷା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଥିଲା I ଆମେରିକାର  ଗୁଇନ୍ଦା ଉପଗ୍ରହର ନଜର ଏଡାଇବାକୁ    ଅଧିକାଂଶ ପ୍ରସ୍ତୁତି  କେବଳ  ରାତି ସମୟରେ ହିଁ  ସମ୍ପାଦନ କରାଯାଉଥିଲା ଏବଂ କାର୍ଯ୍ୟ ସରିଯିବା ପରେ  ସମସ୍ତ ସାମଗ୍ରୀକୁ ମୂଳସ୍ଥାନକୁ  ଫେରାଇ ନିଆଯାଉଥିଲା ଯାହା ଫଳରେ ସାମଗ୍ରୀସବୁ ଆଦୌ ସ୍ଥାନାନ୍ତରିତ  ହୋଇନଥିବାର ଭ୍ରମ ଧାରଣା ସୄଷ୍ଟି ହେଉଥିଲା I ପରୀକ୍ଷଣ ନିମନ୍ତେ ଖୋଳା ଯାଇଥିବା ଭୂତଳ ଗର୍ତ୍ତକୁ ସ୍ଥାନୀୟ ପରିବେଶ ସହିତ ମିଶି ଯାଉଥିବା ଭଳି ବିଭ୍ରମକାରୀ ରଙ୍ଗର ଜାଲି ଦ୍ୱାରା ଢଙ୍କା ଯାଉଥିଲା  ଏବଂ ନିର୍ଗତ ବାଲୁକାରାଶିକୁ ଏକ ପ୍ରାକୄତିକ ବାଲୁକାସ୍ତୁପ ଆକାରରେ ଜମା କରାଯାଉଥିଲା I

        ବୋମାର ସମସ୍ତ ସାମଗ୍ରୀକୁ ପରୀକ୍ଷଣର କିଛି ଦିନ ପୂର୍ବରୁ  ପ୍ରଥମେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରୁ ବାୟୁସେନାର ସ୍ୱତନ୍ତ୍ର  ବିମାନ ଜରିଆରେ ରାଜସ୍ଥାନର ଜଇସାଲମର ବିମାନଘାଟ୍ଟୀକୁ ସ୍ଥାନାନ୍ତରିତ କରାଯାଇଥିଲା I ସେଠାରୁ ସମସ୍ତ ସାମଗ୍ରୀକୁ ସେନାର 4ଟି ଟ୍ରକ୍ ଜରିଆରେ 4 ଥର କରି ପୋଖରାନ ପରୀକ୍ଷଣସ୍ଥଳୀକୁ ପରିବହନ କରାଯାଇଥିଲା I ପୋଖରାନଠାରେ ଯେଉଁ ଗୄହରେ ଏହି ପରମାଣୁ ସାମଗ୍ରୀ ରଖାଯାଇଥିଲା ତାହାକୁ 'ପ୍ରାର୍ଥନାଗୄହ' ବୋଲି ଛଦ୍ମନାମ ଦିଆ ଯାଇଥିଲା I ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରମାଣୁ ସାମଗ୍ରୀକୁ ଅତି ସତର୍କତାର ସହିତ 'L' ଆକୄତିର ଭୂତଳ ଗର୍ତ୍ତ ମଧ୍ୟକୁ ଖସାଇ ଦିଆଯାଇଥିଲା I ସଂଯୋଜନଶୀଳ  ପ୍ରଥମ ବୋମାକୁ 660 ଫୂଟ ଗଭୀରତାର ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲା ଯାହାର ଛଦ୍ମ ନାମ ଥିଲା 'ହ୍ୱାଇଟ୍ହାଉସ୍' I ତା'ପରେ ବିଖଣ୍ଡନଶୀଳ ବୋମାକୁ 490 ଫୂଟ ଗଭୀରତାର ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ଅବସ୍ଥାପିତ କରାଗଲା I ଏହି ଗର୍ତ୍ତର ଛଦ୍ମନାମ ଥିଲା 'ତାଜମହଲ' I ତା'ପରେ ତୄତୀୟ ନିମ୍ନ କିଲୋଟନ୍ ବୋମାକୁ 'କୁମ୍ଭକର୍ଣ୍ଣ' ଛଦ୍ମନାମରେ ନାମିତ ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲାବିସ୍ଫୋରଣ ଜନିତ ତେଜସ୍କ୍ରିୟ ଉତ୍ସର୍ଜନକୁ ପ୍ରତିହତ କରିବା ପାଇଁ ସେନାର ଇଂଜିନିୟରିଙ୍ଗ ବିଭାଗର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଏହି ସମସ୍ତ ଗର୍ତ୍ତକୁ ପରୀକ୍ଷଣର ଅବ୍ୟବହିତ ପୂର୍ବରୁ ଅତି ସନ୍ତର୍ପଣରେ ସିଲ୍ କରି ଦିଆଯାଇଥିଲା I

            ପରିଶେଷରେ ସେହି ବହୁ-ପ୍ରତୀକ୍ଷିତ ମୁହୂର୍ତ୍ତ ମଈ 11 ତାରିଖ ଉପସ୍ଥିତ ହୋଇଥିଲା I ପରୀକ୍ଷଣର ବାସ୍ତବ ସମୟ  ସ୍ଥାନୀୟ ପାଣିପାଗ ଏବଂ  ବିଶେଷକରି ବାୟୁପ୍ରବାହର ବେଗ ଉପରେ ବହୁମାତ୍ରାରେ  ନିର୍ଭର କରୁଥିଲା I ସକାଳ ସମୟରେ ବାୟୁପ୍ରବାହର ବେଗ ଅଧିକ ଥିବାରୁ ସେଦିନ ପରୀକ୍ଷଣ   ଅସମ୍ଭବ ଜଣା ପଡିବାରୁ  ବୈଜ୍ଞାନିକମାନେ ପ୍ରଥମେ ନିରାଶ ହୋଇ ପଡ଼ିଥିଲେ I ମାତ୍ର ଅପରାହ୍ନରେ ପାଗ  ଅଚାନକ ବଦଳିଯାଇ ବାୟୁପ୍ରବାହର ବେଗ  କମିବାରୁ ପରୀକ୍ଷଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଗଲା I ନିୟମ ଅନୁସାରେ,  DRDO ତରଫରୁ ପରୀକ୍ଷଣସ୍ଥଳୀର ପ୍ରସ୍ତୁତି ନିର୍ଦ୍ଦେଶକ ଦାୟିତ୍ୱରେ  ଥିବା ବୈଜ୍ଞାନିକ  ଡକ୍ଟର କେ. ସନ୍ଥନମ କାଉଣ୍ଟ ଡାଉନ୍ (ଅବଗଣନା) ପ୍ରକ୍ରିୟାକୁ ପ୍ରାରମ୍ଭ କରିବା  ନିମନ୍ତେ ଦୁଇଟି ବିଶେଷ ଚାବି ପରୀକ୍ଷଣସ୍ଥଳୀ ସୁରକ୍ଷା ଦାୟିତ୍ୱରେ ଥିବା ବୈଜ୍ଞାନିକ ଡକ୍ଟର ଏମ. ବାସୁଦେବଙ୍କୁ ହସ୍ତାନ୍ତର କଲେ I ଡକ୍ଟର   ବାସୁଦେବ ପରୀକ୍ଷଣର ସଫଳତା ନିମନ୍ତେ ସମସ୍ତ ସୂଚକ  ବ୍ୟବସ୍ଥାକୁ କଠୋର  ରୂପେ ଯାଞ୍ଚ କରି କାଉଣ୍ଟ ଡାଉନ୍  ଆରମ୍ଭ କରିବା ନିମନ୍ତେ ସେଥି ମଧ୍ୟରୁ ଗୋଟିଏ ଚାବି ଭାବା ପରମାଣୁ ଗବେଷଣା କେନ୍ଦ୍ରର ଜଣେ ପ୍ରତିନିଧି ଓ ଅନ୍ୟ ଗୋଟିଏ ଚାବି DRDO ର ଜଣେ ପ୍ରତିନିଧିଙ୍କୁ ହସ୍ତାନ୍ତର କଲେ I ନିର୍ଦ୍ଧାରିତ ଯୋଜନା  ମତେ କାଉଣ୍ଟ ଡାଉନ୍ ଆରମ୍ଭ ହେଲା ଏବଂ ଅପରାହ୍ନ 3.45 ମିନିଟ ସମୟରେ ପୃଥିବୀର ବୁକୁ ଥରାଇ ନିଥର ମରୁଭୂମିର ଭୁତଳ ଗର୍ତ୍ତ ମଧ୍ୟରେ ଉପକରଣଗୁଡିକର ପ୍ରଚଣ୍ଡ ବିସ୍ଫୋରଣ ଘଟିଲା I

          ବିସ୍ଫୋରଣର କିଛି ସମୟ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀଠାରେ  ଏକ ସମ୍ବାଦ ସମ୍ମିଳନୀ ଡାକି ଦୃପ୍ତ କଣ୍ଠରେ ଘୋଷଣା କଲେ , " ଆଜି ଅପରାହ୍ନ 3ଟା 45 ମିନିଟ ସମୟରେ ଭାରତ ସ୍ଥଳସେନାର ପୋଖରାନ ପରୀକ୍ଷଣସ୍ଥଳୀଠାରେ ତିନୋଟି ଭୂତଳ ପରମାଣୁ ବୋମାର ପରୀକ୍ଷା କରିଛି I ସମ୍ପାଦିତ ପରୀକ୍ଷଣଗୁଡିକ ହେଲା : ଏକ ବିଖଣ୍ଡନଶୀଳ ଉପକରଣ, ଏକ ସ୍ୱଳ୍ପ-ଶକ୍ତି ସମ୍ପନ୍ନ ଉପକରଣ ଏବଂ ଏକ ତାପ-ନାଭିକୀୟ ଉପକରଣ I ପରୀକ୍ଷଣର ଶକ୍ତି ଉତ୍ସର୍ଜନ ଆଶାନୁରୂପେ ଘଟିଛି I ସଂଗୃହିତ ତଥ୍ୟରୁ ଜଣା ପଡିଛି ଯେ, ପରୀକ୍ଷଣ ଦ୍ୱାରା ବାୟୁମଣ୍ଡଳକୁ କୌଣସି ବିପଜ୍ଜନକ ତେଜସ୍କ୍ରିୟ ବସ୍ତୁର ବିକିରଣ ଘଟିନାହିଁ I ଏଗୁଡିକ 1974 ମସିହା ମଈ ମାସରେ କରାଯାଇଥିବା ପ୍ରଥମ ପରୀକ୍ଷଣ ଭଳି ନିୟନ୍ତ୍ରିତ ବିସ୍ଫୋରଣ I ଏହି ସଫଳ ପରୀକ୍ଷଣ ପାଇଁ ମୁଁ ମୋର ବୈଜ୍ଞାନିକ ଓ ଇଂଜିନିୟର ମାନଙ୍କୁ ସମ୍ବର୍ଦ୍ଧନା ଜଣାଉଛି I "

           ବାଜପେୟୀଙ୍କ ଏହି ଘୋଷଣା ସଂଗେସଂଗେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୄଷ୍ଟି କରିଥିଲା I ଭାରତର ଏହି ଅପ୍ରତ୍ୟାଶିତ  କାର୍ଯ୍ୟକ୍ରମରେ  ଘୋର ଉଦବେଗ ପ୍ରକାଶ କରି ପାକିସ୍ତାନ ସମେତ ବିଶ୍ବର ବହୁ ରାଷ୍ଟ୍ର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ , ଜାପାନ୍ ଓ କାନାଡା  ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ I ମାତ୍ର  ଭାରତ ପାଇଁ ଏହି ଦିନଟି ଥିଲା  ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧିର ଏକ ସ୍ୱର୍ଣ୍ଣାଭ ଦିବସସୁତରାଂ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ମଈ ମାସ 11 ତାରିଖକୁ 'ରାଷ୍ଟ୍ରୀୟ ପ୍ରଯୁକ୍ତି ଦିବସ' ରୂପେ ଘୋଷଣା କରିଛନ୍ତି I

  ଅଧିକ  ପଠନ : 

ଦୈନିକ ଧରିତ୍ରୀ (09.05.22) ରେ ପ୍ରକାଶିତ ଏହି  ଲେଖା  ପଢିବାକୁ ଚାହୁଁଥିଲେ ନିମ୍ନ ଲିଙ୍କ  କୁ କ୍ଲିକ କରନ୍ତୁ :

http://dharitriepaper.in/m/327183/62786e508c88f    


ଦୈନିକ ସକାଳ (11.05.23) ରେ ପ୍ରକାଶିତ ଏହି  ଲେଖା  ପଢିବାକୁ ଚାହୁଁଥିଲେ ନିମ୍ନ ଲିଙ୍କ  କୁ କ୍ଲିକ କରନ୍ତୁ :   

https://www.sakalaepaper.com/news/40243/645c3decdd004

                                                                                                                                                                                                                                                                                 ନିକୁଞ୍ଜ ବିହାରୀ ସାହୁ

                                                                                                      ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                         ଭୋପାଲ

                                                                                                    ଫୋନ୍ : 8018708858


 


Comments

  1. ଲେଖାଟି ହୃଦୟସ୍ପର୍ଶୀ।କାହାଣୀ ଭଳୀ ଲାଗିଲା

    ReplyDelete

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ