ପୁଣି ଚନ୍ଦ୍ର ଅଭିଯାନ
ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରକୁ ତାର ଶେଷ ଅଭିଯାନ 1972 ମସିହାରେ ପ୍ରେରଣ କରିଥିଲା I ଏବେ ଏହା ଠିକ 50 ବର୍ଷ ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି l ଏହି ଅଭିଯାନର ନାମ ଆରଟେମିସ (Artemis) l ଏହି ଅଭିଯାନ ଜରିଆରେ ଚନ୍ଦ୍ରପୃଷ୍ଠର ବିସ୍ତୃତ ଅନୁସନ୍ଧାନ ବ୍ୟତୀତ ସୁଦୂର ଅନ୍ତରିକ୍ଷର ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିହେବ ବୋଲି ନାସା
ଆଶା ବାନ୍ଧିଛି I
ଏହି ଅଭିଯାନର ପ୍ରଥମ ରକେଟ (ନାମ: ସ୍ପେଶ ଲଞ୍ଚ ସିଷ୍ଟମ: SLS ) କୁ ଆଗାମୀ ମଈ ମାସରେ ଚନ୍ଦ୍ରଯାତ୍ରା ଉଦ୍ଦେଶ୍ୟରେ ଫ୍ଲୋରିଡା ସ୍ଥିତ କେନେଡି ଅନ୍ତରିକ୍ଷ କେନ୍ଦ୍ରକୁ ନିକଟରେ ସ୍ଥାନାନ୍ତରିତ କରାଯାଇଛି I
ଏହି ଅଭିଯାନକୁ ଗ୍ରୀକ ପୁରାଣର ଚନ୍ଦ୍ର ତଥା ବନ୍ୟଶିକାରର ଦେବୀ ଆରଟେମିସଙ୍କ ନାମ ଅନୁସାରେ ନାମିତ କରା ଯାଇଛି I ଗ୍ରୀକ ପୂରାଣରେ ଆରଟେମିସଙ୍କୁ ସୂର୍ଯ୍ୟ, ଆଲୋକ ତଥା ଜ୍ଞାନର ଦେବତା ଆପୋଲୋ (Apollo) ଙ୍କ ଯମଜ ଭଗିନୀ ତଥା ଶିକାରୀ ପୁରୂଷ ଓରିଓନ (Orion) ର ସାଥୀ ରୂପେ ବର୍ଣ୍ଣନା କରାଯାଇଛି I
ଚନ୍ଦ୍ର ଅଭିଯାନର ଇତିହାସ
ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ଋଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି I ରୁଷିଆର ଏକ ଯାନ ଲୁନା -2, 1959 ମସିହା ସେପ୍ଟେମ୍ବର 14 ତାରିଖରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ I ଏହି ସିରିଜର ପରବର୍ତ୍ତୀ ଯାନ ଲୁନା -3 ସେହି 1959 ମସିହା ଅକ୍ଟୋବର 7 ତାରିଖରେ ଚନ୍ଦ୍ର ଚାରିପଟେ ଘୁରିଘୁରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ I ଋଷିଆର ଅନ୍ୟ ଦୁଇ ଯାନ ଲୁନା -9 ଓ ଲୁନା -17, 1966 ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି I ଚନ୍ଦ୍ର ଅଭିଯାନରେ ଏପର୍ଯ୍ୟନ୍ତ ପଛରେ ପଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ କାର୍ଯ୍ୟକ୍ରମ ଭଳି କିଛି ମନୁଷ୍ୟ ଥିବା ଅଭିଯାନକୁ ହାତକୁ ନିଏ
I ଏହାର ଏକ ଅଭିଯାନ ଆପୋଲୋ-8 ଜରିଆରେ ତିନି ଜଣ ମହାକାଶଚାରୀ 1968 ମସିହା ଡିସେମ୍ବର 24 ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି I
ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା 1969 ମସିହା ଜୁଲାଇ 20 ତାରିଖ: ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଅନ୍ୟ ଏକ ଯାନ ଆପୋଲୋ -11 ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନେଲ ଆରମଷ୍ଟ୍ରଙ୍ଗ ସର୍ବପ୍ରଥମେ ଚନ୍ଦ୍ର
ପୃଷ୍ଠରେ ପଦାର୍ପଣ କରନ୍ତି I ପରବର୍ତ୍ତୀ 1970 ମସିହା ନଭେମ୍ବର 17 ତାରିଖରେ, ଋଷିଆ ଚନ୍ଦ୍ର ପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା I ଏଥିରୁ ଏକ ଚକଲଗା ଗାଡି (ନାମ : ଲୁନାଖୋଡ଼-1) ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରେ I ଯୁକ୍ତରାଷ୍ଟ୍ର ଆମେରିକା 1972 ମସିହା ଡିସେମ୍ବର ମାସରେ ଆପୋଲୋ -17 ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା I ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ଲୁନା -16, ଲୁନା - 20 ଓ
ଲୁନା -24 ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ 6ଟି ଅଭିଯାନ ( ଯଥା ଆପୋଲୋ -11 ରୂ ଆପୋଲୋ - 17: ଆପୋଲୋ-13 ବ୍ୟତୀତ) ଚନ୍ଦ୍ର ପୃଷ୍ଠରୁ ଶିଳାପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି I
ଆରଟେମିସ ଅଭିଯାନର ଅଭିପ୍ରାୟ
ଆରଟେମିସ ଅଭିଯାନର ଅଭିପ୍ରାୟ ବିଗତ ଆପୋଲୋ ଅଭିଯାନଠାରୁ ସମ୍ପୂର୍ଣ ଭିନ୍ନ ହେବ: ଆପୋଲୋ ଅଭିଯାନ ଚନ୍ଦ୍ରପୃଷ୍ଠକୁ ସଂକ୍ଷିପ୍ତ ପରିଦର୍ଶନ ନିମନ୍ତ ଉଦ୍ଦିଷ୍ଟ ଥିଲାବେଳେ ଆରଟେମିସ ଅଭିଯାନ ଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଦୀର୍ଘ ଦିନ ଅବସ୍ଥାନ କରି ବିସ୍ତୃତ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଏ I ଏହି ଅଭିଯାନକୁ ଭିତ୍ତି କରି ମଙ୍ଗଳ ଗ୍ରହକୁ ମଧ୍ୟ ଏକ ମାନବ ଥିବା ଅଭିଯାନ ପ୍ରେରଣ କରାଯାଇପାରିବ I
ରକେଟ ଓ କ୍ୟାପସୁଲ
ଏହି ଅଭିଯାନରେ ଏକ ଶକ୍ତିଶାଳୀ ରକେଟ ଅନ୍ତର୍ଭୁକ୍ତ ଅଛି ଯାହା ମାନବ କିମ୍ବା ଯନ୍ତ୍ରାବଳି ସ୍ଥାନିତ ଥିବା ଏକ କ୍ୟାପସୁଲକୁ ନେଇ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରି ପାରିବ I ଏହି ରକେଟର ନାମ: ସ୍ପେଶ ଲଞ୍ଚ ସିଷ୍ଟମ: SLS I ଏହାର ଊଚ୍ଚତା 212 ଫୁଟ ଏବଂ ବ୍ୟାସ 27.6 ଫୁଟ I ଏହାକୁ ଗତି ପ୍ରଦାନ କରିବା ପାଇଁ 4ଟି ଦକ୍ଷ ଇଂଜିନ ଖଞ୍ଜା ଅଛି ଯାହା ମହାକାଶର ଅତି ଶୀତଳ ତାପମାତ୍ରାରେ କାର୍ଯ୍ୟ କରି ପାରିବ I ଏହା ବିଶ୍ୱର ସବୁଠାରୁ ଉଚ୍ଚା, ଶକ୍ତିଶାଳୀ ଓ ଅଧିକ ଭାର ବହନ କରି ପାରୁଥିବା ରକେଟ I
ଏହି ରକେଟ ନିଜର ଅଗ୍ରଭାଗରେ ମନୁଷ୍ୟ ଥିବା ଏକ କ୍ୟାପସୁଲକୁ ବହନ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ I ଏହି କ୍ୟାପସୁଲର ନାମ ଓରିଓନ (Orion) ରଖାଯାଇଛି ଯାହାର ଓଡ଼ିଆରେ ନାମ କାଳପୁରୁଷ I କ୍ୟାପସୁଲ ମଧରେ ମନୁଷ୍ୟ ଅବସ୍ଥାନ କରି ମହାକାଶରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ଅଛି I ଏହା ମଧ୍ୟ ଅନ୍ତରୀକ୍ଷରୁ ମହାକାଶଚାରୀଙ୍କୁ ନେଇ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ସୁରକ୍ଷିତ ଅବତରଣ କରି ପାରିବ I ଏଥିରେ 6 ଜଣ ମହାକାଶଚାରୀ ଏକସମୟରେ ଆରୋହଣ କରି ଏକ ନିମ୍ନ ପୃଥିବୀ କକ୍ଷପଥ (Lower Earth Orbit) ରେ 21 ଦିନ କାଳ ଅବସ୍ଥାନ କରିପାରିବେ I ଶକ୍ତି ଆହରଣ ନିମନ୍ତେ ଏଥିରେ ସୌରଫଳକ ଏବଂ ଗତି ପ୍ରଦାନ ନିମନ୍ତେ ମୂଖ୍ୟ ଇଂଜିନ ସମେତ ସମୁଦାୟ 8ଟି ସହାୟକ ଇଂଜିନ ସ୍ଥାନିତ ଅଛି I ଏହାର ଉତକ୍ଷେପଣ କାଳୀନ ଓଜନ 10,400 କି. ଗ୍ରା. I ଏହି କ୍ୟାପସୁଲକୁ ମଧ୍ୟ ଅନେକ ଥର ବ୍ୟବହାର କରି ଅଭିଯାନ ଖର୍ଚ୍ଚ ହ୍ରାସ କରାଯାଇପାରିବ I
ଅଭିଯାନ
ପ୍ରଥମ ଆରଟେମିସ ଅଭିଯାନ ଆରଟେମିସ-1 ଏଇ ବର୍ଷ ମଈ ମାସର ଶେଷ ଆଡ଼କୁ ଯାତ୍ରାରମ୍ଭ କରିବ I ଏହା ଚନ୍ଦ୍ର କକ୍ଷପଥରେ ଏକ ମାନବ ବିହୀନ ଓରିଓନ କ୍ୟାପସୁଲ ସ୍ଥାପନ କରିବ I ଏହି କ୍ୟାପସୁଲ ଚନ୍ଦ୍ରକୁ ପରିକ୍ରମା କରି କିଛିଦିନ ପରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ I ଦ୍ଵିତୀୟ ଅଭିଯାନ ଆରଟେମିସ-2 ଆଗାମୀ 2024 ମସିହାରେ ଯାତ୍ରାରମ୍ଭ କରିବ I ଏହା ଚନ୍ଦ୍ର କକ୍ଷପଥରେ ମାନବ ଥିବା ଓରିଓନ କ୍ୟାପସୁଲ ସ୍ଥାପନ କରିବ I ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ନାହିଁ; ବରଂ ଚନ୍ଦ୍ରକୁ ପରିକ୍ରମା କରି କିଛି ଦିନ ପରେ ସେହି କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରିଆସିବେ I ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆରଟେମିସ -3 ଅଭିଯାନ 2025 ମସିହାରେ ଯାତ୍ରାରମ୍ଭ କରିବ I ଏଥିରେ ଜଣେ ମହିଳାମହାକାଶଚାରୀଙ୍କ ସମେତ ସମୁଦାୟ ଚାରି ଜଣ ଯାତ୍ରୀ ରହିବେ I ସେମାନେ ଓରିଓନ କ୍ୟାପସୁଲ ଜରିଆରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ I ସେମାନେ ଚନ୍ଦ୍ରପୃଷ୍ଠରେ 6 ଦିନ କାଳ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ ପୂର୍ବକ ସେହି ଓରିଓନ କ୍ୟାପସୁଲ ଜରିଆରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ I ପରବର୍ତ୍ତୀ ଆରଟେମିସ ଅଭିଯାନଗୁଡିକ ଜରିଆରେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଏକ ସ୍ଥାୟୀ ଘାଟୀ ପ୍ରତିଷ୍ଠା କରାଯିବ ଏବଂ ସେଠାକୁ ବିସ୍ତୃତ ଅନୁସନ୍ଧାନ ନିମନ୍ତେ ବହୁସଂଖ୍ୟକ ଭାରୀ ଉପକରଣ, ଯନ୍ତ୍ରମାନବ ଓ ସେନ୍ସର ନିୟମିତ ପ୍ରେରଣ କରାଯିବ I ଏହି ସୁବିଶାଳ ଭିତ୍ତିଭୂମିକୁ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ରକୁ ବିସ୍ତୃତ ଅନୁଧ୍ୟାନ କରିବା ସାଙ୍ଗକୁ ମଙ୍ଗଳ ତଥା ଅନ୍ତରୀକ୍ଷର ଅନ୍ୟ ଗଭୀରତମ ଇଲାକାକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବେ I
ସୁତରାଂ ନାସାର ଆରଟେମିସ ଅଭିଯାନ ଦ୍ୱାରା ରୂପେଲି ଜହ୍ନ ରାଇଜର ଅନେକ ରହସ୍ୟ ରୋମାଞ୍ଚଭରା ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଶା କରାଯାଏ I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
Comments
Post a Comment