ବାୟା ଚଢେଇର ବସା
ବାୟା ଚଢେଇର ବସା
ନିକୁଂଜ ବିହାରୀ ସାହୁ
ଆମେ ଗାଁରେ ଉଚ୍ଚା ଉଚ୍ଚା ଗଛ ଡାଳରେ ବାୟା ଚଢେଇ ବସା ବୁଣି ଥିବାର ଦେଖିଥିବା ଯାହା ପବନ ବହିଲେ ଧୀରେ ଧୀରେ ଦୋହଲି ଥାଏ I ଏହା ଭିତରେ ପୁରୁଷ ଓ ମାଈ ଚଢେଇମାନେ ଘର କରି ରହିଥା’ନ୍ତି I ଏହା ଭିତରେ ସେମାନେ ଅଣ୍ଡା ଦିଅନ୍ତି ଯେଉଁଥିରୁ ଛୁଆ ଫୁଟି ଜନ୍ମ ହୋଇ ବଢିଥା’ନ୍ତି I ତେବେ ବାୟା ଚଢେଇର ଏହି ବସା ସମ୍ପର୍କରେ ଅନେକ କୌତୁହଳ ଜନକ କଥାମାନ ଅଛି ଯାହା ଆମେ ନିମ୍ନରେ ଆଲୋଚନା କରିବା:
ବସାର ଗଠନ
ବାୟା ଚଢେଇର ଏହି
ବସାସବୁ ଉଚ୍ଚା ଉଚ୍ଚା ଗଛ ଡାଳରେ ବହୁ ସଂଖ୍ୟାରେ ଗଢା ଯାଇଥାଏ I ଆକୄତିରେ ଏହି ବସା ଏକ ଗମ୍ବୁଜ ସଦୄଶ ଯାହା ଗୋଟିଏ ଗୋଜିଆ ହୁକ ଦ୍ବାରା ଗଛରେ ଲାଖି ଝୁଲୁଥାଏ I ଏହି ଗମ୍ବୁଜାକୄତି ବସା ହିଁ ବାୟା ଚଢେଇର ଘର I ଏହା ମଧ୍ୟରେ ଚଢେଇ ଅଣ୍ଡା ଦିଏ ଯେଉଁଥିରୁ କୁନି କୁନି ଛୁଆ ଜନ୍ମ ହୁଅନ୍ତି I ଏହି ଘର ମଧ୍ୟରେ ପ୍ରବେଶ କରିବା ପାଇଁ ବସାର ଗୋଟିଏ
ପାର୍ଶ୍ବରେ ଏକ ଛୋଟ ଦ୍ବାର ଥାଏ I ଏହି ଦ୍ବାରର ଆକାର ଏତେ
ଛୋଟ ଯେ, ଏହା ମଧ୍ୟରେ କେବଳ ଚଢେଇ ହିଁ ପଶିପାରେ , ମାତ୍ର କୌଣସି ବାହ୍ୟ ଶତ୍ରୁ ପ୍ରବେଶ କରିପାରେ ନାହିଁ I ବାୟା ଚଢେଇର ମୂଖ୍ୟ ଶତ୍ରୁ ହେଉଛି ସାପ ଯାହା
ବସା ମଧ୍ୟରେ ପ୍ରବେଶ କରି ଅଣ୍ଡା ଏବଂ ଛୁଆମାନଙ୍କୁ ଖାଇଦେବା ସହିତ ବସାକୁ ମଧ୍ୟ ନଷ୍ଟ କରିଦିଏ I
ବସା କିଏ ତିଆରି ହୁଏ ?
ବାୟା ଚଢେଇ ସମାଜରେ କେବଳ ପୁରୁଷ
ଚଢେଇମାନେ ହିଁ ବସା ବୁଣିଥା’ନ୍ତି I ମାଈ ଚଢେଇମାନେ କଦାପି ବସା ତିଆରି କରି ନଥା’ନ୍ତି I ପୁରୁଷ ଚଢେଇମାନେ ପ୍ରଥମେ କିନ୍ତୁ
ବସାକୁ ସମ୍ପୂର୍ଣ୍ଣ ଗଢି ନଥା’ନ୍ତି I ସେମାନେ ପ୍ରଥମେ ବସାକୁ ଆଂଶିକ ଭାବେ ତିଆରି କରି ବସା ଉପରେ ବସି ଡେଣା ହଲେଇ ପାଖଆଖରେ
ଉଡି ବୁଲୁଥିବା ମାଈ ଚଢେଇମାନଙ୍କୁ ନିଜର ବସା ଦେଖାନ୍ତି I ମାଈ ଚଢେଇକୁ ବସା ପସନ୍ଦ ହେଲେ
ସେ ଏହି ବସା ମଧରେ ପୁରୁଷ ଚଢେଇ ସହିତ ମିଶି ବାସ କରେ I ଏହା
ପରେ ପୁରୁଷ ଚଢେଇ ବସାକୁ ସଂପୂର୍ଣ୍ଣ ତିଆରି କରିଦିଏ I ଏଭଳି
ସମୟରେ ବସାକୁ ସଂପୂର୍ଣ୍ଣ କରିବାରେ ମାଈ ଚଢେଇ ମଧ୍ୟ ପୁରୁଷ ଚଢେଇକୁ ସାହାଯ୍ୟ କରିଥାଏ I ବସା ସଂପୂର୍ଣ୍ଣ ହେଲା ପରେ ଏହା ମଧ୍ୟରେ ମାଈ ଚଢେଇ ଅଣ୍ଡା ଦିଏ ଯେଉଁଥିରୁ ଛୁଆ ଫୁଟି ବାହାରନ୍ତି I ମାଈ ଚଢେଇ ଏହି ଛୁଆମାନଙ୍କୁ ପଦାରୁ ପୋକ ଜୋକ ଧରିଆଣି ଖାଇବାକୁ ଦିଏ I ଛୁଆମାନେ ବସା ମଧ୍ୟରେ ଲାଳିତ ପାଳିତ ହୋଇ ଧୀରେ ଧୀରେ ବଢନ୍ତି I ସମୟକ୍ରମେ ସେମାନେ ବୟସ୍କ ହୋଇ ଉଡି ଶିଖିଲେ
ବସା ବାହାରକୁ ଉଡି ଚାଲିଯା’ନ୍ତି ଓ ଆଉ ଫେରନ୍ତି ନାହିଁ I ସେମାନେ ପୁଣି ବସା ବାନ୍ଧି ଅଣ୍ଡା ଦିଅନ୍ତି ଏବଂ ଏହିପରି ଭାବରେ ବାୟା ଚଢେଇର
ଜୀବନଚକ୍ର ଗଡିଚାଲେ I
ବସା କିପରି ତିଆରି ହୁଏ?
ଏହି ବସାସବୁକୁ ବାୟା ଚଢେଇ ବିଭିନ୍ନ
ଗଛ ଯଥା ଧାନ, ତାଳ କିମ୍ବା ଘାସ
ପତ୍ରରୁ ନିଜର ମୁନିଆ ଥଣ୍ଟ ଦ୍ବାରା ଲମ୍ବା ଲମ୍ବା ଖିଅ ଚିରି ତିଆରି କରେ I ବାୟା ଚଢେଇକୁ ଗୋଟିଏ ବସା
ନିର୍ମାଣ କରିବା ପାଇଁ ପ୍ରାୟ 18 ଦିନ ସମୟ ଲାଗିଥାଏ I ଚଢେଇ
ପ୍ରଥମେ ଗୋଟିଏ ଖିଅକୁ ନିଜର ଥଣ୍ଟ ଏବଂ ନଖ ଜରିଆରେ ଗଛ ଡାଳ ସହିତ ବାନ୍ଧି ବସା ବୁଣିବା କାମ ଆରମ୍ଭ କରେ I ଏହାପରେ
ସେ ଆହୁରି ଅନେକ ଖିଅ ସଂଗ୍ରହ କରି ଗୋଟିକକୁ ଅନ୍ୟଟିରେ
ତୀର୍ଯ୍ୟକ କୋଣରେ ଛନ୍ଦି ସମୁଦାୟ ବସାଟି ବୁଣି ଦିଏ I ପ୍ରଥମ
ଖିଅରୁ ହିଁ ବସାର ପାର୍ଶ୍ବ ଦ୍ବାର ତିଆରି ହୁଏ I ଗୋଟିଏ
ମଜବୁତ ବସା ଗଢିବା ପାଇଁ ପ୍ରାୟ 1000 ଟି ପତ୍ରର ଖିଅ ଲାଗିଥାଏ ଏବଂ ଏଥିପାଇଁ ଚଢେଇକୁ ପ୍ରାୟ
500 ଥର ଯିବା ଆସିବା କରିବାକୁ ପଡିଥାଏ I
ବାୟା ଚଢେଇ ପ୍ରଜାତି
ଭାରତୀୟ ଉପମହାଦେଶ ଏବଂ
ଦକ୍ଷିଣ-ପୂର୍ବ ଏସିଆରେ ଗଛରେ ଏଭଳି ବସା ବୁଣୁଥିବା ଚଢେଇର ସମୁଦାୟ 5ଟି ପ୍ରଜାତି ଦେଖାଯାଏ I ଆମ ଭାରତରେ ମିଳୁଥିବା ଏଭଳି
ଚଢେଇକୁ ‘ବାୟା’ ଚଢେଇ ବୋଲି କହିଥା’ନ୍ତି I ଏହାର ବୈଜ୍ଞାନିକ ନାମ ପ୍ଲୋସିୟସ୍
ଫିଲିପିନସ୍ (Ploceus philippinus) I ଏହା ଦେଖିବାକୁ ଘରଚଟିଆ ସଦୄଶ ଏକ ଛୋଟ ଚଢେଇ ଯାହାର ଉଚ୍ଚତା 15 ସେ.ମି. ଯାଏ ହୋଇପାରେ I ଏହାର ଏକ ଛୋଟ ଗୋଜିଆ ଥଣ୍ଟ ଏବଂ ଛୋଟ ଚାରିକୋଣିଆ ଲାଂଜ ଥାଏ I
ବସା କାହିଁକି ତିଆରି କରେ?
ବସା
ଚଢେଇ ଛୁଆମାନଙ୍କ ପାଇଁ ଏନ୍ତୁଡିଶାଳ ସଦୄଶ କାର୍ଯ୍ୟ କରେ I ଏହା ମଧ୍ୟରେ ହିଁ ଅଣ୍ଡା ଗୁଡିକ ଫୁଟିଥାଏ ଓ ସେଥିରୁ ଛୁଆ ଜନ୍ମ ହୋଇ ବଢିଥା’ନ୍ତି I ବାୟା ଚଢେଇର ବସା ଛୁଆମାନଙ୍କୁ ଖରା
ବର୍ଷା ତଥା ବାହ୍ୟ ଶତ୍ରୁ ଆକ୍ରମଣ କବଳରୁ
ସୁରକ୍ଷା ପ୍ରଦାନ କରେ I ସୁତରାଂ ବାୟା ଚଢେଇର ବସା ଜୀବନ
ବଂଚିବାର ଏକ କୌଶଳ I
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
To read the same article published in The Dharitri 30.07.2022, please click the following link:
http://dharitriepaper.in/edition/11083/pilanka-dharitri/page/3
Comments
Post a Comment