ଥଣ୍ଡା ଘର

     

            ମୁନା ସହରର ଏକ ବିଦ୍ୟାଳୟରେ ପଢେ I ମୁନାର ଖରା ଛୁଟି ଆରମ୍ଭ ହୋଇଯାଇଥାଏ I ସେ ଖରା ଛୁଟି କାଟିବା ପାଇଁ ବାପାଙ୍କ ସହିତ ଅଜାଙ୍କ ଘରକୁ ଗଲା I ଅଜାଙ୍କ ଘର ଏକ  ଗାଁ ରେ I ଅଜା ଗାଁ ପାଖ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ନିକଟରେ ଅବସର ଗ୍ରହଣ କରିଥା'ନ୍ତି I  ଅଜାଙ୍କ ଘରେ ପହଂହିଲା ବେଳକୁ ମୁନା ଗରମରେ ଝାଳନାଳ ହୋଇଯାଇଥାଏ I ସେ ଅଜାଙ୍କୁ କହିଲା, " ଅଜା, ଭାରି ଗରମ ଲାଗିଲାଣି, ଟିକେ ଏସି ଚଳେଇ ଦିଅ I "

   ଅଜା କହିଲେ, " ତୁ ଆଗ ଘର ଭିତରକୁ ଚାଲ,  ମୁଁ  ଏସି ଚଲେଇ ଦେଉଛି I" ଏହା କହି ଅଜା ମୁନାକୁ ଏକ ଚାଳ ଘର ଭିତରକୁ ନେଇଗଲେ I କହିଲେ , " ଏ ହେଉଛି ଆମର ଏସି ଘର I ତୁ ଏଇ ଘରେ ଦଣ୍ଡେ ବସ I  ମୁନା ଟିକେ ବିରକ୍ତ ହୋଇ କହିଲା, " ଏ ତ ମାଟି କାନ୍ଥ ଥିବା ଏକ ଚାଳ ଘର I ତୁମେ କହୁଛ ଏଇଟା ଏସି ଘର I ଏସି ନା ଫେସି I" ଅଜା କହିଲେ, " ତୁ ଆଗେ ଏ ଘରେ ଦଣ୍ଡେ ବସ , ଆମ ଗାଁ ଏସିର ମଜା ଜାଣି ପାରିବୁ I"

 

  ଆଉ କୌଣସି ଉପାୟ ନଥିବାରୁ ମୁନା ବାଧ୍ୟ ହୋଇ ସେ ମାଟି ଘରେ ବସି ତା' ମୋବାଇଲ୍ ଫୋନରେ ଖେଳିବା ଆରମ୍ଭ କଲା I ଗାଁକୁ ଆସିଥିବାରୁ ଖରାଛୁଟିଟା ଗରମରେ ବେକାର ଯିବ ବୋଲି ମନେ ମନେ ବହୁତ ଅନୁତାପ କଲା ସେ I

 

  କିଛି ସମୟ ଗଲା ପରେ ସତକୁସତ ତା'କୁ ଥଣ୍ଡା ଲାଗିଲା I ତା'ର ଝାଳ ମରିଗଲା I ତା'କୁ ଟିକେ ଆରାମ ଲାଗିବାରୁ ସେ ଅଜାଙ୍କୁ ଡାକ ପକେଇ କହିଲା " ଅଜା, ଭାରି ଶୋଷ ଲାଗୁଛି I ଫ୍ରିଜ୍ ରୁ ଟିକେ ଥଣ୍ଡା ପାଣି କାଢି ଦିଅ I "


   ଅଜା  ସଙ୍ଗେସଙ୍ଗେ ଆଈଙ୍କୁ ଥଣ୍ଡା ପାଣି ଆଣିବା ପାଇଁ କହିଲେ I

ଆଈ ପାଖରେ ଥିବା ଏକ ମାଟିପାତ୍ରରୁ  ଥଣ୍ଡା ପାଣି ଗୋଟିଏ ଗିଲାସରେ କାଢି  ମୁନାକୁ ଦେଲେ I ମୁନା ସେ ପାଣି ଦେଖି ପଚାରିଲା , " ଏ ମାଟି ପାତ୍ରର ପାଣି କ'ଣ ଥଣ୍ଡା?

ମୋତେ ଟିକିଏ ଫ୍ରିଜ୍ ପାଣି ଦିଅ I "

ଅଜା କହିଲେ, " ତୂ ଆଗ ଏ ପାଣି ପିଇ, ଦେଖିବୁ

I"     

   ମୁନା ସେଇଠୁ ଟିକେ କୁଣ୍ଠା ପ୍ରକାଶ କରି ସେ ପାଣି ପିଇଲା I ପାଣି ପିଇ ତା ମନ ଭାରି ଖୁସି ହୋଇଗଲା I ସେ କହିଲା,

" ଆଶ୍ଚର୍ଯ୍ୟ , ଏ ପାଣି ସତରେ ତ ଭାରି ଥଣ୍ଡା ଲାଗିଲା

! ଏହା ପୁଣି ପାଟିକୁ ଭଲ ସୁଆଦିଆ ଲାଗୁଛି I  " ଏହା କହି  ମୁନା ଆଉ ଗୋଟିଏ ଗ୍ଲାସ୍ ପାଣି ମଗାଇ ପିଇଲା I

 

  ମୁନା ଆଶ୍ଚର୍ଯ୍ୟ ହୋଇ ଅଜାଙ୍କୁ ପଚାରିଲା " ଏଠି ତ ସବୁ ଯାଦୁ ଭଳିଆ ଲାଗୁଛି I  ମାଟିଚାଳ ଘର  ଏସି ଭଳିଆ ଥଣ୍ଡା ଲାଗୁଛି I ମାଟି ହାଣ୍ଡିର ପାଣି ଫିଜ ଭଳି ଥଣ୍ଡା ଜଣା ପଡୁଛି I ଏହାର କାରଣ ମୋତେ ଟିକେ ବୁଝାଇ ଦିଅ I

 

ଅଜା କହିଲେ  ," ତୁ ଆଗେ ଖାଇବୁ ଯାଆ I ମୁଁ ପରେ ସବୁ କଥା ତେତେ ବୁଝାଇ ଦେବି I"

 

  ଏତିକିବେଳେ ମାଇଁଙ୍କ ପାଟି  ଶୁଣି ମୁନା ଖାଇବାକୁ ଗଲା I ଖାଇ ସାରିଲା ପରେ ଅଜାନାତି ଦୁହେଁ ସେହି ଚାଳଘରେ ଏକ ଦଉଡିଆ ଝଟ ଉପରେ ଶୋଇ ଗଡପଡ ହେଲେ I ହେଲେ ମୁନା ମନରେ ସେଇ ଗୋଟିଏ କଥା ଉଙ୍କି ମାରୁଥାଏ I ଅଜା ମୁନାକୁ ଏପର୍ଯ୍ୟନ୍ତ ଶୋଇ ନଥିବାର ଦେଖି କାରଣ ପଚାରିଲେ  I ମୁନା କହିଲା, " ତମେ ମୋତେ ଆଗ ବୁଝାଇ କୁହ, ମାଟି କାନ୍ଥ ଓ ଚାଳ ଛପର ଘରଟା ଏତେ ଥଣ୍ଡା ଲାଗିଲା କିପରି I ପୁଣି ଗୋଟିଏ ମାଟି ହାଣ୍ଡିର ପାଣି ଥଣ୍ଡା ପାଲଟିଲା କିପରି ? ଏ ଥଣ୍ଡା ଘରର ରହସ୍ୟ କ'ଣ ? "

 

ଅଜା ଏହା ଶୁଣି ହସିହସି କହିଲେ, " ତେବେ ବୁଝାଇ କହୁଛି, ଶୁଣ:

 

ପ୍ରକୄତରେ, ଘରର ମାଟି କାନ୍ଥ ଓ ଚାଳ ଛପର ତାପର କୁପରିବାହୀ ପଦାର୍ଥ I ଫଳରେ ବାହାରର ତାପ ସହଜରେ ଏହି ଘର ଭିତରେ ପ୍ରବେଶ କରିପାରେ ନାହିଁ I ତେଣୁ ଏଭଳି ଘର ଖରାଦିନେ ପ୍ରକୄତରେ ଥଣ୍ଡା ରହିଥାଏ I   ସେହିପରି, ତୁ ଯେଉଁ ମାଟି ହାଣ୍ଡି କଥା କହୁଛୁ , ତା'ର ନାମ ପ୍ରକୃତରେ ସୋରେଇ I ଏଥୁରେ ଥିବା ଅସଂଖ୍ୟ ଛୋଟ ଛୋଟ ଛିଦ୍ର ଦେଇ ଭିତରର ପାଣି ପଦାକୁ ଝରିଆସେ I ସେ ପାଣି ସୋରେଇ ମଧ୍ୟରେ ଥିବା ପାଣିରୁ ତାପ ସଂଗ୍ରହ କରି ବାଷ୍ପ ହୋଇ ବାୟୁକୁ ଚାଲିଯାଏ I ଏହାଦ୍ୱାରା ସୋରେଇରୁ ତାପ କ୍ରମାଗତ ପଦାକୁ ସ୍ଥାନାନ୍ତରିତ ହେଉଥିବାରୁ ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣି ତୁଳନାରେ ଥଣ୍ଡା ଜଣାପଡେ I"

 

  ମୁନା ଏଥର ସବୁ ବୁଝି ପାରିଥିଲା I ସେ ଘରେ ପ୍ରକୄତରେ ଥଣ୍ଡା ଓ ଆରାମ ଲାଗିବାରୁ କେତେବେଳେ ତା'କୁ ନିଦ ଲାଗି ଯାଇଛି ଜଣା ନାହିଁ କରନ୍ତୁ

ଅଧିକ ପଠନ : ଦୈନିକ ଧରିତ୍ରୀର ପିଲାଙ୍କ ଧରିତ୍ରୀ ପୃଷ୍ଠରେ ପ୍ରକାଶିତ ଏହି ଲେଖା ପଢିବାକୁ ଚାହୁଁଥିଲେ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ :

http://dharitriepaper.in/edition/10427/pilanka-dharitri/page/3


ନିକୁଞ୍ଜ ବିହାରୀ ସାହୁ

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

     ଭୋପାଲ 

Phone: 8917637974





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ