ଜଳବାୟୁ ସମ୍ମିଳନୀ COP 26 ର କିଛି ଲକ୍ଷ୍ୟ ଓ ଆଭିମୂଖ୍ୟ

 ପ୍ରବନ୍ଧରେ ବ୍ୟବହୄତ କେତୋଟି ମୂଖ୍ୟ ବୈଷୟିକ ଶବ୍ଦ  :

ଶୂନ୍ୟ କାର୍ବନ୍ ଉତ୍ସର୍ଜନ ସ୍ଥିତି (Net Zero),  ଜଳବାୟୁ ଅନୁକୂଳନ (Climate Adaptation), ଜାତୀୟ ନିର୍ଦ୍ଧାରିତ ଅଂଶଦାନ (Nationally Determined Contribution -NDC), ଜଳବାୟୁ ପ୍ରତିରୋଧକଶୀଳତା (Climate Resilience), ଜଳବାୟୁ ସଙ୍କଟ ( Climate Crisis), ଜଳବାୟୁ ଉତ୍ତରଣ (Climate Transition) , ସବୁଜ ଭିତ୍ତିଭୂମି (Green Infrastructure), ସବୁଜ ନିବେଶ (Green Investment), କାର୍ବନ ବଜାର (Carbon Market), ନିରାକରଣ ଫଳାଫଳ (Mitigation Outcomes- MO), ସାଧାରଣ ସମୟ ସୀମା  (Common Time Frames- CTF), ସମ୍ପ୍ରସାରିତ ସ୍ୱଛତା ବ୍ୟବସ୍ଥା (Enhanced Transparency Framework - ETF), ପ୍ୟାରିସ୍ ମାର୍ଗନିର୍ଦ୍ଦେଶିକା ପୁସ୍ତିକା  ( Paris Rulebook), ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ନ୍ୟାୟ (Climate Justice), ସବୁଜ ନବସୄଜନ ଓ ପ୍ରଯୁକ୍ତି (Green Innovation and Technology), ଜଳବାୟୁ ପରିବର୍ତ୍ତନ ଜନିତ ଅସୁରକ୍ଷିତତା ( Climate Vulnerability)


              ବିଗତ ଅକ୍ଟୋବର 31 ତାରିଖଠାରୁ ଆରମ୍ଭ କରି ନଭେମ୍ବର 12 ତାରିଖ ପର୍ଯ୍ୟନ୍ତ  ସ୍କଟଲାଣ୍ଡର ରାଜଧାନୀ ଗ୍ଲାସଗୋ ସହରରେ (UNFCCC - United Nations Framework Convention on Climate Change) 26ତମ   ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି I ଅଧିବେଶନର ପ୍ରାରମ୍ଭରେ କାର୍ଯ୍ୟନିର୍ବାହୀ ସଚ୍ଚିବ ପାଟ୍ରିସିଆ ଏସ୍ପିନୋସା (Patricia Espinosa) ସଂପ୍ରତି ବିଶ୍ୱ ସମ୍ମୁଖୀନ୍ନ ହେଉଥିବା ଜଳବାୟୁ ପରିବର୍ତ୍ତନର ଜରୁରୀକାଳୀନ ସମସ୍ୟାବଳିର ମୁକାବିଲା  ତଥା ଶୂନ୍ୟ କାର୍ବନ୍ ଉତ୍ସର୍ଜନ ସ୍ଥିତି (Net Zero) ଲକ୍ଷ୍ୟହାସଲ ନିମନ୍ତେ ରାଷ୍ଟ୍ର , ବାଣିଜ୍ୟ ସଙ୍ଗଠନ  ତଥା ନାଗରିକମାନଙ୍କ ମଧ୍ୟରେ ସହଯୋଗିତା ନିମନ୍ତେ ଆହ୍ୱାନ ଜଣେଇ କହିଥିଲେ, “Total inclusion must be the foundation upon which this process is built.... We are all facing the same climate emergency. We must all be part of the solution.”

      ବିଗତ 2015 ମସିହାର ପ୍ୟାରିସ୍ ରାଜିନାମା (Paris Agreement) COP 21 ପରଠାରୁ   ଚଳିତ COP 26 ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମ୍ମିଳନୀ I ଏହି ସମ୍ମିଳନୀକୁ UK ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଉଦଘାଟନ କରିଥିଲେ I ଏହି ଅଧିବେଶନରେ ଯୁକ୍ତରାଷ୍ଟ୍ର ଅମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ନିଜ ନିଜ ପକ୍ଷର ଜଳବାୟୁ ସଂକ୍ରାନ୍ତୀୟ ପଦକ୍ଷେପର ଲକ୍ଷ୍ୟ ଓ ଆଭିମୂଖ୍ୟ ସମ୍ପର୍କରେ ବୟାନ ରଖିଥିଲେ I  ଏହି ସମ୍ମିଳନୀରେ ଅନେକ ପ୍ରସଙ୍ଗ ଯଥା ଜଳବାୟୁ ଜନିତ ସମସ୍ୟାର ମୁକାବିଲା ଓ ପ୍ରବନ୍ଧନ ନିମନ୍ତେ ବିତ୍ତ ସଂଗ୍ରହ, ଜୀବାଶ୍ମ ଇନ୍ଧନ ସ୍ତରରୁ ସ୍ୱଛ ଶକ୍ତି ଉତ୍ସ  ସ୍ତରକୁ ଉତ୍ତରଣ, ଚିରସ୍ଥାୟୀ ଜଳ ଓ ଜମି ପ୍ରବନ୍ଧନ ବ୍ୟବସ୍ଥା , ଜନସାଧାରଣ ବିଶେଷକରି ଯୁବବର୍ଗଙ୍କ ଏ କ୍ଷେତ୍ରରେ ସହଯୋଗ, ଶୂନ୍ୟ କାର୍ବନ୍ ଉତ୍ସର୍ଜନ  ଲକ୍ଷ୍ୟ ହାସଲ , ସହରମାନଙ୍କରେ ଜଳବାୟୁପ୍ରିୟ ପଦକ୍ଷେପ ଗ୍ରହଣ ଇତ୍ୟାଦି ମୂଖ୍ୟ ପ୍ରସଙ୍ଗ ରହିବ I ଏଠାରେ ଆମେ ସମ୍ମିଳନୀର କେତୋଟି ମୂଖ୍ୟ  ଆଭିମୂଖ୍ୟ ତଥା ସଂଶ୍ଳିଷ୍ଟ ପକ୍ଷମାନଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ଧାରାକୁ ମନ୍ଦିତ କରିବା ପାଇଁ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ   ବୁଝାମଣା ହୋଇଥିବା କିଛି ଦିଗନ୍ତ  ଉପରେ ଏହାର ପରିଣାମ ସମ୍ପର୍କରେ ନିମ୍ନରେ ଆଲୋକପାତ କରିବା : 

1.     ଚଳିତ ଶତାବ୍ଦୀର ମଧ୍ୟଭାଗ (2050 ମସିହା) ସୁଦ୍ଧା ଶୂନ୍ୟ କାର୍ବନ୍ ଉତ୍ସର୍ଜନ ସ୍ଥିତି ହାସଲ ଏବଂ ବୈଶ୍ୱିକ ତାପମାତ୍ରାକୁ 1.5 ଡିଗ୍ରୀ ସେଲସିୟସ ସୀମା ମଧରେ ସୀମିତ ରଖିବା ନିମନ୍ତେ ପଦକ୍ଷେପ ଗ୍ରହଣ,

2.     ସମ୍ପ୍ରଦାୟ (Communities) ଓ ପ୍ରାକୄତିକ ବାସସ୍ଥାନ (Natural Habitats) ର ସୁରକ୍ଷା ନିମନ୍ତେ ଜଳବାୟୁ ଅନୁକୂଳନ (Climate Adaptation) ଅଭିମୂଖୀ ଯୋଜନା ପ୍ରସ୍ତୁତି,

3.     ଜଳବାୟୁ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ବିତ୍ତ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ କରଣ  ଏବଂ

4.     ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ

 

1.     ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଶୂନ୍ୟ କାର୍ବନ୍ ଉତ୍ସର୍ଜନ ସ୍ଥିତି ହାସଲ ଏବଂ ବୈଶ୍ୱିକ ତାପମାତ୍ରାକୁ 1.5 ଡିଗ୍ରୀ ସେଲସିୟସ ସୀମା ମଧରେ ସୀମିତ ରଖିବା ନିମନ୍ତେ ପଦକ୍ଷେପ ଗ୍ରହଣ:

 

     COP 26  ର ଏକ ମୂଖ୍ୟ ଆଭିମୂଖ୍ୟ ହେଉଛି ପ୍ୟାରିସ୍ ରାଜିନାମାର ଧାରା -2 ( Article-2) ରେ ସ୍ଥାନିତ ଲକ୍ଷ୍ୟଧାର୍ଯ୍ୟର ମୂଖ୍ୟ ପ୍ରସଙ୍ଗ ଯଥା ବୈଶ୍ୱିକ ତାପମାତ୍ରାକୁ 1.5 ଡିଗ୍ରୀ ସେଲସିୟସ ସୀମା ମଧରେ ସୀମିତ ରଖିବାର ସଂକଳ୍ପକୁ ବାସ୍ତବତାରେ ରୂପାୟନ କରିବା I ସାଂପ୍ରତିକ  ଧାରାରୁ  ଜଣା ପଡିଛି  ଯେ, ବିଶ୍ୱ ଏବେ ଏହି ଲକ୍ଷ୍ୟପୂରଣଠାରୁ ବହୁ ପଛରେ ଅଛି I ଏପରିକି, ସମ୍ମିଳନୀର ଅବ୍ୟବହିତ ପୂର୍ବରୁ UNEP (United Nations Environment Programme) ପ୍ରକାଶ କରିଥିବା  ଏକ Gap Report ରୁ ଜଣାପଡେ ଯେ , ଏବେ ଆମର ବିଶ୍ୱ ଚଳିତ ଶତାବ୍ଦୀର ଶେଷ ବେଳକୁ ତାପମାତ୍ରା ବୄଦ୍ଧିର  1.5 ଡିଗ୍ରୀ ସୁରକ୍ଷିତ ସୀମା ପରିବର୍ତ୍ତେ ବିପଦସଙ୍କୁଳ 2.7  ମାତ୍ରା  ଆଡକୁ ଅଗ୍ରସର ହେଉଛି ଯାହା ଭବିଷ୍ୟତରେ ଘୋର ଦୁର୍ଦ୍ଦିନର କାରଣ ହୋଇପାରେ I ଏହି ବୈଷମ୍ୟତାକୁ ଦୂର କରିବା ପାଇଁ ସମ୍ମିଳନୀରେ ଉଦ୍ୟମ କରାଯିବା ନିମନ୍ତେ ନିମ୍ନୋକ୍ତ ପଦକ୍ଷେପସବୁ ଗ୍ରହଣ କରାଯିବ:

 

1.     ସଂଶ୍ଳିଷ୍ଟ ରାଷ୍ଟ୍ରମାନଙ୍କୁ 2030 ମସିହା ସୁଦ୍ଧା ନିଜର ଜାତୀୟ ନିର୍ଦ୍ଧାରିତ ଅଂଶଦାନ (Nationally Determined Contribution -NDC) ର ମାତ୍ରାକୁ ବୄଦ୍ଧି କରିବାକୁ ପ୍ରୋତ୍ସାହିତ କରାଯିବ I

2.     ଦୀର୍ଘ ମିଆଦି ଭିତ୍ତିରେ ବିଜ୍ଞାନ ଓ ପ୍ରଯୁକ୍ତିର କୌଶଳ ପ୍ରୟୋଗ  ଜରିଆରେ ଶୂନ୍ୟ କାର୍ବନ୍ ଉତ୍ସର୍ଜନ ଲକ୍ଷ୍ୟଧାର୍ଯ୍ୟକୁ  ବାସ୍ତବତାରେ ରୂପାୟନ କରିବାକୁ ନିଶ୍ଚିତ କରାଯିବ ଏବଂ

3.     ଶୂନ୍ୟ କାର୍ବନ୍ ଉତ୍ସର୍ଜନ ଲକ୍ଷ୍ୟଧାର୍ଯ୍ୟ ହାସଲ ନିମନ୍ତେ ପ୍ୟାରିସ୍ ମାର୍ଗନିର୍ଦ୍ଦେଶିକା ପୁସ୍ତିକା  ( Paris Rulebook) ର ବ୍ୟବସ୍ଥା ଓ ପ୍ରସ୍ତାବସବୁକୁ କାର୍ଯ୍ୟକାରିତା ନିମନ୍ତେ ଚୂଡାନ୍ତ ରୂପରେଖ ପ୍ରଦାନ କରାଯିବ I

 

2.     ସମ୍ପ୍ରଦାୟ ଓ ପ୍ରାକୄତିକ ବାସସ୍ଥାନର ସୁରକ୍ଷା ନିମନ୍ତେ ଜଳବାୟୁ ଅନୁକୂଳନ ଅଭିମୂଖୀ ଯୋଜନା ପ୍ରସ୍ତୁତି:

 

   କ୍ରମବର୍ଦ୍ଧିଷ୍ଣ ତାପମାତ୍ରା ପ୍ରଭାବରୁ  ଚରମ ପାଣିପାଗ ସକ୍ରାନ୍ତୀୟ ଘଟଣାମାନ ପରିଲକ୍ଷିତ ହେଉଛି ଯାହା ଫଳରେ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଜୀବନ, ଜୀବିକା ଓ ପ୍ରାକୄତିକ ବାସସ୍ଥଳୀ ଘୋର କ୍ଷତିଗ୍ରସ୍ତ  ହେଉଛି I ଚଳିତ ସମ୍ମିଳନୀର ଅନ୍ୟତମ ମୂଖ୍ୟ ଆଭିମୂଖ୍ୟ ହେଉଛି ଏପରି କିଛି କାର୍ଯ୍ୟପନ୍ଥା ଗ୍ରହଣ କରିବା ଯାହାଦ୍ୱାରା  ସ୍ଥାନୀୟ ସମ୍ପ୍ରଦାୟମାନଙ୍କମାନଙ୍କର ବାସସ୍ଥଳୀ ଓ ପରିସଂସ୍ଥାର ସୁରକ୍ଷା ,  କୄଷି, ଜମି, ଜଙ୍ଗଲ  ଓ ଭିତ୍ତିଭୂମି ବ୍ୟବସ୍ଥାର ସୁଦୄଢିକରଣ  ଏବଂ ଆଗୁଆ ସତର୍କ ସୂଚନା ଜରିଆରେ ପ୍ରାକୄତିକ ବିପର୍ଯ୍ୟୟର ଉତ୍ତମ ପ୍ରବନ୍ଧନ ଓ ପରିଚାଳନା କରିହେବ I  ଏହି ଲକ୍ଷ୍ୟ ପୂରଣ ପାଇଁ  ଚଳିତ ସମ୍ମିଳନୀରେ ନିମ୍ନୋକ୍ତ କିଛି ବିଷୟ ଉପରେ ଆଲୋଚନା କରାଯିବ:

 ·       ଜଳବାୟୁ ପରିବର୍ତ୍ତନ ପ୍ରତି ଅଧିକ ଅସୁରକ୍ଷିତ (Vulnerable) ଥିବା ରାଷ୍ଟ୍ରମାନଙ୍କୁ ବିକଶିତ ରାଷ୍ଟ୍ରମାନଙ୍କ ଦ୍ୱାରା   ସହଯୋଗର ହାତ ବଢେଇବା:

      ଚଳିତ ସମ୍ମିଳନୀରେ  ଜଳବାୟୁ ଅନୁକୂଳନତା ( Climate Adaptation) ର ବୈଶ୍ୱିକ ଲକ୍ଷ୍ୟଧାର୍ଯ୍ୟକୁ  କାର୍ଯ୍ୟକାରୀ କରିବା ସହିତ ଏ କ୍ଷେତ୍ରରେ   ଘଟିଥିବା ପ୍ରଗତିକୁ ଅନୁଶୀଳନ କରାଯିବ I ସୂଚନାଯୋଗ୍ୟ ଯେ, ପ୍ୟାରିସ୍ ରାଜିନାମାର ଧାରା-7 ( Article 7) ଅଧୀନରେ ପ୍ରଥମେ ଏହି ‘ଜଳବାୟୁ ଅନୁକୂଳନତା’ ପ୍ରସଙ୍ଗ ଉତଥାପିତ ହୋଇଥିଲା ଯଦ୍ଦ୍ୱାରା ଜଳବାୟୁ ପରିବର୍ତ୍ତନର ଶିକାର ହେଉଥିବା ବିଶ୍ୱର  ରାଷ୍ଟ୍ରମାନେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ନ୍ୟାୟ (Climate Justice) ପାଇବା ସାଙ୍ଗକୁ ସେମାନଙ୍କ ଜୀବନଶୈଳୀର ପ୍ରତିରୋଧକତା ସାମର୍ଥ୍ୟର ମଜବୁତକରଣ ତଥା ଜଳବାୟୁ ପରିବର୍ତ୍ତନ ଜନିତ ଜଳବାୟୁ ସଙ୍କଟ ( Climate Crisis) ପ୍ରତି ବ୍ୟକ୍ତି ଓ ରାଷ୍ଟ୍ର ସ୍ତରରେ ଅସୁରକ୍ଷିତତା (Climate Vulnerability) ପରିସ୍ଥିତିକୁ  ପ୍ରତିହତ କରାଯାଇ ପାରିବ I 

·       କୌଣସି ରାଷ୍ଟ୍ରର ଜାତୀୟ ଅନୁକୂଳନତା ଯୋଜନା  ଏବଂ ଅନୁକୂଳନତା ଇସ୍ତାହାର ( National Adaption Plans and Communications) କେବଳ ସଂପୄକ୍ତ ରାଷ୍ଟ୍ର କ୍ଷେତ୍ରରେ ସୀମିତ ଥିବାରୁ ଏହାକୁ ବିଶ୍ୱାଭିମୂଖୀ ଦିଗନ୍ତକୁ ସଂପ୍ରସାରଣ କରି ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ପ୍ରବାହ ଓ ଧାରା  ସହିତ  ଉପଯୋଗୀ କରାଇବା ନିମନ୍ତେ ପକ୍ଷମାନଙ୍କୁ ପ୍ରୋତ୍ସାହିତ କରାଯିବ I

 3.     ଜଳବାୟୁ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ବିତ୍ତ ସଂଗ୍ରହ:

   ପକ୍ଷ୍ଭୁକ୍ତ ରାଷ୍ଟ୍ରମାନଙ୍କର  ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ସାଙ୍ଗକୁ ଆଗାମୀ ଦିନରେ ଜଳବାୟୁ ପ୍ରତିରୋଧକଶୀଳତା (Climate Resilience) ସ୍ଥିତିକୁ ଉତ୍ତରଣ ସୁଗମିତ କରିବା ନିମନ୍ତେ ବିତ୍ତର ଆବଶ୍ୟକତାକୁ ଚଳିତ ସମ୍ମିଳନୀରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ I ଏଥି ନିମନ୍ତେ ପାଣ୍ଠି ସଂଗ୍ରହ ନିହାତି ଆବଶ୍ୟକ I ଏହି ଲକ୍ଷ୍ୟ ହାସଲର କେତେଗୁଡିଏ ଉପାଦାନ ରହିଛି : ବିକଶିତ ଓ ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କ ଦ୍ୱାରା ବିକାଶଶୀଳ ରାଷ୍ଟ୍ରସବୁଙ୍କୁ ସାହାଯ୍ୟ ପ୍ରଦାନ କରାଯିବା ଆବଶ୍ୟକ ଯାହା ଫଳରେ ସେମାନେ ଉପଲବ୍ଧି କରିବ ଯେ, ଜଳବାୟୁ ଉତ୍ତରଣ (Climate Transition)  ସେମାନଙ୍କ ପାଇଁ ଏକ ସମୟୋଚିତ ଓ ନ୍ୟାୟସଙ୍ଗତ ପଦକ୍ଷେପ I ଏହାକୁ ସୁନିଶ୍ଚିତ କରିବା ପାଇଁ ବିକଶିତ ରାଷ୍ଟ୍ରମାନେ ବିଗତ 2009 ମସିହାରେ କୋପେନହାଗେନଠାରେ ଅନୁଷ୍ଠିତ COP15 ଜଳବାୟୁ ସମ୍ମିଳନୀରେ 2020 ମସିହା ପରଠାରୁ ପ୍ରତି ବର୍ଷ  ଅତି କମରେ  1 ଲକ୍ଷ କୋଟି ଡଲାର ( $100 billion) ବିତ୍ତ ସଂଗ୍ରହ କରିବାକୁ ଅଙ୍ଗୀକାରବଦ୍ଧ ହୋଇଥିଲେ; ମାତ୍ର ଦୁର୍ଭାଗ୍ୟକ୍ରମେ ଏହି ଲକ୍ଷ୍ୟ ଏବେ ପୂରଣ ହୋଇପାରି ନାହିଁ I ଇତି ମଧ୍ୟରେ ବ୍ରିଟେନ୍ ଘୋଷଣା କରିଛି ଯେ, $100 billion ବିତ୍ତ ସଂଗ୍ରହର  ଲକ୍ଷ୍ୟଧାର୍ଯ୍ୟ ପୂରଣ ତଥା ଅନ୍ୟ ଅଙ୍ଗୀକୄତ ରାଷ୍ଟ୍ରମନଙ୍କୁ ପ୍ରୋତ୍ସାହନ ନିମନ୍ତେ ଏହା ନିଜର ଦେୟ ଆନ୍ତର୍ଜାତୀୟ ଜଳବାୟୁ ଅଂଶଦାନ ଅର୍ଥରାଶିକୁ ପ୍ରାୟ ଦ୍ୱିଗୁଣିତ କରି 2025/26 ମସିହା ସୁଦ୍ଧା (ଆଗାମୀ 5 ବର୍ଷ ମଧ୍ୟରେ)  £11.6 billion  ମୂଲ୍ୟରେ ପହଞ୍ଚାଇବ I ସେହିପରି,  ସଂପ୍ରତି ଅଷ୍ଟ୍ରେଲିଆ ଘୋଷଣା କରିଛି ଯେ, ଏହା 2025 ମସିହା ସୁଦ୍ଧା ଆଗାମୀ 5 ବର୍ଷ ମଧ୍ୟରେ ବିକାଶଶୀଳ ରାଷ୍ଟ୍ର ନିମନ୍ତେ ନିଜର ଦେୟ ଆନ୍ତର୍ଜାତୀୟ ଜଳବାୟୁ ଅର୍ଥରାଶିକୁ AU$1.5 billion ମୂଲ୍ୟରୁ  AU$2 billion ପର୍ଯ୍ୟନ୍ତ ବୄଦ୍ଧି କରିବ ଏବଂ ଏଥି ମଧ୍ୟରୁ କେବଳ AU$700 million ଅର୍ଥରାଶି ପ୍ରଶାନ୍ତ ମହାସାଗରୀୟ ପଡୋଶୀ ରାଷ୍ଟ୍ରଙ୍କ ନିମନ୍ତେ ଉପଲବ୍ଧ ହେବ I ବିଶ୍ୱ ସମ୍ବଳ ପ୍ରତିଷ୍ଠାନ (World Resource Institute) ର ଏକ  ଆକଳନ ଅନୁଯାୟୀ,  $100 billion ପାଣ୍ଠି ସଂଗ୍ରହର ସୁଦୂର  ଲକ୍ଷ୍ୟଧାର୍ଯ୍ୟ ପୂରଣ ନିମନ୍ତେ ବିକଶିତ ରାଷ୍ଟ୍ରମାନଙ୍କୁ ନିଜର ସମୁଦାୟ ଜାତୀୟ ଆୟ ( Gross National Income) ର 0.22% ରାଶି ଅଂଶଦାନ କରିବାକୁ ପଡିବ I 

       ବିଶ୍ୱ ବ୍ୟାଙ୍କ (World Bank) ର ଏକ  ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ  ଏବେ ନିର୍ଦ୍ଧାରିତ US$3 billion ଅଂଶଦାନଠାରୁ ପଛରେ ଅଛି I ଆହୁରି ମଧ୍ୟ, ଜଳବାୟୁ ବିତ୍ତ ସଂଗ୍ରହ ର ଅନେକ ଉତ୍ସ  ରହିଛି ଯଥା ସବୁଜ ଭିତ୍ତିଭୂମି (Green Infrastructure)  ଗଠନ ପାଇଁ ସର୍ବସାଧାରଣ ସ୍ତରରେ  ବିତ୍ତ  (Public Finance) ଏବଂ ସବୁଜ ନବସୄଜନ ଓ ପ୍ରଯୁକ୍ତି (Green Innovation and Technology) ପାଇଁ ଘରୋଇ ସ୍ତରରେ ବିତ୍ତ ( Private Finance) ସଂଗ୍ରହ I କୋଭିଡ-19 ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ଦେଶର  ବିତ୍ତୀୟ ପୁନରୁଦ୍ଧାର (Economic Recovery) ପାଇଁ ସବୁଜ ନିବେଶ (Green Investment)  ମଧ୍ୟ ଏକ ମୂଖ୍ୟ ଭୂମିକା ଗ୍ରହଣ କରିବ I ମୋଟାମୋଟି ଭାବରେ, ଏହି ସମ୍ମିଳନୀରେ ବିଶ୍ୱ ଅର୍ଥନୀତିକୁ ଶୂନ୍ୟ କାର୍ବନ୍ ସ୍ଥିତିରେ ପହଞ୍ଚାଇବାର  ଦୁର୍ବାର ଲକ୍ଷ୍ୟ ନେଇ  ଆବଶ୍ୟକୀୟ ବିତ୍ତ ସଂଗ୍ରହ ନିମନ୍ତେ ବାଣିଜ୍ୟ, ବ୍ୟାଙ୍କ୍, ବୀମା ଏବଂ ନିବେଶ ଭଳି କ୍ଷେତ୍ରସମୂହର ବଳିଷ୍ଠ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ I

4.     ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ:

    ଚଳିତ ସମ୍ମିଳନୀର ଏକ ମୂଖ୍ୟ ଆଭିମୂଖ୍ୟ ହେଉଛି   ପ୍ୟାରିସ୍ ମାର୍ଗନିର୍ଦ୍ଦେଶିକା ପ୍ରସ୍ତୁତ କରିବା ଯାହାଦ୍ୱାରା ପ୍ୟାରିସ୍ ରାଜିନାମାର ସମସ୍ତ ଧାର୍ଯ୍ୟଲକ୍ଷ୍ୟ କାର୍ଯ୍ୟକାରୀ ହୋଇପାରିବ I ଏହି ପ୍ୟାରିସ୍ ମାର୍ଗନିର୍ଦ୍ଦେଶିକାର କେତେଗୁଡିଏ ପ୍ରମୁଖ ଦିଗ ହେଲା :

·       କାର୍ବନ ବଜାର (Carbon Market) : ଏହି ପ୍ରସଙ୍ଗ ଚଳିତ ସମ୍ମିଳନୀର ଆଲୋଚନାର ଏକ ମୂଖ୍ୟ ବିଷୟ ହେବ ଯେହେତୁ ବିଭିନ୍ନ ପକ୍ଷ କାର୍ବନ୍ ଉତ୍ସର୍ଜନକୁ ହ୍ରାସ କରିବା ପାଇଁ ପ୍ୟାରିସ୍ ରାଜିନାମାର ଧାରା-6 (Article-6) ଅନ୍ତର୍ଗତ  ନିରାକରଣ ଫଳାଫଳ (Mitigtion Outcomes- MO) ବ୍ୟବସ୍ଥାର  ର ସମସ୍ତ ପନ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ରାଜିନାମାରେ ଉପନୀତ ହେବେ I  ଏ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ କାର୍ବନ୍ ମୂଲ୍ୟ ଉପରେ ବୁଝାମଣା, କାର୍ବନ୍ ବଜାର ଅଧୀନସ୍ଥ କାର୍ବନ୍ କିଣାବିକାର ହିସାବ କିତାବ, ରାଷ୍ଟ୍ର- ରାଷ୍ଟ୍ର ତଥା ରାଷ୍ଟ୍ର - ନିଗମ ମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଅନ୍ତର୍ଭୁକ୍ତ ହେବ I

·       ସାଧାରଣ ସମୟ ସୀମା  (Common Time Frames- CTF): ଏହି ବ୍ୟବସ୍ଥା ଅନ୍ତର୍ଗତ ସଂଶ୍ଳିଷ୍ଟ  ରାଷ୍ଟ୍ରମାନଙ୍କ  କ୍ଷେତ୍ରରେ ସେମାନଙ୍କ 2031 ମସିହା ପରଠାରୁ  ଧାର୍ଯ୍ୟ  NDC କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଏକ ସମୟ ନିର୍ଘଣ୍ଟ ନିର୍ଦ୍ଧାରିତ ହେବ I ପୂର୍ବ ସମ୍ମିଲନୀ COP 24 ରେ ଏହି NDC ର କାର୍ଯ୍ୟକାରିତା ପାଇଁ ଏକ ସାଧାରଣ ସମୟ ସୀମା ସ୍ଥିର ହୋଇଥିଲେ ସୁଦ୍ଧା ତାହାର ନିର୍ଦ୍ଦିଷ୍ଟ ସମୟକାଳ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା  I

·       ସମ୍ପ୍ରସାରିତ ସ୍ୱଛତା ବ୍ୟବସ୍ଥା (Enhanced Transparency Framework - ETF): ପ୍ୟାରିସ୍ ରାଜିନାମାର ଧାରା-13 ଅନ୍ତର୍ଗତ ଏହି ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରମାନେ ନିଜର ଧାର୍ଯ୍ୟ  NDC କାର୍ଯ୍ୟକାରିତାର  ପ୍ରଗତି ଏବଂ ଏହାର ଆକଳନ  ପଦ୍ଧତି ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରି ସ୍ବଛତା ପ୍ରକ୍ରିୟା ଅବଲମ୍ବନ କରିବେ I ପୂର୍ବ ସମ୍ମିଳନୀରେ ଏ ସମ୍ପର୍କରେ ଅନେକ ପ୍ରଗତି ଘଟିଥିଲେ ସୁଦ୍ଧା ଏ ଦିଗରେ  ଆହୁରି ଅନେକ ପ୍ରଯୁକ୍ତିଗତ ପ୍ରସଙ୍ଗ ଅସମାହିତ ଅଛି ଯାହା ଚଳିତ ସମ୍ମିଳନୀରେ ଚର୍ଚ୍ଚା କରାଯିବ I

         ଅନେକ ଆଶାବାଦୀ ଯେ,  COP 26 ସମ୍ମିଳନୀରେ, 1.5 ଡିଗ୍ରୀ ତାପମାତ୍ରା ଲକ୍ଷ୍ୟ ହାସଲ ତଥା ପ୍ୟାରିସ୍ ରାଜିନାମାର ମାର୍ଗଦର୍ଶିକା ବ୍ୟବସ୍ଥାସବୁର କାର୍ଯ୍ୟକାରିତା ନିମନ୍ତେ ଯଥେଷ୍ଟ ପ୍ରଗତି ଘଟିବ I ଅନ୍ୟପକ୍ଷରେ, ସଂଶୟବାଦୀମନେ ପକ୍ଷଭୁକ୍ତ ଶହ ଶହ ରାଷ୍ଟ୍ରମାନଙ୍କ  ମଧ୍ୟରେ ଏପରି ଏକ ବ୍ୟାପକ କାର୍ଯ୍ୟସୂଚୀ ଉପରେ ସହମତି ପ୍ରକଶ ପାଇବାର ସମ୍ଭାବନା କ୍ଷୀଣ ଥିବାର ଆଶଙ୍କା ପ୍ରକାଶ କରିଛନ୍ତି I ଏପରି ଆଶା ଓ ନିରାଶାର ବାତାବରଣ ମଧ୍ୟରେ ଯେ ଚଳିତ  COP 26 ସମ୍ମିଳନୀ ବିଶ୍ୱର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ   ଆଗାମୀ ଦିନର ବଜାର ଧାରା ଉପରେ ଅନ୍ତର୍ଦୄଷ୍ଟି ପ୍ରଦାନ କରିବା ସହିତ ରାଷ୍ଟ୍ର ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ଉପଯୁକ୍ତ ଧାରାକୁ ଆପଣେଇ ନେବା  ପାଇଁ ପ୍ରୋତ୍ସାହିତ କରିବ ଏଥିରେ ସନ୍ଦେହ ନାହିଁ I





                                                                                                       
ନିକୁଂଜ ବିହାରୀ ସାହୁ

                                                                                                        ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                                ଭୋପାଲ

                                                                                                     ଫୋନ୍ : 8018708858


ଅଧିକ ପଠନ :

ବିଜ୍ଞାନ ଦିଗନ୍ତା : ଜାନୁଆରୀ 2022 

Comments

  1. Description style and whole body of article contains information is very helpful and informative.

    ReplyDelete
  2. Excellent article. The difficult concepts are narrated in diligent manner. B K Das.

    ReplyDelete

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?