ଦୁର୍ଦ୍ଦଷ ବାୟୁଯାନ : ଏମ୍. ଆଇ. ହେଲିକପ୍ଟର
ନିକଟରେ
ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା
ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା
ଆରୋହୀ ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ଘଟିଛି I ଦୁର୍ଘଟଣାଗ୍ରସ୍ତ
ହେଲିକପ୍ଟରଟି ଭାରତୀୟ ବାୟୁସେନାର ଏକ Mi-17V-5 ପରିବହନ
ବାୟୁଯାନ ବୋଲି ଜଣା ପଡିଛି I ଏହି
ହେଲିକପ୍ଟର ସମ୍ପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା :
ବହୁ-ଉପଯୋଗୀ ଦୁର୍ଦ୍ଦଷ ହେଲିକପ୍ଟର
ଏହା
ମୂଖ୍ୟତଃ ଏକ ପରିବହନ ହେଲିକପ୍ଟର ହେଲେ ସୁଦ୍ଧା ଶତ୍ରୁ ସେନା ଉପରେ ଆକ୍ରମଣ କରିବା ଏବଂ
ପ୍ରତିକୁଳ ପରିସ୍ଥିତିରେ ଆକ୍ରମଣ ତଥା ଗୁଇନ୍ଦାଗିରି ନିମନ୍ତେ ସେନା ଓ ସାମଗ୍ରୀ ତୁରନ୍ତ ପରିବହନ କରି ନିର୍ଦ୍ଧାରିତ
ସ୍ଥାନରେ ପହଞ୍ଚାଇବା ପାଇଁ ଏଥିରେ ଯଥେଷ୍ଟ ସୁବିଧା ଅଛି I ଏହା ବିଶ୍ୱର ଏକ
ଅତ୍ୟାଧୁନିକ ତଥା ବହୁ-ଉପଯୋଗୀ ଦୁର୍ଦ୍ଦଷ
ହେଲିକପ୍ଟର I ଏଥିରେ ବିମାନଚାଳନା ନିମନ୍ତେ
ଅତ୍ୟାଧୁନିକ ଯନ୍ତ୍ରମାନ ଖଂଜା ଅଛି ଯାହା ସାହାଯ୍ୟରେ ଏହା ଦିନରାତି ସବୁ ସମୟରେ ପୄଥିବୀର ଯେକୌଣସି ଭୌଗଳିକ ତଥା ଜଳବାୟୁ ପରିସ୍ଥିତିରେ ଏବଂ
ଏପରିକି ଖରାପ ପାଗରେ ମଧ୍ୟ କାର୍ଯ୍ୟ ସମ୍ପାଦନ
କରି ପାରିବ I ଏହି ହେଲିକପ୍ଟରକୁ ମଧ୍ୟ ବନ୍ୟା,
ବାତ୍ୟା ଭଳି ଆପଦକାଳୀନ ପରିସ୍ଥିତିରେ ଯୋଗାଣ ଓ
ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ I ଏହା ଯେକୌଣସି ସ୍ଥାନରେ ବିନା ହେଲିପ୍ୟାଡରେ ଏବଂ ଏପରିକି ରାତ୍ରି ସମୟରେ ମଧ୍ୟ ଅବତରଣ କରିବା ପାଇଁ
ସକ୍ଷମ I ଏହା ଉଭୟ ଯାତ୍ରୀକକ୍ଷ (Cabin)
ଓ ତଳପଟେ ଝୁଲୁଥିବା
ଝୁଲା
(Sling) ରେ ମାଲ ପରିବହନ କରିପାରେ I ଏହି
ଶ୍ରେଣୀର ଅଳ୍ପ କିଛି ହେଲିକପ୍ଟର ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସୁଦ୍ଧା ଏହାର ସୁରକ୍ଷିତ ଉଡ୍ଡାଣ ରେକର୍ଡ ବିଶ୍ୱର ଅନ୍ୟ ଯେକୌଣସି ପରିବହନ ହେଲିକପ୍ଟରଠାରୁ ଯଥେଷ୍ଟ ଭଲ I ଏବେ ବିଶ୍ୱର ପ୍ରାୟ 70 ଟି ଦେଶ ଏହି ହେଲିକପ୍ଟର ବ୍ୟବହାର କରୁଛନ୍ତି
I
ଉତ୍ପାଦନ ଏବଂ ଇତିହାସ
Mi-17V-5 ହେଲିକପ୍ଟର ବିଶ୍ୱରେ
ନିଜର ବହୁ-ଉପାଦେୟତା, ବିଶ୍ୱସନୀୟତା ଏବଂ କାର୍ଯ୍ୟଦକ୍ଷତା ପାଇଁ ବେଶ୍ ଜଣାଶୁଣା Mi-8/17
ଶ୍ରେଣୀ ବାୟୁଯାନର
ସାମରିକ ପରିବହନ ଉପଯୋଗ ନିମନ୍ତେ ବ୍ୟବହୄତ ଏକ
ପରିବର୍ତ୍ତିତ ରୂପ I ଏହା
ରୁଷର କାଜାନ୍ ହେଲିକପ୍ଟର (Kazan
Helicopters) କମ୍ପାନୀ ଦ୍ୱାରା ନିର୍ମିତ I ଏହି ହେଲିକପ୍ଟର ବିବିଧ ସାମରିକ କାର୍ଯ୍ୟକଳାପ ଯଥା ସୈନ୍ୟ ଓ
ଅସ୍ତ୍ରଶସ୍ତ୍ର ପରିବହନ, ଗୁଳିଗୋଳାବର୍ଷଣ, ଅଗ୍ନି ନିର୍ବାପନ, ସେନାଦଳକୁ ପଥପ୍ରଦର୍ଶନ, ପହରାକାର୍ଯ୍ୟ ,
ଗୁଇନ୍ଦାଗିରି, ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟରେ
ନିୟୋଜନ ଭଳି ଅନେକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟକୁ ଦକ୍ଷତାର ସହିତ ସମ୍ପାଦନ କରିପାରୁ ଥିବାରୁ
ବିଭିନ୍ନ ଦେଶରେ ଏହାର ଅଭୂତପୂର୍ବ ଚାହିଦା ରହିଛି I ଆମ ଦେଶର ପ୍ରତିରକ୍ଷା ବିଭାଗ ଗତ 2008 ମସିହାରେ ଭାରତୀୟ ବାୟୁସେନା
ନିମନ୍ତେ 80ଟି ଏହି ହେଲିକପ୍ଟର ଯୋଗାଣ ପାଇଁ ରୁଷୀୟ କମ୍ପାନୀ ନିକଟରେ ଚୁକ୍ତି କରିଥିଲା I ଭାରତକୁ ଏହି ହେଲିକପ୍ଟରର ଯୋଗାଣ 2011 ମସିହାରେ ଆରମ୍ଭ ହୋଇ 2018 ମସିହାରେ ସମାପ୍ତ
ହୋଇଥିଲା I
ଇଂଜିନ୍
ଏଥିରେ ଦୁଇଟି
ଶକ୍ତିଶାଳୀ ଇଂଜିନ୍ ଖଂଜା (turbo-shaft
engine) ଯାଇଛି ; ଫଳରେ କୌଣସି କାରଣରୁ ଗୋଟିଏ ଇଂଜିନ୍ ଅଚଳ ହୋଇଗଲେ ଅନ୍ୟ
ଇଂଜିନକୁ କାର୍ଯ୍ୟକ୍ଷମ କରି ଗନ୍ତବ୍ୟ ସ୍ଥଳରେ ନିରାପଦରେ ପହଞ୍ଚି ହେବ I ଏହି ଇଂଜିନ ଗୁଡିକ ହେଲା : TV3-117VM ଏବଂ VK-2500 ଇଂଜିନ୍
I ସେଥିମଧ୍ୟରୁ TV3-117VM ଇଂଜିନଟି
ସର୍ବାଧିକ 2100 hp କ୍ଷମତା ପ୍ରଦାନ କରିପାରୁଥିଲାବେଳେ
VK-2500 ଇଂଜିନ୍ 2700hp କ୍ଷମତା
ପ୍ରଦାନ କରିବାକୁ ସକ୍ଷମ I ଏହି
ବିମାନର ସର୍ବାଧିକ ବେଗ 250 କି.ମି./ଘଣ୍ଟା ଏବଂ ଏହା ଥରକେ 580 କି.ମି. ଦୂରତା ପର୍ଯ୍ୟନ୍ତ
ଉଡ୍ଡାଣ ଭରି ପାରିବ I ଏଥିରେ
ଦୁଇଟି ଅତିରିକ୍ତ ଇନ୍ଧନ ଟାଙ୍କି ଖଂଜାଗଲେ ଏହାର ଅତିକ୍ରାନ୍ତ ପରିସରକୁ 1065 କି.ମି.
ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ ପାରିବ I ଏହା ଆକାଶରେ ସର୍ବାଧିକ 6000 ମିଟର ଉଚ୍ଚତାରେ ଉଡି ପାରିବ I
ଯାତ୍ରୀ ପ୍ରକୋଷ୍ଠ (Cabin)
ଏହି ହେଲିକପ୍ଟରର
କ୍ୟାବିନ୍ ଅପେକ୍ଷାକୄତ ପ୍ରଶସ୍ତ ଏବଂ ଏହା ମଧ୍ୟକୁ ପହଞ୍ଚିବା ନିମନ୍ତେ ଯାତ୍ରୀମାନଙ୍କ ପାଇଁ ମୂଖ୍ୟ
ପାର୍ଶ୍ୱ-ପ୍ରବେଶଦ୍ୱାର ବ୍ୟତୀତ ତୁରନ୍ତ ସେନା ଏବଂ ସାମଗ୍ରୀ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ
ପଛପଟରେ ମଧ୍ୟ ଏକ ରାମ୍ପ୍ ( Ramp) ର ବ୍ୟବସ୍ଥା ଅଛି I ଏହା
ଏକ 3 ଜଣିଆ ଚାଳକଦଳଙ୍କ ସମେତ ସମୁଦାୟ 36 ଜଣ ସଶସ୍ତ୍ର ସୈନିକଙ୍କୁ ଆକାଶମାର୍ଗରେ ବହନ କରି
ନେଇପାରେ I ଏହି
ହେଲିକପ୍ଟର ସର୍ବାଧିକ 13,000 କି.ଗ୍ରା. ଓଜନର ସାମଗ୍ରୀ ଉଠାଇ ଉଡ୍ଡାଣ ଭରିବା ସହିତ ନିଜ ତଳ
ଭାଗରୁ ଲମ୍ବିଥିବା ଝୁଲା ( Sling)
ରେ ମଧ୍ୟ 4500
କି.ଗ୍ରା. ଓଜନର ଅତିରିକ୍ତ ଭାର ବହନ କରିପାରେ I ଏହି ହେଲିକପ୍ଟର କ୍ରାନ୍ତିମଣ୍ଡଳୀୟ, ସାମୁଦ୍ରିକ କିମ୍ବା ମରୁଭୂମି ଭଳି
ବିଭିନ୍ନ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ I
ଚାଳକ
କକ୍ଷ (Cockpit)
ଏହି ହେଲିକପ୍ଟରର
ଚାଳକ କକ୍ଷରେ ଉଡ୍ଡାଣ ଓ ବିମାନଚାଳନା
ସମ୍ପର୍କୀୟ ଅତ୍ୟାଧୁନିକ ଯନ୍ତ୍ରାବଳି ଯଥା ଚାରୋଟି ବହୁ-ଉପାଦେୟୀ ପ୍ରଦର୍ଶନ ପରଦା (Multi Function Display -MFD), ରାତିରେ
ଦୄଶ୍ୟ ନିମନ୍ତେ ଉପକରଣ ( Night Vision Equipment), ପାଣିପାଗ ସମ୍ପର୍କୀୟ ସୂଚନା ପ୍ରଦାନ ନିମନ୍ତେ ବିମାନସ୍ଥ
ରାଡାର ଏବଂ ଅଟୋ-ପାଇଲଟ ଆଦି ଗୁରୁତ୍ୱପୂର୍ଣ୍ଣ
ବ୍ୟବସ୍ଥା ସ୍ଥାନିତ ଅଛି I
ଅସ୍ତ୍ରଶସ୍ତ୍ର
ଏହା କେବଳ ଏକ ପରିବହନ ହେଲିକପ୍ଟର ନୁହେଁ; ଏଥିରେ
ମଧ୍ୟ ଅନେକ ପ୍ରକାରର ମାରଣାସ୍ତ୍ର ଖଂଜା ଯାଇ ପାରିବ I ଏହି ବିମାନରେ
ସ୍ଥାନିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି
ଶତ୍ରୁ ସେନା, ଟ୍ୟାଙ୍କ, ଭୂମିଗତ ଲକ୍ଷ୍ୟସ୍ଥଳୀ, ଶତ୍ରୁର ଦୁର୍ଗ, ସ୍ଥିର କିମ୍ବା
ଗତିଶୀଳ ବସ୍ତୁକୁ ଆଘାତ କରିହେବ I ଏହି ହେଲିକପ୍ଟରରେ ଥିବା ମାରକ ଅସ୍ତ୍ରମାନ ହେଲା Shturm-V କ୍ଷେପଣାସ୍ତ୍ର
, S-8 ରକେଟ, 23mm ମେସିନ୍
ଗନ୍, PKT ମେସିନ୍
ଗନ୍ ଏବଂ AKM ସବ୍-ମେସିନ୍ ଗନ୍ I ରୁଷ୍ ଦ୍ୱାରା ବିକଶିତ Shturm-V ବ୍ୟବସ୍ଥା ବେତାର
ତରଙ୍ଗ ଦ୍ୱାରା ମାର୍ଗନିର୍ଦ୍ଦେଶିତ ଏକ
କ୍ଷେପଣାସ୍ତ୍ର ଯାହାକୁ ଆକାଶମାର୍ଗରୁ ପ୍ରହାର କରି ଶତ୍ରୁପକ୍ଷର କୌଣସି ଟ୍ୟାଙ୍କକୁ ଧ୍ୱଂସ କରାଯାଇପାରିବ I ସେହିପରି,
S-8 ଏକ ସ୍ୱଳ୍ପ ଦୂରଗାମୀ ରକେଟ୍ ଯାହା 3.6 କି.ଗ୍ରା. ଓଜନର ବିସ୍ଫୋରକ ସାମଗ୍ରୀ
ବହନ କରି ନିର୍ଭୁଲ ରୂପେ ଶତ୍ରୁ ଶିବିରରେ
ପ୍ରବେଶ କରି ପାରିବ I ଏହାର
ସ୍ୱଳ୍ପ ଓଜନ ହେତୁ ଏହାକୁ ସହଜରେ ହେଲିକପ୍ଟରରେ ଖଂଜି ଏକାଥରକେ ଅନେକ ରକେଟକୁ ଲକ୍ଷ୍ୟସ୍ଥଳୀ
ଉଦ୍ଦେଶ୍ୟରେ ନିକ୍ଷେପ କରିହେବ I ଆହୁରି ମଧ୍ୟ, 7.62 mm ନଳୀ ବ୍ୟାସ ଓ 772 mm ନଳୀ ଲମ୍ବ ବିଶିଷ୍ଟ PKT ମେସିନ୍ ଗନ୍ ଏକ ସ୍ୱୟଂଚାଳିତ ବନ୍ଧୁକ ଯେଉଁଥିରୁ ଏକ ମିନିଟରେ ପ୍ରାୟ 500 ରାଉଣ୍ଡ ଗୁଳି
ଅନବରତ ବର୍ଷଣ କରି 4 କି.ମି. ଦୂରତାରେ ଥିବା ଲକ୍ଷ୍ୟସ୍ଥଳୀକୁ ଆଘାତ କରିହେବ I ଏହି
ହେଲିକପ୍ଟରରୁ ଏକକାଳୀନ 8ଟି ଲକ୍ଷ୍ୟସ୍ଥଳୀ ଉପରେ ଆକ୍ରମଣ କରିହେବ କରିହେବ I
ସୁରକ୍ଷା
ବ୍ୟବସ୍ଥା
ଶତ୍ରୁର ଗୁଳିଗୋଳା
ଓ କ୍ଷେପଣାସ୍ତ୍ର ମାଡରୁ ରକ୍ଷା କରିବା ପାଇଁ ଏହି ହେଲିକପ୍ଟରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଚାଳକ କକ୍ଷ , ଇନ୍ଧନ ଟାଙ୍କି ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର
ଇତ୍ୟାଦି ଚାରିପଟେ ମୋଟା ଧାତବ ଚାଦର ସୁରକ୍ଷା ବଳୟର ଆବରଣ ଅଛି I ଏଥିରେ
ଥିବା ଯୁଗ୍ମ ଇଂଜିନ୍ (Twin engine) ବ୍ୟବସ୍ଥା ଜରିଆରେ ଗୋଟିଏ
ଇଂଜିନ୍ ଅଚଳ ହୋଇଗଲେ ସୁଦ୍ଧା ଅନ୍ୟ ଇଂଜିନକୁ କାର୍ଯ୍ୟକ୍ଷମ କରି ବାୟୁଯାନକୁ ନିରାପଦସ୍ଥଳୀରେ
ପହଞ୍ଚାଇ ହେବ I ଏଥିରେ ସ୍ଥାନିତ ଅଟୋ-ପାଇଲଟ (Autopilot)
ବ୍ୟବସ୍ଥା ବିନା ତ୍ରୁଟିରେ ଚାଳକକୁ ବିମାନଚାଳନା ସମ୍ପର୍କୀୟ ଅନେକ ଜଟିଳ କାର୍ଯ୍ୟ ସ୍ୱୟଂଚାଳିତ ଉପାୟରେ ସମ୍ପାଦନ
କରିବା ଦିଗରେ ମାର୍ଗନିର୍ଦ୍ଦେଶିତ କରିଥାଏ I ଏଥିରେ ମଧ୍ୟ, ଏକ ଅତିରିକ୍ତ ସ୍ଲାଇଡିଙ୍ଗ ପ୍ରବେଶଦ୍ୱାର, ପାରାସୁଟ୍ ଅବତରଣ
ବ୍ୟବସ୍ଥା, ସର୍ଚ୍ଚଲାଇଟ୍ ଏବଂ ଜଳରେ ଭାସିବା ଭଳି ସହାୟକ ଉପକରଣମାନ ସ୍ଥାନିତ ଅଛି I ଏଥିରେ
ଥିବା ଜାମର୍ ବ୍ୟବସ୍ଥା ଇଂଜିନରୁ ନିର୍ଗତ ଇନଫ୍ରା-ରେଡ୍
ବିକିରଣକୁ ପ୍ରତିହତ କରେ ଯାହାଦ୍ୱାରା ଶତ୍ରୁର କୌଣସି କ୍ଷେପଣାସ୍ତ୍ର ଏହି
ଇନଫ୍ରା-ରେଡ୍ ସଙ୍କେତକୁ ଅନୁସରଣ କରି ବିମାନକୁ
ଆଘାତ କରିବାକୁ ସମର୍ଥ ହୋଇନଥାଏ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Very educative Sir
ReplyDeleteThanks
https://youtube.com/channel/UC4TEoCqy2_kv0TwK5kHpWZw
ReplyDelete