କେନ୍ଦ୍ରାପଡାର ସୂର୍ଯ୍ୟଘଡି
ପ୍ରାଚୀନ ସମୟରେ ସମୟ ଗଣନା ପାଇଁ ସୂର୍ଯ୍ୟଘଡି ହିଁ ଥିଲା ଏକମାତ୍ର ମାଧ୍ୟମ
I ଏଥିରେ ଥିବା ଏକ ଦଣ୍ଡ ଗୋଟିଏ ଅଂଶାଙ୍କିତ ଫଳକ ଉପରେ ଛାୟପାତ କରେ I ଏହି ଛାୟାର ଅବସ୍ଥାନରୁ ହିଁ ସ୍ଥାନୀୟ ସମୟର ସୂଚନା ମିଳିଥାଏ I ଫଳକର ସଜ୍ଜା ଅନୁସାରେ ସୂର୍ଯ୍ୟଘଡିକୁ ବିଶୁବ-ରୈଖୀୟ, ଭୂସମାନ୍ତରୀୟ ଏବଂ ଭୁଲମ୍ବୀୟ : ଏହିପରି ତିନି ଭାଗରେ ବିଭକ୍ତ କରାଯାଇଛି I
କେନ୍ଦ୍ରାପଡା ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନତିଦୂରରେ ଏକ ଐତିହାସିକ ସୂର୍ଯ୍ୟଘଡି ଦେଖିବାକୁ ମିଳେ I ଏହା ଇଟା ଓ ସିମେଣ୍ଟରେ ତିଆରି ବ୍ରିଟିଶ ଅମଳର ଏକ ପ୍ରାଚୀନ କୀର୍ତ୍ତି I ଏହାର ଫଳକଟି ଭୂସମାନ୍ତର ଅବସ୍ଥାରେ ଥିବାରୁ ଏହା ଏକ ଭୂସମାନ୍ତରୀୟ ସୂର୍ଯ୍ୟଘଡି I ଏହାର ଫଳକ ଉପରେ ଛାୟାପାତ କରିବା ନିମନ୍ତେ ଘଡ଼ିରେ ଏକ ତ୍ରିଭୁଜାକୃତି ଦଣ୍ଡର ବ୍ୟବସ୍ଥା ଅଛି I ଫଳକର ଅଂଶାଙ୍କନ ଉପରେ ଏହି ଦଣ୍ଡ ଦ୍ୱାରା ପଡୁଥିବା ଛାୟାର ଅବସ୍ଥାନରୁ ସାଧାରଣତଃ ସମୟ ନିରୂପଣ କରାଯାଏ I ଏହି ଘଡ଼ିରେ ଏକ ବିଶାଳକାୟ ଗୋଲାକୃତି ଫଳକର ମଧ୍ୟଭାଗରେ ଗୋଟିଏ ତ୍ରିଭୁଜାକାର ଦଣ୍ଡ ସ୍ଥାନିତ ଅଛି I ଏହି ତ୍ରିଭୁଜାକୃତି ଦଣ୍ଡର ଭୂମିସ୍ଥ କୋଣ ସ୍ଥାନୀୟ ଅକ୍ଷାଂଶ (ପ୍ରାୟ 21 ଡିଗ୍ରୀ) ସଙ୍ଗେ ସମାନ ଏବଂ ଦଣ୍ଡଟିକୁ ଉତ୍ତର ଆଡକୁ ଧ୍ରୁବତାରା ଦିଗରେ ମୁହଁ କରି ରଖା ଯାଇଛି I ଏଭଳି ଅବସ୍ଥାରେ, ତ୍ରିଭୁଜାକୃତି ଦଣ୍ଡର କର୍ଣ୍ଣରେଖା ପୃଥିବୀର ଅକ୍ଷ ସଙ୍ଗେ ସମାନ୍ତର ଅବସ୍ଥାରେ ରହିଥାଏ ଯାହା ନିର୍ଭୁଲ ରୂପେ ସମୟ ଗଣନାରେ ସହାୟକ ହୋଇଥାଏ I
ଏଥିରେ ସ୍ଥାନିତ ଏକ ପ୍ରସ୍ତର ଫଳକର ଲିପି ଅନୁସାରେ, ଘଡିଟି ବ୍ରିଟିଶ ଅମଳରେ ଗତ 1887 ମସିହାରେ ମହାରାଣୀ ଭିକଟୋରିଆଙ୍କ ଶାସନର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ମାଣ କରାଯାଇଥିଲା I ସୁତରାଂ ଏହା ଏକ ଶତାବ୍ଦୀ ଉର୍ଦ୍ଧ୍ଵ କାଳର ପ୍ରାଚୀନ ଘଡି ବୋଲି ଧରିବାକୁ ହେବ I
ମାତ୍ର ଏହି ଐତିହାଦିକ ଘଡିଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡ଼ିଛି I ଫଳକରେ ଅଂଶାଙ୍କନର ଦାଗସବୁ ଲିଭି ଯାଇଥିବାରୁ ପ୍ରକୃତ ସମୟ ଗଣନା ସମ୍ଭବ ହୋଇପାରୁ ନାହିଁ I ଆହୁରି ମଧ୍ୟ, ଏହା ନିକଟରେ ଅବସ୍ଥିତ ଏକ ସୂଉଚ୍ଚ ସରକାରୀ ଅଟ୍ଟାଳିକାର ଛାଇ ଏହି ସୁର୍ଯ୍ୟଘଡି ଉପରେ ପଡୁଥିବାରୁ ବର୍ଷର ସବୁ ସମୟରେ ସମୟ ଗଣନା କରିବା ସମ୍ଭବପର ହେଉ ନାହିଁ I
ଲେଖକ ଏହି ଘଡିଟିକୁ ପ୍ରଥମେ 1996 ମସିହାରେ ଦେଖିଥିଲେ I ସେ ସମୟରେ ଏହାର ଫଳକର କିଛି ଅଂଶ ଭାଙ୍ଗି ଯାଇଥିଲା I ଏହା ଚାରିପଟେ ଅରମା ଭରି ରହିଥିଲା ଏବଂ ସାଧାରଣ ଲୋକେ ଏହାର ମହତ୍ତ୍ୱ ନବୁଝି ଏପରିକି ଏହାର ଫଳକ ଉପରେ ମଳତ୍ୟାଗ କରୁଥିଲେ I ପରେ ସ୍ଥାନୀୟ ପ୍ରଶାସନ ତରଫରୁ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହା ପୁଣି ଅରମାରେ ପୋତି ହୋଇ ପଡିଥିଲା I ଏବେ ମଧ୍ୟ ଘଡିର ଅନତିଦୂରରେ ଥିବା କିଛି ଅଟ୍ଟାଳିକାର ଛାଇ ଘଡି ଉପରେ ପଡ଼ୁଥିବାରୁ ଏହା ସୁଚାରୁ ରୂପେ କାର୍ଯ୍ୟ କରିପାରୁ ନାହିଁ I
ଏକ ସୂର୍ଯ୍ୟଘଡି ସାଧାରଣତଃ 'ସ୍ଥାନୀୟ ସମୟ (Local Time)' ସୂଚନା ଦେଇଥାଏ I ଏହା ଆମ କଳଘଡିର ସମୟ ସହିତ ମେଳ ଖାଏ ନାହିଁ ଯେହେତୁ ଏକ କଳଘଡ଼ିରେ କେବଳ 'ଭାରତୀୟ ମାନକ ସମୟ (Indian Standard Time)' ପ୍ରଦର୍ଶିତ ହୋଇଥାଏ ଯାହା ଭାରତୀୟ ମାନକ ଦ୍ରାଘିମା 82.5 ର ସମୟ ଅନୁସାରେ ପର୍ଯ୍ୟବେସିତ I ଭାରତୀୟ ମାନକ ଦ୍ରାଘିମା (82.5 ଡିଗ୍ରୀ ପୂର୍ବ) ଓ ଆମର ଦ୍ରାଘିମା (86 ଡିଗ୍ରୀ ପୂର୍ବ) ମଧ୍ୟରେ 3.5 ଡିଗ୍ରୀର ଅନ୍ତର ରହିଛି ଏବଂ ପ୍ରତି 1 ଡିଗ୍ରୀ ଦ୍ରାଘିମା ଅନ୍ତରରେ 4 ମିନିଟ ସମୟର ଫରକ ଆସିଥାଏ I ସୁତରାଂ ଆମ ରାଜ୍ୟରେ କୌଣସି ସୂର୍ଯ୍ୟଘଡ଼ିର ସମୟକୁ ଏକ କଳଘଡିର ସମୟ ସଙ୍ଗେ ମିଳାଇବାକୁ ହେଲେ ଏହାର ପ୍ରଦର୍ଶିତ ପାଠ୍ୟାଙ୍କରୁ 14 ମିନିଟ ସ୍ରମୟ ବିୟୋଗ କରିବା ଆବଶ୍ୟକ I ଏହା ସତ୍ତ୍ୱେ ଏକ ସୂର୍ଯ୍ୟଘଡି ଓ କଳଘଡିର ସମୟ ମଧ୍ୟରେ ଅଳ୍ପ କିଛି ପାର୍ଥକ୍ୟ ରହିଥାଏ I ଏହି ପାର୍ଥକ୍ୟକୁ ଦୂର କରି କଳଘଡ଼ିର ସମୟ ସଙ୍ଗେ ସମ୍ପୂର୍ଣ୍ଣ ରୂପେ ମେଳନ କରିବାକୁ ହେଲେ ସୂର୍ଯ୍ୟଘଡିର ପ୍ରଦର୍ଶିତ ସମୟ ସଙ୍ଗେ ବର୍ଷର ମାସ ଓ ତାରିଖ ଅନୁସାରେ କିଛି ସମୟର ଯୋଗ କିମ୍ବା ବିୟୋଗ କରିବାର ଆବଶ୍ୟକତା ପଡିଥାଏ I ଏଥିପାଇଁ ଏକ ସମୟ ସାରଣୀର ବ୍ୟବହାର କରିବାକୁ ପଡେ ଯାହାର ନାମ ସମୟ ସମୀକରଣ ସାରଣୀ (Equation of Time Table) I
କେନ୍ଦ୍ରାପଡା ସୂର୍ଯ୍ୟଘଡିର ସୁରକ୍ଷା ନିମନ୍ତେ ଉତ୍ତମ ରକ୍ଷଣାବେକ୍ଷଣ ସାଙ୍ଗକୁ ଏହା ବର୍ଷର ସବୁ ସମୟରେ ସୂର୍ଯ୍ୟାଲୋକ ପାଇବାକୁ ହେଲେ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଙ୍କ ପରାମର୍ଶ କ୍ରମେ ଏହାକୁ ନୂତନ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ I ଏହାର ଫଳକ ଉପରେ ଲିଭିଯାଇଥିବା ଅଂଶାଙ୍କନକୁ ନୂତନ ରୁପେ ଅଙ୍କନ କରାଯିବା ଆବଶ୍ୟକ I ଘଡ଼ିରେ ପ୍ରଦର୍ଶିତ ସ୍ଥାନୀୟ ସମୟକୁ ଆମେ ଏବେ ବ୍ୟବହାର କରୁଥିବା କଳଘଡିର ସମୟ ସଙ୍ଗେ ମେଳନ କରିବା ନିମନ୍ତେ ଏକ ସମୟ ସମୀକରଣ ସାରଣୀ (Equation of Time Table) ସ୍ଥାନିତ ଗୋଟିଏ ସୂଚନା ଫଳକର ବ୍ୟବସ୍ଥା କରାଯିବା ଆବଶ୍ୟକ I
ଆମ ରାଜ୍ୟର କେନ୍ଦ୍ରାପଡା ସମେତ କଟକର ରେଭେନ୍ସା କଲେଜ , ଭୁବନେଶ୍ବରର ମୁକ୍ତେଶ୍ଵର ମନ୍ଦିର, କୋଣାର୍କର ସଂଗ୍ରହାଳୟ, ବଡମ୍ବାର ତହସିଲ କାର୍ଯ୍ୟାଳୟ ଓ ଖଣ୍ଡପଡାର କଚେରୀ ପରିସର ମଧରେ ବ୍ରିଟିଶ ଅମଳର ଐତିହାସିକ ସୂର୍ଯ୍ୟଘଡିମାନ ରହିଥିବାର ଦେଖିବାକୁ ମିଳେ I ସ୍ଥାନୀୟ ପ୍ରଶାସନ ତରଫରୁ ଏଗୁଡିକର ସଂରକ୍ଷଣ କରାଯିବା ନିହାତି ଆବଶ୍ୟକ I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
Comments
Post a Comment