ସ୍ୱପ୍ନ ଓ ସାଧନାର ପ୍ରତୀକ : ରମଣ

                                                                                                                     

       19  1920 ମସିହାର କଥା ।  ନାରକୁଣ୍ଡା ନାମକ ବାଷ୍ପୀୟ ଜାହାଜଟି ଇଂଲଣ୍ଡର ସାଉଦାମ୍ପଟନ୍ ବନ୍ଦରରୁ ବାହାରି ଭାରତର ବମ୍ବେ ଅଭିମୁଖେ ଯାତ୍ରା କରୁଥାଏ । ଚାରିପଟେ ଭୂମଧ୍ୟ ସାଗରର ସୁନୀଳ ଜଳରାଶି  । ସମୁଦ୍ରର ଢେଉ କାଟି କାଟି ଆଗେଇ ଚାଲିଥାଏ ଜାହାଜଟି । ଯାତ୍ରୀମାନେ ସମସ୍ତେ ଏହି ରୋମାଞ୍ଚକର ଜଳଯାତ୍ରାର ମଜା ନେଉଥାନ୍ତି ତିଳେ ତିଳେ । ଯାତ୍ରୀମାନଙ୍କ ମଧ୍ୟରେ ଥା’ନ୍ତି ଜଣେ ପଗଡି ପିନ୍ଧା ସାଧାରଣ ଦିଶୁଥିବା ତରୁଣ । ସେ କୌଣସି ଆଡକୁ ଦୄଷ୍ଟି ନଦେଇ ପକେଟରୁ ଛୋଟଛୋଟ ଉପକରଣ ବାହାର କରି ସମୁଦ୍ର ଓ ଆକାଶକୁ ନିରୀକ୍ଷଣ କରୁଥାନ୍ତି । ମଝିରେ ମଝିରେ ବୋତଲରେ ପାଣି ସଂଗ୍ରହ କରି ମନଧ୍ୟାନରେ କିଛି ପରୀକ୍ଷା ନିରୀକ୍ଷା କରିବାରେ ବ୍ୟସ୍ତ ରହିଥା'ନ୍ତି । ଯାତ୍ରୀମାନେ ତାଙ୍କୁ ଧରି ନେଇଥାନ୍ତି ଏକ ପାଗଳ ବୋଲି ।

          ସେଦିନର ସେହି ପାଗଳ ଜଣକ ଥିଲେ ଭାରତ ତଥା ବିଶ୍ୱର ସୁନାମଧନ୍ୟ ପଦାର୍ଥବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟ ରମଣ । ଆଉ ସେଦିନ ସେ ଯେଉଁ ପରୀକ୍ଷା କରୁଥିଲେ , ତାହା ଥିଲା ଆକାଶର ନୀଳ ରଙ୍ଗ ଉପରେ  । ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ଦ୍ୱାରା ସମୁଦ୍ରର ନୀଳିମା  ସୄଷ୍ଟି ହୋଇଥାଏ । ମାତ୍ର ରମଣ ସେଦିନର ସେହି ପରୀକ୍ଷାରେ ନିକୋଲ ପ୍ରିଜିମ୍ (Nicol Prism)  ନାମକ  ଏକ ଛୋଟିଆ ଉପକରଣ ବ୍ୟବହାର କରି  ଏହି ପ୍ରଚଳିତ ତତ୍ତ୍ୱକୁ ଭୁଲ ପ୍ରମାଣିତ କରି ଏକ ନୂତନ ସିଦ୍ଧାନ୍ତ ଆବିଷ୍କାର  କଲେ । ତା'ଙ୍କ ମତରେ, ସମୁଦ୍ରର ଜଳ ଅଣୁସବୁରେ ସୂର୍ଯ୍ୟାଲୋକର କମ୍ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକରଶ୍ମିର ବେଶୀ ବିଛୁରଣ ( Scattering) ଘଟି ଦର୍ଶକ ଚକ୍ଷୁରେ ପ୍ରବେଶ  କରୁଥିବାରୁ ସମୁଦ୍ରର ଏହି ନୀଳ ବର୍ଣ୍ଣ ସୄଷ୍ଟି ହେଉଛି । ରମଣଙ୍କ  ଆଲୋକ ସମ୍ବନ୍ଧୀୟ ଏହି ବିଛୁରଣ ତତ୍ତ୍ୱ  ବିଜ୍ଞାନ ଜଗତରେ ଏକ ନୂତନ ଅଧ୍ୟାୟ ସୄଷ୍ଟି କଲା । ଏହା ତା'ଙ୍କୁ ପରବର୍ତ୍ତୀ କାଳରେ  ବିଶ୍ୱର ସର୍ବୋଚ୍ଚ ସମ୍ମାନ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ  ‘ନୋବେଲ ପୁରସ୍କାର’ ଅର୍ଜନ କରିବାରେ ସହାୟକ ହୋଇଥିଲା ।

     ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ରମଣଙ୍କ ଅସାଧାରଣ ପ୍ରତିଭାର ପରିଚୟ ମିଳିଥିଲା । ସେ ଏମ୍.ଏ.  ପଢୁଥିବା ସମୟରେ ତାଙ୍କର ଦୁଇଟି ବୈଜ୍ଞାନିକ ନିବନ୍ଧ ଲଣ୍ଡନର ପ୍ରସିଦ୍ଧ ବିଜ୍ଞାନ  ପତ୍ରିକା ‘ଦି ଫିଲୋସୋଫିକାଲ୍ ମାଗାଜିନ୍’ ରେ ପ୍ରକାଶିତ ହୋଇଥିଲା । ସ୍ନାତକୋତ୍ତର ଶିକ୍ଷାଲାଭ ପରେ ଦେଶରେ ଉଚ୍ଚତର ବିଜ୍ଞାନଶିକ୍ଷାର ସୁଯୋଗ ନମିଳିବାରୁ ସେ ଗତିପଥ ପରିବର୍ତ୍ତନ କରି ଆଇ. ସି. ଏସ୍. ପରୀକ୍ଷାରେ ଭାଗ ନେଲେ । ସେଥିରେ ସେ ପ୍ରଥମ ସ୍ଥାନ ଅଧିକାର କରି କଲିକତାଠାରେ ସହକାରୀ ମହାଲେଖାକାର (Assistant Accountant General)  ପଦବୀରେ ଯୋଗଦେଲେ । ମାତ୍ର ବିଜ୍ଞାନ ବ୍ରତରେ ଯେ ବ୍ରତୀ , ତା’ଙ୍କୁ ସାଧାରଣ ହିସାବରକ୍ଷକ ଚାକିରୀଟିଏ ସୀମାବଦ୍ଧ କରି ରଖିପାରନ୍ତା ବା କିପରି ? ସେ କଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଆମନ୍ତ୍ରଣକ୍ରମେ ଲୋଭନୀୟ ସରକାରୀ ଚାକିରୀ ଛାଡି ମାତ୍ର 800 ଟଙ୍କା ବେତନରେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରାଜାବଜାର ବିଜ୍ଞାନ ମହାବିଦ୍ୟାଳୟରେ ପାଲିତ୍ ପ୍ରଫେସର୍ (Palit Professor) ପଦବୀ ଗ୍ରହଣକରି  କାର୍ଯ୍ୟରେ ଯୋଗଦେଲେ । ସେ ପରବର୍ତ୍ତୀ ସମୟରେ କଲିକତାସ୍ଥିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କଲ୍ଟିଭେସନ୍ ଅଫ୍ ସାଇନ୍ସ୍ (Indian Association of Cultivation of Science) ଅନୁଷ୍ଠାନରେ ଗବେଷଣା କରି ମାତ୍ର 500 ଟଙ୍କା ମୂଲ୍ୟର ଯନ୍ତ୍ରପାତି ବ୍ୟବହାର ପୂର୍ବକ ନିଜର ଚିରସ୍ମରଣୀୟ ‘ରମଣ ପ୍ରଭାବ‘ ଆବିଷ୍କାର କରିଥିଲେ ।

       ରମଣ ପ୍ରଭାବ ସମଗ୍ର ବିଜ୍ଞାନ ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଅବିଷ୍କାର ଥିଲା । ସେ ଏକବର୍ଣ୍ଣୀ  (Monochromatic) ଆଲୋକରଶ୍ମିକୁ ଏକ ସ୍ୱଛ ତରଳ ମାଧ୍ୟମ ଦେଇ ଅତିକ୍ରମ କରାଇ ନିର୍ଗତ ଆଲ୍କୋକରଶ୍ମିକୁ ଏକ ବର୍ଣ୍ଣାଳୀଦର୍ଶକ (Spectrometer) ଯନ୍ତ୍ର ଦେଇ ଲକ୍ଷ୍ୟ କଲେ I ବର୍ଣ୍ନାଳୀରେ ମୂଳ ତରଙ୍ଗଦୈର୍ଘ୍ୟ ବ୍ୟତୀତ ଅନ୍ୟ କିଛି ତରଙ୍ଗଦୈର୍ଘ୍ୟ ରହିଥିବାର ସେ ଲକ୍ଷ୍ୟ କଲେ I  ମାଧ୍ୟମର ଅଣୁଗୁଡିକ ମୂଳ ଆଲୋକରଶ୍ମିରୁ କିଛି ଶକ୍ତି ଗ୍ରହଣ କରି 'ବିଛୁରଣ' ଧର୍ମ ହେତୁ  ନିଜେ କିଛି ଅଲଗା ତରଙ୍ଗଦୈର୍ଘ୍ୟର ଆଲୋକରଶ୍ମି ଉତ୍ସର୍ଜନ କରୁଥିବାରୁ ଏଭଳି ପ୍ରଭାବ ସୄଷ୍ଟି ହେଉଛି ବୋଲି ରମଣ ପ୍ରମାଣ କଲେ I  ଏହାକୁ ହିଁ 'ରମଣ ପ୍ରଭାବ' କୁହାଗଲା I 

     ଏହି ତତ୍ତ୍ୱକୁ ଭିତ୍ତି କରି କଠିନ, ତରଳ କିମ୍ବା ଗ୍ୟାସୀୟ ରୂପରେ ଥିବା ନୂତନ  ପଦାର୍ଥର ଗଠନ ଓ ଆଣବିକ ସଂରଚନା (Molecular Composition and Structure)  ନିରୂପଣ କରିବା ସହିତ ସେଗୁଡିକୁ ସହଜରେ ଚିହ୍ନଟ କରିହେଲା । ରମଣ ସ୍ପେକ୍ଟ୍ରୋସ୍କୋପି (Raman Spectroscopy) ପଦ୍ଧତିର ପ୍ରୟୋଗ ଦ୍ୱାରା ଜଟିଳ ବସ୍ତୁ ଯଥା ବିଭିନ୍ନ  ଅଣୁଜୀବ ଓ ଶରୀରର କୋଷିକା ସବୁକୁ ଅନୁଧ୍ୟାନ ଓ ଅନୁଶୀଳନ କରିହେଲା । ଏହା ବିଜ୍ଞାନର ବିଭିନ୍ନ ଦିଗନ୍ତ ଯଥା ପଦାର୍ଥ, ରସାୟନ, ଅନ୍ତରୀକ୍ଷ, ବାୟୁମଣ୍ଡଳ,  ଯୋଗାଯୋଗ, ଲେଜର୍ ଓ  ଜୀବ ବିଜ୍ଞାନ ଆଦି କ୍ଷେତ୍ରରେ ବହୁଳ ପ୍ରୟୋଗ ହୋଇ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରୁଛି ।

      ରମଣ ଦେଖାଇଗଲେ, ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଅର୍ଥ କିମ୍ବା ପୄଷ୍ଠଭୂମିର ବିଶେଷ ଆବଶ୍ୟକତା ନାହିଁ; ବରଂ ଲୋଡା ସ୍ୱପ୍ନ ଓ ସାଧନା । ଏହି ଦୄଷ୍ଟିରୁ ରମଣ ଆମ ସମସ୍ତଙ୍କ ପାଇଁ  ଜଣେ ଆଦର୍ଶ ଏବଂ ତା’ଙ୍କର ଜୀବନୀ ଆମ ସମସ୍ତଙ୍କୁ ଚିରଦିନ ଅନୁପ୍ରାଣିତ କରୁଥିବ ।

      କହିବା ବାହୁଲ୍ୟ ଯେ, ଏହି ଯୁଗାନ୍ତକାରୀ ଆବିଷ୍କାର ନିମନ୍ତେ ରମଣଙ୍କୁ 1930 ମସିହାରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଲାଭ କରିବାରେ ରମଣ ଥିଲେ ସର୍ବପ୍ରଥମ ଏସୀୟ ଓ ଭାରତୀୟ । ରମଣଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ଘଟିଥିଲା 1928 ମସିହା ଫେବ୍ରୁଆରୀ 28 ତାରିଖରେ । ସେଥିପାଇଁ ଫେବ୍ରୁଆରୀ 28 ତାରିଖକୁ ଆମ ଦେଶରେ ପ୍ରତି ବର୍ଷ ‘ଜାତୀୟ ବିଜ୍ଞାନ ଦିବସ' ରୂପେ ପାଳନ କରାଯାଉଛି ।







                                                                               ନିକୁଂଜ ବିହାରୀ ସାହୁ

                                                                             ଏଜୁକେଶନ୍ ଅଫିସର

                                                                            ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                    ଭୋପାଲ

                                                                         ଫୋନ୍ : 8018708858

To read the article published in the daily  Sakala dtd 18.02.23 , pl click the following link:

https://tinyurl.com/Raman-odiya

 

 

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ