ସ୍ୱର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

                                                        ସ୍ୱର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

                                                                                  ନିକୁଂଜ ବିହାରୀ ସାହୁ

       ଗତ 2021 ମସିହା ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା 87.58 ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ଆମ ଦେଶରେ ଜାଭେଲିନ୍ ପ୍ରକ୍ଷେପଣ ଖେଳ ସମ୍ପର୍କରେ ଗଭୀର ଆଗ୍ରହ ଓ କୌତୁହଳ ସୄଷ୍ଟି ହୋଇଛି I ଏବେ ମଧ୍ୟ ନୀରଜ ପ୍ୟାରିସ ଅଲମ୍ପିକ ରେ 89.45 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି  I ଜାଭେଲିନ୍ ଆମ ଦେଶର ଏକ ପାରମ୍ପାରିକ ଖେଳ I ଜାଭେଲିନ୍ କୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ I ପୂର୍ବେ ରାଜା ମହାରାଜାମାନେ ଅବସର ସମୟରେ ଏହି ଭାଲ୍ଲା ଫିଙ୍ଗା ଖେଳରେ ଭାଗ ନେଉଥିଲେ ଏବଂ ଯୁଦ୍ଧ ସମୟରେ ରାଜାଙ୍କର ଏକ ସ୍ୱତନ୍ତ୍ର ଭାଲ୍ଲା ଫିଙ୍ଗା ବାହିନୀ ଥିଲା ଯାହା ଯୁଦ୍ଧର ପରିଣତି ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା I ଜାଭେଲିନ୍ ଫିଙ୍ଗାରେ ଏବେ ବିଶ୍ୱ ରେକର୍ଡ ହେଉଛି 98.48 ମିଟର ଯାହା ଚେକୋସ୍ଲୋଭାକିଆର ଖେଳାଳୀ ଜାନ୍ ଜେଲେନି (Jan Železný) 1996 ମସିହା ଆଟଲାଣ୍ଟା ଅଲମ୍ପିକ୍ସ ପ୍ରତିଯୋଗିତାରେ ପ୍ରତିଷ୍ଠା କରିଥିଲେ I ଚଳିତ ପ୍ୟାରିସ ଅଲମ୍ପିକରେ ପାକିସ୍ତାନୀ ଖେଳାଳୀ ଅର୍ଶଦ ନଦୀମ 92.97 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ଵର୍ଣ ପଦକ ହାସଲ କରିଛନ୍ତି I 

ଇତିହାସ

     ଜାଭେଲିନ୍ ଖେଳ ପ୍ରଥମେ ଗ୍ରୀସ୍ ର ପ୍ରାଚୀନ ଅଲମ୍ପିକ ଖେଳରେ ଖ୍ରୀଷ୍ଟପୂର୍ବ 708ରେ ପାଞ୍ଚୋଟି ଖେଳ (Pentathlon) ମଧ୍ୟରୁ ଅନ୍ୟତମ ବିଭାଗ ରୂପେ ଅନ୍ତର୍ଭୁକ୍ତ ହୋଇଥିଲା I ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ପରଠାରୁ ଏହା ୟୁରୋପର ବିଭିନ୍ନ ଦେଶ ଯଥା ଜର୍ମାନୀ, ସ୍ୱିଡେନ୍ ଓ ଫିନଲାଣ୍ଡ ରେ ଯଥେଷ୍ଟ ଲୋକପ୍ରିୟତା ଲାଭ କରିଥିଲା I ଆଧୁନିକ ଅଲମ୍ପିକ୍ ଖେଳରେ ପୁରୁଷ ବିଭାଗରେ ଜାଭେଲିନ୍ ପ୍ରକ୍ଷେପଣକୁ ପ୍ରଥମେ  1908 ମସିହାରେ ଏବଂ ମହିଳା ବିଭାଗରେ ପ୍ରଥମେ 1932 ମସିହାରେ ସ୍ଥାନିତ କରାଯାଇଥିଲା I

ଗଠନ

     ଏକ ଜାଭେଲିନ୍ ମୂଖ୍ୟତଃ ତିନୋଟି ଅଂଶକୁ ନେଇ ଗଠିତ, ଯଥା ଅଗ୍ରଭାଗ (Head), ଦଣ୍ଡ (Shaft) ଏବଂ ମୁଠା (Grip) I ଏକ ଜାଭେଲିନ୍ ସାଧାରଣତଃ କାଠ କିମ୍ବା ଧାତୁରେ ତିଅରି ଏକ ଦଣ୍ଡ I ଏହାର ଏକ ମୁନିଆ ଅଗ୍ରଭାଗ ଥାଏ ଯାହା ପ୍ରକ୍ଷେପଣ ପରେ ସର୍ବପ୍ରଥମେ ଭୂମିକୁ ଆଘାତ କରେ I ପ୍ରତି ଜାଭେଲିନ୍ କୁ ହାତରେ ମୁଠାଇ ଧରିବା ପାଇଁ ଏହାର ମାଧ୍ୟାକର୍ଷଣ କେନ୍ଦ୍ର ସ୍ଥାନଠାରେ ଏକ ମୁଠା (Grip) ଚିହ୍ନିତ ଥାଏ ଏବଂ ଜାଭେଲିନ୍ କୁ ଏହି ମୁଠାସ୍ଥାନରୁ ଧରି ଫିଙ୍ଗିବାକୁ ପଡେ I

   ପ୍ରକ୍ଷେପଣ ନିୟମ

       ଆନ୍ତର୍ଜାତୀୟ ଦୌଡକୁଦ ପରିସଂଘ (International Association of Athletic Federation -IAAF) ର ମାର୍ଗଦର୍ଶନ  ଅନୁସାରେ ଏକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ  କୌଣସି ଜାଭେଲିନ୍ ର ଆକାର, ରୂପରେଖ , ଓଜନ ଓ ମାଧ୍ୟାକର୍ଷଣ କେନ୍ଦ୍ର ନିର୍ଦ୍ଦିଷ୍ଟ ନିୟମାବଳିର ଅନ୍ତର୍ଭୁକ୍ତ I କୌଣସି ପୁରୁଷ ପ୍ରତିଯୋଗିତାରେ ଜାଭେଲିନ୍ ର ଦୈର୍ଘ୍ୟ 2.6 ରୁ 2.7 ମିଟର (8 ଫୁଟ 6 ଇଞ୍ଚ ରୁ 8ଫୁଟ 10 ଇଞ୍ଚ) ମଧ୍ୟରେ  ଏବଂ  ଓଜନ 800 ଗ୍ରାମ୍ ହୋଇଥିଲାବେଳେ ଏକ ମହିଳା ପ୍ରତିଯୋଗିତାରେ ଜାଭେଲିନ୍ ର ଦୈର୍ଘ୍ୟ 2.2 ରୁ 2.3 ମିଟର (7 ଫୁଟ 3 ଇଞ୍ଚ ରୁ 7 ଫୁଟ 7 ଇଞ୍ଚ) ମଧ୍ୟରେ  ଏବଂ  ଓଜନ 600 ଗ୍ରାମ୍ ହୋଇଥାଏ I ଫିଙ୍ଗାଳି ଜାଭେଲିନ୍ କୁ ହାତରେ ମୁଠା ସ୍ଥାନରୁ ଧରି ପ୍ରାୟ 30 ମିଟର (98 ଫୁଟ) ଦୂରରୁ ଦୌଡିଦୌଡି ଆସି ଏକ ବକ୍ରାକାର ସୀମାରେଖା ମଧ୍ୟରୁ ଥାଇ ଜାଭେଲିନ୍ କୁ କାନ୍ଧ ଉପରୁ ଫିଙ୍ଗିବାକୁ ପଡେ I ଜାଭେଲିନ୍ ଫିଙ୍ଗାଗଲା ପରେ ଏହା ଆକାଶମାର୍ଗରେ ଗତି କରି ଭୂମିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବତରଣ କରେ I ଖେଳର ନିୟମ ଅନୁଯାୟୀ, ଜାଭେଲିନ୍ ର ଅଗ୍ରଭାଗ ହିଁ ପ୍ରଥମେ ଭୂମି ସ୍ପର୍ଶ କରି ନରମ ମାଟିରେ ପ୍ରବେଶ କରିବା ଆବଶ୍ୟକ I ଫିଙ୍ଗା ଯାଇଥିବା ସ୍ଥାନରୁ ଜାଭେଲିନ୍ ଭୂମି ଭେଦ କରିଥିବା ସ୍ଥାନର ଦୂରତା ମପାଯାଏ ଏବଂ ଏହି ଦୂରତା ଆଧାରରେ ହିଁ ପ୍ରତିଯୋଗିତାର ବିଜେତା ନିରୂପଣ କରାଯାଏ I

ଜାଭେଲିନ୍ ପଛରେ ବିଜ୍ଞାନ:

  ଜାଭେଲିନ୍ ଫିଙ୍ଗା ପ୍ରକୄତରେ ଶାରୀରିକ ସାମର୍ଥ୍ୟ, ପ୍ରକ୍ଷେପଣ କୌଶଳ ଓ ଗତିବିଜ୍ଞାନ ପ୍ରୟୋଗର ଏକ ଖେଳ I ଏକ ଉତ୍ତମ ପ୍ରକ୍ଷେପଣକୁ ପ୍ରଭାବିତ କରୁଥିବା ମୂଖ୍ୟ କାରକଗୁଡିକ ହେଲେ: ସଂବେଗର ସ୍ଥାନାନ୍ତର, ପ୍ରକ୍ଷେପଣ  ବେଗ  ଏବଂ ପ୍ରକ୍ଷେପଣ କୋଣ I

ସଂବେଗର ସ୍ଥାନାନ୍ତର (Momentum Transfer):

   ଫିଙ୍ଗାଳି ଫିଙ୍ଗିବା ନିମନ୍ତେ ଦ୍ରୁତ ଦୌଡିବା ଦ୍ବାରା ନିଜ ଶରୀର  ଯଥେଷ୍ଟ ସଂବେଗ ବହନ କରିଥାଏ I କୌଣସି ଗତିଶୀଳ ବସ୍ତୁର ସଂବେଗ (Momentum)  ଏହାର ବସ୍ତୁତ୍ୱ (Mass) ଓ ବେଗ (Velocity) ର  ଗୁଣଫଳ ସଙ୍ଗେ ସମାନ I ଫିଙ୍ଗାଳି ଜାଭେଲିନ୍ ଫିଙ୍ଗିବା ସମୟରେ ନିଜ ଶରୀରର ଏହି ସଂବେଗକୁ କୌଶଳପୂର୍ଣ୍ଣ ଭାବରେ ଜାଭେଲିନ୍ କୁ ସ୍ଥାନାନ୍ତରିତ କରିଥାଏ I ଫିଙ୍ଗାଳିକୁ ନିଜ ଶରୀରର ମଧ୍ୟଭାଗରୁ ଦକ୍ଷତାର ସହ ପ୍ରାପ୍ତ ସଂବେଗକୁ ଚାବୁକ ଭଳି ଏକ ତରଙ୍ଗାୟିତ ପ୍ରକ୍ରିୟା ଜରିଆରେ କ୍ରମାନ୍ବୟରେ ଅଣ୍ଟା, କାନ୍ଧ ଓ କହୁଣି ଦେଇ ଜାଭେଲିନ୍ କୁ ସ୍ଥାନାନ୍ତରିତ କରିବାକୁ ପଡେ I ପରିଶେଷରେ, ଫିଙ୍ଗାଳି ପଛ ଗୋଡ ଉପରେ ଭରା ରଖି, ଏବଂ ଦୁଇ ବାହୁକୁ ସିଧା ପ୍ରସାରିତ କରି ତଥା ଜାଭେଲିନ୍ କୁ ଆଖି ସହିତ ଏକ ସରଳରେଖାରେ ରଖି ନିକ୍ଷେପ କରେ I  ଜାଭେଲିନ୍ ର  ସ୍ୱଳ୍ପ ବସ୍ତୁତ୍ୱ ହେତୁ ସଂବେଗର ସଂରକ୍ଷଣ ( Conservation of Linear Momentum) ନିୟମ ଅନୁସାରେ ଏହା ଉଚ୍ଚ ଗତି ପ୍ରାପ୍ତ ହୋଇ ଅଧିକ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ I

ପ୍ରକ୍ଷେପଣ  ବେଗ (Projection Velocity):

     ପ୍ରକ୍ଷେପିତ କୌଣସି ବସ୍ତୁର ଅତିକ୍ରାନ୍ତ ଦୁରତା ଏହାର ପ୍ରକ୍ଷେପ ବେଗ ଉପରେ ନିର୍ଭରଶୀଳ I ପ୍ରକ୍ଷେପ ବେଗର ଦୁଇଟି ଉପାଦାନ ( Component)  ଥାଏ, ଯଥା ଭୂଲମ୍ବୀୟ ବେଗ (Vertical speed) ଏବଂ  ଭୂସମାନ୍ତରୀୟ ବେଗ (Horizontal speed) I ପ୍ରକ୍ଷେପର ଭୂଲମ୍ବୀୟ ବେଗ ଦ୍ୱାରା ଏହା ଉର୍ଦ୍ଧ୍ୱ ଗତି ପ୍ରାପ୍ତ ହେବାକୁ ସକ୍ଷମ ହେଉଥିଲାବେଳେ ଭୂସମାନ୍ତରୀୟ ବେଗ ଦ୍ୱାରା ହିଁ ଏହା ଭୂମି ଉପରେ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ I ଗତିବିଜ୍ଞାନରେ ଏହି ଅତିକ୍ରାନ୍ତ ଦୂରତାକୁ ରେଂଜ (Range) କହନ୍ତି I ସୁତରାଂ କୌଣସି ପ୍ରକ୍ଷେପିତ ବସ୍ତୁର ଅତିକ୍ରାନ୍ତ ଦୂରତା ବୄଦ୍ଧି କରିବାକୁ ହେଲେ ଏହାକୁ ଅଧିକ ବେଗରେ ପ୍ରକ୍ଷେପ କରିବା ପାଇଁ ପଡିଥାଏ I  ସେଥିପାଇଁ ଫିଙ୍ଗାଳି ଫିଙ୍ଗିବାର ଅବ୍ୟବହିତ ପୂର୍ବରୁ  ଶରୀରକୁ ସ୍ପ୍ରିଙ୍ଗ ଭଳି ପଛକୁ ବଙ୍କେଇ ନେଇ  ଜାଭେଲିନ୍ କୁ ନିକ୍ଷେପ କରେ I ଏହା ଦ୍ୱାରା ଫିଙ୍ଗାଳି ମାତ୍ର 20 କି.ମି/ଘଣ୍ଟା ବେଗରେ ପ୍ରାରମ୍ଭରୁ ଦୌଡୁଥିଲେ ସୁଦ୍ଧା ଜାଭେଲିନ୍ କୁ ଯଥେଷ୍ଟ ଅଧିକ ବେଗରେ, ଏପରିକି  ପ୍ରାୟ 100 କି.ମି/ଘଣ୍ଟା ଭଳି ଉଚ୍ଚ ବେଗରେ ଗତିଶୀଳ କରିବାକୁ ସକ୍ଷମ ହୁଏ I ସୁତରାଂ ପ୍ରକ୍ଷେପଣର ଏହି ଉଚ୍ଚ ପ୍ରାରମ୍ଭିକ  ବେଗରେ ଜାଭେଲିନ୍ ଅଧିକ ଦୂରତା ଅତିକ୍ରମ କରିଥାଏ I

ପ୍ରକ୍ଷେପଣ କୋଣ (Projection Angle):

    ଉତ୍ତମ ଅତିକ୍ରାନ୍ତ ଦୂରତା ହାସଲ କରିବା ନିମନ୍ତେ ଜାଭେଲିନ୍ କୁ କେବଳ ଅଧିକ ବେଗରେ ଫିଙ୍ଗିଲେ ହେବ ନାହିଁ ; ଏହାକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ କୋଣରେ ଫିଙ୍ଗିବା ଆବଶ୍ୟକ I ଗତିବିଜ୍ଞାନ (Mechanics) ରେ ଜାଭେଲିନ୍ ର ଗତିକୁ ପ୍ରକ୍ଷେପ ଗତି (Projectile Motion) କୁହାଯାଏ I କୌଣସି ବସ୍ତୁକୁ ଫିଙ୍ଗିବା ଦ୍ୱାରା ଏହା ଆକାଶମାର୍ଗରେ  ଆଗକୁ ଗତି କରୁଥିବା ସମୟରେ ଏହା ଉପରେ ସର୍ବଦା ପୄଥିବୀର ମାଧ୍ୟାକର୍ଷଣ ବଳ ନିମ୍ନ ଦିଗରେ କାର୍ଯ୍ୟକାରୀ ହେଉଥାଏ I ଫଳରେ ଏହାର ଗତିପଥ ନିରନ୍ତର ନିମ୍ନ ଦିଗରେ ବିକ୍ଷେପିତ ହୋଇ ଏକ ପାରାବୋଲାକାର (Parabolic) ରୂପ ନେଇଥାଏ I ଗତିବିଜ୍ଞାନର ସୂତ୍ର ଅନୁସାରେ, ଉଭୟ ପ୍ରକ୍ଷେପ ବିନ୍ଦୁ ଓ ଅବତରଣ ବିନ୍ଦୁ ଗୋଟିଏ ଉଚ୍ଚତାରେ ଅବସ୍ଥାନ କରୁଥିଲେ ପ୍ରକ୍ଷେପିତ କୋଣର ପରିମାଣ 450  ହେଲେ ଯାଇ ଅତିକ୍ରାନ୍ତ ଦୂରତା ସର୍ବାଧିକ ହୋଇଥାଏ I ମାତ୍ର ଜାଭେଲିନ୍ ଫିଙ୍ଗା କ୍ଷେତ୍ରରେ ପ୍ରକ୍ଷେପ ବିନ୍ଦୁ (ଫିଙ୍ଗାଳିର କାନ୍ଧ) ଅବତରଣ ବିନ୍ଦୁ (ଭୂମି) ଠାରୁ ଅଧିକ ଉଚ୍ଚତାରେ ରହୁଥିବାରୁ   ଏହି ନିୟମ ସାମାନ୍ୟ ବଦଳି ପ୍ରକ୍ଷେପଣର କୋଣ 32 ରୁ 37 ଡିଗ୍ରୀ ମଧରେ ସୀମିତ ରହିଲେ ହିଁ  ସର୍ବାଧିକ ଦୂରତା ପ୍ରାପ୍ତ ହୋଇଥାଏ I 

                 ଏହାଛଡା ଜାଭେଲିନ୍ ଖେଳ ଆହୁରି ଅନେକ କାରକ ଯଥା ବାୟୁ ପ୍ରବାହର ଦିଗ , ବାୟୁ ପ୍ରବାହର ବେଗ, ଦଣ୍ଡ ଚାରିପଟେ ଅତିକ୍ରମ କରୁଥିବା ବାୟୁସ୍ରୋତର ରୂପରେଖ, ବାୟୁର ତାପମାତ୍ରା   ଇତ୍ୟାଦି ଉପରେ ନିର୍ଭର କରେ I ସୁତରାଂ ଜାଭେଲିନ୍ ପ୍ରକ୍ଷେପଣ ଖେଳ ଏକ ଜଟିଳ ଓ ଉଚ୍ଚକୋଟୀର ପ୍ରତିଯୋଗିତା ଏବଂ ଏଥିରେ ପାରଦର୍ଶିତା ହାସଲ କରିବା ପାଇଁ ହେଲେ ଖେଳାଳୀକୁ ଯଥେଷ୍ଟ ଅଭ୍ୟାସ ତଥା ଉଚ୍ଚକୋଟୀର ବୈଜ୍ଞାନିକ କୌଶଳ ପ୍ରୟୋଗ ତଥା ପ୍ରଦର୍ଶନ  କରିବାକୁ ପଡେ I  


                                                                             ଏଜୁକେଶନ୍ ଅଫିସର

                                                                            ଆଂଚଳିକ ବିଜ୍ଞାନ କେନ୍ଦ୍ର, 

                                                                                    ଭୋପାଲ

                                                                         ଫୋନ୍ : 8018708858








To read the same article published in the daily Sakala dated 14.08.24, please click the link given below: https://drive.google.com/file/d/1JDYyQPn6s0yer0Oe8SWGkNuU3ZwrAkuF/view?usp=sharing


To read the same article published in The Dharitri, please click the following link :

or





Comments

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ