ଲୋହିତ ଗ୍ରହରେ ଜୀବନର ସନ୍ଧାନ

 

ଲୋହିତ ଗ୍ରହରେ ଜୀବନର ସନ୍ଧାନ

                                                                        ନିକୁଂଜ ବିହାରୀ ସାହୁ

          ଲୋହିତ ଗ୍ରହ ମଙ୍ଗଳ ଜଳ ଜୀବନର ଉପସ୍ଥିତି ନିମନ୍ତେ ଯୁଗେ ଯୁଗେ ମନୁଷ୍ୟ ପାଇଁ ଏକ ରହସ୍ୟ, ରୋମାଂଚ ଘେରା ରାଇଜ ରୂପେ ରହି ଆସିଛି I ଗ୍ରହଟି ଅନେକାଂଶରେ ଆମ ପୄଥିବୀ ଭଳି : ଏହା ପୄଥିବୀ ଭଳି ପ୍ରାୟ 24 ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ଘୂରିଥାଏ ; ଫଳରେ ଏଠାରେ ପୄଥିବୀ ଭଳି ପ୍ରତି ପ୍ରାୟ 12 ଘଣ୍ଟା ଅନ୍ତରାଳରେ ଦିନରାତିର ପରିବର୍ତ୍ତନ ଘଟିଥାଏ I ପୄଥିବୀ ଭଳି ଗ୍ରହଟିର ଅକ୍ଷର ଆନତି ପ୍ରାୟ  23.5 ଡିଗ୍ରୀ ହୋଇ ଥିବାରୁ ଗ୍ରହଟିରେ ମଧ୍ୟ ରୁତୁଚକ୍ରର ମଧୁର ରାସଲୀଳା ଗଡିଚାଲେ I ପୄଥିବୀ ଭଳି ଗ୍ରହଟିର ବାୟୁମଣ୍ଡଳ ମଧ୍ୟ ବିଭିନ୍ନ ଗ୍ୟାସ୍ ମିଶ୍ରଣ I ଏହାର ମେରୁରେ ପୄଥିବୀ ଭଳି ବରଫାବୄତ୍ତ ଶୄଙ୍ଗ ଦେଖିବାକୁ ମିଳେ ଯେଉଁଠାରେ ପ୍ରଚୁର ଜଳ କଠିନ ରୂପରେ ଗଛିତ ଥିବାର ଅନୁମାନ କରାଯାଏ I ମାତ୍ର ଏସବୁ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଗ୍ରହଟି କିନ୍ତୁ ଭୀଷଣ ରୁକ୍ଷ ଏବଂ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବହୁତ ତଳେ ଯେଉଁଥିରେ ଜୀବନ ବଂଚିବା ସମ୍ଭବପର ନୁହେଁ I ଏବେ ଜଣା ପଡିଛି ଯେ,  ମଙ୍ଗଳ କେବଳ ଶୁଖିଲା ନଈ, ଧୂଳିଆ ଉପତ୍ୟକା ଏବଂ ଲାଲ ମାଟିରେ ଢଂକା ଏକ ନୀରବ , ନିଷ୍ପ୍ରାଣ ଗ୍ରହ I ମାତ୍ର ପ୍ରସଙ୍ଗରେ ଏକ ପ୍ରଶ୍ନ ସଦାସର୍ବଦା ମନକୁ ଆନ୍ଦୋଳିତ କରେ : ଅତୀତରେ ଗ୍ରହ ପୄଷ୍ଠରେ ଜଳର ଉପସ୍ଥିତି   ଜୀବନକୁ ସୁହାଇଲା ଭଳି ଜଳବାୟୁ  ଥିଲା କି ? ଯଦି ଥିଲା, ସେଭଳି ପରିସ୍ଥିତିରେ  କେଉଁ ସ୍ତରର ଜୀବନ ବିକଶିତ ହୋଇଥିଲା ? ଅର୍ଥାତ, ସେଠାରେ  ସୂକ୍ଷ୍ମ ଅନୁନ୍ନତ ଅଣୁଜୀବ ସ୍ତରର ନା ମଣିଷ ଭଳି ବୁଦ୍ଧିମାନ୍ ଉଚ୍ଚତ୍ତର ଜୀବର ବିକାଶ ଘଟିଥିଲା ? ମଣିଷ ଆଗାମୀ ଦିନରେ ମଙ୍ଗଳରେ ନିଜର ବସତି ସ୍ଥାପନ କରି ପାରିବ କି, ଇତ୍ୟାଦି ଇତ୍ୟାଦି? ଏହି ସବୁ ଜଟିଳ, ଅସମାହିତ ତଥା ରହସ୍ୟମୟ ପ୍ରଶ୍ନର ଇତ୍ତର ପାଇବା ନିମନ୍ତେ ଆମେରିକୀୟ ମହାକଶ ସସ୍ଥା ନାସା  ( NASA)  ନିକଟରେ ମଙ୍ଗଳ ଗ୍ରହକୁ ସଫଳତାର ସହ ପ୍ରେରଣ କରିଛି ଏକ ଯନ୍ତ୍ରଯାନ I 

ବାୟୁମଣ୍ଡଳ ପ୍ରବେଶ, ନିମ୍ନଗତି ଅବତରଣ

       ଗତ ଫେବୄଆରୀ 18 ତାରିଖ ଏକ ଶୀତୁଆ ଅପରାହ୍ନ : ଆମେରିକୀୟ ମହାକାଶ ସଂସ୍ଥା ନାସାର କାଲିଫର୍ଣ୍ଣିଆ ପାସାଡେନା ସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରି ( Jet Propulsion Laboratory –JPL) କଣ୍ଟ୍ରୋଲ ରୁମ୍ ଠାରେ  ଏକ ଉଦବେଗ  ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ I ଲୋହିତ ଗ୍ରହ ମଙ୍ଗଳକୁ 47.2 କୋଟି କି.ମି. ଦୂରତା ଅତିକ୍ରମ କରି  ଯାଇଥିବା ମହାକାଶଯାନ ପର୍ସିଭେରେନ୍ସ୍ ( Perseverence) 203 ଦିନର  ଯାତ୍ରା ପରେ ଏହାର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ଦ୍ରୁତ ଗତିରେ ଛୁଟି ଯାଉଛି  ଏବଂ ଆଉ କେଇ ମିନିଟ୍ ମଧ୍ୟରେ ଗ୍ରହ ପୄଷ୍ଠରେ ଅବତରଣ କରିବ I ମାତ୍ର  ଗ୍ରହର ବାୟୁମଣ୍ଡଳ ଦେଇ ସାତ ମିନିଟ୍  କାଳର ଏହି ଏହି ସଂକଟପୂର୍ଣ୍ଣ ଯାତ୍ରାର ( Seven Minutes of Terror) ବାୟୁମଣ୍ଡଳରେ ପ୍ରବେଶ, ନିମ୍ନ ଗତି ଏବଂ ଅବତରଣ ( Entry, Descent & Landing –EDL) ଅଭିଯାନର  ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଏବଂ ଜଟିଳ ପର୍ଯ୍ୟାୟ I ଯାନଟି ମଙ୍ଗଳର ବାୟୁମଣ୍ଡଳ ଭେଦ କରି ଘଣ୍ଟାକୁ ପ୍ରାୟ 20,000 କି.ମି. ବେଗ ଭଳି ଦୂରନ୍ତ  ଗତିରେ ଗ୍ରହର ପୄଷ୍ଠ ଆଡକୁ ଆଗେଇ ଯାଉଥାଏ I ଏହି ଘଡିସନ୍ଧି     ମୁହୂର୍ତ୍ତରେ ଯାନର ବେଗକୁ ଯଥେଷ୍ଟ ହ୍ରାସ କରି ଗ୍ରହପୄଷ୍ଠରେ ଧୀର ଅବତରଣ (Soft Landing)  କରାଇବାକୁ ପଡିବ; ନଚେତ୍ ଯାନଟି ଦ୍ରୁତ ଗତିରେ ଗ୍ରହପୄଷ୍ଠରେ ପିଟିହୋଇ ନଷ୍ଟ ପାଇଯିବ ଏବଂ ବୈଜ୍ଞାନିକମାନଙ୍କ ବର୍ଷ ବର୍ଷର  ସମସ୍ତ ଅକ୍ଳାନ୍ତ  ପରିଶ୍ରମ ବ୍ୟର୍ଥ ହୋଇଯିବ I ସୁତରାଂ ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ଶତାଧିକ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାକୁ ସୂଚାରୂ ରୂପେ ଏବଂ ସଠିକ ସମୟରେ ସମ୍ପାଦନ କରିବାକୁ ପଡିବ I ଆହୁରି ମଧ୍ୟ, ଏସବୁ ପ୍ରକ୍ରିୟାକୁ ଯାନକୁ ନିଜେ ସମ୍ପାଦନ କରିବାକୁ ପଡିବ; କାରଣ ଅତ୍ୟଧିକ ଦୂରତା ହେତୁ ଯାନକୁ ପୄଥିବୀରୁ ରେଡିଓ ସଂକେତ ପ୍ରେରଣ କରି ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ 11 ମିନିଟ୍ ସମୟ ଲାଗିଥାଏ I  ଏହାର ଅର୍ଥ, ଯାନଟି ଗ୍ରହର ବାୟୁମଣ୍ଡଳରେ ପ୍ରବେଶ ବାର୍ତ୍ତା ପୄଥିବୀରୁ ବୈଜ୍ଞାନିକମାନେ ଶୁଣିବା କ୍ଷଣି  ଏହା ପ୍ରକୄତରେ ଗ୍ରହ ପୄଷ୍ଠକୁ ଛୁଇଁ ସାରିଥିବ !

      ମଙ୍ଗଳ ପୄଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା I ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର 40 %  ଅଭିଯାନ ସଫଳ ହୋଇ ପାରିଛି I ବୈଜ୍ଞାନିକମାନେ କମ୍ପୁଟର ପର୍ଦ୍ଦାକୁ ଚାହିଁ ରହିଥାନ୍ତି ନିର୍ଲିପ୍ତ ଭାବରେ I ଯାନଟି ବାୟୁମଣ୍ଡଳରେ  ଘଣ୍ଟାକୁ  ପ୍ରାୟ 20,000 କି.ମି. ଭଳି ଦୂରନ୍ତ ବେଗରେ ପ୍ରବେଶ କରିଥାଏ I   ଯାନଟିର ଏହି ପ୍ରଚଣ୍ଡ ଗତି ଯୋଗୁଁ ଏହା ବାୟୁମଣ୍ଡଳୀୟ ପ୍ରଚଣ୍ଡ ଘର୍ଷଣ ବଳର ସମ୍ମୁଖୀନ୍ନ ହୋଇ ତାପମାତ୍ରା ପ୍ରାୟ 1300 ଡିଗ୍ରୀ ସେଲ୍ସିୟସରେ ପହଂଚିଲା I ଏହି ଉଚ୍ଚ  ତାପମାତ୍ରାରୁ ଯାନକୁ ସୁରକ୍ଷିତ ରଖିବା ପାଲଁ ଯାନ ଚାରିପଟେ ଏକ ତାପନିରୋଧକ ଖୋଳପା (Heat Shield) ରହିଥାଏ I ଏହା ଯାନକୁ ପ୍ରଚଣ୍ଡ ତାପମାତ୍ରାରୁ ରକ୍ଷା କରିବା ସହିତ ବାୟୁମଣ୍ଡଳରେ ଯାନର ବେଗକୁ କିଛି ମାତ୍ରାରେ ହ୍ରାସ କରେ I

    ବାୟୁମଣ୍ଡଳ ପ୍ରବେଶର 240 ସେକେଣ୍ଡ ପରେ ଗ୍ରହପୄଷ୍ଠରୁ ପ୍ରାୟ  11  କି.ମି. ଉର୍ଦ୍ଧ୍ବରେ 70.5 ଫୁଟ ବ୍ୟାସ ବିଶିଷ୍ଟ ଯାନର ବିଶାଳକାୟ ପାରାସୁଟ୍‍ (Parachute) ଖୋଲି ଦିଆଗଲା I ସେତେବେଳେ ଯାନଟି ଘଣ୍ଟା ପ୍ରତି 1512 କି.ମି. ବେଗରେ ଗତି କରୁଥିଲା I ପାରାସୁଟ୍ଖୋଲିବାର 20 ସେକେଣ୍ଡ ସମୟ ପରେ ଯାନରୁ ହିଟ୍ ସିଲ୍ଡ ଖୋଳପା ବିଛିନ୍ନ କରିଦିଆଗଲା ଏବଂ ଯାନକୁ ପ୍ରଥମଥର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବାକୁ ଦିଆଗଲା I ଏହା ଦ୍ବାରା ଯାନରେ ଖଂଜା ଥିବା ରାଡାର ( Radar) ଏବଂ ଟେରେନ୍ ରିଲେଟିଭ୍ ନାଭିଜେସନ୍  ( Terrain Relative Navigation System ) ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇ ସ୍ପଷ୍ଟ ତଳକୁ ଦେଖି ପାରିଲେ ଏବଂ ଗ୍ରହ ପୄଷ୍ଠରୁ ଯାନର ଉଚ୍ଚତା, ଅବସ୍ଥାନ ବେଗର ମୂଲ୍ୟ  ନିର୍ଭୁଲ ରୂପେ ମାପିବା ସହିତ ନିରାପଦ ଅବତରଣସ୍ଥଳୀ ସମ୍ପର୍କରେ ସୂଚନା ଦେବା ଆରମ୍ଭ କଲେ I   

    ନିମ୍ନମୂଖୀ ଯାନର ବେଗ  ହ୍ରାସ ପାଇ ଘଣ୍ଟା ପ୍ରତି 320 କି.ମି.  ମୂଲ୍ୟରେ ପହଂଚିଲା କ୍ଷଣି ବେଗକୁ   ଆହୁରି ମନ୍ଥର କରିବା ନିମନ୍ତେ  ଗ୍ରହପୄଷ୍ଠରୁ 2.1 କି.ମି. ଉର୍ଦ୍ଧ୍ବରେ ଯାନର 8ଟି ଇଂଜିନ୍ ବିଶିଷ୍ଟ ରେଟ୍ରୋ-ରକେଟ୍‍ ( Retro Rocket) ଗୁଡିକୁ କାର୍ଯ୍ୟକ୍ଷମ  କରାଗଲା; ଫଳରେ ଯାନର ବେଗ ଘଣ୍ଟା  ପ୍ରତି 2.7 କି,ମି. ମୂଲ୍ୟକୁ ହ୍ରାସ ପାଇଲା I ଯାନଟି ଗ୍ରହପୄଷ୍ଠରୁ 66 ଫୁଟ ଉର୍ଦ୍ଧ୍ବରେ ଥିଲାବେଳେ ଏକ ଅଭିନବ ପଦ୍ଧତି ଅନୁସାରେ ସ୍କାଇ କ୍ରେନ୍  ( Sky Crane) ବ୍ୟବସ୍ଥାକୁ ଚାଲୁ କରାଯାଇ ମୂଳଯାନରୁ 21 ଫୁଟ ଲମ୍ବର ଏକ ତାର ଜରିଆରେ ଯନ୍ତ୍ରଯାନକୁ ଅତି ଯତ୍ନର ସହ ତଳକୁ ଗ୍ରହପୄଷ୍ଠରେ  ଖସାଇ ଦିଆଗଲା I ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜଟିଳ ପ୍ରକ୍ରିୟା; କାରଣ ଏହାଦ୍ବାରା ହିଁ ଯାନଟି ସିଧାସଳଖ ଗ୍ରହପୄଷ୍ଠକୁ ଛୁଇଁବ I ଯନ୍ତ୍ରଯାନଟିର ଚକା ଗ୍ରହପୄଷ୍ଠକୁ ଛୁଇଁବାକ୍ଷଣି ଯାନକୁ ସଂଯୁକ୍ତ କରିଥିବା ଏହି ତାରକୁ ସ୍ବୟଚାଳିତ ବ୍ୟବସ୍ଥା ଜରିଆରେ କାଟି ଦିଆଗଲା I ତେଣେ ନାସାର କଣ୍ଟ୍ରୋଲ୍ ରୁମ୍ ରେ ଯାନର ଏହି ରୋମାଂଚକର ଅବତରଣ ସମ୍ପର୍କରେ ନିରବଛିନ୍ନ ଭାବେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଦିଆଯାଉଥାଏ I ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମାଇକରୁ ହଠାତ୍ ଭାସି ଆସିଲା ଭାରତୀୟ ବଂଶୋଦ୍ଭବ ମହିଳା ତଥା ଅଭିଯାନର ମାର୍ଗଦର୍ଶକ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( Guidance and Control Operations) ମୂଖ୍ୟ  ବୈଜ୍ଞାନିକ ଡକ୍ଟର ସ୍ୱାତୀ ମୋହନଙ୍କ କଣ୍ଠସ୍ୱର : ଟଚ୍ ଡାଉନ୍ କନଫରମଡ୍ ( Touchdown Confirmed) ଅର୍ଥାତ ଯାନର ଅବତରଣ ନିଶ୍ଚିତ କରାଗଲା I ଏହା ସହିତ ଉପସ୍ଥିତ ବୈଜ୍ଞାନିକ ମହଲରେ ଖୁସିର ଲହରୀ ଖେଳିଗଲା ଏବଂ ସମସ୍ତେ ପରସ୍ପରଙ୍କୁ  ଅଭିନନ୍ଦନ ଜଣେଇଲେ ଅଭିଯାନର ଏହି ବିରାଟ ସଫଳତା  ଉପଲବ୍ଧି ନିମନ୍ତେ I

  ଅଭିଯାନର ଅଭିପ୍ରାୟ

1.    . ଯନ୍ତ୍ରଯାନଟି ମଙ୍ଗଳ ଗ୍ରହରେ 1 ବର୍ଷ ( ମଙ୍ଗଳ ଗ୍ରହର 1 ବର୍ଷ ପୄଥିବୀର 687 ଦିନ ସଙ୍ଗେ ସମାନ) କାଳ ଗ୍ରହ ପୄଷ୍ଠରେ  ଗଡିଗଡି ନିଜର ଯନ୍ତ୍ରବାହୁ (Robotic Arm)  ଜରିଆରେ ଗ୍ରହପୄଷ୍ଠରୁ ଅତୀତ ଜୀବନସତ୍ତାର ପ୍ରମାଣ ବହନ କରୁଥିବା କିଛି ପଥର, ଭଗ୍ନ ଶିଳା ମୄତ୍ତିକା (Regolith) ସଂଗ୍ରହ କରି ମଙ୍ଗଳ ପୄଷ୍ଠରେ ହିଁ କିଛି ନଳୀ (Sterile Tubes)  ମଧ୍ୟରେ ସୁରକ୍ଷିତ କରି ରଖିବ  ଯାହାକୁ ଗ୍ରହ ଅଭିମୁଖେ   ପରବର୍ତ୍ତୀ ଅଭିଯାନ କାଳରେ ପୄଥିବୀକୁ ଆଣି ଗବେଷଣାଗାରରେ  ଯାଂଚ କରାଯିବ I

2.     ଅତୀତରେ ଗ୍ରହର ଜଳବାୟୁ ସୂକ୍ଷ୍ମ ଅଣୁଜୀବ ଭଳି ଜୀବନସତ୍ତା  ବଂଚିବା ନିମନ୍ତେ ଉପଯୁକ୍ତ ଥିଲା କି ନଥିଲା ସେ ସମ୍ପର୍କରେ  ପରୀକ୍ଷା କରାଯିବ I

3.  ଯାନଟି ଗ୍ରହ ପୄଷ୍ଠର କିଛି ନିର୍ଦ୍ଦିଷ୍ଟ ଶିଳାରେ ଅତୀତର ଏଭଳି ଜୀବନୋପଯୋଗୀ ଜଳବାୟୁରେ ସୄଷ୍ଟି ହୋଇଥିବା ସୂକ୍ଷ୍ମ ଅଣୁଜୀବ ଭଳି ଜୀବନସତ୍ତାର ସାଇତା ଭୂତାତ୍ତ୍ବିକ ସଂକେତ ( Geological  Signature)  ଅନ୍ବେଷଣ କରିବ  I

4.   ଗ୍ରହକୁ ଆଗାମୀ ଦିନରେ ମନୁଷ୍ୟ ଅଭିଯାନ କାଳରେ  ମହାକଶଚାରୀଙ୍କ  ଶ୍ବାସକ୍ରିୟା ନିମନ୍ତେ  ଗ୍ରହର ବାୟୁମଣ୍ଡଳରୁ କିପରି ଅକ୍ସିଜେନ୍ ପ୍ରସ୍ତୁତ କରାଯାଇ ପାରିବ  ସେ ସମ୍ପର୍କରେ ପରୀକ୍ଷା କରାଯିବ I

ଅବତରଣ ସ୍ଥଳୀ

       ନାସାର ବୈଜ୍ଞନିକମାନେ ଯନ୍ତ୍ରଯାନର ବିଚରଣ ପରବର୍ତ୍ତୀ ଅନୁସନ୍ଧାନ ନିମନ୍ତେ ବହୁତ ଭାବିଚିନ୍ତି ଗ୍ରହର ବିଶୁବରେଖାଠାରୁ ଉତ୍ତରକୁ ଅବସ୍ଥିତ ଜେଜେରୋ (Jejero) ଗହ୍ବରକୁ ହିଁ ବାଛିଥିଲେ I ଏହା 350 କୋଟି ବର୍ଷ ତଳେ ଉଲକାପାତ ଆଘାତ  ଜନିତ ସୄଷ୍ଟି  ହୋଇଥିବା ଏକ ଗହ୍ବର (Meteorite Impact Crater)  I ଏହା ସମ୍ଭବତ: ଏକ ପୂରାତନ ହ୍ରଦର ଅଂଶବିଶେଷ ଥିଲା ଏବଂ ଏହି ଅତୀତରେ ହ୍ରଦ ମଧ୍ୟକୁ ତରଳ ଜଳ ପ୍ରବାହିତ ଅନେକ ପ୍ରଣାଳୀ  ନିଷ୍କାସିତ ହେଉଥିଲା I ଏଠାରେ ଏକ ପୂରାତନ ନଦୀର ତ୍ରିକୋଣଭୂମିର ଅବଶେଷ  ରହିଥିବାର ମଧ୍ୟ  ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି I ଏବେ ଏହି ଜଳପ୍ରଣାଳୀସବୁର  ଶଯ୍ୟା  ଶୁଖି ଗଲାଣି I ସୁତରାଂ ଅତୀତରେ ଏହି ଗହ୍ବରରେ ଜଳୀୟ ପରିସ୍ଥିତିର  ଉପସ୍ଥିତି ସ୍ପଷ୍ଟ ଅନୁମାନ କରାଯାଏ I ଆହୁରି ମଧ୍ୟ , ବୈଜ୍ଞାନିକମାନେ ଏଠାରେ କ୍ଲେ (Clay) ଭଳି କିଛି ଖଣିଜ ପଦାର୍ଥର ସୂଚନା ପାଇଛନ୍ତି ଯାହା କେବଳ ଜଳର ଉପସ୍ଥିତିରେ ହିଁ ସୄଷ୍ଟି ହୋଇଥାଏ I ଅତୀତରେ ଏଠାରେ ଜଳ ଥିଲେ ଏଭଳି ପରିସ୍ଥିତିରେ ବ୍ୟାକ୍ଟେରିଆ ଭଳି କିଛି ସୂକ୍ଷ୍ମ ଅଣୁଜୀବ ବିକଶିତ ହୋଇଥିବାର ମଧ୍ୟ ଅନୁମାନ କରଯାଏ I   ଏହା ସତ୍ୟ ହୋଇଥିଲେ, ଏବେ ଏହି ଗହ୍ବରର ଶିଳା ମୄତ୍ତିକାସବୁରେ ସେଭଳି କିଛି ଜୀବନସତ୍ତା ଉପସ୍ଥିତିର ସଂକେତ ସାଇତା ହୋଇ ରହିଥିବ ଯାହାର ଉପସ୍ଥିତି  ପରବର୍ତ୍ତୀ ବୈଜ୍ଞାନିକ ବିଶ୍ଳେଷଣ ଦ୍ବାରା ସ୍ପଷ୍ଟ ହୋଇଯିବ I ସୁତରାଂ ଆଗାମୀ ଦିନରେ ଯନ୍ତ୍ରଯାନଟି ଏହି ଗହ୍ବର ମଧ୍ୟରେ ଗଡି ଗଡି ନିଜର ଯନ୍ତ୍ରବାହୁ ଜରିଆରେ  କୋଟି କୋଟି ବର୍ଷ ତଳର ମୂକ ସାକ୍ଷୀ ଏଭଳି କିଛି ଦୁର୍ଲଭ ବିଚିତ୍ର  ଶିଳା ମୄତ୍ତିକାର ନମୁନା ସଂଗ୍ରହ କରିବ ଯାହାର ପରବର୍ତ୍ତୀ ବବିଶ୍ଳେଷଣ ଦ୍ବାରା ଗ୍ରହ ପୄଷ୍ଠରେ ଅତୀତରେ ଜୀବନର ଅଭ୍ୟୁଦୟ କ୍ରମବିକାଶ ଭଳି ବହୁ ଅସମାହିତ ଜଟିଳ ପ୍ରଶ୍ନ ଉପରେ ଆଲୋକପାତ ହୋଇ ପାରିବ I

ଯନ୍ତ୍ରଯାନ

     ଯନ୍ତ୍ରଯାନଟି 1 ଟନ୍ଓଜନର ଏକ କାର୍ ଆକୄତିର ଚକ ଲଗା ଭ୍ରମଣଶୀଳ ଗାଡି ବା ରୋଭର୍  (Rover) I ଗ୍ରହ ପୄଷ୍ଠରେ ଗଡି ଗଡି ଅନୁସନ୍ଧାନ କରିବା ନିମନ୍ତେ ଯାନରେ ଆଲୁମିନିୟମ୍ଧାତୁରେ ନିର୍ମିତ  ସମୁଦାୟ 6ଟି ଚକ ଅଛି I ଯାନଟିରେ ମଧ୍ୟ ଗ୍ରହ ପୄଷ୍ଠର ବିଭିନ୍ନ ପର୍ଯ୍ୟବେକ୍ଷଣ ନିମନ୍ତେ 7ଟି ଅତ୍ୟାଧୁନିକ ଯନ୍ତ୍ରାବଳୀ, 19ଟି କ୍ୟାମେରା ଏବଂ 2ଟି ମାଇକ୍ରୋଫୋନ୍ ଖଂଜା ଅଛି I ଯାନର ଶକ୍ତି ଚାହିଦା ପୂରଣ ନିମନ୍ତେ ଏଥିରେ 110 ୱ୍ବାଟ୍ ସମ୍ପନ୍ନ ପ୍ଲୁଟୋନିୟମ୍-238 (Plutonium-238) ଇନ୍ଧନ ଚାଳିତ ଏକ ତେଜସ୍କ୍ରିୟ ତାପ-ବୈଦ୍ୟୁତିକ  ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର  (Radioisotope Thermoelectric Power Generator-MMRTG) ସ୍ଥାନିତ  ଅଛି I

ଯନ୍ତ୍ରାବଳୀ

   ଯନ୍ତ୍ରଯାନରେ ଗ୍ରହର ପୄଷ୍ଠ, ବାୟୁମଣ୍ଡଳ ମାଟି ତଳ ସମ୍ପର୍କରେ ଅନୁଧ୍ୟାନ  କରିବା ପାଇଁ ସମୁଦାୟ 7ଟି ଅତ୍ୟାଧୁନିକ ଯନ୍ତ୍ର ଏକ ହେଲିକପ୍ଟର୍ ସ୍ଥାନିତ ଅଛି I ସେଗୁଡିକ ସମ୍ପର୍କରେ ବର୍ଣ୍ଣନା  ନିମ୍ନରେ ଦିଆଗଲା:

        1.  Mastcam-z :

    ଏହା ଗ୍ରହର ପୄଷ୍ଠ ଏବଂ ବାୟୁମଣ୍ଡଳର ବିସ୍ତୄତ ( Panoramic) ତଥା ତ୍ରିବିମୀୟ ( Stereoscopic) ଫୋଟୋ ଉତ୍ତୋଳନ କରିବା ପାଇଁ ଉଦ୍ଦିଷ୍ଟ ଏକ କ୍ୟାମେରା I ଏହା ମଧ୍ୟ ନିଜର ଜୁମ୍ ( Zoom) ଲେନ୍ସ୍ଦ୍ବାରା କୌଣସି ଦୂର ବସ୍ତୁକୁ ପରିବର୍ଦ୍ଧନ  କରି ସ୍ପଷ୍ଟ ଫଟୋ ନେଇ ପାରିବ I

 2.     MEDA  ( Mars Environmental Dynamics Analyser)

ଏଥିରେ ସ୍ଥାନିତ ଅନେକ ସେନ୍ସର  ( Sensor)  ଗ୍ରହପୄଷ୍ଠର ତାପମାତ୍ରା, ବାୟୁପ୍ରବାହର ବେଗ  ଦିଗ, ଆପେକ୍ଷିକ ଆର୍ଦ୍ରତା, ବାୟୁମଣ୍ଡଳୀୟ  ଚାପ ଆଦି ମହତ୍ବପୂର୍ଣ୍ନ ତଥ୍ୟ  ସମ୍ପର୍କରେ ସୂଚନା ଦେଇ ପାରିବ I

 3.     MOXIE ( Mars Oxygen ISRU Experiment)

      ଏହା ଗ୍ରହର ଅଙ୍ଗାରକାମ୍ଳ ଭରା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ କରି ସେଥିରୁ ଅକ୍ସିଜେନ୍ ପ୍ରସ୍ତୁତ କରିବା ପାଇଁ ଏକ ପ୍ରରୀକ୍ଷା କରିବ  ଯାହା ଆଗାମୀ ଦିନରେ ଗ୍ରହ ପୄଷ୍ଠରେ ମଣିଷର ବସତି ସ୍ଥାପନ କ୍ଷେତ୍ରରେ ଏକ ବଡ ସମସ୍ୟା ଯଥା ଅକ୍ସିଜେନ୍ ଯୋଗାଣ ପ୍ରସଙ୍ଗରେ ସମାଧନରେ   ସହାୟକ ହେବ I

 4.     PIXL( Planetary Instrument for X-ray Lithochemistry)

    ଏହା ମୂଳତ: ଏକ ଏକସ-ରେ  (X- Ray)  ବର୍ଣ୍ଣାଳୀ ଦର୍ଶକ ଯନ୍ତ୍ର ବା ସ୍ପେକ୍ଟ୍ରୋମିଟର ( Spectrometer) ଯାହା ଗ୍ରହ ପୄଷ୍ଠର ଶିଳାକୁ ଅନୁଧ୍ୟାନ କରି ସେଥିରେ ଗଛିତ ବିଭିନ୍ନ ମୌଳିକ ପଦାର୍ଥକୁ ଚିହ୍ନଟ କରିବ I

 5.      RIMFAX (Radar Imager for Mars Subsurface Experiment)

    ଏହା ରାଡାର ତରଙ୍ଗ ସାହାଯ୍ୟରେ ଗ୍ରହପୄଷ୍ଠର ମୄତ୍ତିକା ଭେଦକରି ମାଟିତଳେ ଥିବା ବସ୍ତୁ ସମୂହର  ଉଚ୍ଚବିଭେଦନଶୀଳ ( High Resolution)  ଫଟୋଚିତ୍ରଗ୍ରହଣ କରି  ପାରିବ I

 6.     SHERLOC ( Scanning Habitable Environments with Raman & Luminescence for Organisms and Chemicals)

      ଏହା ଲେଜର ରଶ୍ମି ବ୍ୟବହାର କରି ଅନୁସନ୍ଧାନ କରୁଥିବା ଏକ ସ୍ପେକ୍ଟ୍ରୋମିଟର I ଏହା ଏକ ଗୁଇନ୍ଦା ଭଳି ଗ୍ରହ ପୄଷ୍ଠର ମାଟି, ଗୋଡି ପଥରରେ  ଜୈବିକ ପଦାର୍ଥ ଖଣିଜକୁ ଅନୁସନ୍ଧାନ କରି ଅତୀତରେ ଜଳ ଜୀବନର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ପାରିବ I

        7.  SuperCam

     ଏହା ଦୂରରୁ ଥାଇ ଗ୍ରହ ପୄଷ୍ଠର ମୄତ୍ତିକା , ଶିଳା ଏବଂ ରାସାୟାନିକ ଉପାଦାନକୁ ଏକ କ୍ୟାମେରା, ଲେଜର୍ ରଶ୍ମି ସ୍ପେକ୍ଟ୍ରୋମିଟର ଉପକରଣ ଜରିଆରେ  ଅନୁଧ୍ୟାନ କରି ସୂଚନା ଦେଇ ପାରିବ I 

ହେଲିକପ୍ଟର

        ଯନ୍ତ୍ରଯାନରେ ସଂଷ୍ଳିଷ୍ଟ  ଇନଜେନୁଇଟି (Ingenuity) ନାମକ ଏକ ହେଲିକପ୍ଟର ଅଭିଯାନର  ଅନ୍ୟତମ ବୈଶିଷ୍ଟ୍ୟ I ଏହା ପୄଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ମଣିଷ ଦ୍ବାରା ସମ୍ପାଦିତ ସର୍ବପ୍ରଥମ ଶକ୍ତି ଚାଳିତ ନିୟନ୍ତ୍ରିତ ଉଡ୍ଡାଣ (Power Controlled Flight) I ଏହି ହେଲିକପ୍ଟରରେ ସମୁଦାୟ 4ଟି ରୋଟୋର୍ ବ୍ଲେଡ୍ ( Rotor Blade)  ସମେତ ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ ନିମନ୍ତେ ସୌର ପ୍ୟାନେଲ୍ ଏବଂ ବ୍ୟାଟେରୀ ସ୍ଥାନିତ ଅଛି I ଏହା ଘଣ୍ଟା ପ୍ରତି ସର୍ବାଧିକ 36 କି.ମି. ବେଗରେ ଗ୍ରହ ପୄଷ୍ଠରୁ 10 ରୁ 16 ଫୁଟ ଉର୍ଦ୍ଧ୍ବରେ ରହି ଉଡି ପାରିବ I ଏହା ଥରକର 90 ସେକେଂଡ ଉଦ୍ଡାଣକାଳ ମଧ୍ୟରେ 160 ଫୁଟ ପର୍ଯ୍ୟନ୍ତ ଦୂରତା ଆକାଶରେ ଉଡି ପୁଣି ମୂଳସ୍ଥାନକୁ ଫେରି ଆସି ପାରିବ I ଏହା ମୂଖ୍ୟତ: ଏକ ପ୍ରଯୁକ୍ତିଗତ  ପରୀକ୍ଷାମୂଳକ ପ୍ରଦର୍ଶନ ଯାହା ମଙ୍ଗଳ ଗ୍ରହର ପତଳା ବାୟୁମଣ୍ଡଳରେ  ଶକ୍ତି ଚାଳିତ ଉଡ୍ଦାଣ ସମ୍ଭବପର କି ନୁହେଁ ପରୀକ୍ଷା କରିବ I ଏହାର ପର୍ଯ୍ୟବେକ୍ଷଣ ମଧ୍ୟ ଗ୍ରହ ପୄଷ୍ଠରେ ଆଗାମୀ ଦିନରେ ଅବତରଣ କରିବାକୁ ଥିବା ଯନ୍ତ୍ରଯାନଗୁଡିକର ଗତିପଥ ନିର୍ଦ୍ଧାରଣ  କରିବାରେ ସହାୟକ ହେବ I ଏହି ହେଲିକପ୍ଟରରେ କେବଳ ଏକ କ୍ୟାମେରା ସ୍ଥାନିତ ଅଛି ଏବଂ ଏହା ମୂଳ ଯନ୍ତ୍ରଯାନର ଯୋଗାଯୋଗ ବ୍ୟବସ୍ଥା ଜରିଆରେ ପୄଥିବୀ ସମ୍ପର୍କ  ସ୍ଥାପନ କରିପାରେ I

ରକେଟ୍ ଚଢି, ଲାଲ୍ ରାଇଜକୁ ଯିବାରେ ଉଡି

    ମନୁଷ୍ୟର ପ୍ରକୄୄତି ବିରୋଧୀ କାର୍ଯ୍ୟକଳାପ ପ୍ରାକୄତିକ ପ୍ରଦୂଷଣ ହେତୁ ସୁନ୍ଦର ଗ୍ରହ  ପୄଥିବୀ ଏବେ ଅବକ୍ଷୟମୂଖୀ ଏବଂ ଧ୍ବଂସପଥର ଯାତ୍ରୀ I ଏହି ଧାରା ଅବ୍ୟାହତ ରହିଲେ ଦିନ ଆସିବ ଆମର ପୄଥିବୀ ଆଉ ଜିବନୋପଯୋଗୀ ହୋଇ ରହିବ ନାହିଁ I ସେତବେଳେ ଆମକୁ ଆମର ଅବକ୍ଷୟମୁଖୀ ପୄଥିବୀ ଛାଡି ଅନ୍ୟ ଗ୍ରହ ଗ୍ରହାନ୍ତରରେ ଭିନ୍ନ  ଏକ ଜୀବନୋପଯୋଗୀ ରାଇଜ ସନ୍ଧାନ କରିବାକୁ ପଡିବ ଏବଂ ଆମର ଏହି ମହାଜାଗତିକ ବାସସ୍ଥଳୀ ଅନ୍ବେଷଣରେ ପଡୋଶୀ ଗ୍ରହ ମଙ୍ଗଳ ହେବ ସର୍ବପ୍ରଥମ ଲକ୍ଷ୍ୟସ୍ଥଳୀ I ଆଗାମୀ ଦିନରେ ପୄଥିବୀରୁ ଦଳ ଦଳ ପୁରୁଷ ସ୍ତ୍ରୀ ସଟଲ୍ ଯାନରେ ମଙ୍ଗଳ ଗ୍ରହକୁ ଯାତ୍ରା କରି ଗ୍ରହଟିକୁ ନିଜର କର୍ମଭୂମି ରୂପେ ଆଦରି ନେଇ ସେଠାକାର  ମୄଦୁ ତାପମାତ୍ରାରେ ଘର ବସେଇବେ ଏବଂ ମଣିଷ ସଭ୍ୟତାକୁ ସମ୍ଭାବ୍ୟ ବିଲୁପ୍ତି ପଥରୁ ରକ୍ଷା କରିବେ  I ଆଗାମୀ ଦିନରେ ପୄଥିବୀ ଛାଡି ଅନ୍ୟ ଗ୍ରହରେ ବସା ବାନ୍ଧିବାର ମଣିଷର ଏହି ଦୁର୍ବାର ସୁଦୂର ସ୍ବପ୍ନକୁ ସାକାର କରିବା ପାଇଁ ଆମେରିକୀୟ ମହାକାଶ ସଂସ୍ଥା ନାସାର ଲୋହିତ ଗ୍ରହ ମଙ୍ଗଳକୁ ପ୍ରେରିତ ପର୍ସିଭେରେନ୍ସ୍ଅଭିଯାନ ଏକ ପ୍ରୟାସ ପଦକ୍ଷେପ ମାତ୍ର I




                                                                                      ଏଜୁକେଶନ୍ ଅଫିସର୍

                                                                                     ଆଂଚଳିକ ବିଜ୍ଞାନ କେନ୍ଦ୍ର

                                                                                              ଭୋପାଲ


ଏହି ଲେଖାଟିକୁ pdf ଫାଇଲରେ  ପଢିବାକୁ ନିମ୍ନ ଲିଙ୍କ ରେ କ୍ଲିକ କରନ୍ତୁ :

  https://tinyurl.com/Lohita-graha




 

 

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?