ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର
ଆମ ଦେଶର ସୁନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ 1930 ମସିହାରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସସ୍କାର ପ୍ରାପ୍ତ ହୋଇଥିଲେ I ରମଣ 1928 ମସିହା ଫେବ୍ରୁଆରୀ 28 ତାରିଖ ଦିନ ନିଜର ଯୁଗାନ୍ତକାରୀ ' ରମଣ ପ୍ରଭାବ ' ସିଦ୍ଧାନ୍ତ ଆବିଷ୍କାର କରିଥିଲେ I ଏହି ଘଟଣାକୁ ଚିରସ୍ମରଣୀୟ କରିବା ପାଇଁ ଆମ ଦେଶରେ ଫେବ୍ରୁଆରୀ 28 ତାରିଖକୁ ' ଜାତୀୟ ବିଜ୍ଞାନ ଦିବସ ' ରୂପେ ପାଳନ କରାଯାଏ I ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ ଯାହା ଆଜିର ଛାତ୍ର ତଥା ଯୁବପୀଢିକୁ ପ୍ରେରଣା ଯୋଗାଇବ I ପ୍ରଥମତଃ , ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ ମାତ୍ର 18 ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ୍ ପତ୍ରିକା ' ଦି ଫିଲୋସୋଫିକାଲ ମାଗାଜିନ୍ ' ରେ ପ୍ରକାଶ କରିଥିଲେ I ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ନିଜର ସ୍ୱପ୍ନ ଓ କଳ୍ପନା ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ , ତାହା ଏଥିରୁ ଶିକ୍ଷା ମିଳେ I ଦ୍ୱିତୀୟତଃ , ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ୍ ବିଜ୍ଞାନୀ ଲର୍...