ପୃଥିବୀର ସୁରକ୍ଷା


ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇଛି I ପୃଥିବୀରେ ଜୀବନ ବଂଚିବା ପାଇଁ କିଛି ଅନୁକୂଳ ପରିବେଶ ରହିଛି ଯାହା ଅନ୍ୟ କୌଣସି ଗ୍ରହରେ ନାହିଁ I ପ୍ରଥମତଃ, ପୃଥିବୀର ତାପମାତ୍ରା ପରିସରରେ ଜୀବନ ନିମନ୍ତେ ମୂଖ୍ୟ ଆବଶ୍ୟକତା ଜଳ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିଁପାରେ I ଦ୍ଵିତୀୟତଃ, ପୃଥିବୀର ଏକ ବାୟୁମଣ୍ଡଳ ଅଛି ଯେଉଁଥିରେ ବିଭିନ୍ନ ଜୀବନ  ରକ୍ଷାକାରୀ ଗ୍ୟାସ ଉପଯୁକ୍ତ ଅନୁପାତରେ ଉପଲବ୍ଧ ଅଛନ୍ତି I ଆମ ବାୟୁମଣ୍ଡଳରେ ଥିବା ବିଭିନ୍ନ ସବୁଜଘର ବାଷ୍ପ ସୂର୍ଯ୍ୟର ତାପରଶ୍ମିକୁ ଶୋଷଣ କରିବା ଦ୍ୱାରା ପୃଥିବୀରେ ଜୀବନରକ୍ଷା ପାଇଁ ଆବଶ୍ୟକୀୟ ତାପମାତ୍ରା ସୃଷ୍ଟି ହୋଇଥାଏ I ଆମ ବାୟୁମଣ୍ଡଳର ଏହି ସବୁଜଘର ବାଷ୍ପଙ୍କ ବିନା ପୃଥିବୀର ହାରାହାରି ତାପମାତ୍ରା ଏବେକାର 14°C ପରିବର୍ତ୍ତେ -18°C ମୂଲ୍ୟରେ ପହଂଚି ଥା'ନ୍ତା ଯେଉଁଥିରେ ଜୀବନ ବଂଚିବା ସମ୍ଭବପର ନୁହେଁ  I ତୃତୀୟତଃ, ଆମ ପୃଥିବୀର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ଏକ  ଓଜୋନ ସ୍ତର ରହିଛି ଯାହା ଏକ କବଚ ଭଳି ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ପୃଥିବୀପୃଷ୍ଠରେ ଜୀବଜଗତକୁ ରକ୍ଷା କରେ I ପ୍ରକୃତିରେ ଉପଲବ୍ଧ ଏହିସବୁ କାରଣରୁ ପୃଥିବୀର ଜଳ, ସ୍ଥଳ ଓ ବାୟୁରେ ଏକ ବିଶାଳ ବିବିଧତା ବିଶିଷ୍ଟ ଜୀବଜଗତର ଅଭ୍ୟୁଦୟ ଘଟିଛି I


 ମାତ୍ର ଘୋର ପରିତାପର ବିଷୟ ଯେ, ଆମ ପୃଥିବୀର ପୂର୍ବର ସେ ମାଧୁର୍ଯ୍ୟ ଓ ମାଦକତା ଏବେ ଆଉ ନାହିଁ I ପ୍ରକୃତି ସହିତ ମନୁଷ୍ୟର ହସ୍ତକ୍ଷେପ କାରଣରୁ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଘଟୁଛି  I ବିଶେଷକରି, କୋଇଲା, ପେଟ୍ରୋଲିୟମ ଭଳି ଜୀଵାଶ୍ମ ଇନ୍ଧନ ଦହନରୁ ଉତ୍ପନ୍ନ କିଛି ସବୁଜଘର ବାଷ୍ପ ସୂର୍ଯ୍ୟର ବିକିରିତ ତାପରଶ୍ମିକୁ ଅତ୍ୟଧିକ ଶୋଷଣ ଦ୍ୱାରା ପୃଥିବୀର ତାପମାତ୍ରା କ୍ରମେ ବଢ଼ିବାରେ ଲାଗିଛି I ଏହା କୌଣସି ଅଂଚଳର ଏକ ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବୈଶ୍ଵିକ ସମସ୍ୟା I ଏହା ସାରା ବିଶ୍ବର ବୃଷ୍ଟିପାତ, କୃଷି  ଉତ୍ପାଦନ, କ୍ରାନ୍ତିମଣ୍ଡଳୀୟ ଝଡ ତଥା ବନ୍ୟା ମରୁଡି ଭଳି ଚରମ ପାଣିପାଗ ଜନିତ ପରିଣାମର  ସଂଖ୍ୟା ବୃଦ୍ଧି ଏବଂ ସାରା ବିଶ୍ୱର ପାଣିପାଗ ଜଳବାୟୁକୁ ପ୍ରଭାବିତ କରୁଥିବା ଏଲ-ନିନୋ ଶୃଙ୍ଖଳାକୁ ବିଶେଷ ପ୍ରଭାବିତ କରିଛି I ଆହୁରି ମଧ୍ୟ, ସମୁଦ୍ରର ଜଳରାଶି ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରିବା ହେତୁ ଅମ୍ଳୀୟ ପାଲଟି ଯାଉଛି I ଏହାଦ୍ୱାରା ମାଛମାନଙ୍କ ଜନ୍ମସ୍ଥଳୀ ସମୁଦ୍ରର ପ୍ରବାଳ ପ୍ରାଚୀର ବିଶେଷ କ୍ଷତିଗ୍ରସ୍ତ ହେବାଦ୍ବାରା ବିଶ୍ୱସାରା ମତ୍ସ୍ୟ ଉତ୍ପାଦନ ଘୋର ବାଧାପ୍ରାପ୍ତ ହୋଇଛି I


   ଖରାଦିନର ତାପମାତ୍ରା ଏବେ 50°C ସୀମା ଛୁଇଁବାକୁ ବସିଲାଣି I ମୌସୁମୀ ଆଜି ଅନିୟମିତ ଓ ଛନ୍ଦହରା I ବିଶ୍ଵତାପନର ଯଦି ଏହି ପ୍ରକ୍ରିୟା ଅବ୍ୟାହତ ରହେ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ପ୍ରାକ-ଶିଳ୍ପ ବିପ୍ଳବ ସ୍ଥିତି ତୁଳନାରେ 2.7°C ଅଙ୍କ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଏ ଯାହା ନିରାପଦ ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ I ଏହା  ପ୍ରକୃତିର ମନୁଷ୍ୟର ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ କ୍ରୁର ପ୍ରତିକ୍ରିୟା ନୁହେଁ ତ ଆଉ କ'ଣ!

   ଜଳବାୟୁ ପରିବର୍ତ୍ତନ ବିଶ୍ୱସାରା ଲୋକମାନଙ୍କର ଜୀବନ ଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି I ଏହାଦ୍ୱାରା ବିଶ୍ୱର ବିକାଶଶୀଳ ଓ ଦ୍ବୀପ ଦେଶସବୁରେ ବାସ କରୁଥିବା ମୂଳ ଅଧିବାସୀ ଓ ସମୁଦାୟମାନେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ କରାଯାଏ ଯେହେତୁ ସେମାନେ ଏକ ଚିରାଚରିତ ଜୀବନଶୈଳୀ ସହିତ କେଉଁ ଆବାହମାନ କାଳରୁ ଅଭ୍ୟସ୍ତ ଏବଂ ପ୍ରକୃତିର ଏହି ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କ ନିକଟରେ ଯଥେଷ୍ଟ ସମ୍ବଳ କିମ୍ବା ପ୍ରଯୁକ୍ତିଗତ ଜ୍ଞାନକୌଶଳ ଉପଲବ୍ଧ ନାହିଁ I


   ଗତ 2021 ମସିହାରେ ଗ୍ଲାସଗୋଠାରେ ଅନୁଷ୍ଠିତ ହୋଇଥିବା COP-26 ଜଳବାୟୁ ସମ୍ମିଳନୀରେ ଏଥିନେଇ ଘୋର ଉଦବେଗ ପ୍ରକାଶ ପାଇଥିଲା I ସଂଶ୍ଲିଷ୍ଟ ପକ୍ଷମାନେ ଦରିଦ୍ର ଅନଗ୍ରସର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସଙ୍ଗେ ମୁକାବିଲା କରିବା ତଥା ଏକ ଜୀଵାଶ୍ମ ଇନ୍ଧନ ଭିତ୍ତିକ ଅର୍ଥନୀତିରୁ ସବୁଜ ଇନ୍ଧନ ଭିତ୍ତିକ ଅର୍ଥନୀତିକୁ ସୁଗମ ଉତ୍ତରଣ ପାଇଁ ଅତିରିକ୍ତ ଅର୍ଥ ସଂଗ୍ରହ ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି I ଏଥି ନିମନ୍ତେ ସେମାନେ ନିଜର ରାଷ୍ଟ୍ରୀୟ ସ୍ଥିରୀକୃତ ଅଂଶଦାନ (National Determined Contribution- NDC) ରାଶିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି I ସେମାନେ ମଧ୍ୟ ଚଳିତ ଶଟାଵଦୀର ଶେଷ ସୁଦ୍ଧା ଶୂନ୍ୟ କାର୍ବନ ଉତ୍ସର୍ଜନର ଲକ୍ଷ୍ୟଧାର୍ଯ୍ୟ ହାସଲ ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି I


   ଆମକୁ ମନେ ରଖିବାକୁ ହେବ ଯେ, ପୃଥିବୀର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ I ଏଥିପାଇଁ କୌଣସି ରାଜନୈତିକ କିମ୍ବା ଭୌଗଳିକ ସୀମାବଦ୍ଧ ଭିତ୍ତିରେ କାର୍ଯ୍ୟ କଲେ ଚଳିବନି (ଯେହେତୁ ଆମ ପୃଥିବୀ ମଣିଷର ବାସସ୍ଥଳୀ ସମେତ ଏକ ଅବିଭକ୍ତ ଜୀବମଣ୍ଡଳ), ବରଂ ସାମଗ୍ରିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡିବ I ବିଶ୍ୱ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ - ଏହା ଆମର ମନ୍ତ୍ର ହେବା ଉଚିତ I ସୁତରାଂ ଆମେ ଆମ ପୃଥିବୀର ସୁରକ୍ଷା ପାଇଁ ଏବେ ଯାହା କାର୍ଯ୍ୟ କରିବା, ତାହା ଆଗାମୀ ପୀଢ଼ି ପାଇଁ ଆମ ଗ୍ରହରେ ଜୀବନର ମୁଳଦୂଆକୁ ଯେ ସୁଦୃଢ କରିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ I


ନିକୁଞ୍ଜ ବିହାରୀ ସାହୁ 

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

     ଭୋପାଲ 

PhPruthibira-Suraksha


ଦୈନିକ 'ଧରିତ୍ରୀ' ରେ ପ୍ରକାଶିତ (18.04.22) ପଢିବା ପାଇଁ ନିମ୍ନ ଲିଙ୍କ ରେ କ୍ଲିକ କରନ୍ତୁ :

http://dharitriepaper.in/m/323603/625ca76731249


Or


tinyurl.com/Pruthibira-Suraksha


ଦୈନିକ ସକାଳ ( 24.04.23) :


https://www.sakalaepaper.com/news/39604/6445c7c581b5f





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ